• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

(Story Written By:- ପ୍ରସନ୍ନ କୁମାର ସାହୁ) 

ତାଇଓ୍ୱାନ୍ ପ୍ରସଙ୍ଗକୁ ନେଇ ପୁଣି ମୁହାଁମୁହିଁ ହୋଇପାରାନ୍ତି ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ଚୀନ୍ । ତାଇଓ୍ୱାନ ବାୟୁସୀମାର ସୁରକ୍ଷା ଲାଗି ଏହାକୁ ପାଟ୍ରିଅଟ୍ ଏୟାର ଡିଫେନ୍ସ ପ୍ରଣାଳୀ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି ଆମେରିକା । ତେବେ ଜୋ ବାଇଡେନ୍ ପ୍ରଶାସନର ଏ ନିଷ୍ପତ୍ତି ଚୀନ୍‌କୁ କ୍ଷୁବ୍ଧ କରିବା ନିଶ୍ଚିତ । ୯୫ ମିଲିୟନ ଡଲାରର ଏହି ପ୍ରତିରକ୍ଷା ଡିଲ୍ ଅନ୍ତର୍ଗତ ଆମେରିକା, ତାଇଓ୍ୱାନ ସେନାକୁ ପାଟ୍‌ରିୟଟ ପ୍ରଣାଳୀର ମୁତୟନ, ବ୍ୟବହାର ଓ ରକ୍ଷଣାବେକ୍ଷଣ ନେଇ ସମସ୍ତ ପ୍ରଶିକ୍ଷଣ ଯୋଗାଇ ଦେବ । ବାଇଡେନ୍ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ତାଇଓ୍ୱାନ୍ ସହ ଏହା ଏ ଧରଣର ତୃତୀୟ ପ୍ରତିରକ୍ଷା ଡିଲ୍ ।

କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ର ତାଇଓ୍ୱାନ୍ ଏକ ସ୍ୱାଧୀନ ଗଣତାନ୍ତ୍ରିକ ଦେଶ ହୋଇଥିବା ବେଳେ ଏହା ମୂଳ ଚୀନ୍ ଭୁଖଣ୍ଡର ବୋଲି ଦାବି କରୁଛି ବେଜିଂ । ଖାସ୍ କରି ସାଇ-ଇଙ୍ଗ-ୱେଙ୍ଗ ୨୦୧୬ରେ ତାଇଓ୍ୱାନ୍ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଚୀନ୍ ଚାପ ବଢାଇ ଚାଲିଛି । ଆବଶ୍ୟକ ହେଲେ ବଳ ପ୍ରୟୋଗ କରି ତାଇଓ୍ୱାନ ଉପରେ କବ୍‌ଜା କରାଯିବ ବୋଲି ଚୀନ୍ ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗ ଧମକ ଦେବା ପରେ ବିଶ୍ୱବ୍ୟାପୀ ବଢିଛି ଉଦ୍‌ବେଗ । ଏପଟେ ତାଇଓ୍ୱାନ୍ ମନରେ ଭୟ ସୃଷ୍ଟି ଲାଗି ଚୀନ୍ ଯୁଦ୍ଧ ବିମାନଗୁଡିକ ଅନେକ ଥର ଏହାର ବାୟୁସୀମା ବି ଉଲ୍ଲଙ୍ଘନ କରିଛନ୍ତି । ତେବେ ତାଇଓ୍ୱାନ୍, ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି ।

ଏପଟେ ଆଉ ଏକ ୟୁକ୍ରେନ ସୃଷ୍ଟି ହେବା ଆଶଙ୍କା ଭିତରେ ତାଇଓ୍ୱାନର ସ୍ୱତନ୍ତ୍ରତା ଓ ସର୍ବଭୌମତା ବଜାୟ ରଖିବା ଲାଗି ପଣ କରିଛି ଆମେରିକା । ଯାହାକି ଦୁଇ ମହାଶକ୍ତି ଚୀନ୍ ଓ ଆମେରିକାକୁ ମୁହାଁମୁହିଁ ଠିଆ କରିଛି । ତାଇଓ୍ୱାନ୍ ସହ ଆମେରିକାର ସିଧାସଳଖ କୂଟନୈତିକ ସଂପର୍କ ନଥିଲେ ମଧ୍ୟ କୌଣସି ପରିସ୍ଥିତିରେ ତାଇଓ୍ୱାନ୍‌ର ସ୍ୱାଧୀନତା ସହ ସାଲିସ କରାଯିବ ନାହିଁ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ପଷ୍ଟ ଭାବେ କହିଛନ୍ତି ।

