• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pragyan Paramita Behera

ସଂସ୍କୃତି, ପରମ୍ପରା, ଭକ୍ତି ଓ ଅଧ୍ୟାତ୍ମର ଦେଶ ଭାରତରେ ଚାଲିଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ମେଳା ମହାକୁମ୍ଭ। ପ୍ରାୟ ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ପାଇଁ ଦେଶ ଏବଂ ବିଶ୍ୱର କୋଣ ଅନୁକୋଣର ପ୍ରାୟ ୪୦ କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜକୁ ଆସିବାର ଆଶା କରାଯାଉଛି। ଏହି ମେଳା ହିନ୍ଦୁଙ୍କ ପାଇଁ ବେଶ୍ ମହତ୍ତ୍ୱ ରଖେ । ସାଧାରଣତଃ କୁମ୍ଭମେଳା ୪ ପ୍ରକାରର ହୋଇଥାଏ- କୁମ୍ଭ, ଅର୍ଦ୍ଧକୁମ୍ଭ, ପୂର୍ଣ୍ଣକୁମ୍ଭ ଏବଂ ମହାକୁମ୍ଭ। ସବୁ କୁମ୍ଭ ମେଳା ଗ୍ରହମାନଙ୍କର ସ୍ଥିତିକୁ ଦେଖି ଆୟୋଜିତ ହୋଇଥାଏ। ପ୍ରତ୍ୟେକ କୁମ୍ଭମେଳାର ନିଜସ୍ୱ ବିଶେଷତ୍ୱ ରହିଛି।
ହିନ୍ଦୁ ଧର୍ମଗ୍ରନ୍ଥରେ କୁମ୍ଭ ମେଳାକୁ ଅମରତ୍ୱର ମେଳା କୁହାଯାଏ । ସେଥିପାଇଁ କୋଟି କୋଟି ଶ୍ରଦ୍ଧାଳୁ ନିଜ ଅନ୍ତରାତ୍ମାର ଶୁଦ୍ଧି ପାଇଁ ଏହି ପବିତ୍ର ସ୍ଥାନରେ ବୁଡ଼ ପକାଇଥାଆନ୍ତି ।

ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇବା ପାଇଁ ଚାରିଆଡ଼ୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ଆସନ୍ତି । ଗତକାଲି ପବିତ୍ର ମକର ସଂକ୍ରାନ୍ତି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରୟାଗରାଜର ମହାକୁମ୍ଭରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମରେ ପ୍ରଥମ ‘ଅମୃତ ସ୍ନାନ’ କରିଛନ୍ତି।ଗତକାଲି ୧୨ ଘଣ୍ଟା ଧରି ଚାଲିଥିବା ଅମୃତ ସ୍ନାନରେ ୩.୫ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଉପରେ ହେଲିକପ୍ଟରରୁ ଲଗାତାର ଫୁଲ ବର୍ଷା କରାଯାଇଥିଲା । ଚଳିତବର୍ଷ ମେଳାରେ ଏଆଇ ପରି ଆଧୁନିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯାଇଛି । ମହାକୁମ୍ଭ ମେଳା ପାଇଁ ଡିଜିଟାଲ ସେଣ୍ଟର, ସିସିଟିଭି, ଏଲ୍ଇଡି ଡିସପ୍ଲେ, ଅତ୍ୟାଧୁନିକ ଏଆଇ ଚାଳିତ ଡାଟା ଆନାଲିଟିକ୍ସ ସଲ୍ୟୁସନ୍ ସିଷ୍ଟମ ସମେତ ଅନେକ ବୈଷୟିକ ବ୍ୟବସ୍ଥା କରାଯାଇଛି ।

ଚଳିତ ବର୍ଷ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ ଗ୍ରହମାନଙ୍କର ବିରଳ ମିଶ୍ରଣ ଯୋଗୁଁ ଖୁବ ସ୍ୱତନ୍ତ୍ର । ଏଥର ମହାକୁମ୍ଭରେ ସୂର୍ଯ୍ୟ , ଚନ୍ଦ୍ର, ଶନି ଏବଂ ବୃହସ୍ପତି ଗ୍ରହର ଶୁଭ ସ୍ଥିତି ସୃଷ୍ଟି ହେଉଛି । ସମୁଦ୍ର ମନ୍ଥନ ସମୟରେ ମଧ୍ୟ ଏହି ଶୁଭ ସଂଯୋଗ ଘଟିଥିବା କୁହାଯାଏ । ଏହା ସହିତ ମହାକୁମ୍ଭରେ ପୂର୍ଣ୍ଣିମା, ରବି, ଭାଦ୍ରବାସ ଯୋଗ ମଧ୍ୟ ରହିଛି । ୧୪୪ ବର୍ଷ ପରେ ଏହି ସଂଯୋଗ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇବ । ତେବେ ଆପଣ ଜାଣନ୍ତି କି ପ୍ରଥମ ଥର ପାଇଁ କେଉଁଠାରେ ଆୟୋଜିତ ହୋଇଥିଲା ମହାକୁମ୍ଭ ? ମହାକୁମ୍ଭ ପଛର ଇତିହାସ କ’ଣ ?

ମହାକୁମ୍ଭର ଇତିହାସ

ମହାକୁମ୍ ଇତିହାସ ବହୁତ ପୁରୁଣା । କେତେକ ଗ୍ରନ୍ଥ ଅନୁଯାୟୀ, ସତ୍ୟଯୁଗରୁ ପ୍ରଥମ କୁମ୍ଭମେଳା ଆୟୋଜିତ ହୋଇଥିବା ବିଶ୍ୱାସ କରାଯାଏ । ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏହି ଭବ୍ୟ ମେଳା । ଆଉ କିଛି ଲୋକଙ୍କ ଅନୁସାରେ, ସମୁଦ୍ର ମନ୍ଥନ ପରେ ପରେ ଆରମ୍ଭ ହୋଇଥିଲା କୁମ୍ଭମେଳା । ଏ ବିଷୟରେ ବିସ୍ତୃତ ସୂଚନା ଉପଲବ୍ଧ ନାହିଁ । ପଣ୍ଡିତମାନଙ୍କ ଅନୁଯାୟୀ କୁମ୍ଭର ପରମ୍ପରା ହଜାରେ ବର୍ଷ ପୁରୁଣା। ମହାକୁମ୍ଭର ଐତିହାସିକ ଉଲ୍ଲେଖ ପ୍ରାଚୀନ ଲେଖାରେ ମଧ୍ୟ ଦେଖିବାକୁ ମିଳେ । ଖ୍ରୀଷ୍ଟପୂର୍ବ ୬୦୦ ରେ ବୌଦ୍ଧ ଲେଖାରେ ନଦୀ ତଟରେ ଆୟୋଜିତ ହେଉଥିବା ମେଳାର ଉପସ୍ଥିତି ସମ୍ପର୍କରେ ବ୍ୟାଖା କରାଯାଇଥିବାର ପ୍ରମାଣ ରହିଛି । ତଥାପି ଜ୍ୟୋତିଷ ଗଣନା ଆଧାରରେ କୁମ୍ଭମେଳା ସ୍ଥାନ ନିରୂପଣ କରାଯାଏ । ଜ୍ୟୋତିଷ ଏବଂ ସାଧୁସନ୍ଥମାନଙ୍କ ମୁଖ୍ୟ ଏକାଠି ହୋଇ ସ୍ଥାନ ନିରୂପଣ କରିଥାନ୍ତି। ସ୍ଥାନ ନିରୂପଣ କରିବା ପାଇଁ ଜ୍ୟୋତିଷମାନେ ବୃହସ୍ପତି ଏବଂ ସୂର୍ଯ୍ୟଙ୍କ ସ୍ଥିତିକୁ ନିରୀକ୍ଷଣ କରିଥାନ୍ତି ।

କିପରି ହୋଇଥିଲା ମହାକୁମ୍ଭର ଆରମ୍ଭ ?

