• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ଐତିହ୍ୟ କରି଼ଡର ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ASIର ପୋଲ୍‌ଖୋଲ୍ । କରିଡର୍ ପ୍ରକଳ୍ପ ନିର୍ମାଣ ପାଇଁ ନାହିଁ ପରମିଶନ୍ କି ଏନ୍ଓସି । ଏଏସ୍ଆଇ କି ଏନ୍‌ଏମ୍‌ଏ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କାହାରି ନାହିଁ ଅନୁମତି । ଆଜି ହାଇକୋର୍ଟରେ ASI ସତ୍ୟପାଠ ଦାଖଲ କରି ଏହା ସ୍ପଷ୍ଟ କରିଛି । ତେବେ ପ୍ରକଳ୍ପ ପାଇଁ ଖନନ ଯୋଗୁଁ ଶ୍ରୀମନ୍ଦିରର କିଛି କ୍ଷତି ହୋଇଛି କି ନାହିଁ ସେକଥା ଜୁନ୍ ୨୨ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଏଏସ୍‌ଆଇର ଏଭଳି ସତ୍ୟପାଠ ପରେ ଅବେଦନକାରୀ କହିଛନ୍ତି-ଶୀଘ୍ର ଏଏସ୍‌ଆଇ କାମ ବନ୍ଦ କରି ପ୍ରକଳ୍ପ ନିର୍ମାଣକାରୀଙ୍କ ବିରୋଧରେ ଏତଲା ଦେଉ ।

ଶ୍ରୀଜଗନ୍ନାଥ ମନ୍ଦିର ହେରିଟେଜ୍ କରିଡର ପ୍ରସଙ୍ଗରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥା ବା ଏଏସ୍‌ଆଇ ସ୍ପଷ୍ଟ ଭାବେ ଦର୍ଶାଇଛି । ଏଭଳି ପ୍ରକଳ୍ପ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କର ନାହିଁ କୌଣସି ପ୍ରକାରର ଅନୁମତି । ପ୍ରକଳ୍ପ କାମକୁ ବେଆଇନ୍ ଦର୍ଶାଇ ତା ଉପରେ ରୋକ୍ ଲଗାଇବାକୁ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିବା ଆବେଦନକାରୀଙ୍କ ଓକିଲ ସୂଚନା ଦେଇ କହିଛନ୍ତି, ମାମଲାର ଏକ ପ୍ରମୁଖ ପକ୍ଷ ଭାବେ ଆଜି ଏଏସ୍‌ଆଇ ସତ୍ୟପାଠ ଦାଖଲ କରିଛି ।

ଯେଉଁଥିରେ ନିର୍ମାଣ କାମ ପାଇଁ କୌଣସି ପ୍ରକାର ଅନୁମତି ପ୍ରଦାନ କରାଯାଇନଥିବା ସ୍ପଷ୍ଟ ଭାବେ ଦର୍ଶାଯାଇଛି । ତାସହ ଏସଏଆଇ ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି, ଗତ ୧ ତାରିଖରେ ଐତିହ୍ୟ ସ୍ଥଳରେ ଓବିସିସି ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସହ ପ୍ରକଳ୍ପର ମିଳିତ ଅନୁଧ୍ୟାନ ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି କୌଣସି ଆଇନସିଦ୍ଧ ଅନୁମତି କିମ୍ବା ଏନଓସି ଯୋଗ୍ୟ କର୍ତ୍ତୃପକ୍ଷଙ୍କଠାରୁ ଜାରି ହୋଇନଥିଲା । ତାସହ ଏନଏମ୍ଏ ପାଖରେ ଦାଖଲ ମୂଳ ଷ୍ଟ୍ରକଚ୍‌ରର ଡିଜାଇନ୍‌ରେ ବାରମ୍ବାର ପରିବର୍ତ୍ତନ ହୋଇଥିବା ନଜରକୁ ଆସିଥିଲା ।

ଓବିସିସି ପକ୍ଷରୁ ଖନନ ସମୟରେ ଐତିହ୍ୟ ସ୍ଥଳରେ କିର୍ତ୍ତିରାଜୀ ନଷ୍ଟ ହୋଇଥାଇ ପାରେ । ତେବେ ପ୍ରୋହିବିଟେଡ୍‌ ଏରିଆରେ ଚାଲିଥିବା ନିର୍ମାଣ ଯୋଗୁଁ ମନ୍ଦିରର କି କି କ୍ଷତି ପହଞ୍ଚୁଛି ବୋଲି ହାଇକୋର୍ଟ ଜାଣିବାକୁ ଚାହିଁଥିଲେ । ଯାହାର ସନ୍ତୋଷ ଜନକ ଉତ୍ତର ନପାଇବାରୁ ଆଉ ଥରେ ଏଏସ୍ଆଇକୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି କୋର୍ଟ । ତେଣେ ଆଜି ଏଏସ୍ଆଇର ସତ୍ୟପାଠ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

ସେପଟେ ଏଏସ୍ଆଇ ସତ୍ୟପାଠକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରକଳ୍ପ ବିପକ୍ଷବାଦୀ । ସେମାନେ କହିଛନ୍ତି ଦୀର୍ଘ ଦିନ ଧରି ଆମେ ଯାହା କହି ଆସୁଥିଲୁ ଏଏସ୍ଆଇ ଆଜି ତାହା କୋର୍ଟଙ୍କ ଆଗରେ ମାନିଛି । ତିନିମାସ ତଳୁ ଆରଟିଆଇରେ ଏଏସ୍ଆଇ ଯେଉଁ ତଥ୍ୟ ଦେଇଥିଲା, ତାହା ସତ୍ୟ ପ୍ରମାଣିତ ହୋଇଛି । ଆମସାର ଆକ୍ଟର ନିୟମ ଅନୁସାରେ ଐତିହ୍ୟସ୍ଥଳର ଶହେ ମିଟର ପରିସୀମାର ନିଷିଦ୍ଧାଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଏଏସ୍ଆଇ ଆଦୌ ଅନୁମତି ଦେଇ ପାରିବ ନାହିଁ । ଯେଉଁ ଏଏସ୍ଆଇ ଆଜି ସତ୍ୟପାଠ ଜରିଆରେ ଅନୁମତି ଦେଇନାହିଁ ବୋଲି ମାନିଛି, କାହିଁକି ପ୍ରକଳ୍ପ ନିର୍ମାଣ କାମ ବନ୍ଦ କରିବାକୁ ଆକ୍ସନ ନେଇନଥିଲା ।

ଏମିତିକି ତୁରନ୍ତ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥା ଓ ଓବିସିସି ବିରୋଧରେ ଥାନାରେ ଏତଲା ଦେବାକୁ ଦାବି କରିଛନ୍ତି । ତାସହ ଜୁନ୍ ୨୦ ତାରିଖରେ କୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିବା ପୂର୍ବରୁ ଏଏସ୍ଆଇ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ କଡ଼ା ପଦକ୍ଷେପ ନେବାକୁ କହିଛି । ତେଣେ ପ୍ରକଳ୍ପ ସପକ୍ଷବାଦୀ କହିଛନ୍ତି-ହାଇକୋର୍ଟ ଯାହା ରାୟ ଦେବେ ପ୍ରକଳ୍ପ ସପକ୍ଷରେ ଆସିବ । କାରଣ ଏ ପ୍ରକଳ୍ପ ଭକ୍ତ ଓ ସେବାୟତଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ।