• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୀର୍ଘ ୧୩ ବର୍ଷର ଯନ୍ତ୍ରଣାଦାୟକ କାହାଣୀ । ନ୍ୟାୟ ପାଇଁ ସଂଘର୍ଷପୂର୍ଣ୍ଣ ଲଢ଼େଇ ଭିତରେ ଶେଷରେ ରାୟ ଆସିଲା । ଜଗତସିଂପୁରର ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ଆକ୍ରମଣ ମାମଲାର ଶୁଣାଣି କରି ୨ ଦୋଷୀଙ୍କୁ ୧୪ ବର୍ଷର ସଜା ଶୁଣାଇଛନ୍ତି ଜଗତସିଂପୁର ଏଏସ୍‌ଜେ କୋର୍ଟ । ତାସହ ଉଭୟ ଦୋଷୀ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟକୁ ୧୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି । ତେବେ କୋର୍ଟଙ୍କ ରାୟକୁ ପ୍ରମୋଦିନୀ ସମ୍ମାନ ଜଣାଇବା ସହ ପ୍ରତି ମୁହୁର୍ତ୍ତରେ ନିଜେ ଭୋଗୁଥିବା ଯନ୍ତ୍ରଣା ଆଗରେ ଏହି ଦଣ୍ଡାଦେଶ କିଛି ନୁହଁ ବୋଲି କହିଛନ୍ତି । ଦୋଷୀଙ୍କୁ ଅଧିକ ଦଣ୍ଡବିଧାନ ପାଇଁ ଉପର କୋର୍ଟ ଯିବେ ବୋଲି କହିଛନ୍ତି ପ୍ରମୋଦିନୀ ଓ ପରିବାର ।

ନା ଭୁଲି ହେଉଛି ସେଦିନର ସେହି ଆତଙ୍କର ମୁହୁର୍ତ୍ତ, ନା ଭୁଲାଇ ଦେଉଛି ୧୩ ବର୍ଷ ତଳର ତରଳ ନିଆଁର ପ୍ରକୋପ । ଆଜି ବି ଯନ୍ତ୍ରଣାରେ ଜଡ଼ସଡ଼ ଶରୀର । ଏଭଳି ଯନ୍ତ୍ରଣାଦାୟକ କାହାଣୀ ଭିତରେ ସେହି ଜହ୍ଲାଦଙ୍କ ବିରୋଧରେ ରାୟ ଆସିଛି । ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ୍ ଆକ୍ରମଣ ମାମଲାରେ ସଜା ଶୁଣାଇଛନ୍ତି ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଡ ସେସନ୍ସ ଜଜ୍‌ହ୍କ ଓମେନ୍ସ କୋର୍ଟ । ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ତାର ସହଯୋଗୀ ଅନୀଲ ଦଳସିଂହରାୟକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି ଜଜ୍‌ । ତାସହ ଉଭୟଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସେହି ଦୁଇ ଦୁର୍ଦ୍ଦାନ୍ତଙ୍କ ବିରୋଧରେ ଏଭଳି ରାୟ ଆସିଛି । ହେଲେ କୋର୍ଟଙ୍କ ରାୟକୁ ପ୍ରମୋଦିନୀ ସମ୍ମାନ ଜଣାଇଛନ୍ତି । କିନ୍ତୁ ୨୦୦୯ରୁ ସେ ଯେଉଁ ସଜା ଭୋଗୁଛନ୍ତି, ସେହି ସଜାଠୁ ଏହା କିଛି ବି ନୁହଁ ବୋଲି କହିଛନ୍ତି ପ୍ରମୋଦିନୀ । କାରଣ ଘଟଣା ପରଠୁ ପ୍ରତିଟି ମୁହୁର୍ତ୍ତରେ ସେ ଯନ୍ତ୍ରଣା ପାଉଛନ୍ତି ଏବଂ ସାରା ପରିବାର ମଧ୍ୟ ଏନେଇ ଦଣ୍ତ ଭୋଗୁଛନ୍ତି । ଏଭଳି ଦୋଷୀଙ୍କୁ ଆଜୀବନ ସଜ୍ଜା ହେବା ଉଚିତ୍ ବୋଲି ପ୍ରମୋଦିନୀ କହିବା ସହ ଅଭିଯୁକ୍ତଙ୍କୁ ଯେଭଳି ଅଧିକ ଦଣ୍ଡବିଧାନ ହୋଇପାରିବ, ସେଥିପାଇଁ ସେ ଉପର କୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି ।

 