ସମୁଦ୍ର ମନ୍ଥନ ସମୟରେ ଅମୃତକୁ ନେଇ ହୋଇଥିବା ବିବାଦ ଯୋଗୁଁ ମହାକୁମ୍ଭ ଆୟୋଜନ ହୋଇଥିବା କୁହାଯାଏ । ପୌରାଣିକ କଥା ଅନୁସାରେ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏ ଯୁଦ୍ଧରେ ଦେବତାମାନେ ଅସୁରଙ୍କ ଠାରୁ ଶୋଚନୀୟ ଭାବରେ ପରାଜିତ ହୋଇଥିଲେ । ପରାଜୟ ପରେ ଅସୁରଙ୍କ ଦୌରାତ୍ମ୍ୟ ସହ୍ୟ କରିନପାରି ଦେବତାମାନେ ଶେଷରେ ଭଗବାନ ବିଷ୍ଣୁଙ୍କ ଶରଣ ପଶିଥିଲେ । ଆଉ ବିଷ୍ଣୁଙ୍କ ପରାମର୍ଶ କ୍ରମେ ସମୁଦ୍ର ମନ୍ଥନ କରାଯାଇଥିଲା । ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କୁମ୍ଭ ଅର୍ଥାତ୍ କଳସ ସହିତ ପ୍ରକଟ ହୋଇଥିଲେ । ଆଉ ସେହି ଅମୃତ କଳସ ପାଇଁ ଦେବତା ଓ ଅସୁରଙ୍କ ମଧ୍ୟରେ ପୁଣି କଳି ହୋଇଥିଲା ।

ଭଗବାନ ଶ୍ରୀକୃଷ୍ଣଙ୍କ ଇଙ୍ଗିତରେ ଅମୃତ କଳସ ଧରି ଚାଲିଯାଉଥିଲେ ଦେବରାଜ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ । ହେଲେ ଏସମ୍ପର୍କରେ ଜାଣିବା ପରେ ଅସୁର ଜୟନ୍ତଙ୍କୁ ଅନୁସରଣ କରିଥିଲେ । ଅମୃତ କଳସ ପାଇବା ପାଇଁ ଦେବତା ଏବଂ ରାକ୍ଷସମାନଙ୍କ ମଧ୍ୟରେ ବାର ଦିନ ଧରି ଏକ ଭୟଙ୍କର ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ଶନି, ଚନ୍ଦ୍ର, ସୂର୍ଯ୍ୟ ଆଦି ଦେବତାମାନେ ଅମୃତ କଳସକୁ ରକ୍ଷା କରିଥିଲେ । ତେଣୁ ଏହି ଗ୍ରହମାନଙ୍କ ସ୍ଥିତି ସହ ବର୍ତ୍ତମାନ ରାଶିର ସଂଯୋଗକୁ ଦେଖି କୁମ୍ଭମେଳାର ଆୟୋଜନ କରାଯାଏ । ଦେବତାମାନଙ୍କର ଗୋଟିଏ ଦିନ ମଣିଷର ବାର ବର୍ଷ ସହିତ ସମାନ ବୋଲି ବିଶ୍ୱାସ କରାଯାଏ । ତେବେ ଯୁଦ୍ଧ ସମୟରେ କଳସରୁ କିଛି ଅମୃତ ବୁନ୍ଦା ପଡ଼ିଯାଇଥିଲା । ଯେଉଁ ସ୍ଥାନରେ ଅମୃତ ବୁନ୍ଦା ପଡ଼ିଥିଲା ସେହିଠାରେ କୁମ୍ଭମେଳା ଆୟୋଜିତ ହୁଏ । ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନୀ ଏବଂ ନାସିକ ଆଦି ସ୍ଥାନରେ ଅମୃତର ବୁନ୍ଦା ପଡ଼ିଥିବା ବିଶ୍ୱାସ କରାଯାଏ।

 

OTV is now on Whatsapp

Join and get latest news update delivered to you via whatsapp

Join Now