• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସ୍ତ୍ରୀ ମୁହଁକୁ ପୋଛି ଦେଉଛନ୍ତି, ଗେଲ କରି ପକାଉଛି । ପୁଣି ଦୁହେଁ ବସି କେତେ କଣ କଥାବାର୍ତ୍ତା ହେଉଛନ୍ତି । ଇଏ ଆଜି କି କାଲିର ନୁହେଁ ବରଂ ୧୦ ବର୍ଷ ହେଲାଣି ଏମିତି ସାଙ୍ଗ ହୋଇ ରହୁଛନ୍ତି ସେମାନେ । ଆପଣ କହିପାରନ୍ତି ପ୍ରତି ଦମ୍ପତ୍ତି ସୁଃଖ ଦୁଃଖ ହୁଅନ୍ତି, ଏଥିରେ ନୂଆ କଣ? ହେଲେ ଏ ଦମ୍ପତ୍ତି ବେଶ ନିଆରା । ସେଇଥି ପାଇଁ ତ ସେମାନଙ୍କର ବନ୍ଧୁତ୍ୱକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।

ସଂପର୍କରେ ସେମାନେ ସ୍ୱାମୀ ଓ ସ୍ତ୍ରୀ । ହେଲେ ସମାଜ ପାଇଁ ସେମାନେ ପରସ୍ପରର ବନ୍ଧୁ । ଜଣେ ଅନ୍ୟର ପାଲଟିଛନ୍ତି ସାହାରା । ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ସେମାନେ ଚଳୁଛନ୍ତି । ସେଇଥି ପାଇଁ ତ ସ୍ଥାନୀୟ ଅଂଚଳରେ ସେହି ଦମ୍ପତ୍ତିଙ୍କୁ ଦୁଇ ଭଲ ବନ୍ଧୁ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ମୟୂରଭଞ୍ଜ ଉଦଳା ବ୍ଲକ କୁଣ୍ଡାବାଇ ଗାଁର ମିଥୁନ ନାଏକ । ପରିବାର କହିଲେ ସ୍ତ୍ରୀ ସୁକାନ୍ତି ଓ ଦୁଇ ପୁଅ ଓ ଗୋଟିଏ ଝିଅ । ମିଥୁନ ଆଜକୁ ୧୦ ବର୍ଷ ହେବ ମେରୁଦଣ୍ଡ ଯନ୍ତ୍ରଣାରେ ଶଯ୍ୟାଶାୟୀ । ଉଠିବା କି ଚାଲିବା ତାଙ୍କ ପକ୍ଷରେ ସମ୍ଭବ ହେଉନି । ହେଲେ ସ୍ୱାମୀଙ୍କର ଅବସ୍ଥାରେ ସ୍ତ୍ରୀ କିନ୍ତୁ ତାଙ୍କୁ ହତାଦାର କରିନାହାନ୍ତି ବରଂ ପ୍ରତି ମୁହୂର୍ତ୍ତରେ ତାଙ୍କୁ ସହାୟତା କରିଛନ୍ତି, ସାଥୀ ହୋଇ ବଂଚିବାର ବାଟ ଦେଖାଇଛନ୍ତି ।

ଜାଣି ଆଶ୍ଚର୍ଯ୍ୟ ହେବେ କି ସ୍ୱାମୀଙ୍କ ଦେହ ଖରାପ ହେବା ପରେ ଭାଙ୍ଗିପଡିନଥିଲେ ସୁକାନ୍ତି । ବରଂ ପରିବାର ମୁହଁରେ କେମିତି ଆହାର ଦେବେ, ପିଲାଙ୍କୁ କେମିତି ମଣିଷ କରିବେ ସେହି କଥା ଚିନ୍ତା କରିକରି ପର ଦୁଆରେ ମୂଲ ଲାଗିଲେ । ଆଉ ସେତିକିରୁ ଯାହା ଯେତିକି ରୋଜଗାର ହେଲା ପିଲାଙ୍କ ମୁହଁରେ ଦାନା ଦେଲେ, ସ୍ୱାମୀଙ୍କର ଚିକିତ୍ସା ବି କରିଲେ । ସ୍ୱାମୀ ଓ ସ୍ତ୍ରୀଙ୍କ ନିବିଡ଼ ସଂପର୍କ ଆଜି ବନ୍ଧୁତା ଭାବେ ପରିଣତ ହୋଇଛି । ଏବେ ଜଣେ ଅନ୍ୟ ଜଣକୁ ନଦେଖିଲେ ରହିପାରୁନାହାନ୍ତି । ବରଂ କହୁଛନ୍ତି ଆମେ ଦୁଇ ସାଙ୍ଗ...ଏ ଦୋସ୍ତି ହମ୍‌ ନେହିଁ ଛୋଡଙ୍ଗେ ।

ସେମାନଙ୍କ ଅନାବିଳ ବନ୍ଧୁତ୍ୱର ପ୍ରତୀକ ନୂଆ ଦିଗଦର୍ଶନ ଆଣିଛି । ବନ୍ଧୁତାର ନିଚ୍ଛକ ଭଲ ପାଇବା ସ୍ବାମୀ ସ୍ତ୍ରୀର ପରିଚୟ ଆଗରେ ବି ଫିକା ପଡିଛି । ସେମାନେ ଭଙ୍ଗା କୁଡିଆରେ ଜୀବନ ବିତାଉଛନ୍ତି ସତ ହେଲେ କେବେ ବି ସଂପର୍କରେ ପଡ଼ିନାହିଁ ମଳିନ...ବାହାଘରର ପ୍ରଥମ ମାସରେ ସେମାନେ ଯେମିତି ହସଖୁସିରେ ଥିଲେ ଆଜି ବି ୧୮ ବର୍ଷ ପରେ ସେମିତି ଅଛନ୍ତି । ଏହାଠୁ ଆଉ ଅଧିକ କଣ ଦରକାର? ସତରେ ଏମିତି ବନ୍ଧୁତ୍ୱ ନିଶ୍ଚୟ ନିଆରା ।

 

  • Reported by:
  • Manas Pani