• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗାଁରେ ବସିଛି ମାଳମାଳ ୱାଟର ପୋଷ୍ଟ । କେଉଁଥିରେ ଟ୍ୟାପ୍‌ ନାହିଁ ତ କେଉଁଠି ହୁଗୁଳି ଗଲାଣି ପାଇପ୍ । ଭଲ ପାଣି ଟିକ ନ ମିଳିବାରୁ ମାଧ୍ୟ ହୋଇ ଚୁଆ ପାଣି ସଂଗ୍ରହ କରି ଘରକୁ ନେଇଛନ୍ତି ଲୋକେ । ପ୍ରଶାସନ ସିନା ୱାଟର ଷ୍ଟାଣ୍ଡ କରି ଅଧା ପନ୍ତରିଆ ଛାଡ଼ିଦେଇଛି । ହେଲେ ଏ ଶୋଷ କ’ଣ ରୋକି ହେଉଛି । ଯାହା ଫଳରେ ବାଧ୍ୟ ହୋଇ ଚୁଆ ଉପରେ ନିର୍ଭର କରୁଛନ୍ତି ଲୋକେ । ଗାଁରେ ଖାଲି ଷ୍ଟାଣ୍ଡ ଅଛି ହେଲେ ପାଣିର ଦେଖା ନାହିଁ । ଏପରି ସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝରର ପ୍ରାୟ ସବୁ ବ୍ଳକରେ । ଠିକାଦାର ଗାଁରେ ଘରେ ଘରେ ପାଇପ ଯୋଗେ ପାଣି ଷ୍ଟାଣ୍ଡ ଦେବା ପରିବର୍ତ୍ତେ ରାସ୍ତା କଡ଼ରେ ମାଳମାଳ ଷ୍ଟାଣ୍ଡ ଠିଆ କରି ପଇସା ନେଇ ପାର୍ । ଯାହାକୁ ନେଇ ସବୁଠି ଦେଖିବାକୁ ମିଳିଛି ଅସନ୍ତୋଷ । ଏପରିକି ସରଲାପେଣ୍ଟ ଗ୍ରାମବାସୀ କହିଲେଣି ପାଣି ନାହିଁ ତ ଭୋଟ୍ ନାହିଁ ।

ସରକାର ଘରେ ଘରେ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଯାହାକୁ ନେଇ ୨ବର୍ଷ ତଳୁ କାମ ଆରମ୍ଭ ହୋଇଥିଲା । ହେଲେ ଆମେ ସ୍ଥିତି ପରଖିଥିଲୁ କେନ୍ଦୁଝର ସଦର ବ୍ଳକର ମହାଦେଇ ଯୋଡା, ଟିକରପଡ଼ା, ସରଲାପେଣ୍ଟ, ମଦରଙ୍ଗା ଯୋଡ଼ି ଗାଁରେ । ଏଥିରୁ ସରଲାପେଣ୍ଟ ଗାଁରେ ତ ଗ୍ରାମବାସୀ କାମ ଦାମ ଛାଡ଼ି ଚୁଆରୁ ପାଣି ଆଣିବାରେ ସମୟ ବିତାଉଛନ୍ତି । ସେହିପରି ବାଂଶପାଳ ବ୍ଳକର ଚମ୍ପେଇ, ଗୌଡ଼ ଚମ୍ପେଇ, ବାୟାକୁମୁଟିଆ, ଅଅଁରା, ରୁଗୁଡି ସାହି ସବୁଠି ସମାନ ସ୍ଥିତି । ଏପରିକି କିଛି ଦିନ ତଳେ କେନ୍ଦୁଝର ମୁଖ୍ୟାଳୟରୁ ୪ କିମି ଦୂର ଗୋବିନ୍ଦପୁରର ଲୋକମାନେ ପାଣି ମୁନ୍ଦାଏ ପାଇଁ ରାସ୍ତାରୋକ କରିଥିଲେ । ଅନ୍ୟପଟେ ପାଟଣା ବ୍ଳକ ମଲ୍ଲିପଶି ଗାଁ କଥା ନ କରିବା ଭଲ । ଏଠାରେ ତ ପାଣି ଟିକେ ପାଇଁ ଖରାକୁ ଭୟ ନକରି ଜଣଙ୍କ ପରେ ଜଣେ ଖରାରେ ବସି ବେଲା ସାହାଯ୍ୟରେ ପାଣି ଏକାଠି କରିବାକୁ ବାଧ୍ୟ ହେଉଛନ୍ତି ।

କେନ୍ଦୁଝର ଜିଲ୍ଲାରେ ଘରେ ଘରେ ପାଣି ଯୋଗାଇ ଦେବାକୁ ସରକାରୀ ଯୋଜନା ଥିଲେ ସୁଦ୍ଧା DMFରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି । ତା ପରେ ମଧ୍ୟ ସ୍ଥିତି ସମାନ । ଏ ନେଇ ଗ୍ରାମୀଣ ଜଳ ଯୋଗାଣ ଅଧିକାରୀ କିଛି କହୁ ନ ଥିବା ବେଳେ, ଉପଜିଲ୍ଲାପାଳ କହିଛନ୍ତି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ଓ ଖରାପ ଥିବା ନଳକୂପକୁ ସଜଡ଼ାଯିବ । ତେବେ ଦେଖିବାକୁ ବାକି ରହିଲା କେବେ ଗାଁକୁ ଜଳ ସଂଯୋଗ ହେଉଛି ଓ ଗ୍ରାମବାସୀଙ୍କ ଅସୁବିଧା ଦୂର ହେଉଛି ।