Advertisment

Mahabharat Story: ପୁଅର ଯୌବନ ନେଇ ଜୀବନ ଉପଭୋଗ କରୁଥିବା ଜଣେ ରାଜା ଓ ତାଙ୍କ ଚାରି ପୁଅଙ୍କ କାହାଣୀ

ଅଭିଶାପ ପାଇ ହଠାତ୍ ବୁଢା ହୋଇଥିବା ବାପାକୁ କାହିଁକି ସାହାଯ୍ୟ କଲେନି ପୁଅମାନେ? ନିଜ ପୁଅମାନଙ୍କ ଠାରୁ କାହିଁକି ଯୌବନ ଧାର ମାଗିଲେ ରାଜା ଯଯାତି? ଚାରିପୁଅ ଭିତରୁ କିଏ ପୁଣି ସାହାଯ୍ୟ କଲା ବାପାକୁ? ମହାଭାରତର ଚମତ୍କାର ଚରିତ୍ର ଓ ଘଟଣା ଜାଣିବାକୁ ଆଜିର ଅଧ୍ୟାୟ ପଢନ୍ତୁ।

author-image
Ramakanta Samantaray
ଅଦ୍ୟତନ ହୋଇଛି
The old king took the edge of youth from his son and

The old king took the edge of youth from his son and

ରାଜା ଯଯାତି ନାତିମାନଙ୍କ ସଞ୍ଚିତ ଧର୍ମରୁ କିଛି ନେଇ ଆଉଥରେ ସ୍ୱାର୍ଗାରୋହଣ କଲା ପରେ, ମାଧବୀଙ୍କ ପୁଅମାନେ ଏକଦା ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପ ଓ ସେଥିରୁ ସାମୟିକ ମୁକ୍ତିର ରାସ୍ତା କେମିତି ଯଯାତି ପାଇଥିଲେ ସେ କଥା ମାଧବୀଙ୍କ ପାଖରୁ ଜାଣିବାକୁ ଚାହିଁଲେ । ତାପରେ ମାଧବୀ ଗପିଲେ;

Advertisment

ଦେବଯାନୀ ବିରକ୍ତ ହୋଇ ରାଗି ଚାଲିଗଲା ପରେ ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପ ଫଳରେ ରାଜା ଯଯାତି ବୁଢା ହୋଇଗଲେ । ବୃଦ୍ଧାବସ୍ଥାରୁ ପୁଣି ଥରେ ଯୌବନକୁ ଫେରିବାର ବାଟ ବି ଶୁକ୍ର କହିଥାଆନ୍ତି । ଯଯାତିଙ୍କର ଅଖଣ୍ଡ ବିଶ୍ୱାସ ଥାଏ ତାଙ୍କ ଚାରି ପୁଅରୁ କେହି ନା କେହି ନିଶ୍ଚୟ ତାଙ୍କ ଅନୁରୋଧ ରକ୍ଷା କରିବ । ରାଜ ନଅରରେ ରାଜା ଯଯାତି ପହଞ୍ଚିଲା ପରେ ପ୍ରଥମେ ତାଙ୍କର ଅତି ପ୍ରିୟ ବଡପୁଅ ଯଦୁଙ୍କୁ ପାଖକୁ ଡାକିଲେ ଓ ତାଙ୍କ ଯୌବନ ମାଗିଲେ । କହିଲେ, ବାପରେ ମୋତେ କିଛି ବର୍ଷ ପାଇଁ ତୋ ଯୁବା ବୟସ ଧାର ଦେବୁ କି? ଶୁକ୍ରଚାର୍ଯ୍ୟଙ୍କ ଅଭିଶାପ ଫଳରେ ଦେଖ ମୋର କେମିତି ଅବସ୍ଥା ହେଇଛି । କିଛି ବର୍ଷ ଯୌବନ ଉପଭୋଗ କଲାପରେ ଓ ରାଜ୍ୟ ଶାସନ କଲାପରେ ମୁଁ ତୋ ଯୌବନ ତୋତେ ଫେରାଇଦେବି । ଯଦୁ ସବୁ ଶୁଣି ସିଧା ସଳଖ ମନା କରିଦେଲେ । କହିଲେ ମୁଁ ଏବେ ପାଚିଲା କେଶ, ଧୋତରା ଚମଡା, ଅନ୍ୟ ଉପରେ ନିର୍ଭରଶୀଳ, ଦୁର୍ବଳ ଓ ଜଣେ ଅସୁନ୍ଦର ବୁଢା ଲୋକ ହୋଇ ସମୟ କାଟି ପାରିବିନି । ତାପରେ ବିନା କାରଣରେ ବିନା ଦୋଷରେ ମୁଁ କାହିଁକି ଅଭିଶାପ ଭୋଗ କରିବି ଯେ?

