• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sumitra Padhi

ପାରମ୍ପରିକ କଳା ‘ଢୋକରା’ ପାଇଁ ଓଡ଼ିଶାର ବେଶ୍ ନାଁ ଅଛି। ଗଲା ଇଣ୍ଟରନ୍ୟାସନାଲ୍ ମ୍ୟୁଜିୟମ୍ ଏକ୍ସପୋ, ନୂଆଦିଲ୍ଲୀ ୨୦୨୩ ବେଳେ ମାସ୍କଟ୍ ଭାବରେ ଏମିତି ଏକ କଳାକୃତି ବ୍ୟବହାର ହେବା ପରେ, ଏ ସମ୍ପର୍କରେ ଆଉ ଟିକେ ଆଲୋଚନା ହେଉଛି। କଳାକୃତିଟିର ନାଁ ଡ୍ୟାନ୍ସିଂଗାର୍ଲ। ଆପଣ ଦେଖିଛନ୍ତି କି ପ୍ରାୟ ୪୫୦୦ ବର୍ଷ ପୁରୁଣା ସେ ଡ୍ୟାନ୍ସିଂ ଗାର୍ଲକୁ? ଏହି ବିରଳ କଳାକୃତିଟି ଏବେ ଦିଲ୍ଲୀ ନ୍ୟାସନାଲ୍ ମ୍ୟୁଜିୟମ୍‌ରେ ଅଛି।

ବୃତ୍ତି ଏ ମୋ ପୋଷେ କୁଟୁମ୍ୱ

ବୃତ୍ତି ଏ ମୋ ପୋଷେ କୁଟୁମ୍ୱ

ଢୋକରା କଳାର ଇତିହାସ

ପ୍ରତ୍ନତତ୍ତ୍ୱବିତ୍‌ମାନେ ୧୯୨୬ରେ ମହେଞ୍ଜୋଦାରୋର ଖନନ ସମୟରେ ସିନ୍ଧୁ ସଭ୍ୟତାର ଏକ ଧ୍ୱଂସାବଶେଷରୁ ପ୍ରାୟ ୪୫୦୦ ବର୍ଷ ତଳର ଅର୍ଥାତ୍ ଆନୁମାନିକ ଭାବେ ଖ୍ରୀ.ପୂ. ୨୫୦୦ର ଏକ କଳାକୃତି ପାଇଥିଲେ। ଏହାର ଉଚ୍ଚତା ଥିଲା ମାତ୍ର ଚାରି ଇଞ୍ଚ। ଏହାର ମୌଳିକ ଉପାଦାନ ବ୍ରାସ୍‌/ପିତ୍ତଳ ହୋଇଥିବା ବେଳେ ଏହା ଲଷ୍ଟ ୱାକ୍ସ ପ୍ରକ୍ରିୟାରେ ତିଆରି ହୋଇଥିଲା ବୋଲି ଜଣାପଡ଼ିଛି। ଆମ ଓଡ଼ିଶାର ଢୋକରା ବି ଏହି ପଦ୍ଧତିରେ ତିଆରି ହୁଏ।

ଢୋକରା କାଷ୍ଟିଂ ପାଇଁ ଓଡ଼ିଶାର ନାଁ ଅଛି। ଏହା ଆମର ଏକ ପାରମ୍ପରିକ ଲୋକକଳା; ଯାହାକୁ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳର ଲୋକ ହିଁ ତିଆରି କରନ୍ତି। ସିଥୁଲିଆ ନାମକ ଏକ ଆଦିମ ସମ୍ପ୍ରଦାୟର ଅଧିବାସୀ ଏହି କାରିଗରି କରିଆସୁଥିଲେ। ଢେଙ୍କାନାଳର ଘନିଆରାମ, ଥାଟାରିଆନ ଓ ଘେରିଆନ୍ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହା କରୁଥିଲେ।

