Advertisment

ପାକିସ୍ତାନର କୁମ୍ଭୀର କାନ୍ଦଣା ! ବିରାଡ଼ି ବୈଷ୍ଣବ ଭଳି ଜପୁଛି ଶାନ୍ତି ଓ ସୁସଂପର୍କର ମନ୍ତ୍ର

ଏବେ ଘୋର ରାଜନୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ। ଲୋକେ ଭୋକରେ ଡହଳବିକଳ ହେଉଥିବା ବେଳେ, ଖାଦ୍ୟଦର ଆକାଶଛୁଆଁ ।

author-image
Prangyan Parimita
Pakistan

Pakistan

ଭାରତର ଚିର ଶତ୍ରୁ ପାକିସ୍ତାନ ଏବେ ଭାରତ ସହ ଶାନ୍ତି ଚାହୁଁଛି । ଭାରତ ସହ ଶାନ୍ତି ଆଲୋଚନା ଲାଗି ପାକିସ୍ତାନ ଆଗ୍ରହୀ ବୋଲି ପାକ୍ ପ୍ରଧାନମନ୍ତ୍ରୀ ପରୋକ୍ଷରେ ଏକ ସମ୍ମିଳନୀରେ ପ୍ରକାଶ କରିବା ପରେ ନୂଆଦିଲ୍ଲୀ ଏହାର କଡ଼ା ଜବାବ ରଖିଛି। ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ସୁସଂପର୍କ ପ୍ରତିଷ୍ଠା ଲାଗି ଆତଙ୍କ ଓ ଶତ୍ରୁତାମୁକ୍ତ ବାତାବରଣ ଜରୁରୀ। କେବଳ ପାକିସ୍ତାନ କାହିଁକି ସବୁ ପଡୋଶୀ ଦେଶ ସହ ସ୍ୱାଭାବିକ ସମ୍ପର୍କ ପାଇଁ ଭାରତ ସବୁବେଳେ ଆଗ୍ରହୀ ବୋଲି ସେ ସ୍ପଷ୍ଟ କରିଛନ୍ତି।

Advertisment

ଗତ ମଙ୍ଗଳବାର ଇସଲାମାବାଦରେ ଅନୁଷ୍ଠିତ ଖଣିଜ ସମ୍ମିଳନୀରେ ଉଦଘାଟନୀ ଅଭିଭାଷଣ ଦେବା ବେଳେ, ଭାରତର ନାଁ ନନେଇ ପଡ଼ୋଶୀ ସହ ସୁସଂପର୍କର ଆଗ୍ରହ କଥା ଉଲ୍ଲେଖ କରିଥିଲେ ପିଏମ୍ ଶେହବାଜ ସରିଫ୍। ଭାରତ ସହ କଥାବାର୍ତ୍ତା ଲାଗି ନୂଆ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଫଳପ୍ରଦ ଆଲୋଚନା ନହେବା ଯାଏଁ, ଭାରତ-ପାକିସ୍ତାନ କେବେବି ଭଲ ପଡୋଶୀ ହୋଇପାରିବେ ନାହିଁ। ଆମେ ଆମ ପଡ଼ୋଶୀ ସହ ଆଲୋଚନା ପାଇଁ ପ୍ରସ୍ତୁତ ।

କିନ୍ତୁ ଯଦି ପଡ଼ୋଶୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରକୃତରେ ଆଗ୍ରହୀ ହୁଏ, ତେବେ ଯାଇ ଏହା ସମ୍ଭବ ହୋଇପାରିବ। ଯୁଦ୍ଧ ଏକ ବିକଳ୍ପ ନୁହେଁ। ପାକିସ୍ତାନ ଏକ ପରମାଣୁ ଶକ୍ତି ସଂପନ୍ନ ଦେଶ । କିନ୍ତୁ ଏକ ଆକ୍ରମଣକାରୀ ଭାବେ ନୁହେଁ, ବରଂ କେବଳ ପ୍ରତିରକ୍ଷା ଉଦ୍ଦେଶ୍ୟରେ। ଆମେ ବିଗତ ୭୫ ବର୍ଷରେ ୩ଟି ଯୁଦ୍ଧ ଲଢ଼ିସାରିଛୁ । ଏହା କେବଳ ଦାରିଦ୍ର୍ୟ, ବେକାରୀ ସମସ୍ୟା ସୃଷ୍ଟି କରିବା ସହିତ ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି କ୍ଷେତ୍ରକୁ ଦୁର୍ବଳ କରିଛି। ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏଭଳି ଟିପ୍ପଣୀକୁ ଅର୍ଥହୀନ ବୋଲି କହିଛନ୍ତି ବିଶେଷଜ୍ଞ ।.

Advertisment

ଏହି ପ୍ରସଙ୍ଗରେ ସାମ୍ନାକୁ ଆସିଛି ଆମେରିକାର ପ୍ରତିକ୍ରିୟା । ଭାରତ ଓ ପାକିସ୍ତାନ ସିଧାସଳଖ କଥାବାର୍ତ୍ତା ଆରମ୍ଭ କରନ୍ତୁ ବୋଲି ଆମେ ଦୀର୍ଘଦିନରୁ ଚାହୁଁଛୁ । ଏହା କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାଥ୍ୟୁ ମିଲର୍ । ଚିନ୍ତାଜନକ ପ୍ରସଙ୍ଗ ଗୁଡ଼ିକ ଉପରେ ଏହି ଦୁଇ ଦକ୍ଷିଣ ଏସୀୟ ତଥା ପରମାଣୁ ଶକ୍ତିସଂପନ୍ନ ଦେଶଙ୍କ ସିଧାସଳଖ କଥାବାର୍ତ୍ତାକୁ ଆମେରିକା ସମର୍ଥନ କରୁଛି ବୋଲି ସେ ଜଣାଇଛନ୍ତି ।...

