/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732873732.jpg)
Sambhal Violence
ଉତ୍ତରପ୍ରଦେଶ ସମ୍ଭଲ ଜାମା ମସଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି। ଜାମା ମସଜିଦ ସର୍ଭେ କାର୍ଯ୍ୟ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ମସଜିଦର ଶାହି ଇଦଗାହ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ନ ହେବା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ବନ୍ଦ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶାହି ଜାମା ମସଜିଦ କମିଟି ସୁପ୍ରିମକୋର୍ଟରେ ନିମ୍ନ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟ ମସଜିଦ କମିଟିକୁ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେବା ସହ ତିନୋଟି କାର୍ଯ୍ୟଦିବସ ମଧ୍ୟରେ ମସଜିଦ କମିଟିର ଆବେଦନ ତାଲିକାଭୁକ୍ତ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ପି.ଭି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ସର୍ଭେ ସ୍ଥଗିତ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ସର୍ଭେ କମିଟିକୁ ରିପୋର୍ଟ ସିଲ୍ କଭରରେ ରଖିବାକୁ କହିଛନ୍ତି। ସର୍ଭେ ରିପୋର୍ଟ ସିଲ୍ ଯେପରି ଖୋଲେ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କ’ଣ କହିଲେ ସୁପ୍ରିମକୋର୍ଟ?
ସମ୍ଭଲର ନିମ୍ନ ଅଦାଲତ ୧୯ ନଭେମ୍ବରରେ ଜାମା ମସଜିଦ ଉପରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ଆଡଭୋକେଟ୍ କମିଶନର ମସଜିଦ ଉପରେ ସର୍ଭେ କରିଥିଲେ। ନଭେମ୍ବର ୨୪ ରେ ହୋଇଥିବା ସର୍ଭେ ସମୟରେ ଏଠାରେ ହିଂସା ଆରମ୍ଭ ହୋଇଥିଲା ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସୁପ୍ରିମକୋର୍ଟରେ ମସଜିଦ କମିଟି ଦ୍ୱାରା ନିମ୍ନ ଅଦାଲତକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।
ଏହି ସମୟରେ ସମ୍ଭଲରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଯେପରି କୌଣସି ଭୁଲ୍ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ହେବ ବୋଲି କୋର୍ଟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ଜାନୁୟାରୀ ୬ରେ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ସମ୍ଭଲ ଜାମା ମସଜିଦ ବିବାଦ କ’ଣ?
ମୋଗଲ ଶାସକ ବାବରଙ୍କ ସମୟରେ ୧୫୨୬ ମସିହାରେ ହିନ୍ଦୁ ମନ୍ଦିର ଉଚ୍ଛେଦ କରାଯାଇ ଜାମା ମସଜିଦ ନିର୍ମାଣ କରାଯାଇଥିବା ଅଭିଯୋଗ କରିଛନ୍ତି ହିନ୍ଦୁ ପକ୍ଷ। ଏହାକୁ ନେଇ ହିନ୍ଦୁ ପକ୍ଷ ଟ୍ରାଏଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ମସଜିଦ ଉଚ୍ଛେଦ କରିବାକୁ ଦାବି କରିଥିଲେ। ଏହି ଆବେଦନର ଶୁଣାଣି କରି ଟ୍ରାଏଲ କୋର୍ଟ ପ୍ରତ୍ନତାତ୍ତ୍ୱିକ ସର୍ଭେ କମିଟିକୁ ସର୍ଭେ (ASI) ନିର୍ଦ୍ଦେଶ ଦେଇଥିଲେ।
କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ସପ୍ତାହରେ ମସଜିଦର ସର୍ଭେ କରାଯାଇଥିଲା। ଏହି ନିର୍ଦ୍ଦେଶ କ୍ରମେ ASI ନଭେମ୍ବର ୨୪ରେ ଦ୍ୱିତୀୟ ଥର ପାଇଁ ମସଜିଦର ସର୍ଭେ କରିବାକୁ ଟିମ୍ ପହଞ୍ଚିଥିଲା। ତେବେ ଲୋକେ ଏହାକୁ ବିରୋଧ କରିଥିଲେ। ପ୍ରକୃତରେ, ଆଡଭୋକେଟ୍ କମିଶନରଙ୍କ ନେତୃତ୍ୱରେ ଏକ ଟିମ୍ ସର୍ଭେ କରିବା ପାଇଁ ପହଞ୍ଚିବା ମାତ୍ରେ ମସଜିଦ ଚାରିପାଖରେ ଭିଡ଼ ଜମିଥିଲା। ସର୍ଭେକୁ ବିରୋଧ କରି ପୋଲିସ ଉପରକୁ ଲୋକେ ପଥର ଫିଙ୍ଗିବା ଆରମ୍ଭ କରିଥିଲା।
ଏହାର ଜବାବରେ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ସର୍ଭେ ସମୟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ ଏବଂ ହିଂସା ଆରମ୍ଭ ହୋଇଥିଲା। ଏପରିକି ସର୍ଭେ ଟିମ୍ ଉପରକୁ ପଥର ମାଡ଼ କରିବା ପରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଏବେବି ସେଠାରେ ସ୍ଥିତି ଅଶାନ୍ତ ରହିଛି। ଏହାକୁ ନେଇ ମସଜିଦ କମିଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)