ଓଡ଼ିଶାର ଢୋକରା କଳା
ଓଡ଼ିଶାର ଢୋକରା କଳା

ଓଡ଼ିଶାରେ କେଉଁ ଜିଲ୍ଲାରେ ଅଛି ଢୋକରା କଳା

ଓଡ଼ିଶାରେ ମୁଖ୍ୟତଃ ଢେଙ୍କାନାଳ ଜିଲ୍ଲାର ନବଜୀବନପୁର, ସଦେଇବାରିଣୀରେ ଏହା ବହୁଳମାତ୍ରାରେ ହେଉଥିଲେ ମଧ୍ୟ, ମୟୂରଭଞ୍ଜ ଜିଲ୍ଲାର କୁଡ଼ିଆଖୁଣ୍ଟା, କୁଳିଅଣା, କେଉଁଝର ଜିଲ୍ଲାର କାଇମାଟି, କୋରାପୁଟର ଝିଗିଡ଼ି, ପୁରୀ ହରଡ଼ଗଡ଼ିଆ ଆଦି ଅଞ୍ଚଳର କାରିଗରମାନେ ମଧ୍ୟ ଢୋକରା କାଷ୍ଟିଂ ଉପରେ ନିର୍ଭର କରନ୍ତି। ଏହା ଭିତରୁ ଅନେକ ଗାଁକୁ ଯିବାର ସୌଭାଗ୍ୟ ଏହି ଲେଖିକାକୁ ମିଳିଛି।

ଲୋକସଂସ୍କୃତି ଦ୍ୱାରା ପ୍ରଭାବିତ ଢୋକରା କଳା

ଢୋକରା ଜିନିଷଗୁଡିକ ଆମ ଲୋକସଂସ୍କୃତି ଦ୍ୱାରା ପ୍ରଭାବିତ। ଆମର ସବୁ କ୍ରାଫ୍ଟର ବ୍ୟାବହାରିକ ଦିଗ ରହିଛି। ଆଗରୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ଆଳି ଅଳଙ୍କାର, ପୂଜାବ୍ରତ, ନହେଲେ ଝିଅ ବାହା ହୋଇ ବିଦା ହେବାବେଳେ ଭାର-ଥୋର ଦେବା ପାଇଁ ଯାହା କିଛି ଦରକାର ପଡ଼େ, ସେତକ କେବଳ ତିଆରି ହେଉଥିଲା। ସେ ଭିତରେ ମୁଖ୍ୟ ଥିଲା; ମାଣବସାରେ ଚାଉଳ ମାପିବା ପାଇଁ ତିଆରି ହେଉଥିବା ମାଣ।

ଆଲୁଅ ଜାଳିବା ପାଇଁ ତିଆରି ହେଉଥିବା ବିଭିନ୍ନ ଡିଜାଇନ୍‌ର ଛୋଟ ବଡ଼ ଡିବିରି। ବିଜୁଳି ଆଲୁଅ ତ ନଥିଲା ତେଣୁ ଡିବିରିରେ କିରୋସିନ୍ ଦେଇ ଆଲୁଅ ଜଳାଉଥିଲେ ଲୋକ। ଗୋଟ ଲକ୍ଷ୍ମୀ ହାତୀ ବି ତିଆରି ହେଉଥିଲା ଓ ହାତୀ ଉପରେ ବସୁଥିଲେ ଲକ୍ଷ୍ମୀ ନାରାୟଣ। ଏଇଟା ମାଣବସା ବେଳେ ଦରକାର ହେଉଥିଲା। ଆମ ପରମ୍ପରାରେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କ ଉପସାନା ଅତ୍ୟନ୍ତ ପ୍ରାଚୀନ। ଏହାଛଡ଼ା ଘରେ ନିୟମିତ ଦରକାର ହେଉଥିବା ଦୀପ ବି ଢୋକରାରେ ତିଆରି ହେଉଥିଲା।

