• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଡ଼ ବିପଦରୁ ବର୍ତ୍ତିଗଲା ମହାପ୍ରଭୁ ବଳଭଦ୍ରଙ୍କ ଶ୍ରୀଅଙ୍ଗ । ଗର୍ଭଗୃହରେ ଖସିଛି ଦେଢ଼ କେଜି ଓଜନର ପ୍ଳାଷ୍ଟର ଖଣ୍ଡ । ଖସିଥିବା କେମିକାଲ ପ୍ଲାଷ୍ଟରଟି ପ୍ରାୟ ୨ରୁ ୩ ଫୁଟ ଓସାରର । ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଏହା ଠିକ୍ ବଳଭଦ୍ରଙ୍କ ଶ୍ରୀଅଙ୍ଗ ପାଖଦେଇ ଖସିଛି । ପରେ ଏହାକୁ ଶ୍ରୀମନ୍ଦିର ଗାରଦରେ ଜିମା ଦିଆଯାଇଛି । ସୂଚନା ଅନୁସାରେ ଶ୍ରୀଜିଉମାନେ ଉପବିସନ କରିଥିବା ରତ୍ନ ସିଂହାସନ ପରିକ୍ରମା ମାର୍ଗର ବାମପାର୍ଶ୍ୱ ଚନ୍ଦନ ଅର୍ଗଳିରେ ଖସିଛି ଏହି ପ୍ଲାଷ୍ଟର ଖଣ୍ଡ ।

ଯଦିଓ ଏହା ବଳଭଦ୍ର ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଆଘାତ ଦେଇନି, ତେବେ ଭକ୍ତ ଓ ସେବାୟତ ମହଲରେ କିନ୍ତୁ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ସମସ୍ତଙ୍କ ପ୍ରଶ୍ନ ଯଦି ପ୍ଲାଷ୍ଟର ଖଣ୍ଡଟି ବଡ଼ଠାକୁରଙ୍କ ଉପରେ ପଡ଼ିଥାନ୍ତା, ତାହାଲେ ଶ୍ରୀଅଙ୍ଗକୁ ନିଶ୍ଚେ କ୍ଷତି ପହଞ୍ଚାଇଥାନ୍ତା । ତେଣୁ ଏଥିପାଇଁ ଦାୟୀ କିଏ ? ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଏଏସ୍ଆଇ ଠିକ୍ ଢଙ୍ଗରେ କାମ ତୁଲାଉନଥିବା ଅଭିଯୋଗ ଉଠିଛି । ତେଣେ ପ୍ଲାଷ୍ଟର ଖସିଥିବା କଥାକୁ ଶ୍ରୀମନ୍ଦିର ଉନ୍ନୟନ କମିଶନର ବି ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଏହା ଏକ ଲାଇମ୍ ପ୍ଲାଷ୍ଟର, ଯାହା ଗତ ରଥଯାତ୍ରା ସମୟରେ କାମ ହୋଇଥିଲା । ଶ୍ରୀମନ୍ଦିର ଭିତରେ ଆଦ୍ରତା ବଢ଼ିବା କାରଣରୁ ପ୍ଲାଷ୍ଟରଟି ଖସିଥିବା ଅନୁମାନ କରାଯାଉଛି । ଏନେଇ ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ।

ଏବେ ପ୍ରଶ୍ନ ଶ୍ରୀମନ୍ଦିର ଗର୍ଭଗୃହର କେଉଁ ସ୍ଥାନରୁ ଖସିଛି ପ୍ଲାଷ୍ଟର ? କେମିତି ଓ କେଉଁ ପରିସ୍ଥିତିରେ ଖସିଲା ? ଆଗକୁ ପୁଣି ଏମିତି ପ୍ଲାଷ୍ଟର ଖଣ୍ଡ ଖସିବନି ତ ? ଏଭଳି ନାନା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଆଜି ଏସଏସ୍ଆଇର ଜଣେ ଅଧିକାରୀ ଶ୍ରୀମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ପ୍ଲାଷ୍ଟର ଖସିବା ଘଟଣାକୁ ସେ ଅତି ହାଲୁକା ଭାବେ ନେବା ସହ ପରବର୍ତ୍ତୀ ରଥଯାତ୍ରା ସମୟରେ ମରାମତି ହୋଇଯିବ ବୋଲି କହିଛନ୍ତି ।

