• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ରୂପାନ୍ତରଣ ସହ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୧ ହଜାର ୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପ୍ରିଲ ୨୦୨୨ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଡିସେମ୍ବର ୧୯ରେ ରାଜ୍ୟ ସରକାର ଏକା ଥରକେ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୪୬୧୯ ଜଣ ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଅଗଷ୍ଟ ୧୩ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୬୭୨୦ ଜଣ TGT କଳା ଶିକ୍ଷକ ଓ ତେଲୁଗୁ ଶିକ୍ଷକ ପାଇଁ ଅଗଷ୍ଟ ୨୮ ତାରିଖରେ ବିଜ୍ଞାପନ ପ୍ରକାଶିତ ହୋଇଥିଲା । ଏହା ସହିତ ବର୍ଦ୍ଧିତ ଛାତ୍ରଛାତ୍ରୀ ସଂଖ୍ୟା ଦୃଷ୍ଟିରୁ ଅଧିକ ୩ ହଜାର ୪ ଶହ ୬୨ଟି ଶିକ୍ଷକ ପଦବୀ ମଧ୍ୟ ମଂଜୁର କରାଯାଇଛି ।

ତେବେ ଗତ ୧୬ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଭିତରେ ଜାଲ୍ ଶିକ୍ଷକ ଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଦିବ୍ୟାଙ୍ଗ ଆଶାୟୀଙ୍କ ପାଖରୁ । ଏହାପରେ ଗଣଶିକ୍ଷା ବିଭାଗ ଜାରି କରିଛି ଏସ୍ଓପି । ଅଭିଯୋଗ ଆସିଲେ ତୁରନ୍ତ ନବ ନିଯୁକ୍ତ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ ଲାଗି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି ।

ନବ ନିଯୁକ୍ତ ଶିକ୍ଷକଙ୍କ ଭିତରେ ବି ଅଛନ୍ତି ଜାଲ ସାର୍ଟିଫିକେଟ୍‌ଧାରୀ । ବିଶେଷ କରି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌କୁ ନେଇ ହୋଇଛି ହେରଫେର । ଏହି ଅଭିଯୋଗ ଆଣିଛନ୍ତି ଶିକ୍ଷକ ପଦ ପାଇଁ ଆଶାୟୀ ଥିବା ଅନେକ ଦିବ୍ୟାଙ୍ଗ । ସେଥିମଧ୍ୟରୁ ଜଣେ ହେଲେ ଭୁବନେଶ୍ୱରର ରେଣୁବାଳା ପ୍ରଧାନ । ସବୁ ମାନଦଣ୍ଡରେ ଉତ୍ତୀର୍ଣ୍ଣ । ହେଲେ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ରେ ୬୦ ପ୍ରତିଶତ ଅକ୍ଷମତା ଥାଇ ବି ବାଦ ପଡିଲେ । ନିଯୁକ୍ତି ପାଇଁ ହୋଇଥିବା ଟେଷ୍ଟରେ ତାଙ୍କୁ ୪୦ ପ୍ରତିଶତ ଅକ୍ଷମ ଦର୍ଶାଇ ବାଦ ଦିଆଯାଇଛି । ରାଜ୍ୟରେ ଏଭଳି ଅନେକ ଦିବ୍ୟାଙ୍ଗ ଆଶାୟୀ, ୬ ହଜାର ୧୩୧ ଶିକ୍ଷକ ପଦବୀରୁ ବାଦ ପଡିଥିବା ସେ ଅଭିଯୋଗ ଆଣିଛନ୍ତି ।

ନବ ନିଯୁକ୍ତ ୬ ହଜାର ୧୩୧ ଶିକ୍ଷକଙ୍କ ମଧ୍ୟରେ ୧୦୦ରୁ ଅଧିକ ଦିବ୍ୟାଙ୍ଗ କୋଟାରେ ଚାକିରି ପାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ପୂର୍ବରୁ ବି ଜାଲ୍ ଶିକ୍ଷକଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତଥାପି ସରକାରୀ କଳର ଗଳା ବାଟରେ ଖସି ଯାଇଛନ୍ତି ଜାଲ୍ ଶିକ୍ଷକ । ଏଭଳି ସ୍ଥିତିରେ ନବନିଯୁକ୍ତ ଶିକ୍ଷକଙ୍କ କ୍ଷେତ୍ରରେ କେଉଁଠି ଓ କାହିଁକି ଯାଞ୍ଚ ସମୟରେ ଅବହେଳା ହେଲା ତାକୁ ନେଇ ପ୍ରଶ୍ନ ।