ଏଇ ହାତରେ ଜୀବନ୍ତ ହୁଏ ଢୋକରା କଳା
ଏଇ ହାତରେ ଜୀବନ୍ତ ହୁଏ ଢୋକରା କଳା

ବଦଳୁଛି ଢୋକରା କଳା

ଏବେ କିନ୍ତୁ ଡିଜାଇନର୍‌ ମାନେ ଆସି କେତେକେତେ ନୂଆ ଡିଜାଇନ୍ ତିଆରି କରେଇଲେଣି। ତେଣୁ ଆଗକାଳିଆ କଳାକୌଶଳ ଆମକୁ ଆଉ ଦେଖିବାକୁ ମିଳୁନି। ଆଣ୍ଟିକ୍ ନାଁରେ ଯାହାସବୁ ବଜାରରେ ଉପଲବ୍ଧ, ସେସବୁରୁ ଅନେକ ପାତିନା କରାହୋଇ ଆଣ୍ଟିକ୍ ଲୁକ୍ ପାଉଥିବା ଜିନିଷ। ପାରମ୍ପରିକ କଳାକୌଶଳ ଉପରେ ଧାରଣା ଥିବା ଯେକୌଣସି ଲୋକ ଏହାକୁ ସାଙ୍ଗେସାଙ୍ଗେ ଚିହ୍ନିଦେବ।

ବୟସ୍କ ଲୋକମାନଙ୍କୁ ଭେଟି ଜାଣିବାକୁ ମିଳିଲା, ଢୋକରାରେ ମାତ୍ର ଚାରି, ଛଅ ପ୍ରକାର ଜିନିଷ ହେଉଥିଲା ତାଙ୍କ ବାପା ଦାଦାଙ୍କ ଅମଳରେ। ତା ପୂର୍ବରୁ, ମାନେ ଜେଜେବାପାଙ୍କ ସମୟରେ ମୁଦି, ମୋଟା ମୋଟା ବଳା, ତିନି ଚାରି ଆଙ୍ଗୁଳି ମୋଟାର ଚୁଡ଼ି, ଅଣ୍ଟା କରାଟ ଆଦି ତିଆରି ହେଉଥିଲା। ମୁଣ୍ଡରେ ଟୋକେଇ ବୋଝେଇ ହାତୀ, ଘୋଡ଼ା, ଗୁରୁବାର ମାଣବସା ସେର ଆଦି ଢୋକରା ଜିନିଷ ଲଦି ପର୍ବ ପର୍ବାଣି ସମୟରେ ହାତଗଣତି ତିନି ଚାରି ଜଣ କାରିଗର ଗାଁ ଗାଁ ବୁଲୁଥିଲେ।

ବିକ୍ରି ପାଇଁ ଯାଉଥିଲେ ଯାନିଯାତ, ମେଳା ମଉଛବ, ରଥଯାତ୍ରା ଆଦି। ୨୦୦୦ ମସିହାରେ ପଶ୍ଚିମ ବଙ୍ଗଳାର ଶାନ୍ତିନିକେତନ ପାଖ ଆମାର କୁଟୀରରେ ଗୋଟେ ଟ୍ରେନିଂ ଅବସରରେ ଆମ କାରିଗରମାନେ ଡିଜାଇନର୍‌ଙ୍କ ଠାରୁ ପ୍ରଥମକରି ଶିଖିଥିଲେ ହାତୀ, ଚଢ଼େଇ, ମାଛ, କଇଁଚ ଇତ୍ୟାଦିର ନୂଆ ଡିଜାଇନ। ସେଇଠି ହିଁ ସେମାନେ ଶିଖିଥିଲେ ଢୋକରା ଚିଜ ଭିତରୁ ଶେଷରେ ଅନାବଶ୍ୟକ ପୋଡ଼ା ମାଟି ବାହାର କରିବାକୁ ଡିଜାଇନରେ କ’ଣ କ’ଣ ପରିବର୍ତ୍ତନ କରିବାକୁ ପଡ଼ିବ।