ତେଣେ କ୍ଷୁଦ୍ର ରାଷ୍ଟ୍ରଟିଏ ହୋଇଥିଲେ ମଧ୍ୟ ମହାଶକ୍ତି ଚୀନ୍ ଆକ୍ରମଣରୁ ବର୍ତ୍ତିବା ଲାଗି ତାଇଓ୍ୱାନ୍ ଯଥାସାଧ୍ୟ ପ୍ରୟାସ ଜାରି ରଖିଛି । ନିଜ ବିମାନ ବିହାନୀର ପୁର୍ନଗଠନ ସହ ଅତ୍ୟାଧୁନିକ ଫାଇଟର ଜେଟ୍ ସାଙ୍ଗକୁ ଏୟାର ଡିଫେନ୍ସ ସିଷ୍ଟମ ମାଧ୍ୟମରେ ବାୟୁସୀମାକୁ ସୁରକ୍ଷିତ କରିବା ଲାଗି ପ୍ରୟାସ କରୁଛି । ୨୦ ଲକ୍ଷରୁ ଅଧିକ ସୈନ୍ୟବଳ ସହ ଚୀନ୍ ବିଶ୍ୱର ସର୍ବବୃହତ ସେନା ହୋଇଥିବା ବେଳେ ତାଇଓ୍ୱାନ୍ ନିକଟରେ ମାତ୍ର ୧ ଲକ୍ଷ ୬୩ ହଜାର ସୈନ୍ୟ ଅଛନ୍ତି । ତେବେ ଚୀନ୍ ପଟୁ ସମ୍ଭାବ୍ୟ ବିପଦକୁ ଦେଖି ୧୬ ଲକ୍ଷରୁ ଅଧିକ ନାଗରିକଙ୍କୁ ଅତି ଉଚ୍ଚଶ୍ରେଣୀର ସାମରିକ ପ୍ରଶିକ୍ଷଣ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଏମାନେ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇ ପାରିବେ । ଅନ୍ୟପକ୍ଷରେ ବାୟୁସେନା, ନୌସେନା କିମ୍ବା ସ୍ଥଳସେନା, କୌଣସି କ୍ଷେତ୍ରରେ ବି ଦୁଇ ଦେଶ ମଧ୍ୟରେ ମେଳ ନଥିଲେ ମଧ୍ୟ ସମୁଦ୍ର ମଧ୍ୟରେ ଅବସ୍ଥିତ ତାଇଓ୍ୱାନ୍ ପାଇଁ ସୁରକ୍ଷା କବଚ ସାଜିଛି ପ୍ରକୃତି । ଖାସ୍ କରି ଚୀନ୍ ଓ ତାଇଓ୍ୱାନ୍‌କୁ ପୃଥକ କରୁଥିବା ୧୨୮ କିଲୋମିଟର ଦୀର୍ଘ ତାଇଓ୍ୱାନ ଉପସାଗର ଚୀନ୍ ତଣ୍ଟିରେ କଣ୍ଟା ହେବ । ପାହାଡ଼ ଜଙ୍ଗଲ ଘେରା ଏହି ଦ୍ୱିପକୁ ଶତ ଚେଷ୍ଟା କଲେ ବି ପିଏଲଏ ଅକ୍ତିଆର କରିପାରିବ ନାହିଁ ବୋଲି ସାମରିକ ବିଶେଷଜ୍ଞ ମତ ଦିଅନ୍ତି ।

ତାଇଓ୍ୱାନ କବ୍‌ଜା କରିବା ଲାଗି ଚୀନର କମ୍ୟୁନିଷ୍ଟ ଆର୍ମି ଦଶଦ୍ଧି ଦଶଦ୍ଧି ଧରି ଯୋଜନା କରିଆସିଛି ମାତ୍ର ସଫଳ ହୋଇନି । ତେବେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱରେ ଚୀନ୍ ତାଇଓ୍ୱାନ୍ ଦଖଲ କରିବା ଆଶଙ୍କା ବୃଦ୍ଧି ପାଇଛି । ଏହା ହେଲେ ବେଜିଂକୁ ସିଧାସଳଖ ଆମେରିକାର ସାମ୍ନା କରିବାକୁ ପଡିବ । ସେ ଦୃଷ୍ଟିରୁ ଜିନ୍‌ପିଙ୍ଗ ଦୁଃସାହସ କରିବେ ନା ନାହିଁ । ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ତାଇଓ୍ୱାନ୍ ଫର୍ମୋସା ଦ୍ୱିପ ନାଁରେ ପୂର୍ବରୁ ପରିଚିତ ଥିଲା । ତେବେ ମାଓ ସେ ତୁଙ୍ଗଙ୍କ କମ୍ୟୁନିଷ୍ଟ ଆର୍ମି ଏହାକୁ ଅଧିକାର କରିବାରେ ବିଫଳ ହୋଇଥିଲା । ଫଳରେ ଏହା ସ୍ୱୟଂଶାସିତ ଅଞ୍ଚଳ ଭାବେ ରହି ଆସିଥିଲା । ମାତ୍ର ତାଇଓ୍ୱାନ୍‌କୁ ସ୍ୱାଧୀନ ଘୋଷଣା କରିବା ଲାଗି ଏଠାକାର କିଛି ରାଜନୈତିକ ଦଳଙ୍କ ପ୍ରସ୍ତାବକୁ ନେଇ କ୍ରୋଧିତ ହୋଇଥିଲା ଚୀନ୍ ।