• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇଛି । ବିଜେଡିରୁ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଭାବେ କିଶୋର ପଟେଲ୍‌ଙ୍କ ନାଁ ଘୋଷଣା ହୋଇଛି । ସେପଟେ ପୂର୍ବରୁ ବିଜେପି ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ନେଇ ଘୋଷଣା କରିସାରିଛି । ତେଣୁ ଏସବୁ ପ୍ରାର୍ଥୀଙ୍କୁ ନେଇ ମୈଦାନରେ ତ୍ରିମୁଖୀ ଲଢ଼େଇ ହେବା ସ୍ପଷ୍ଟ ହୋଇଛି । ଆଉ ଏହାକୁ ଦେଖି ତିନି ଦଳ ରଣନୀତି ସ୍ଥିର କରୁଛନ୍ତି । ଯେଉଁଥିରେ ପଞ୍ଚାୟତ ଓ ପୌର ନିର୍ବାନ ଫଳାଫଳକୁ ଦେଖି ସମରସଜ୍ଜା ହେଉଛି ।

ବ୍ରଜରାଜନଗର ଲଢ଼େଇ ମୈଦାନ ପାଇଁ ପ୍ରାର୍ଥୀ ସ୍ପଷ୍ଟ ହୋଇଛି । ବିଜେପି ପରେ ଯୋଦ୍ଧା ଘୋଷଣା କରିଛନ୍ତି ବିଜେଡି ଓ କଂଗ୍ରେସ । ଯାହା ଆଶା କରାଯାଉଥିଲା ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ଏଠାରେ ପ୍ରାର୍ଥୀ କରିଛି ବିଜେଡି । ସେହିପରି ପୁରୁଖା ନେତା କିଶୋର ପଟେଲଙ୍କୁ ମଇଦାନ୍‌କୁ ଓହ୍ଲାଇଛି କଂଗ୍ରେସ । ୨୦୧୪ରେ ମଧ୍ୟ ବ୍ରଜରାଜନଗରରୁ ନିର୍ବାଚନ ଲଢିଥିଲେ କିଶୋର ।

ଗତକାଲି ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ତେଣୁ ଏଠାରେ ତ୍ରିକୋଣୀୟ ଲଢେଇ ହେବା ସ୍ପଷ୍ଟ ହୋଇଯାଇଛି । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ କଶୋର ମହାନ୍ତି ଓ ବିଜେପିର ରାଧାରଣୀ ପଣ୍ଡା ମଧ୍ୟରେ ଲଢେଇ ହୋଇଥିଲା । ତେବେ ବିଜୟ ବ୍ୟବଧାନ ସେତେ ଅଧିକ ନଥିଲା । ୧୧ ହଜାର ୬୩୪ ଭୋଟରେ ଜିତିଥିଲେ କିଶୋର । ତେବେ ଉପନିର୍ବାଚନରେ ଭୋଟର କାହାକୁ ଭରସା କରିବେ ତାକୁ ନେଇ ଆରମ୍ଭ ହୋଇଛି ହିସାବନିକାଶ ।

 

ଏଠି ଉଭୟ ବିଜେପି ଓ ବିଜେଡିକୁ ଗୋଷ୍ଠୀ କନ୍ଦଳ ଅଡୁଆ ହେବ ବୋଲି କୁହାଯାଉଛି । ରାଧାରାଣୀଙ୍କୁ ପ୍ରାର୍ଥୀ କରାଯିବା ପରେ ଝାରସୁଗୁଡା ବିଜେପି ଜିଲ୍ଲା ସଭାପତି ମଙ୍ଗଲ ସାହୁ ପଦରୁ ଇସ୍ତଫା ଦେଇଛନ୍ତି । ରାଧାରାଣୀଙ୍କୁ ପ୍ରାର୍ଥୀ କରିବା ଲାଗି ଦଳର ଗୋଟିଏ ଗୋଷ୍ଠୀ ଚାହୁଁନଥିବା ଚର୍ଚ୍ଚା ହେଉଛି । ଏପଟେ ବିଜେଡିରେ ପୂର୍ବତନ ବିଧାୟକ କିଶୋର ମହାନ୍ତି ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗୋଷ୍ଠୀ ମଧ୍ୟରେ ଜୋରଦାର ବିବାଦ ଚାଲିଛି । ତେବେ ଦୁଇ ଦଳଙ୍କ ଘର କଳିରୁ କଂଗ୍ରେସ କିଛି ଫାଇଦା ମାରି ପାରୁଛି ନା ନାହିଁ ତାହା ଦେଖିବାକୁ ରହିଲା ।

୩୮ଟି ପଞ୍ଚାୟତ, ବେଲପାହଡ ଓ ବ୍ରଜରାଜନଗର ମୁନିସ୍‌ପାଲଟିକୁ ନେଇ ଗଠିତ ବ୍ରଜରାଜନଗର ବିଧାନସଭା ଆସନ । ପୌର ନିର୍ବାଚନରେ ବିଜେଡି ୩ଟି ଜିଲ୍ଲା ପରିଷଦ ଜୋନ୍ ଓ ବ୍ରଜରାଜନଗର ମୁନିସିପାଲଟି ଅଧ୍ୟକ୍ଷ ପଦ ଅକ୍ତିଆର କରିଥିଲା । ତେବେ ବେଲପାହଡ ମୁନିସିପାଲଟି ଅଧ୍ୟକ୍ଷ ପଦ କଂଗ୍ରେସ ହାତକୁ ଯାଇଥିଲା । ଏହି ଫଳାଫଳକୁ ଦେଖି ତିନି ଦଳ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ମନ୍ତ୍ରୀ ସୁଶାନ୍ତ ସିଂହ, ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂହ ଓ ମନ୍ତ୍ରୀ ନବ ଦାସଙ୍କୁ ବିଜେଡି ନିର୍ବାଚନ ଦାୟିତ୍ୱ ଦେଇଛି ।

ସେହିପରି ବିଧାୟକ ଓ ଦଳୀୟ ନେତା ପଞ୍ଚାୟତ ଅଞ୍ଚଳରେ ନିର୍ବାଚନ ପରିଚାଳନା କରିବେ । ବିଜେପି ଓ କଂଗ୍ରେସ ମଧ୍ୟ ମୁନିସପାଲଟି ଓ ପଞ୍ଚାୟତରେ ଭିନ୍ନ ଭିନ୍ନ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ।

୨୦୧୯ ନିର୍ବାଚନ ପରେ ଯେତେ ସବୁ ଉପନିର୍ବାଚନ ହୋଇଛି । ସବୁଠି ବିଜେଡି ବାଜିମାତ୍ କରିଛି । ତେବେ ବ୍ରଜରାଜନଗର ଭୋଟର କାହା ଉପରେ ଭରସା କରୁଛନ୍ତି ତାହା ଦେଖିବାକୁ ରହିଲା ।

ରିପୋର୍ଟର- ଭାଗିରଥୀ ସାହୁ, ବିଜୟ ବରୁଆ, ଜଗଦିଶ ଦାସ ଓ ହରିହର ଚାନ୍ଦ