ଢୋକରା ଜିନିଷଟେ ତିଆରି ପାଇଁ ପିତ୍ତଳଠୁ ଆରମ୍ଭ କରି ଉଈମାଟି ପର୍ଯ୍ୟନ୍ତ ଅନେକ ଜିନିଷ ଦରକାର ହୁଏ। ବହୁତ ସମୟ ଲାଗେ ଗୋଟିଏ ଗୋଟିଏ ଜିନିଷ ତିଆରି କରିବାକୁ। ଏସବୁକୁ ମୁଁ ବିଭିନ୍ନ ଗାଁକୁ ଯାଇ ଦିନ ଦିନ ଧରି ଦେଖିଛି ଓ ଡକ୍ୟୁମେଣ୍ଟ କରିଛି। ତିଆରି ପ୍ରକ୍ରିୟା ଶୁଣିଲେ ବୁଝିହେବ ଏମିତି ଏକ କଳାକୁ ବଞ୍ଚେଇ ରଖିବାକୁ ଆମ କାରିଗରମାନଙ୍କୁ କେତେ ପରିଶ୍ରମ କରିବାକୁ ହୁଏ। ମୁଁ ତାକୁ ସରଳ ଭାବରେ ବୁଝାଇବାକୁ ଚେଷ୍ଟା କରିବି।

ଓଡ଼ିଶାର ଢୋକରା କଳା
ଓଡ଼ିଶାର ଢୋକରା କଳା

ଢୋକରା ତିଆରି ପାଇଁ ଆବଶ୍ୟକୀୟ ସାମଗ୍ରୀ:

ପିତ୍ତଳ: ଢୋକ୍ରାରେ ବ୍ୟବହୃତ ମୁଖ୍ୟ ଧାତୁ।

ବି ୱାକ୍ସ: ମହମ ସୂତା ତିଆରିରେ ବ୍ୟବହୃତ କଞ୍ଚାମାଲ।

ବିଲ ମାଟି: ମହମ ମଡେଲର ଚାରିପାଖରେ ଏକ ଛାଞ୍ଚ ତିଆରି କରିବା ପାଇଁ ବ୍ୟବହୃତ ହୁଏ।

ଉଇ ମାଟି: ଛାଞ୍ଚ ଉପରେ ଏକ ମସୃଣ ଆବରଣ ଦେବା ପାଇଁ ଦରକାର ହୁଏ।

ସୁକ୍ଷ୍ମ ବାଲି: ମାଟି ସହିତ ମିଶି ଛାଞ୍ଚ ତିଆରିରେ ବ୍ୟବହୃତ ହୁଏ।

ଜଳ: ମାଟି ଏବଂ କାଦୁଅ ସହିତ ମିଶାଇ ଆବଶ୍ୟକ ପାଗ ତିଆରି ପାଇଁ ଦରକାର ହୁଏ।

କାଦୁଅ: ଉତ୍ପାଦର ଭିତର ମଡେଲ୍ ତିଆରି କରିବା ପାଇଁ ବ୍ୟବହୃତ ମୁଖ୍ୟ ଉପାଦାନ।

ଗାଈ ଗୋବର: ମାଟି ଏବଂ ପାଣି ସହିତ ମିଶି ମୂଳ ମଡେଲ୍ ତିଆରି ପାଇଁ ବ୍ୟବହୃତ ହୁଏ।

କୁଣ୍ଡା : କାହାଳୀ ତିଆରି ପାଇଁ ମାଟି ସହ ମିଶାଯାଏ।

ଢୋକରା ତିଆରି ଉପକରଣ:

ମହମ ମଡେଲିଂ ଉପକରଣ: ମହମରେ ଜଟିଳ ଡିଜାଇନ୍ ସୃଷ୍ଟି ପାଇଁ ଛୋଟ ବଡ଼ ବିଭିନ୍ନ ଜିନିଷ ଦରକାର ହୁଏ।