ଯଦୁଙ୍କ କଥା ଶୁଣି ଯଯାତି କହିଲେ ଠିକ୍ ଅଛି । ମୁଁ ତୋତେ ଏତେ ଭଲ ପାଇଥିଲି, ମୋର ଉପଯୁକ୍ତ ଦାୟଦ ବୋଲି ଭାବିଥିଲି। ହେଲେ ତୋ ମନରେ ଯଦି ଏତେ କଥା ଅଛି, ତେବେ ମୋ ମନ କଥା ବି ଶୁଣ । ଉତ୍ତରାଧିକାରୀ ସୂତ୍ରରେ ମୋ ରାଜ୍ୟରୁ ତୋତେ କିଛି ବି ମିଳିବନି । ବଡ ପୁଅ ଭାବରେ ତୁ ମୋ ପରେ ରାଜା ହେବ କଥା। କେବଳ ମୋ ରାଜ୍ୟରେ ନୁହେଁ, ଆଗାମୀ ଭବିଷ୍ୟତରେ ମଧ୍ୟ ତୁ କିମ୍ବା ତୋ ବଂଶର ବି କେହି ଆଉ କେବେ ବି ରାଜା ହୋଇ ପାରିବେନି ।

Advertisment

ତାପରେ ରାଜା ଯଯାତି ତାଙ୍କର ଅନ୍ୟ ଏକ ପୁଅ ତୁର୍ବସୁ ପାଖରେ ପହଞ୍ଚିଲେ । ବାପାଙ୍କ ପ୍ରସ୍ଥାବ ଶୁଣି ସେ ବି ସିଧା ସଳଖ ମନା କରିଦେଲେ । ତୁର୍ବସୁ କହିଲେ, ହେ ପିତା ! ମୋର ଏବେ ବୁଢା ହେବାକୁ ସାମାନ୍ୟ ଇଚ୍ଛା ନାହିଁ । ବୁଢା ଲୋକର ଇଚ୍ଛା, କାମନା, ଖୁସି ଓ ସୌନ୍ଦର୍ଯ୍ୟ, ଶକ୍ତି ଓ ବୁଦ୍ଧି କିଛି ନଥାଏ । ମୁଁ ଏବେ ସେମିତି ଏକ ଅବସ୍ଥାକୁ ଯିବାକୁ ଚାହୁଁନି ।

