• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସ୍ଥାନୀୟ ସଦଭାବନା ଗୃହରେ କୃଷି ବିଭାଗ, ସମବାୟ ବିଭାଗ, ମିଲେଟ୍ ମିଶନର ଅଧିକାରୀ ଏବଂ ସମସ୍ତ ସଂସ୍ଥାର ମୁଖ୍ୟମାନଙ୍କ ଉପସ୍ଥିତିରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ମାଣ୍ଡିଆକୁ ନେଇ ସମୀକ୍ଷା କରିଛନ୍ତି । ତେବେ ସମୟ ସୀମା ମଧ୍ୟରେ ଧାର୍ଯ୍ୟ ଟାର୍ଗେଟ ପୂରଣ କରାଯିବ ବୋଲି ଅଧିକାରୀମାନେ କହିବା ସହିତ ମଣ୍ଡିକୁ ଆସିବା ବଦଳରେ ଚାଷୀ ବାହାର ବଜାରରେ ବିକ୍ରି କରୁଥିବା ସ୍ୱୀକାର କରିଛନ୍ତି। ଏହି ବୈଠକରେ ଉପସ୍ଥିତ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତି ସୂଚନା ଦେଇ କହିଥିଲ ଯେ, ଜିଳ୍ଲାର ପ୍ରାୟ ୧୯ ହଜାର ଚାଷୀଙ୍କୁ ମାଣ୍ଡିଆ ଚାଷ କରିବା ନେଇ ୨ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଧାର୍ଯ୍ୟ ସମୟ ମଧ୍ୟରେ ମାଣ୍ଡିଆ ସଂଗ୍ରହ ଟାର୍ଗେଟ ପୂରଣ ହେବ । ଖୋଲା ବଜାରରେ ବାହାର ଅଞ୍ଚଳର ବ୍ୟବସାୟୀ ଚାଷୀଙ୍କଠାରୁ ମାଣ୍ଡିଆ କିଣି ନେଉଛନ୍ତି । ଏଥିପାଇଁ ମଣ୍ଡିକୁ ଚାଷୀ ଆସୁ ନାହାନ୍ତି ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

ସୂଚନା ଅନୁସାରେ ଚଳିତ ବର୍ଷ ଜାନୁଆରୀ ମାସରୁ ମାଣ୍ଡିଆ ମଣ୍ଡି ଆରମ୍ଭ ହୋଇଥିଲା । ଚଳିତ ବର୍ଷ ୨ ଲକ୍ଷ ୫୦ ହଜାର କୁଇଣ୍ଟାଲ ସଂଗ୍ରହ ନେଇ ଲକ୍ଷ୍ୟ ଧାର୍ଯ୍ୟ ରଖା ଯାଇଛି । ଜିଲ୍ଲାର ପ୍ରାୟ ୩୭ ହଜାର ଚାଷୀ ନିଜ ନାମ ପଞ୍ଜିକରଣ କରିଥିଲେ । ଗତ ବର୍ଷ ୨ ଲକ୍ଷ ୧୮ ହଜାର ୯୯୨ କିଲୋ କ୍ରୟ ନେଇ ଟାର୍ଗେଟ ରହିଥିଲା । ସେତେବେଳେ ୪୪.୧୫ ପ୍ରତିଶତ ହିଁ କ୍ରୟ ହୋଇଥିଲା। ଦୀର୍ଘ ୬ ବର୍ଷ ଧରି ଜିଲ୍ଲାରେ ମାଣ୍ଡିଆ ସଂଗ୍ରହ ପ୍ରକ୍ରିୟା ଲକ୍ଷ୍ୟ ଛୁଇଁ ପାରୁନାହିଁ । ଏଣୁ ଜିଲ୍ଲାରେ ଉତ୍ପାଦିତ ମାଣ୍ଡିଆ କୁଆଡେ ଯାଉଛି ବୋଲି ପ୍ରଶ୍ନ ଉଠିଛି ।

ଜିଲ୍ଲାରେ ହେଉଥିବା ଚାଷକୁ ଲକ୍ଷ୍ୟ କରି ହିଁ ମଣ୍ଡି ପାଇଁ କ୍ରୟ ଟାର୍ଗେଟ ରଖାଯାଏ । ୨୦୨୩-୨୪ ଖରିଫରେ ଜିଲ୍ଲାରେ ୭୪ ହଜାର ୬୨୦ ହେକ୍ଟର ମାଣ୍ଡିଆ ଚାଷ ହୋଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଚାଷକୁ ଲକ୍ଷ କରି ସଂଗ୍ରହ ପାଇଁ ଟାର୍ଗେଟ ରଖାଯାଇଥିଲା । ହେଲେ ମଣ୍ଡିଗୁଡିକୁ ଆଉ ମାଣ୍ଡିଆ ଆସୁ ନ ଥିବାରୁ ବିଭାଗ ପକ୍ଷରୁ ଦର୍ଶାଯାଉଥିବା ଚାଷ ଜମିର ପରିମାଣକୁ ନେଇ ସନ୍ଦେହ ଦେଖା ଦେଇଛି । ଏତେ ପରିମାଣରେ ଚାଷ ହେଉ ନ ଥିଲେ ମଧ୍ୟ ବିଭାଗ ପକ୍ଷରୁ କାଗଜପତ୍ରରେ ଅଧିକା ଦେଖା ଯାଉଛି । କୃଷି ବିଭାଗ ପକ୍ଷରୁ ଏନେଇ କୌଣସି ସମୀକ୍ଷା ହେଇ ନ ଥିବା ଯୋଗୁଁ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରୁନି ।

ଜିଲ୍ଲାରେ ଉତ୍ପାଦିତ ହେଉଥିବା ଏହି ପ୍ରାକୃତିକ ଉତ୍ପାଦର ବାହାରେ ଚାହିଦା ରହୁଥିବାରୁ ବାହାର୍ ରାଜ୍ୟର ବ୍ୟବସାୟୀ କିଛି କିଣି ନେଉଛନ୍ତି । ତେବେ ଦୀର୍ଘ ବର୍ଷ ହେବ ଟାର୍ଗେଟ ପୂରଣ କରି ନ ପାରିବା ପ୍ରସଙ୍ଗକୁ ବିଭାଗ ଗୁରୁତ୍ଵ ଦେବା ଆବଶ୍ୟକତା ରହିଛି ।