ଚୁଲା: ମାଟି ମଡେଲ୍‌ଗୁଡିକ ପୋଡ଼ିବା ଏବଂ ପିତ୍ତଳ ତରଳାଇବା ପାଇଁ ଆବଶ୍ୟକ।

କୋଇଲା/କାଠ: ଚୁଲିରେ ଉଚ୍ଚ ତାପମାତ୍ରା ପାଇବା ପାଇଁ ବ୍ୟବହୃତ ହୁଏ।

ଗ୍ରାଫାଇଟ୍ ପାତ୍ର: ଧାତୁ ତରଳାଇବା ପାଇଁ ବ୍ୟବହୃତ ହୁଏ।

ଧାତୁ ଢାଳିବା ଡଙ୍କି: ତରଳ ପିତ୍ତଳକୁ ଯତ୍ନର ସହିତ ଢାଳିବା ପାଇଁ।

ହାତୁଡ଼ି: ମାଟିର ଛାଞ୍ଚ ଭିତରୁ ଉତ୍ପାଦଟିକୁ ବାହାର କରିବା ପାଇଁ।

ନିହାଣ: ଅନ୍ତିମ ଆକାର ଦେବା ପାଇଁ।

କୁଇ/ କାହାଳୀ : ମାଟି ପରସ୍ତରେ ପିତ୍ତଳ ଭିତରକୁ ଢଳା ହେବା ପାଇଁ।

ଓଡ଼ିଶାର ଢୋକରା କଳା
ଓଡ଼ିଶାର ଢୋକରା କଳା

ଢୋକରା ତିଆରି ପ୍ରକ୍ରିୟା

ଆଗରୁ ଘରୁ ଘରୁ ଯାଇ ପୁରୁଣା ପିତ୍ତଳ ଜିନିଷ ସଂଗ୍ରହ କରି ଅଣାଯାଏ। ସେସବୁକୁ ଟୁକୁରା ଟୁକୁରା କରି ଭାଙ୍ଗିବାକୁ ହୁଏ। ସଂଗ୍ରହ କରିବାକୁ ହୁଏ ବି ୱାକ୍ସ, ବିଲ ମାଟି, ଉଈ ମାଟି। ତାପରେ ନାଲି ମାଟି, ପାଣି, କୁଣ୍ଡାକୁ ଉପଯୁକ୍ତ ଅନୁପାତରେ ମିଶାଇ ଭଲରେ ଚକଟା ଯାଏ। ମାଟିର ଏହି ମିଶ୍ରଣରେ ଏକ ମୂଳ ମଡେଲ୍ ତିଆରି କରାଯାଏ। ତା ଉପରେ ପୁରା ମସୃଣ ମାଟିର ଏକ ପତଳା ଆସ୍ତରଣ ଦିଆଯାଏ। ଏତକ ପରେ ମଡେଲଟିକୁ ଶୁଖାଇବାକୁ ଛାଡି ଦିଆଯାଏ। ଏହି ମାଟି ଚକଟିବା ଓ ମଡେଲ୍ ତିଆରି କରିବା କାମ ଘରର ସ୍ତ୍ରୀଲୋକମାନେ କରନ୍ତି। ଏ ଶୁଖିବା ଭିତରେ ମହମ ସୂତା ବାହାର କରାଯାଇସାରିଥାଏ।

