ହିନ୍ଦୁ ଧର୍ମର ଆସ୍ଥା ଓ ବିଶ୍ୱାସର ପ୍ରତୀକ ମହାକୁମ୍ଭ ମେଳା । ହିନ୍ଦୁମାନଙ୍କ ପାଇଁ ଏହା ଏକ ଆଧ୍ୟାତ୍ମିକ ଦୁନିଆ । ଖାଲି ହିନ୍ଦୁ ନୁହେଁ, ବିଦେଶୀ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ଏହି ଆଧ୍ୟାତ୍ମିକ ଦୁନିଆ ମଧ୍ୟ ଆକର୍ଷଣ କେନ୍ଦ୍ର ବିନ୍ଦୁ । ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ-୨୦୨୫ରେ ଅନେକ ବିଦେଶୀ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।
ଏମାନଙ୍କ ମଧ୍ୟରେ ଅଛନ୍ତି ଆପଲ କମ୍ପାନୀର କୋ-ଫାଉଣ୍ଡର ଷ୍ଟିଭ୍ ଜବ୍ସଙ୍କ ବିଧବା ପତ୍ନୀ ଲରେନ ପାୱେଲ । ମେଳା ଆରମ୍ଭ ହେବା ପୂର୍ବରୁ ସେ ଭାରତରେ ପହଞ୍ଚି ସାରିଛନ୍ତି । ଏଠାରେ ସେ ନିଜର ନାମ ପରିବର୍ତ୍ତନ କରି କମଲା ରଖିଛନ୍ତି । ଏଠାରେ ତାଙ୍କର ୧୭ ଦିନ ରହିବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜିର ମୁଖ୍ୟ ଚର୍ଚ୍ଚାର ବିଷୟ ହେଉଛି ଷ୍ଟିଭ ଜବ୍ସଙ୍କର ଏକ ପୁରୁଣା ଚିଠି । ୧୯୭୪ରେ ଷ୍ଟିଭ ଏହି ଚିଠି ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ଲେଖିଥିଲେ । ଏହି ଚିଠିରେ ସେ ଭାରତର କୁମ୍ଭ ମେଳାରେ ଯୋଗ ଦେବାକୁ ଯିବେ ବୋଲି ଲେଖିଛନ୍ତି । ବର୍ତ୍ତମାନ ଏହି ଚିଠି ୪.୩୨ କୋଟି ଟଙ୍କାରେ ନିଲାମ ହୋଇଛି ।
ଷ୍ଟିଭ ଜବ୍ସ ଏହି ଚିଠିକୁ ତାଙ୍କ ୧୯ତମ ଜନ୍ମଦିନ ପାଳନର ଦିନକ ପୂର୍ବରୁ ବାଲ୍ୟ ବନ୍ଧୁ ଟିମ ବ୍ରାଉନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ଏତେ କମ ବୟସରେ ସେ କେତେ ଆଧ୍ୟାତ୍ମବାଦୀ ଥିଲେ ଏବଂ କେତେ ଆତ୍ମବିଶ୍ଳେଷଣ କରୁଥିଲେ ଏହି ଚିଠିରୁ ତାହାର ଝଲକ ଦେଖିବାକୁ ମିଳେ । ଷ୍ଟିଭ ଜବ୍ସ ଜୈନ ବୌଦ୍ଧ ଧର୍ମ ଉପରେ ଖୁବ ବିଶ୍ୱାସ ରଖୁଥିଲେ ଏବଂ ସେ କୁମ୍ଭମେଳାରେ ଯୋଗ ଦେବା ପାଇଁ ଭାରତ ଯିବାକୁ ଚାହୁଁଥିଲେ ବୋଲି ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।
Also Read
ବାଲ୍ୟବନ୍ଧୁ ବ୍ରାଉନଙ୍କ ଚିଠିର ଉତ୍ତର ଦେଇ ଜବ୍ସ ଖୁବ ଭାବ ବିହ୍ୱଳ ହୋଇ ଲେଖିଥିଲେ, ‘ସେ ଅନେକ ସମୟରେ କାନ୍ଦନ୍ତି ।’ କୁମ୍ଭମେଳାକୁ ଯିବା ପାଇଁ କାହିଁକି ଚାହାନ୍ତି ତାହା ମଧ୍ୟ ସେ ଚିଠିରେ ଉଲ୍ଲଖ କରିଥିଲେ । ସେ ଲେଖିଥିଲେ, ‘ ମୁଁ ଭାରତର କୁମ୍ଭ ମେଳାରେ ସେଠାକୁ ଯିବାକୁ ଚାହୁଁଛି ଯାହା ଏପ୍ରିଲରେ ଆରମ୍ଭ ହେବାକୁ ଯାଉଛି । ମୁଁ ମାର୍ଚ୍ଚରେ ଯେ କୌଣସି ସମୟରେ ଯାଇପାରେ । ତେବେ କେବେ ଯିବି ସ୍ଥିର କରିନି । ହିନ୍ଦୁ ଧର୍ମ ପ୍ରତି ଆଗ୍ରହ ରଖୁଥିବା ଜବ୍ସ ‘ଶାନ୍ତି’ ଲେଖି ଚିଠିକୁ ଶେଷ କରିଛନ୍ତି ।
