• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟ କଂଗ୍ରେସ ନେତାମାନଙ୍କୁ ଭେଟିଲେ ରାହୁଲ ଗାନ୍ଧି । ରାହୁଲଙ୍କୁ ଭେଟିବା ପରେ ବରିଷ୍ଠ ନେତା ନରସିଂହ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ରାହୁଲଙ୍କ ସହ ଓଡ଼ିଶାରେ ଦଳର ସଂଗଠନ ନେଇ ବିସ୍ତୃତ ଆଲୋଚନା ହୋଇଥିବା କହିଲେ ନରସିଂହ । ସମସ୍ତ ବିଧାୟକ, ସାଂସଦ, ପୂର୍ବତନ ପିସିସି ସଭାପତିମାନେ ଉପସ୍ଥିତ ଥିଲେ । ରାହୁଲ ଗାନ୍ଧି ସମସ୍ତଙ୍କ ସହ ଜଣ ଜଣ କରି ଆଲୋଚନା କଲେ । କେମିତି ସଂଗଠିତ ହେଲେ ଲୋକଙ୍କ ଗ୍ରହଣୀୟ ହେବୁ ସେନେଇ ଆଲୋଚନା ହେଲା ।

ଅନ୍ୟପଟେ ପିସିସି ସଭାପତି ପରିବର୍ତ୍ତନ ପାଇଁ ପ୍ରୋସେସିଂ ଆରମ୍ଭ ହୋଇଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।  ସେ କହିଛନ୍ତି ‘ମୁଁ ବହୁଦିନ ହେଲା ରହିଲିଣି, ନୂଆ ଲୋକ ହେବା ଉଚିତ ବୋଲି ବୈଠକରେ କହିଲି ।

ସୂଚନାଯୋଗ୍ୟ, ରାଜ୍ୟ କଂଗ୍ରେସରେ ହେବ ଆମୂଳ ଚୂଳ ପରିବର୍ତ୍ତନ । ମିଳିବେ ନୂଆ ମଙ୍ଗୁଆଳ । ରାଜ୍ୟ ନେତୃତ୍ୱ ଲାଗି ଏକମତ ହୋଇପାରୁନଥିବା ନେତା ଓ ବିଧାୟକ ଆଜି ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ସେ ରାଜ୍ୟ ନେତାଙ୍କ ମତ ନେବା ସହ ପ୍ରସ୍ତୁତ କରିଥିବା ବ୍ଲୁ ପ୍ରିଣ୍ଟ ବି ଶୁଣାଇଛନ୍ତି । 

ଭୁବନେଶ୍ୱରରେ ଯେଉଁ ଅଙ୍କ ଛିଡ଼ି ପାରିଲାନି ସେହି ଅଙ୍କ ଦିଲ୍ଲୀରେ ଛିଡାଇବାକୁ ହାଇକମାଣ୍ଡ ସ୍ଥିର କରିଛନ୍ତି । ସେଠାରେ କାହା ନାଁରେ ମୋହର ଲାଗୁଛି ତା’ଉପରେ ସମସ୍ତଙ୍କ ନଜର ରହିଛି । ବିଧାୟକମାନେ ଓ ସାଂଗଠନିକ ନେତୃତ୍ୱ ଭିତରେ ତୁ ତୁ ମେ ମେ ଲାଗି ରହିଛି । ଏହାରି ଭିତରେ ପୂର୍ବତନ ପିସିସି ସଭାପତି ପାଇଁ ଶରତ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ମହମ୍ମଦ ମୋକିମ ଓ ଭକ୍ତଚରଣ ଦାସଙ୍କ ନାଁ ରେସ୍‌ରେ ଥିବା ଚର୍ଚ୍ଚା ହେଉଛି ।

ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଆସି କଂଗ୍ରେସ ନେତୃତ୍ୱ ଏବଂ ଦଳ ବାହାରର ନେତାଙ୍କ ସହ ଆଲୋଚନା କରି ହାଇକମାଣ୍ଡଙ୍କୁ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟ ଆଧାରରେ ଆଲୋଚନା ହୋଇଛି । ସେପଟେ ପୁରା ଦେଶରେ କଂଗ୍ରେସରେ ସଂସ୍କାର ଆଣିବା ଲାଗି ଆସନ୍ତା ୧୩ରୁ ରାଜସ୍ଥାନ ଉଦୟପୁରରେ ଚିନ୍ତନ ଶିବିର ଆରମ୍ଭ ହେବାକୁ ଯାଉଛି । ସବୁ ରାଜ୍ୟର କଂଗ୍ରେସ ପ୍ରତିନିଧି ଏଥିରେ ଯୋଗଦେବେ । କେନ୍ଦ୍ରୀୟ କମିଟିର ଫୋକସରେ ଓଡିଶା ଥିବାରୁ ଏଠାରେ ବି ଅନେକ ସଂସ୍କାର ମୂଳକ ପରିବର୍ତ୍ତନ ଆଣିପାରେ ଦଳ ।