ଯଦୁଙ୍କ ପରେ ତୁର୍ବସୁଙ୍କ ନାଁ ଶୁଣି ଯଯାତି କ୍ଷୁବ୍ଧ ହୋଇଗଲେ । ସେ ତୁର୍ବସୁଙ୍କୁ ଅଭିଶାପ ଦେଇ କହିଲେ, ଆରେ ମୁର୍ଖ ତୁ ଏମିତି ଦେଶର ରାଜା ହେବୁ ଯେଉଁଠି ତୋ ପ୍ରଜାମାନଙ୍କର ଆଚାର ବ୍ୟବହାର ଠିକ୍ ରହିବନି । ଉଚ୍ଚ ବର୍ଗର ନାରୀମାନେ ନିମ୍ନ ବର୍ଗରେ ବିବାହ କରିବେ । କେବଳ ନିମ୍ନ ତୁଚ୍ଛା କାମନା ଓ ବାସନା ତୃପ୍ତ କରିବା ଛଡା ସେମାନେ ଆଉ କିଛି କରିବେନି । ତୋ ପ୍ରଜାମାନେ ଗୁରୁ ପତ୍ନୀ ହରଣ କରିବେ ଓ ପଶୁମାନଙ୍କ ସହ ସହବାସ କରିବେ । ଯା, ପଶୁ ବୁଦ୍ଧିଧାରି ମ୍ଲେଛମାନଙ୍କର ରାଜା ତୁ ହେବୁ ।

ଦେବଯାନୀଙ୍କ ଦୁଇପୁଅଙ୍କ ପାଖରୁ ନାସ୍ତିବାଣୀ ଶୁଣି ଯଯାତି ତାପରେ ଶର୍ମିଷ୍ଠାଙ୍କ ପୁଅ ଦୃହ୍ୟୁ ପାଖରେ ପହଞ୍ଚି ଯୌବନ ଭିକ୍ଷା କଲେ । ଦୃହ୍ୟୁ ସବୁ ଶୁଣି ଯଯାତିଙ୍କୁ କହିଲେ, ନା ନା ସେ ସେମିତି କରିପାରିବେନି । ଜଣେ ବୁଢା ଲୋକ ହାତୀ, ଘୋଡା ଓ ରଥ ଆଦି କିଛି ବ୍ୟବହାର କରିପାରିବନି । ମୁଁ ଏବେ ବୁଢା ହେବାକୁ ଚାହୁଁନି । ଦୃହ୍ୟୁଙ୍କ କଥା ଶୁଣି ଯଯାତି କହିଲେ ତାହେଲେ ତୁ କି ତୋ ବଂଶଧର କେହି କେବେ ବି ରାଜା ହୋଇ ପାରିବେନି । ତୁ ଯେଉଁ ହାତୀ ଘୋଡା ଚଢିବା ଇଚ୍ଛା କରୁଛୁ ସେ ଇଚ୍ଛା ବି ତୋର କେବେ ମଧ୍ୟ ତୋର ପୁରଣ ହେବନି । ତୋ ବଂଶଧରମାନଙ୍କୁ ଭୋଜ କୁହାଯିବ । ସେମାନେ ଏମିତି ସ୍ଥାନରେ ରହିବେ ଯେଉଁଠି ଗମନା ଗମନ ପାଇଁ କେବଳ ଡଙ୍ଗା ଆଉ ଭେଳାର ବ୍ୟବହାର ହେଉଥିବ ।

ତାପରେ ଯଯାତି ତାଙ୍କର ଅନ୍ୟ ଏକ ପୁଅ ଅନୁ ପାଖକୁ ଯାଇ ସେଇ ଏକା କଥା କହିଲେ । ଯୌବନ ଦେଇ ବାର୍ଦ୍ଧକ୍ୟ ନେବାର କଥା ଶୁଣି ସେ ବି ସିଧା ସଳଖ ମନା କରିଦେଲେ । ଅନୁ କହିଲେ, ନା ନା ସେ ଏବେ ବୁଢା ହେବାକୁ ଚାହାଁନ୍ତିନି । ବୁଢା ଲୋକମାନେ ଛୋଟ ଛୁଆଙ୍କ ପରି ଖାଆନ୍ତି । ସାରା ଦିନ ଅଶୁଦ୍ଧ ରୁହନ୍ତି ଓ ଠିକ୍ ସମୟରେ ଯଜ୍ଞ ଆଦି କର୍ମ ବି କରିପାରନ୍ତି ନାହିଁ। ଅନୁଙ୍କ କଥା ଶୁଣି ତାଙ୍କୁ ବି ଯଯାତି ଅଭିଶାପ ଦେଲେ । କହିଲେ ବାର୍ଦ୍ଧକ୍ୟ ପ୍ରତି ତୋର ଏପରି ଧାରଣାର ପରାବଭ ତୁ ଅବଶ୍ୟ ଜାଣିବୁ । ତୋର ବୃଦ୍ଧାବସ୍ଥାରେ ତୋର ପିଲାମାନେ ତୋ ପାଖରେ କେହି ରହିବେନି। ତୁ ଯେଉଁ ଯଜ୍ଞ କଥା କହୁଛୁ ମନେରଖ ବୁଢା ବେଳକୁ ତୁ କୌଣସି ଯଜ୍ଞ କରିବାକୁ ସମର୍ଥ ହେବୁନି ।