ହିନ୍ଦୁ ଧର୍ମ ପ୍ରତି ଷ୍ଟିଭ ଜବ୍ସଙ୍କ ଖୁବ ଆସ୍ଥା ଓ ବିଶ୍ୱାସ ଥିଲା । ସେ ପୂର୍ବରୁ ଉତ୍ତରାଖଣ୍ଡରେ ରହୁଥିବା ନିମ କରୋଲି ବାବାଙ୍କ ଆଶ୍ରମକୁ ଆସିବା ପାଇଁ ଚାହୁଁଥିଲେ । ଏଥିପାଇଁ ନୈନିତାଲ ବି ଆସିଥିଲେ । ହେଲେ ସେଠାରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ବର୍ଷକ ପୂର୍ବରୁ ନିମ କରୋଲି ବାବାଙ୍କର ଦେହାନ୍ତ ହୋଇ ଯାଇଛି । ଏହା ପରେ ସେ କାଞ୍ଚି ଧାମ ଆଶ୍ରମରେ ରହିଥିଲେ ଏବଂ ନିମ କରୋଲି ବାବାଙ୍କ ଶିକ୍ଷାକୁ ଅଧ୍ୟୟନ କରି ସାନ୍ତ୍ୱନା ପାଇଥିଲେ । ସେତେବେଳେ ସେ ୭ ମାସ ଭାରତରେ କଟାଇଥିଲେ । ଏହି ସମୟରେ ସେ ନିଜ ବ୍ୟାବସାୟିକ ଦୁନିଆକୁ ଛାଡି ହିନ୍ଦୁ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଦୁନିଆରେ ନିଜକୁ ହଜାଇ ଦେଇଥିଲେ ।
ସେ ଯେତେବେଳେ ଆମେରିକା ଫେରିଲେ ପୂରା ବଦଳି ଯାଇଥିଲେ । ଏପରିକି ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ସହଜରେ ଚିହ୍ନି ପାରି ନ ଥିଲେ । ଏ ବିଷୟରେ ସେ ପରବର୍ତ୍ତୀ ସମୟରେ କହିଥିଲେ, ‘ମୁଁ ଚୁଟି କାଟି ପୁରା ଲଣ୍ଡା ହୋଇଥିଲି । ଭାରତୀୟ ସୁତା ବସ୍ତ୍ର ପିନ୍ଧିଥିଲି । ଖରାରେ ରହିବା ପରେ ମୋର ତ୍ୱଚା ଚକଲେଟ ପରି ଗାଢ ଲାଲ ରଙ୍ଗର ହୋଇ ଯାଇଥିଲା ।’ ସେ ସାଧୁସନ୍ଥଙ୍କ ପରି ଗେରୁଆ ବସ୍ତ୍ର ପିନ୍ଧୁଥିଲେ । ଆଧ୍ୟାତ୍ମିକ ଦୁନିଆରେ ନିଜକୁ କେତେ ହଜାଇ ଦେଇଥିଲେ ଏହା ତାହାର ଏକ ନିଦର୍ଶନ ଥିଲା ।
ଏବେ ତାଙ୍କ ପତ୍ନୀ ଲରେନ ପାୱେଲ ଜବ୍ସ ଏଥର କୁମ୍ଭମେଳା-୨୦୨୫ରେ ଯୋଗ ଦେଇ ସ୍ୱାମୀଙ୍କର ଏକ ପୁରୁଣା ଇଚ୍ଛାକୁ ପୂର୍ଣ୍ଣ କରିଛନ୍ତି । ୨ୟ ଦିନରେ ତାଙ୍କର ଏଲର୍ଜି ହେବା ସତ୍ତ୍ୱେ ସେ ରୀତିନୀତି ଅନୁସାରେ ଗଙ୍ଗାରେ ସ୍ନାନ କରିଥିଲେ ।
ଲରେନ ପାୱେଲ ଏଠାରେ ପହଞ୍ଚିବା ପରେ ନାଁ ବଦଳାଇଛନ୍ତି । ତାଙ୍କ ଗୁରୁ ସ୍ୱାମୀ କୈଳାସନନ୍ଦ ଗିରିଙ୍କ ଦ୍ୱାରା ଦିଆ ଯାଇଥିବା ‘କମଲା’ ନାମରେ ପରିଚିତ ହୋଇଛନ୍ତି । ଲରେନ ତାଙ୍କର ୪୦ ଜଣିଆ ଟିମଙ୍କ ସହ ଏଠାକୁ ଆସିଛନ୍ତି । ଏଠାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଯେପରି ଧ୍ୟାନ, କ୍ରିୟା ଯୋଗ, ପ୍ରାଣାୟମ ଆଦିରେ ସାମିଲ ହେଉଛନ୍ତି । ମହାକୁମ୍ଭରେ ତାଙ୍କ ଯୋଗଦାନ ଭାରତୀୟ ପରମ୍ପରା ପ୍ରତି ତାଙ୍କର ଗଭୀର ସମ୍ମାନ ଏବଂ ତାଙ୍କର ବ୍ୟକ୍ତିଗତ ଆଧ୍ମାତ୍ମିକ ଅନ୍ୱେଷଣର ଏକ ପରିପ୍ରକାଶ ନିଶ୍ଚୟ ।