• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

(Story Written By:- ପ୍ରସନ୍ନ କୁମାର ସାହୁ) 

ୟୁକ୍ରେନ ଉପରେ ଆକ୍ରମଣ ପରେ ଅନେକଙ୍କ ପାଇଁ ଭିଲେନ୍ ପାଲଟି ଯାଇଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । କେଜିବି ଏଜେଣ୍ଟରୁ ରାଜନେତା ଓ ତାପରେ ଶକ୍ତିଶାଳୀ ରାଷ୍ଟ୍ର ଋଷିଆର ଆଜୀବନ ରାଷ୍ଟ୍ରପତି । ଅତି ଚତୁରତାର ସହ ଶାସନ ଉପରେ ନିଜ ହାତମୁଠାକୁ ଟାଣ କରିପାରିଥିଲେ ପୁଟିନ୍ । ସାରା ବିଶ୍ୱ ତାଙ୍କୁ ଜଣେ ବିଚକ୍ଷଣ ରାଜନେତା ଭାବେ ସମ୍ମାନ ବି ଦେଇଆସୁଥିଲା । ତେବେ ୟୁକ୍ରେନ ଆକ୍ରମଣ ତାଙ୍କୁ ଜଣେ କ୍ରୁର ମଣିଷ ଭାବେ ଚିତ୍ରିତ କରିଛି ।

ଅନ୍ୟପକ୍ଷରେ  ନିଆଁରେ ଖେଳୁଥିବା ପୁଟିନ୍‌ଙ୍କ ଜୀବନ ପ୍ରତି ସଦାସର୍ବଦା ରହିଆସିଛି ବିପଦ । ତାଙ୍କ ଜୀବନ ନେବା ଲାଗି ଅନେକ ଥର ଉଦ୍ୟମ ହୋଇଛି । ମାତ୍ର ସେ ବର୍ତ୍ତି ଯାଇଛନ୍ତି । ସେଥିଲାଗି ସଦସର୍ବଦା ନିଜର ଅତି ବିଶ୍ୱସ୍ତ ସୁରକ୍ଷା କର୍ମୀଙ୍କ ଗହଣରେ ରହିଥାଆନ୍ତି ପୁଟିନ୍‌ । ଉଡିଗଲା ଚଢେଇର ଛାଇ ବି ଯେଭଳି ତାଙ୍କ ଉପରେ ନପଡିବ ସେଥିଲାଗି ପ୍ରସ୍ତୁତ ଥାଆନ୍ତି ଗୁଇନ୍ଦା ଏଜେଣ୍ଟ । ସେ କୁଆଡେ ଯିବେ, କଣ କରିବେ କେହି କିଛି ବି ଜାଣିପାରନ୍ତି ନାହିଁ ।

ତେବେ ପୁଟିନ୍‌ଙ୍କଠୁ ଅଧିକ ରହସ୍ୟମୟ ତାଙ୍କ ପରିବାର । ପୁଟିନ୍‌ଙ୍କ ପତ୍ନୀ ଓ ଦୁଇ ଝିଅ ଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ସେମାନଙ୍କୁ ନେଇ ଅତି ଗୋପନୀୟତା ଅବଲମ୍ବନ କରାଯାଏ । ତେବେ ୟୁକ୍ରେନ ରାଜଧାନୀ କିଭ୍ ନିକଟବର୍ତ୍ତୀ ବୁଚା ସହରରେ ଋଷ ସେନା ଦ୍ୱାରା ସାଧାରଣ ଲୋକଙ୍କ ନରସଂହାର ଅଭିଯୋଗ ପରେ ଚର୍ଚ୍ଚାକୁ ଆସିଛନ୍ତି ପୁଟିନ୍‌ଙ୍କ ଦୁଇ ଝିଅ କାଟେରିନା ଓ ମାରିଆ । ଏମାନଙ୍କ ବିରୁଦ୍ଧରେ ବି ଆର୍ଥିକ ଓ ସାମାଜିକ କଟକଣା ଲଗାଇବା ପାଇଁ ଚିନ୍ତା କରୁଛନ୍ତି ୟୁରୋପୀୟ ରାଷ୍ଟ୍ର ।

ତେବେ କାଟେରିନା ଓ ମାରିଆ ସେମାନଙ୍କର ଅସଲି ନାଁ ନୁହେଁ ବୋଲି କୁହାଯାଉଛି । ଋଷ ପ୍ରତିରକ୍ଷା ବିଭାଗ କ୍ରେମଲିନ୍ ତରଫରୁ କେବେବି ଏମାନଙ୍କ ନାଁ କିମ୍ବା ଫଟୋ ପ୍ରକାଶ କରାଯାଇନାହିଁ । ୨୦୧୫ ମସିହାରେ ପୁଟିନ୍‌ ନିଜ ଦୁଇ ଝିଅଙ୍କ ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ଉଭୟ ଋଷୀୟ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ଅନେକଗୁଡିଏ ଭାଷାରେ କଥା ହୋଇପାରୁଥିବା କହିଥିଲେ ପୁଟିନ୍‌ ।

ପୁଟିନ୍‌ଙ୍କ ବଡ ଝିଅ ମାରିଆ ବର୍ଣ୍ଣୋସ୍ତୋଭା ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଘରୋଇ ସଂସ୍ଥା ନୋମେନ୍‌କୋର କୋ-ଓନର ହୋଇଥିବା ବେଳେ ସାନ ଝିଅ କାଟେରିନା ମସ୍କୋ ବିଶ୍ୱବିଦ୍ୟାଳୟରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନସ୍ ଇନଷ୍ଟିଚ୍ୟୁଟ୍ ଚଳାଉଛନ୍ତି । ପୁଟିନ୍‌ଙ୍କ ପୂର୍ବତନ ପତ୍ନୀ ଲ୍ୟୁଡ୍‌ମିଲା ପୁଟିନ୍‌ ଏମାନଙ୍କ ମାଆ । ୨୦୧୩ରେ ଲ୍ୟୁଡ୍‌ମି ଓ ପୁଟିନ୍‌ଙ୍କର ଛାଡ଼ପତ୍ର ହୋଇଥିବା ବେଳେ ଏବେ ସେ ଫ୍ରାନସରେ ରହୁଛନ୍ତି । ଏପଟେ କାଟେରିନା ଓ ମାରିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଝିଅ ବୋଲି ଋଷିଆରେ ସମସ୍ତେ ଜାଣନ୍ତି । ମାତ୍ର ବାସ୍ତବିକତା କାହାକୁ ବି ଜଣା ନାହିଁ । କାରଣ ରାଷ୍ଟ୍ରପତି ପୁଟିନ୍‌ କେବେ ବି ସର୍ବସାଧାରଣରେ ଏମାନଙ୍କ ନାଁ ପ୍ରକାଶ କରିନାହାନ୍ତି କି ଏମାନଙ୍କ ସହ ଫଟୋ ମଧ୍ୟ ଉଠାଇ ନାହାନ୍ତି ।