ପୂର୍ବେ ମହମ ଆସୁଥିଲା କେଉଁଠୁ

ଆଗରୁ ମହମ ଜଙ୍ଗଲରୁ ସଂଗ୍ରହ କରାଯାଉଥିଲା। ମହୁ ସଂଗ୍ରହ କରି ଆଣୁଥିବା ଲୋକ ମହୁ ନେଇସାରିବା ପରେ ଫେଣାଟି କାରିଗରମାନଙ୍କୁ ଦେଇଦେଉଥିଲେ। ଏମାନେ ସେଇଟାକୁ ଆଣି ହାଣ୍ଡିରେ ଫୁଟେଇ ପ୍ରସେସିଂ କରି ମହମ ତିଆରି କରୁଥିଲେ। ଫେଣାକୁ ପାଣିରେ ପକାଇ ଫୁଟାଇବା ପରେ ସେଥିରୁ ଚିକିଟା ଅଂଶ ବାହାରି ଚାରିପାଖେ ହାଣ୍ଡିରେ ଲାଗିଯାଏ। ସେଇଟାକୁ ଛାଙ୍କି ରଖିଦେଇ ବାକି ସବୁ ଫିଙ୍ଗି ଦିଆଯାଏ। ସେଇ ମହମ ଖଣ୍ଡ ସବୁକୁ ପୁଣି ଆଟିକାରେ ଗରମ କରି ତରଳାଇ ସେଥିରେ ଝୁଣା ଓ ସୋରିଷ ତେଲ ମିଶାଯାଏ।
 

ତାକୁ ପୁଣି ଛାଙ୍କି ମଇଳା ସବୁ ବାହାର କଲାପରେ ମିଶ୍ରଣ ପୁଣି ଟାଣ ହୋଇଯାଏ। ତେଣୁ ତାକୁ ଖରାରେ ଦେଇ ଟିକିଏ ନରମ କରିବା ପରେ ଅଟା ପରି ଚକଟି ଦିଆଯାଏ। ସେଇ ଚକଟାକୁ ସେଉ ତିଆରି ମେସିନ୍‌ରେ ପୁରେଇ ଲମ୍ବା ଲମ୍ବା ମହମ ସୂତା ସବୁ ବାହାର କରାଯାଏ। ଏବେ କିନ୍ତୁ ବଜାରରେ ମିଳୁଥିବା ମହମ ଖଣ୍ଡ, ଝୁଣା ଓ ପିଚୁରେ ତିଆରି ହେଉଛି ସୂତା। କଳା ରଙ୍ଗର ସୂତାକୁ ମହମରେ ଗୁଡ଼େଇ ହାତୀ କି କଇଁଛ ଅବା ଆଉକିଛି ତିଆରି କରିବା ବେଳକୁ ତାହା ଭଲ ଦିଶୁଛି ବୋଲି ସେମାନେ ମହମରେ ପିଚୁ ଟିକେ ମିଶାଉଛନ୍ତି ଏବେ।

ମହମ ସୂତାକୁ ମାଟିର ମଡେଲ୍ ଚାରି ପାଖରେ ସ୍ତ୍ରୀ ଲୋକମାନେ ଗୁଡ଼େଇ ସାରିବା ପରେ ଆଖି, ନାକ, କାନ ଆଦିକୁ ଗଢ଼ନ୍ତି ପୁରୁଷ ଲୋକ। ଆକୃତିଟି ପୁରା ହୋଇସାରିବା ପରେ, ପୁଣି ଗୋଟେ ମାଟିର ପରସ୍ତ ଚଢ଼ାଯାଏ। ତା ଉପରେ ପୁଣି ଆଉ ଗୋଟେ ଟାଣ ନାଲି ମାଟିର ପରସ୍ତ। ଭିତର ମାଟିଟା ଫପ୍‌ସା ବିଲ ମାଟି ହୋଇଥିବା ବେଳେ ଉପର ନାଲି ମାଟିଟା ଉଇ ହୁଙ୍କାରୁ ସଂଗ୍ରହ କରାଯାଇଥାଏ। ସେଇଟା ବଡ଼ ଟାଣ।

