• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପାଖୋଉଛି ନିର୍ବାଚନ । ଥୋପ ପରେ ଥୋପ ପକାଉଛି ବିଜେଡି । ଭୋଟରଙ୍କୁ ହାତ ମୁଠାରେ ରଖିବା ପାଇଁ ବିଜେଡି ଖେଳୁଛି ଗୋଟିଏ ପରେ ଗୋଟିଏ କାର୍ଡ । ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ନାଁରେ ବିଭିନ୍ନ ଜିଲ୍ଲାରେ ବଡ଼ ବଡ଼ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ୧୦୦୦ ଟଙ୍କା ଲେଖାଏଁ ଲୋକଙ୍କ ଆକାଉଣ୍ଟକୁ କୋଭିଡ୍‌ ସହାୟତା ଦେବେ ବୋଲି ମଧ୍ୟ ଘୋଷଣା କରିଥିଲେ ସରକାର ।

ପରେ ଘର ମରାମତି ନାଁରେ ଲୋକଙ୍କ ପାଖକୁ ଟଙ୍କା ପଠାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ଗତକାଲି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ଆଉ ଏକ ଥୋପ ପକାଇଲେ । କହିଲେ ପ୍ରତି ଜିଲ୍ଲାରେ କୋଟିଏ ଟଙ୍କା ଖର୍ଚ୍ଚ କରାଯାଇ ମିଶନ ଶକ୍ତି ଭବନ ନିର୍ମାଣ କରାଯିବ ।

ଏହାପରେ ଆଜି ଘୋଷଣା କରିଛନ୍ତି ଖବର କାଗଜ ହକରଙ୍କୁ ଦିଆଯିବ କୋଭିଡ୍‌ ସହାୟତା ରାଶି । ପଞ୍ଚାୟତ ନିର୍ବାଚନ ଯେତେ ପାଖୋଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେ ନୂଆ ନୂଆ ଥୋପ ପକାଉଛନ୍ତି । ଖବରକାଗଜ ହକରଙ୍କ ଲାଗି ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିସି ମାଧ୍ୟମରେ ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସହାୟତା ପ୍ରଦାନ କରିଛନ୍ତି । ପଞ୍ଜିକୃତ ଖବର କାଗଜ ହକରଙ୍କ ଲାଗି ମୁଖ୍ୟମନ୍ତ୍ରୀ ୬ ହଜାର ଟଙ୍କାର କୋଭିଡ ସହାୟତା ଘୋଷଣା କରିଥିଲେ । ରାଜ୍ୟର ପଞ୍ଜିକୃତ ୭ ହଜାରରୁ ଅଧିକ ହକରଙ୍କୁ କୋଭିଡ ସହାୟତା ରାଶି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣାକୁ ପୂର୍ବରୁ କାଉଣ୍ଟର କରିଥିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ସେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଦିନରେ ଲଣ୍ଠନ ଦେଖାଇବା ଭଳି । ଗୋଲକ ପ୍ରଶ୍ନ କରିଥିଲେ ଯେ, ଯଦି ଆନ୍ତରିକତା ଥିଲା ତେବେ ମୁଖ୍ୟମନ୍ତ୍ରୀ ଆଗରୁ କାହିଁକି ଏହି ଘୋଷଣା କଲେ ନାହିଁ ? PMAYରେ କେନ୍ଦ୍ର ଓଡ଼ିଶାକୁ ୨୬ ଲକ୍ଷ ୫୫ ହଜାର ୮୫୭ ଘର ଦେଇଛି ନା ନାହିଁ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର ବୋଲି କହିଥିଲେ ଗୋଲକ । ଖାଲି ସେତିକି ନୁହେଁ ଆବାସ ଯୋଜନାରେ ୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା କଥା ମଧ୍ୟ ଅଭିଯୋଗ କରିଥିଲେ । ଘର ଦିଆଯାଇଥିବା ୩୦ ଲକ୍ଷ ହିତାଧିକାରୀଙ୍କ ନାଁ ସାର୍ବଜନୀନ କରିବାକୁ ସେ ଦାବି କରିଥିଲେ ।