ଉତ୍କଳୀୟ ପରମ୍ପରାରେ ସାମାଜିକ ଚଳଣୀକୁ ସମୃଦ୍ଧ କରିବା ପାଇଁ ଧର୍ମୀୟ ଭାବନା ସହ ଲୋକ ବିଶ୍ୱାସକୁ ବେଶ୍ ଗୁରୁତ୍ୱ ଦିଆଯାଏ। ଧର୍ମଧାର ଓ ଗଣଜୀବନର ରୀତିନୀତିରେ ପର୍ବପର୍ବାଣୀ, ଓଷା ବ୍ରତ ଓ ଯାନିଯାତ୍ରାର ନିଜସ୍ଵ ପ୍ରତିଫଳନ ସ୍ପଷ୍ଟ ଦିଶେ। ମକର ସଂକ୍ରାନ୍ତି ସେହିପରି ଏକ ପର୍ବ ଯାହା ଓଡ଼ିଶାରେ ଗୋଟିଏ ଦିନ ପାଳନ କରାଯାଏ। ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟ ରାଶିକୁ ଗମନକୁ ସଂକ୍ରାନ୍ତି କୁହାଯାଏ। ସୌରମାନ ଗଣନାନୁସାରେ ସଂକ୍ରାନ୍ତିକୁ ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ। ମାଘ ମାସର ପ୍ରଥମ ଦିନଟି ମକର ସଂକ୍ରାନ୍ତି ଭାବେ ପାଳିତ ହୁଏ।
ମକର ସଂକ୍ରାନ୍ତି ପବିତ୍ର କାହିଁକି?
Also Read
ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ। ସୂର୍ଯ୍ୟ ମକର ରାଶିକୁ ଆସି ବିଷୁବ ରେଖା ଆଡକୁ କ୍ରମଶଃ ଗତି କରନ୍ତି। ସୂର୍ଯ୍ୟଙ୍କର ତେଜ ଏହି ଦିନଠାରୁ ପ୍ରଖର ହୋଇଥାଏ। ସୂର୍ଯ୍ୟଙ୍କର ବାର ରାଶିର ବାର ସଂକ୍ରାନ୍ତି ଏକ ଏକ ପବିତ୍ର ଦିବସ ହେଲେ ହେଁ ଶାସ୍ତ୍ରକାରମାନେ ଏହା ମଧ୍ୟରୁ ଦୁଇଟି ସଂକ୍ରାନ୍ତି ଯଥା କର୍କଟ ଓ ମକରକୁ ସୂର୍ଯ୍ୟଙ୍କର ଆୟନ ସଂକ୍ରାନ୍ତି ଦୃଷ୍ଟିରୁ ବିଶେଷ ପବିତ୍ର ବୋଲି ବିଚାର କରିଛନ୍ତି। କାରଣ ଏ ଦୁଇଟି ଦିନ ସୂର୍ଯ୍ୟଙ୍କର ଦିନ। ଏଥିରୁ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି ଦେବତାଙ୍କ ଦିନାରମ୍ଭ ଦିବସ ରୂପେ ସୂଚିତ ହୋଇଥିବାରୁ ପୁଣ୍ୟତମ। ଶ୍ରୀମନ୍ଦିର ସମାଚାରରୁ ଜଣାଯାଏ ସୂର୍ଯ୍ୟ ମକର, କର୍କଟ,ଓ ବିଷୁବ ସଂକ୍ରାନ୍ତି ମାନଙ୍କରେ ସାକ୍ଷାତ ବ୍ରହ୍ମରୂପରେ ପରିଭ୍ରମଣ କରନ୍ତି। ତାଙ୍କର ଏହି ବିଶ୍ୱଚକ୍ର ଭ୍ରମଣ ହେତୁ ତାହାଙ୍କର ଅନ୍ୟନାମ ' ଖଗୋଳଧିପତି '।
ମକର ଚାଉଳ କଣ?
