• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାନସ ହତ୍ୟା ମାମଲାରେ ଆସିଲା ନୂଆ ତଥ୍ୟ । ତଦନ୍ତ ଯେତିକି ଆଗୋଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଜେରା ବେଳେ କ୍ରାଇମବ୍ରାଞ୍ଚ ପାଇଛି ନୂଆ ତଥ୍ୟ । କ୍ରାଇମ୍‌ବ୍ରାଞ୍ଚର କହିବାନୁଯାୟୀ, ମାନସକୁ ପୂର୍ବରୁ ମଧ୍ୟ ଥରେ ମାଡ଼ ମାରିଥିଲେ ଶର୍ମିଷ୍ଠା ଓ ନିରଞ୍ଜନ । ଜାନୁଆରୀ ୧୦ ପରଠାରୁ ମାନସ ଦୟାଲ ଆଶ୍ରମରେ ରହୁଥିଲେ । ଆଉ ଜାନୁଆରୀ ୩୦ରେ ମାନସଙ୍କୁ ସଂପୂର୍ଣ୍ଣ ଅଫିସକୁ ଡାକିଥିଲେ ଶର୍ମିଷ୍ଠା, ନିରଞ୍ଜନ ।

ସେଠାରେ ଶର୍ମିଷ୍ଠା, ନିରଞ୍ଜନ ଚିପ୍ ମାଗିବା ସହ ଉଭୟ ମାନସଙ୍କୁ ମାଡ଼ ମାରିଥିଲେ । ସଂପୂର୍ଣ୍ଣ ଅଫିସରେ ମାଡ଼ ମାରି ସେଠାରୁ ମାନସଙ୍କୁ ଦୟାଲ ଆଶ୍ରମ ନେଇଥିଲେ । ଦୟାଲ ଆଶ୍ରମରେ ମାନସ ଠାରୁ ତାଙ୍କ କ୍ୟାମେରା ଛଡ଼ାଇ ଆଣିଥିଲେ ଶର୍ମିଷ୍ଠା, ନିରଞ୍ଜନ ।

ଏହି ଘଟଣାର ପରଦିନ ମାନସ ଦୟାଲ ଆଶ୍ରମ ଛାଡ଼ି ଅନ୍ୟତ୍ର ପଳାଇଥିଲେ । ଅନ୍ୟତ୍ର ରହିବା ପରେ ଶର୍ମିଷ୍ଠାଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ । ଚିପ୍ ଫେରାଇବା ପାଇଁ ୧୦ ହଜାର ଟଙ୍କା ସହ କ୍ୟାମେରା ମଧ୍ୟ ଦାବି କରିଥିଲେ ମାନସ ।

ପରେ ୫ ତାରିଖରେ ମାନସ ଚାନ୍ଦବାଲି ଯାଇଥିବା ବେଳେ ତାଙ୍କୁ ଯୋଜନା ବଦ୍ଧ ଭାବେ ଅପହରଣ କରିଥିଲେ ଶର୍ମିଷ୍ଠା । ତଦନ୍ତ ଅନୁସାରେ ଶେଷ ପର୍ଯ୍ୟନ୍ତ ମାନସଙ୍କ ପାଖରେ ହିଁ ଥିଲା ଚିପ୍ । ହେଲେ ଏବେ ମାନସଙ୍କ ଘର ସହ ବିଭିନ୍ନ ଜାଗାରେ ସର୍ଚ୍ଚ କରିଥିଲେ ବି ମିଳିନି ଚିପ୍ । ପୋଲିସ ହାତରେ ଲାଗିନି ଉକ୍ତ ଚିପ୍‌ ।

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗତକାଲି ମଧ୍ୟ ଯୋଡ଼ି ହୋଇଥିଲା ନୂଆ ଫର୍ଦ୍ଦ । ତାକୁ ପିଟି ପିଟି କରାଯାଇଥିବା ଜଣାପଡ଼ିଥିଲା । ବାଉଁଶ ଓ କାଠ ଫାଳିଆରେ ପିଟି ପିଟି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ ବୋଲି ଜଣାପଡ଼ିଛି । ମାନସ ହତ୍ୟାରେ ବ୍ୟବହୃତ ହୋଇଥିବା ବାଉଁଶ ଓ କାଠ ଫାଳିଆକୁ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ୍ ଟିମ୍ ।

ଦୟାଲ ଆଶ୍ରମରୁ ୩ଟି ବାଉଁଶ ଫାଳିଆ ଓ ଗୋଟିଏ କାଠ ଫାଳିଆ ଜବତ ହୋଇଛି । କେୟାର ଟେକରର ସୂଚନା ଅନୁସାରେ ହତ୍ୟାରେ ବ୍ୟବହୃତ ସାମଗ୍ରୀ ତଦନ୍ତକାରୀ ସଂସ୍ଥା ଜବତ କରିଥିଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଚାପରେ କେୟାର ଟେକର ଏସବୁ ସାମଗ୍ରୀ ଫିଙ୍ଗି ଦେଇଥିଲା ।