The old king took the edge of youth from his son and ପୁଅର ଯୌବନ ନେଇ ଜୀବନ ଉପଭୋଗ କରୁଥିବା ଜଣେ ରାଜାଙ୍କ କାହାଣୀ

ଚାରି ପୁଅ ମନାକଲା ପରେ ଯଯାତି ନିରାଶ ହୋଇ ସାରିଥିଲେ । ସେ ଆଦୌ ଭାବି ନଥିଲେ ତାଙ୍କର ପ୍ରିୟ ପୁତ୍ରମାନଙ୍କ ଭିତରୁ କେହି ବି ତାଙ୍କର ସହାୟ ହେବେନି । ଶେଷରେ ସବୁଠାରୁ ସାନପୁଅ ପୁରୁଙ୍କୁ ସେଇ ଏକା କଥା କହିଲେ ଯଯାତି । ଅନ୍ୟମାନେ ସିନା ସିଧା ସିଧା ମନା କରି ଦେଇଥିଲେ, ସବା ସାନପୁଅ ପୁରୁ କିନ୍ତୁ ବାପାଙ୍କ କଥାରେ ରାଜି ହୋଇଗଲେ । ପୁରୁ କହିଲେ ହଉ, ଆପଣ ଯଦି ଇଚ୍ଛା କରିଛନ୍ତି ମୁଁ ମୋର ଯୌବନ ଆପଣଙ୍କୁ ଦେଇ ଆପଣଙ୍କ ଅକାଳ ବାର୍ଦ୍ଧକ୍ୟ ବରଣ କରିବି । ଆପଣଙ୍କ ଇଚ୍ଛା ଓ ଆନନ୍ଦ ଠାରୁ ବଳି ମୋ ପାଇଁ ଆଉ ବଡ କିଛି ନାହିଁ ।

ପୁରୁଙ୍କ କଥା ଶୁଣି ଯଯାତି ଖୁସି ହୋଇଗଲେ । କହିଲେ, ମୋର ଅନ୍ୟ ପୁଅମାନେ ମୋର ଅନୁରୋଧକୁ ଏଡାଇ ଯାଇଥିବା ବେଳେ ତୁ ରାଜି ହୋଇ ମୋ କଥା ରଖିଲୁ । ମୁଁ ତୋର ତ୍ୟାଗର ମୂଲ୍ୟ ବୁଝିପାରୁଛି । ତେଣୁ କିଛି ବର୍ଷ ପରେ ମୁଁ ତୋତେ ତୋର ଯୌବନ ନିଶ୍ଚୟ ଫେରାଇବା ସହ, ଏ ରାଜ୍ୟ ଓ ରାଜ ସିଂହାସନ ବି ତୋ ହାତରେ ଦେଇଦେବି । ମୋ ଅନ୍ତେ କେବଳ ତୁ ହିଁ ମୋର ଉତ୍ତରାଧିକାରୀ ଭାବରେ ଏ ଦେଶର ରାଜା ହେବୁ ।