ସେପଟେ ଇନ୍‌ଟାକ୍ ସଦସ୍ୟ ଅନୀଲ ଧୀର କିନ୍ତୁ ଗତକାଲିର ଘଟଣାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି । ସେ କହିଛନ୍ତି ଗତ ୬ ଶହରୁ ୭ ଶହ ବର୍ଷ ଭିତରେ ଶ୍ରୀମନ୍ଦିରର ଯେତିକି କ୍ଷତି ଘଟିନଥିଲା । ଗତ ୫୦ରୁ ୬୦ ବର୍ଷ ଭିତରେ ତାଠୁ ଢେର ଗୁଣରେ ଅଧିକ ହୋଇଛି । ଏମିତିକି ଗତ ରଥଯାତ୍ରା ସମୟରେ ୧୫ ଦିନ ଧରି କି ଯାଞ୍ଚ କରୁଥିଲା ଏଏସ୍‌ଆଇ ବୋଲି ସେ ପ୍ରଶ୍ନ ଉଠାଇବା ସହ ଉଭୟ ଏଏସ୍‌ଆଇ ଓ ରାଜ୍ୟ ସରକାର କେହି ଜଣେ ବି ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଆଦୌ ଚିନ୍ତିତ ନୁହଁନ୍ତି ବୋଲି ଅଭିଯୋଗ କରିଛନ୍ତି । ଏମିତିକି ଲାଲ୍‌କିଲା, ତାଜମହଲ ଭଳି ଦେଶର ଅନ୍ୟ କିର୍ତ୍ତୀରାଜିଗୁଡ଼ିକର ଏଏସ୍‌ଆଇ ଯେଉଁଭଳି ଢଙ୍ଗରେ ସଂରକ୍ଷଣ ପ୍ରତି ଆଗ୍ରହ ଦେଖାଉଛି, ଓଡ଼ିଶାର ଶ୍ରୀମନ୍ଦିର, କୋଣାର୍କ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପ୍ରତି କାହିଁକି ଅନାଗ୍ରହ ବୋଲି ସେ ପ୍ରଶ୍ନ କରିଛନ୍ତି ।

 

ଏବେ ଶ୍ରୀମନ୍ଦିର ଗର୍ଭଗୃହରେ ପ୍ଲାଷ୍ଟର ଖସିଛି ହେଲେ ଶ୍ରୀମନ୍ଦିରରୁ ପଥର ଖସିବା ନୂଆ ନୁହେଁ । ୧ ଫେବ୍ରୁଆରୀ ୨୦୧୫ କୁର୍ମବେଢ଼ା ନିକଟ ଜଳକ୍ରୀଡ଼ା ମଣ୍ଡପରୁ ଏକ ପଥର ପଡ଼ି ଆହତ ହୋଇଥିଲେ ଜଣେ ସଫେଇ କର୍ମଚାରୀ । ସେହିପରି ୧୯୯୦ ମସିହାରେ ଏକ ୫ ଟନ୍ ଓଜନର ପଥର ଅଁଳାଶ୍ରୀରୁ ଖସିଥିଲା । ୧୯୯୨ ମସିହାରେ ଗର୍ଭଗୃହ ଛାତରୁ ୨ ଖଣ୍ଡ ପଥର ଖସିଥିଲା । ୨୦୧୧ ମସିହାରେ ପଶ୍ଚିମଦ୍ୱାର ଗୁମୁଟର କଳସ ଖସି ପଡ଼ିଥିଲା ।