ହଠାତ୍ କାହିଁକି ପାକିସ୍ତାନର ଏଭଳି ମନୋଭାବ ?

ଏବେ ଘୋର ରାଜନୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ। ଲୋକେ ଭୋକରେ ଡହଳବିକଳ ହେଉଥିବା ବେଳେ, ଖାଦ୍ୟଦର ଆକାଶଛୁଆଁ । ଏଭଳି ସ୍ଥିତିରେ ବିଭିନ୍ନ ସମୟରେ ରାଜନୈତିକ ଷ୍ଟଣ୍ଟ ଜରିଆରେ, ପ୍ରକୃତ ସମସ୍ୟା ଉପରୁ ଲୋକଙ୍କ ନଜର ହଟାଇବାକୁ ଚେଷ୍ଟା ଜାରି ରଖିଛନ୍ତି ପାକିସ୍ତାନ ସରକାର। ଚଳିତବର୍ଷ ଶେଷ ଆଡ଼କୁ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ, ଏହି ଦେଶ ବାରମ୍ବାର ଆତଙ୍କବାଦୀ ଆକ୍ରମଣର ମଧ୍ୟ ଶିକାର ହେଉଛି । ତେବେ ସମସ୍ୟାର ଚକ୍ରବ୍ୟୁହ ଭିତରୁ ବାହାରିବାକୁ ପାକିସ୍ତାନ ଆଗରେ ଗୋଟିଏ ବାଟ ।

ଆଇଏମ୍ଏଫ୍ ବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି। ନିକଟରେ ଆଏମ୍ଏଫ୍ ପାକିସ୍ତାନ ପାଇଁ ୩ ବିଲିୟନ ଡଲାର୍ ବେଲ୍ ଆଉଟକୁ ଅନୁମୋଦନ ଦେଇଥିଲେ ମଧ୍ୟ, ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଚର୍ଚ୍ଚା ହେଉଛି । ତେଣୁ ବିଶ୍ୱସ୍ତରରେ ନିଜ ଭାବମୂର୍ତ୍ତି ସଜାଡ଼ିବାକୁ ପାକିସ୍ତାନ ମୁହଁରୁ ଶାନ୍ତି ଓ ସୌହାର୍ଦ୍ଦ୍ୟର ମିଷ୍ଟ ବଚନ ବାହାରୁଥାଇପାରେ ବୋଲି କୁହାଯାଉଛି। ବୈଦେଶିକ ବ୍ୟାପାର ବିଶେଷଜ୍ଞ ପାକିସ୍ତାନର ଏଭଳି ପରିବର୍ତ୍ତିତ ଆଭିମୁଖ୍ୟ ପଛରେ ଆହୁରି କେତେକ କାରଣ ରହିଛି ବୋଲି ଦର୍ଶାଇଛନ୍ତି ।...

ବିଭାଜନ ପରଠୁ କେବେ ବି ମିଠା ହୋଇନାହିଁ ଭାରତ-ପାକିସ୍ତାନ ସଂପର୍କ । ତିକ୍ତତା ଅନେକ ଥର ଘମାଘୋଟ ଯୁଦ୍ଧର ମଧ୍ୟ ରୂପ ନେଇଛି। ସୀମାପାର୍ ଆତଙ୍କବାଦକୁ ପାକିସ୍ତାନର ପ୍ରୋତ୍ସାହନ ଦିଗକୁ ନେଇ ସର୍ବଦା ଚିନ୍ତା ପ୍ରକଟ କରିଆସିଛି ଭାରତ । ତେବେ ୨୦୦୮ ମୁମ୍ବାଇ ଆକ୍ରମଣ ପରେ, ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସଂପର୍କ ଆହୁରି ଅଧିକ ତିକ୍ତ ହୋଇଛି । ସେବେଠୁ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ସେଭଳି ବଡ଼ ଧରଣର ଦ୍ୱିପାକ୍ଷିକ ଆଲୋଚନା ହୋଇନାହିଁ । ୨୦୧୯ ଅଗଷ୍ଟ ୫ରେ ଭାରତ ସରକାର ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ, ରକ୍ତ ଚାଉଳ ଚୋବାଇଥିଲା ପାକିସ୍ତାନ ।

ଇସଲାମାବାଦରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ସହିତ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ରୋକିଦେଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ତେବେ ଶେହବାଜ ସରିଫ୍ ପ୍ରଧାନମନ୍ତ୍ରୀ ବନିବା ପରେ ଏକାଧିକ ଥର ଭାରତକୁ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଲେଣି । ହେଲେ ପାକିସ୍ତାନର କଥା, କାମରେ ପ୍ରତିଫଳିତ ହେଉନି । ଏବେବି ସୀମା ସେପଟୁ ଭାରତକୁ ଅନୁପ୍ରବେଶଉଦ୍ୟମ ଜାରି ରହିଛି ଏବଂ ଡ୍ରୋନ୍ ସହାୟତାରେ ହତିଆର ଓ ଡ୍ରଗ୍ସ ଆଦି ପଠାଇବାକୁ ଚେଷ୍ଟା ଚାଲିଛି । ଅନ୍ୟପକ୍ଷରେ ଭାରତ ନିଜ କଡ଼ା ଆଭିମୁଖ୍ୟରେ କାଏମ୍ ରହିଛି ଯେ, ଆତଙ୍କବାଦ ଓ ଦ୍ୱିପାକ୍ଷିକ ସଂପର୍କ କଦାପି ଏକାଠି ସମ୍ଭବ ନୁହେଁ ।...

India Pakistan
Advertisment
Advertisment