ତାପରେ ପୁରୁଙ୍କ ପାଖରୁ ଯୌବନ ନେଇ ଯଯାତି ଜଣେ ଯୁବକ ହୋଇ ଧର୍ମର ରାସ୍ତାରେ ସୁରୁଖୁରୁରେ ରାଜ୍ୟ ଶାସନ କଲେ ଓ ପୁରୁ ଜଣେ ବୁଢା ଲୋକ ହୋଇ ସମୟ କାଟିଲେ । ଏମିତି ଏମିତି ଅନେକ ବର୍ଷ ବିତିଗଲା । ଶେଷରେ ଯଯାତି ତାଙ୍କ ସାନପୁଅ ପୁରୁଙ୍କ ପାଖରୁ ଧାରରେ ନେଇଥିବା ଯୌବନ ଫେରାଇବା ସମୟ ଆସି ପହଞ୍ଚିଲା ।

ଯଯାତି ଦିନେ ତାଙ୍କ ଅକାଳରେ ବାର୍ଦ୍ଧକ୍ୟ ଭୋଗୁଥିବା ସାନପୁଅ ପୁରୁକୁ ପାଖକୁ ଡାକିଲେ ଓ କହିଲେ, ବାପ ଏବେ ମୋର ସମୟ ହୋଇଗଲାଣି । ତୋ ପାଇଁ ମୁଁ ବେଶ୍ ଦିନ ଯୌବନ ଉପଭୋଗ କଲି । ଏବେ କଥା ଅନୁସାରେ ତୋତେ ତୋର ଯୌବନ ଫେରାଇ ଦେଉଛି । ତା ସାଙ୍ଗରେ ମୋ ରାଜ୍ୟ ଓ ରାଜ ସିଂହାସନ ବି ଉପହାର ଦେଉଛି । ଏଣିକି ଧର୍ମ ଓ ନ୍ୟାୟ ପଥରେ ତୁ ସୁରୁଖୁରୁରେ ରାଜ୍ୟ ଶାସନ କର ।

The old king took the edge of youth from his son and ପୁଅର ଯୌବନ ନେଇ ଜୀବନ ଉପଭୋଗ କରୁଥିବା ଜଣେ ରାଜାଙ୍କ କାହାଣୀ