ମାଟି ପରସ୍ତରେ ପିତ୍ତଳ ଭିତରକୁ ଢଳା ହେବା ପାଇଁ ଗୋଟେ କାହାଳୀ କରାଯାଇଥାଏ। ସେଇ ମୁହଁ ପାଖରେ ଖଣ୍ଡ ପିତ୍ତଳ ରଖି ମୁହଁଟାକୁ ପୁଣି ମୁଦ ଦିଆହୋଇଯାଏ। ସେଇ ବାଟେ ତରଳ ପିତ୍ତଳ ଭିତରକୁ ଯାଇ ନିଆଁରେ ତରଳି ଯାଇଥିବା ମହମର ଜାଗା ନେଇଯାଏ । କିଛି ସମୟ ପରେ ନିଆଁରୁ ମାଟି ଛାଞ୍ଚକୁ ବାହାର କରି ଥଣ୍ଡା ହେବା ପାଇଁ ଛାଡ଼ି ଦିଆଯାଏ। ତାପରେ ହାତୁଡ଼ିରେ ଉପର ମାଟି ପରସ୍ତକୁ ଭାଙ୍ଗି ଦିଆଯାଏ। ଏଥର ପ୍ରସ୍ତୁତ ହୋଇ ସାରିଥାଏ ଢୋକରାର ଜିନିଷପତ୍ର।

ଓଡ଼ିଶାର ଢୋକରା କଳାଓଡ଼ିଶାର ଢୋକରା କଳା

କେମିତି ଥିଲା ପୁରୁଣା ଶୈଳୀ

ଆଗ କାଳର ପ୍ରକ୍ରିୟା କିନ୍ତୁ ଆହୁରି କଷ୍ଟକର ଥିଲା। ଢୋକରା ପାଇଁ ପ୍ରଥମ ସମସ୍ୟା ହେଲା ପାଣିପାଗ। ଏହି କାମ ପୁରାପୁରି ପାଣିପାଗ ଉପରେ ନିର୍ଭର କରେ। ଆଉ ଓଡ଼ିଶାର ପାଣିପାଗ ବିଷୟରେ ତ ସମସ୍ତଙ୍କୁ ଜଣା। ଗତବର୍ଷ ଜୁନ୍ ମାସରୁ ବର୍ଷା ଆରମ୍ଭ ହେଲା ଯେ ନଭେମ୍ବର ଯାଏ ଚାଲିଲା। ଏପଟେ କିନ୍ତୁ ପାଗ ଠିକ୍ ଥିବା ଦରକାର ଢୋକରା କ୍ରାଫ୍ଟ ତିଆରି ପାଇଁ। ମାଟିର ଛାଞ୍ଚ ତିଆରି ଠାରୁ ଆରମ୍ଭ କରି ମେଟାଲ୍ କାଷ୍ଟିଂ ପର୍ଯ୍ୟନ୍ତ ସବୁଥି ପାଇଁ ଖରା ଦରକାର। ଖରା ବହୁତ ନହେଲେ ଚଳିବ କିନ୍ତୁ ଶୁଖିଲା ପାଗ ହୋଇଥିବା ଦରକାର। ଶୀତ ଦିନରେ ସବୁଠୁ ବେଶୀ କାମ ବାହାରି ପାରେ।

ସେତେବେଳେ ବର୍ଷା ନ ଥାଏ ଓ ପବନରେ ଯେଉଁ ଶୁଷ୍କତା ଥାଏ ତାହା ଜିନିଷକୁ ଶୁଖେଇବାରେ ସାହାଯ୍ୟ କରେ। ବର୍ଷା ଦିନରେ ଜଳବାୟୁ ଆର୍ଦ୍ର ଥିବାରୁ ଜିନିଷ ତିଆରି କରିସାରିବା ପରେ ଆଜି ଯଦି ସେଥିରେ ମାଟିର ଲେପ ଦିଆଯାଏ ତେବେ ସେ ତିନିଦିନ ଯାଏ ସେମିତି ଓଦା ରହେ । ବହୁତ ଖରା ହେଲେ ବି କାମ ହୋଇ ପାରିବନି। ବେଶୀ ଉତ୍ତାପରେ ଉପର ମାଟି ସିନା ଶୁଖିଯାଏ, ଭିତର ମାଟି ନରମ ରହି ଯାଇଥାଏ । ସେଇ ସମୟରେ ଢଳେଇ କଲେ ଜିନିଷ ଖରାପ ହୋଇଯାଏ । ତେଣୁ ବର୍ଷା ଥରେ ଆରମ୍ଭ ହୋଇଗଲା ମାନେ କାରିଗରମାନେ କାମ ନ କରିପାରି ଚଳିବା ପାଇଁ ହଇରାଣ ହୁଅନ୍ତି।