୨୦୦୯, ଅପ୍ରେଲ ୧୮ ତାରିଖ ତିର୍ତ୍ତୋଲ କନକପୁର ଗାଁର ପ୍ରମୋଦିନି ଭାଇ ସହିତ କଲେଜରୁ ଘରକୁ ଫେରୁଥିଲେ । ଏହି ସମୟରେ ଏକତରଫା ପ୍ରେମରେ ବିଫଳ ହୋଇଥିବା ସେନାରେ ଚାକିରୀ କରୁଥିବା ସନ୍ତୋଷ ବେଦାନ୍ତ, ପ୍ରମୋଦିନୀଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲା । ଚାହୁଁ ଚାହୁଁ ତରଳ ନିଆଁରେ ପ୍ରମୋଦିନୀଙ୍କ ମୁଣ୍ଡରୁ ଛାତି ଯାଏଁ ସବୁ ତରଳି ଯାଇଥିଲା । ଶରୀରର ଉପରଭାଗ ଭାଗ କ୍ଷତିଗ୍ରସ୍ତ ହୋଇଥିଲା । କ୍ରମେ ଆଖି ୨ଟି ବି ନଷ୍ଟ ହୋଇଯାଇଥିଲା । ୯ ମାସ ଧରି ପ୍ରମୋଦିନି ଏସସିବି ମେଡିକାଲ୍‌ରେ ଜୀବନ-ମରଣ ସହ ସଂଘର୍ଷ କରିଥିଲେ ।

୫ ବର୍ଷ ଧରି ଉଠିବସି ପାରୁନଥିଲେ ପ୍ରମୋଦିନୀ । ତେବେ ୨୦୧୪ରେ ଚାଲିବାକୁ ସକ୍ଷମ ହୋଇଥିଲେ । ଘଟଣା ସମ୍ପର୍କରେ ପ୍ରମୋଦିନୀଙ୍କ ମା ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ । କିନ୍ତୁ ଘଟଣାର ସେଭଳି କୌଣସି କ୍ଲୁ ମିଳୁନଥିବା ଦର୍ଶାଇ ୨୦୧୨ରେ ଏକପ୍ରକାର ସୁପ୍ତ ହୋଇଯାଇଥିଲା ଏହି ମାମଲା । ତାହାରି ଭିତରେ ଓଟିଭିର ଅନ୍ୟତମ ଲୋକପ୍ରିୟ କାର୍ଯ୍ୟକ୍ରମ ଆଶାର ଆଲୋକକୁ ଆସିଥିଲେ ପ୍ରମୋଦିନି ।

୨୦୧୭, ମାର୍ଚ୍ଚରେ ଆଶାର ଆଲୋକର ଏକ ଏପିସୋଡ୍‌ରେ ନିଜ ଯନ୍ତ୍ରଣାଦାୟକ କାହାଣୀ ବଖାଣିଥିଲେ ପ୍ରମୋଦିନୀ । ତାପରଠୁ ସକ୍ରିୟ ହୋଇଥିଲେ ସମସ୍ତେ । ୨୦୧୭, ସେପ୍ଟେମ୍ବରରେ ପ୍ରମୋଦିନିଙ୍କ ଅନୁରୋଧ କ୍ରମେ ତତ୍କାଳୀନ ଏସ୍ପି ଜୟନାରାୟଣ ପଙ୍କଜଙ୍କ ନିର୍ଦ୍ଦେଶରେ କେସ୍‌ ରିଓପନ କରିଥିଲା ପୋଲିସ । ଆଉ ପ୍ରମୋଦିନୀଙ୍କ ଦୃଢ ସାହସ ଓ ସହଯୋଗ ବଳରେ ୨୦୧୭, ନଭେମ୍ବର ୨୫ରେ ଫେରାରଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ତାସହଯୋଗୀକୁ ଧରି ପୋଲିସ କୋର୍ଟଚାଲାଣ କରିଥିଲା ।

୨୦୧୭ରୁ ୨୦୨୨, ଇତିମଧ୍ୟରେ ୨ ଆସାମୀଙ୍କ ଜେଲ୍ ରହଣୀକୁ ପ୍ରାୟ ୫ ବର୍ଷ ହୋଇଯାଇଛି । ଯଦି ପ୍ରମୋଦିନୀ ଉପରକୋର୍ଟକୁ ଯାଆନ୍ତି, ତାହେଲେ ଏହି ଏମାନଙ୍କ ବିରୋଧରେ କି ଆଭିମୁଖ୍ୟ ଗ୍ରହଣ କରିବେ ଉପରକୋର୍ଟ, ତାଉପରେ ରହିଛି ନଜର ।

ରିପୋର୍ଟର- ଶେଖର ପଣ୍ଡା ଏବଂ ଆଲୋକ ମହାନ୍ତି