ତାପରେ ଯଯାତି ବୃଦ୍ଧ ଅବସ୍ଥାକୁ ଚାଲିଗଲେ ଓ ପୁରୁ ତାଙ୍କ ପୁରୁଣା ଯୁବା ଅବସ୍ଥାକୁ ଫେରିଆସିଲେ। କିନ୍ତୁ ପୁରୁଙ୍କୁ ରାଜଗାଦୀ ସମର୍ପଣ କରିବା ଦେଶର ପଣ୍ଡିତମାନଙ୍କ ମନକୁ ଗଲାନି। ସେମାନେ ଯଯାତିଙ୍କୁ ଆସି ପ୍ରଶ୍ନ କଲେ । କହିଲେ ଧର୍ମ ଓ ନ୍ୟାୟ ପଥରେ ବାଟ ଚାଲୁଥିବା ରାଜା ଏମିତି ଭୁଲ କେମିତି କରୁଛନ୍ତି? ଧର୍ମ ଓ ଶାସ୍ତ୍ର ଅନୁସାରେ ରାଣୀ ଦେବଯାନୀଙ୍କ ଗର୍ଭରୁ ଜନ୍ମିତ ପିଲା ହିଁ ରାଜଗାଦୀ ପାଇବା କଥା । ପ୍ରଥା ଅନୁସାରେ ଆପଣଙ୍କ ବଡ ପୁଅ ଯଦୁ ଦେଶର ରାଜା ହେବା କଥା । ଯଦୁ ନହେଲେ ତା ତଳ ଭାଇ ତୁର୍ବସୁ ରାଜା ହୋଇପାରିଥାନ୍ତେ । ଦେବଯାନୀଙ୍କ ପୁଅ ଦୁହେଁ ମନା କରିଥିଲେ ଯାଇଁ ଶର୍ମିଷ୍ଠାଙ୍କ ବଡ ପୁଅ ଦୃହ୍ୟୁଙ୍କ କଥା ପଡିଥାନ୍ତା । ସେ ନ ହୋଇଥିଲେ ତା' ତଳକୁ ଅନୁ ବି ଥିଲେ । କିନ୍ତୁ ହେ ରାଜା, ବଡ ଚାରି ପୁଅଙ୍କୁ ଛାଡି ଆପଣ ସବା ସାନ ପୁଅ ପୁରୁକୁ କେମିତି ରାଜଗାଦୀ ଅର୍ପଣ କଲେ? ବ୍ରାହ୍ମଣ ଓ ପଣ୍ଡିତମାନଙ୍କ ପ୍ରଶ୍ନ ଶୁଣି ଯଯାତି ଉତ୍ତର ଦେଲେ ଯେ, ବହୁ ଆଗରୁ ଏ କଥାର ନିଷ୍ପତ୍ତି ହୋଇସାରିଥିଲା । ଶୁକ୍ରଙ୍କ ଅଭିଶାପ ସମୟରୁ କଥା ହୋଇଥିଲା ବିନା ଦ୍ୱିଧାରେ ଯିଏ ତା'ର ଯୌବନ ମୋତେ ଧାର ଦେବ, ସେ ହିଁ ମୋର ପ୍ରକୃତ ଉତ୍ତରାଧିକାରୀ ହେବ । ଅନ୍ୟ ପୁଅମାନେ ମୋର ଅନୁରୋଧ ରକ୍ଷା କରିନାହାଁନ୍ତି, କିନ୍ତୁ ପୁରୁ ମୋତେ କିଛି ବି ପ୍ରଶ୍ନ ନକରି ମୋ ସୁଖ ପାଇଁ ଅନେକ କଷ୍ଟ ସ୍ୱୀକାର କରିଛି । ମୋର ଧାରଣା ବାପାର ଦୁଃଖକୁ ଯୋଉ ପୁଅ ବିନା ପ୍ରଶ୍ନରେ ନିଜର କରିପାରେ ସେ ହିଁ ତା' ନିଜର ସନ୍ତାନ ପରି ପ୍ରଜାମାନଙ୍କର ଉପଯୁକ୍ତ ଦାୟିତ୍ୱ ନେଇପାରିବ ।

ବ୍ରାହ୍ମଣ ଓ ପଣ୍ଡିତମାନେ ଏଥର ପୂର୍ବାପର ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଘଟଣା ବୁଝିଲା ପରେ ପୁରୁଙ୍କୁ ଦେଶର ରାଜା ଭାବରେ ସ୍ୱୀକାର କଲେ । ପୁରୁଙ୍କୁ ରାଜଗାଦୀରେ ବସାଇ ବୃଦ୍ଧ ଯଯାତି ଜଣେ ସନ୍ୟାସୀର ଜୀବନ କାଟିବାକୁ ଜଙ୍ଗଲକୁ ଚାଲିଗଲେ ।

ଯଯାତିଙ୍କ ବଡ ପୁଅ ଯଦୁଙ୍କର ବଂଶଧରଙ୍କୁ ଯାଦବ କୁହାଗଲା । ତୁର୍ବସୁଙ୍କ ବଂଶଧର ଯବନ ନାମରେ ପରିଚିତ ହେଲେ । ଦୃହ୍ୟୁଙ୍କ ବଂଶଜ ହେଲେ ଭୋଜ । ଅନୁଙ୍କ ବଂଶଜଙ୍କୁ ମ୍ଲେଛ କୁହାଗଲା । ପୁରୁଙ୍କର ବଂଶଧର ହେଲେ ପୌରବ ।

ପରେ ସେହି ପୁରୁଙ୍କ ବଂଶଧରଙ୍କ କଥା ଆମେ ଆହୁରି ବିସ୍ତାର ଭାବରେ ଜାଣିବା ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Mahabharata Special Story Mahabharat Story
Advertisment
Advertisment