ଭୁବନେଶ୍ୱର ଡିଜି-ଆଇଜି ସମ୍ମିଳନୀକୁ ଆସିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ । ସୁରକ୍ଷା, ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାରରେ ଭାରତ ସରକାରଙ୍କ ସଙ୍କଟ ମୋଚକ ସାଜିଥିବା ଅଜିତ ଡୋଭାଲ ଭାରତର ଜେମସ ବଣ୍ଡ ଭାବେ ଜଣାଶୁଣା । ଆସନ୍ତୁ ଜାଣିବା ଆଜି ପର୍ଯ୍ୟନ୍ତ କ’ଣ ରହିଛି ତାଙ୍କର ବିଶେଷ ଉପଲବ୍ଧି । ....
୧୯୬୮ ବ୍ୟାଚର ଭାରତୀୟ ପୁଲିସ ସେବାର ଅଧିକାରୀ ହେଉଛନ୍ତି ଅଜିତ ଡୋଭାଲ୍ । କେରଳ କ୍ୟାଡରର ଏହି ଅଧିକାରୀ କୋଟ୍ଟାୟାମ ଜିଲ୍ଲାର ଏଏସପି ଭାବେ କାମ ଆରମ୍ଭ କରିଥିଲେ । ଆଇବି ବା ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟରୁ ଅବସର ନେଇସାରିଛନ୍ତି । ୨୦୦୪-୦୫ ମସିହାରେ ଇଣ୍ଟେଲିଜେନସ ବ୍ୟୁରୋ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ପରେ ପରେ ସେ ୨୦୧୪ ମସିହା ମେ ୩୦ରେ ସେ NSA ଭାବେ ଦାୟିତ୍ୱ ନେଇଥିଲେ ।
ନିଜ ଜୀବନର ଅନେକ ସମୟ ସେ ଆଇବିରେ ସ୍ପାଏ ଭାବେ କାମ କରିଛନ୍ତି । ୬ ବର୍ଷ କାଳ ପାକିସ୍ତାନରେ ଆଇବି ପାଇଁ ଗୁଇନ୍ଦା ଗିରି କରିଥିଲେ ଅଜିତ । ପାକିସ୍ତାନରେ ଅଣ୍ଡର କଭର ଏଜେଣ୍ଟ ଭାବେ ଅନେକ ଗୁପ୍ତ ଅପରେସନକୁ ସଫଳ ରୂପାୟନ ଦେଇଛନ୍ତି । ଜଣେ ମୁସଲମାନ ଭାବେ ରହି ସ୍ଥାନୀୟ ଲୋକ, ବିଭିନ୍ନ ଏଜେନ୍ସୀ ଓ ଅନୁଷ୍ଠାନ ସହ ସଂପର୍କ ରକ୍ଷା କରିଥିଲେ ।
Also Read
ଅଧିକ ପଢ଼ନ୍ତୁ:ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?
ସେହିପରି ଖଲିସ୍ତାନ ଆନ୍ଦୋଳନ ଚରମରେ ପହଂଚିଥିବା ବେଳେ ସ୍ୱର୍ଣ୍ଣମନ୍ଦିର ନିକଟରେ କିଛି ଦିନ ରିକ୍ସା ଚାଳକ ଭାବେ କାମ କରି ଅନେକ ଗୁପ୍ତ ତଥ୍ୟ ପ୍ରଦାନ କରିଥିଲେ ଅଜିତ୍ । ୧୯୮୪ରେ ଅପରେସନ ବ୍ଲୁ-ଷ୍ଟାର ବେଳେ ଗୁଇନ୍ଦା ତଥ୍ୟ ପ୍ରଦାନ କରିଥିଲେ । ସ୍ୱର୍ଣ୍ଣ ମନ୍ଦିର ଭିତରେ କେତେ ଉଗ୍ରପନ୍ଥୀ ରହିଛନ୍ତି, କେତେ ଅସ୍ତ୍ରଶସ୍ତ୍ର ରହିଛି, ସେସବୁର ବିବରଣୀ ଦେଇଥିଲେ ସେ । ସେତେବେଳେ ତାଙ୍କର ଏହି ସାହସିକତାକୁ ଭୂରି ଭୂରି ପ୍ରଶଂସା କରିଥିଲେ ସମସ୍ତେ ।
୧୯୮୮ରେ ଅପରେସନ୍ ବ୍ଲାକ୍ ଥଣ୍ଡର ବେଳେ ପାକିସ୍ତାନର ଆଇଏସଆଇ ଗୁଇନ୍ଦା ଭାବେ ଉଗ୍ରପନ୍ଥୀଙ୍କ ଆଡ୍ଡାକୁ ପ୍ରବେଶ କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲେ ସେ । ମିଜୋରାମ, ପଞ୍ଜାବ, କାଶ୍ମୀରରେ ଉଗ୍ରବାଦ ବିରୋଧୀ ଅଭିଯାନରେ ସେ ପ୍ରମୁଖ ଭୂମିକା ମଧ୍ୟ ନେଇଥିଲେ । ୧୯୪୫ ଜାନୁଆରୀ ୨୦ରେ ଉତ୍ତରାଖଣ୍ଡରେ ଅଜିତଙ୍କ ଜନ୍ମ ହୋଇଥିଲା । ସାହସିକତା ପାଇଁ ଭାରତ ସରକାର ତାଙ୍କୁ କୀର୍ତ୍ତି ଚକ୍ରରେ ସମ୍ମାନିତ କରିଛନ୍ତି । ଡିଜିପି ସମ୍ମିଳନୀରେ ଯୋଗଦେବା ଲାଗି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ସେ ସାମିଲ ହେବେ ।
ଆଜିଠୁ ଭୁବନେଶ୍ୱରରେ ୩ ଦିନିଆ ଡିଜିପି ସମ୍ମିଳନୀ ଆରମ୍ଭ ହେଇଛି । ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରହିଛି ରାଜଧାନୀ । ସମ୍ମିଳନୀରେ ଯୋଗଦେବାକୁ ବିଭିନ୍ନ ରାଜ୍ୟର ପୋଲିସ ମୁଖିଆ ପହଞ୍ଚି ସାରିଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ ଓ ନିଶା କାରବାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ହେବ ଆଲୋଚନା ।