ଆଗ୍ରହୀ ନୁହଁନ୍ତି ନୂଆପିଢ଼ି

କାରିଗରଙ୍କ ପାଇଁ ଢୋକରା କେବଳ ଏକ ଶିଳ୍ପ ନୁହେଁ, ଏହା ସେମାନଙ୍କ ପରିଚୟର ଏକ ଅଂଶ, ଯାହା ପିଢ଼ି ପରେ ପିଢ଼ି ଚାଲିଆସିଛି। ପ୍ରତ୍ୟେକ କଳାକାରଙ୍କ କାର୍ଯ୍ୟରେ ଏକ ନିଆରା ଶୈଳୀ ଥାଏ, ଯାହା ଡିଜାଇନର୍ ହସ୍ତକ୍ଷେପ ପରେ ଧୀରେ ଧୀରେ ବଦଳିଗଲାଣି। ଢୋକରା କଳାର ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ଗୁରୁତ୍ୱ ରହିଥିଲେ ମଧ୍ୟ ଆଜି କାରିଗରମାନେ ଅନେକ ପ୍ରକାରର ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। 

ଓଡ଼ିଶାର ଢୋକରା କଳା
ଓଡ଼ିଶାର ଢୋକରା କଳା

କାହିଁକି କମୁଛି ଓଡ଼ିଶା ଢୋକ୍ରା କଳାର ବିକ୍ରି

ଝାଡ଼ଖଣ୍ଡରୁ ଆସୁଥିବା ସ୍ୟାଣ୍ଡକାଷ୍ଟ ସାମଗ୍ରୀ ଅନେକ ପରିମାଣରେ ଉପଲବ୍ଧ ହେବା ଦ୍ୱାରା ପାରମ୍ପରିକ କଳା ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରି ତିଷ୍ଠିବା କଷ୍ଟକର ହୋଇପଡିଛି। ଚୀନ୍‌ରୁ ମଧ୍ୟ ଢୋକରା ପରି ଦିଶୁଥିବା ମେସିନ୍ ତିଆରି ଶସ୍ତା ସାମଗ୍ରୀ ବଜାରରେ ଉପଲବ୍ଧ। ଯେହେତୁ ପାରମ୍ପରିକ କୌଶଳର ଏଇ ପୁରୁଣା କଳାକୁ ବଞ୍ଚେଇ ରଖି ଆପଣା ପେଟ ପାଟଣାର ଆବଶ୍ୟକାତାକୁ ପୂରଣ କରିବାକୁ କାରିଗରମାନଙ୍କୁ ଜୀବିକା ନିର୍ବାହ ପାଇଁ ସଂଘର୍ଷ କରିବାକୁ ପଡୁଛି, ସେଠି ପରର ଯୁବପିଢ଼ି ପ୍ରାୟତଃ ଏହି ହସ୍ତଶିଳ୍ପକୁ ବୃତ୍ତି ହିସାବରେ ନେବାକୁ ଆଜି ଅନିଚ୍ଛା ପ୍ରକାଶ କରୁଛନ୍ତି। ସରକାରୀ ଓ ବେସରକାରୀ ଭାବରେ ଅନେକ ଉଦ୍ୟମ ଅବଶ୍ୟ ହେଉଛି, କିନ୍ତୁ ଲାଗୁଛି ଅସଲ ସମସ୍ୟାର ସମାଧାନ ହେଇପାରୁନି।

OTV is now on Whatsapp

Join and get latest news update delivered to you via whatsapp

Join Now