କଳିଙ୍ଗ ଦେଶ ସୂର୍ଯ୍ୟଙ୍କର ଅତି ପ୍ରିୟ ସ୍ଥଳୀ ହୋଇଥିବାରୁ ଏହି ସଂକ୍ରାନ୍ତିରେ ଘରେ ଘରେ ପିଠାପଣାର ବିପୁଳ ଆୟୋଜନ ସହ ' ମକର ଚାଉଳ ' ଚର୍ବଣ ଓ ବଣ୍ଟନର ବହୁଲତା ଦେଖାଯାଏ। ଏହାହିଁ ଏ ପର୍ବର ଉଲ୍ଲେଖନୀୟ ବୈଶିଷ୍ଟ୍ୟ। ନୂଆ ଅରୁଆ ଚାଉଳ ସାଙ୍ଗକୁ ନୂଆଗୁଡ, ଆଖୁ, ନଡ଼ିଆ, ଅଦା, କର୍ପୂର, ରାଶି ଆଦିର ମିଶ୍ରଣରେ ପ୍ରସ୍ତୁତ ହୁଏ ଭୋଗ ଯାହାକୁ ' ମକର ଚାଉଳ ' କୁହାଯାଏ। ଏହି ମକର ଚାଉଳ ଯେପରି ସୁସ୍ୱାଦୁ ସେହିପରି ସ୍ୱାସ୍ଥ୍ୟକର। ଏହି ମକର ଚାଉଳକୁ ପରିବାର ଓ ସାହିପଡିଶା ମଧ୍ୟରେ ବଣ୍ଟାଯାଏ। ଯାହା ଫଳରେ ନୂତନ ବନ୍ଧୁତାର ସୁସ୍ଥ ପରମ୍ପରା ଗଢି ଉଠିଥାଏ । ଏହି ମକର ଚାଉଳ ଦେଇ ମୈତ୍ରୀ ' ମକର ' ବସିବାର ଦେଖାଯାଏ। ଏହି ୠତୁ ସାଧାରଣତଃ ଫସଲ ଅମଳର ଋତୁ। ଏହି ଋତୁରେ ଅମଳ ହେଉଥିବା ନୂତନ ଧାନ ପୁଷ୍ଟିକର ଓ ଧର୍ମକାର୍ଯ୍ୟ ନିମନ୍ତେ ଅନୁକୂଳ। ଅକଣ୍ଡା ଅକ୍ଷତ ଚାଉଳରେ ଯେପରି ଜୀର୍ଣ୍ଣକାରୀ ଉପାଦାନ ରହିଥାଏ ସେହିପରି ସ୍ୱାଦଗୁଣ ମଧ୍ୟ ରହିଥାଏ।
ମା ଲକ୍ଷ୍ମୀଙ୍କ ବାପଘରୁ ଲେଉଟାଣି
ଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଚି। ଧନୁ ସଂକ୍ରାନ୍ତି ଦିନ ବାପଘରକୁ ଯାଇଥିବା ମା ଲକ୍ଷ୍ମୀ ମକର ସଂକ୍ରାନ୍ତି ଦିନ ବାପଘରୁ ଶ୍ରୀ ମନ୍ଦିରକୁ ଫେରନ୍ତି ଓ ୭୮ ପ୍ରକାରର ଭୋଗ ମହାପ୍ରଭୁଙ୍କ ପାଇଁ ଆଣନ୍ତି।
ମୟୂରଭଞ୍ଜର ମକର ପର୍ବ
ମୟୂରଭଞ୍ଜର ଲୋକ୍ସଂସ୍କୃତିରେ ମକରପର୍ବର ସ୍ଥାନ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏଠାକାର ଲୋକସଂଖ୍ୟାର ନବେଭାଗ ଲୋକ ଆଦିବାସୀ ଓ ହରିଜନ ଅଟନ୍ତି। ଏମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରି ଜୀବନଯାପନ କରିଥାନ୍ତି। ମକର ସଂକ୍ରାନ୍ତି ବେଳକୁ ପ୍ରାୟତଃ ଧାନ ଅମଳ ସରିଥାଏ। ନିଜ ନିଜ ଘରେ ଖାଦ୍ୟ ଦ୍ରବ୍ୟର ପ୍ରଚୁର୍ଯ୍ୟ ହେତୁ ଧାନ ଅମଳ ପରେ ମିଳୁଥିବା ସାମୟିକ ବିଶ୍ରାମ ସେମାନଙ୍କ ମନରେ ଆନନ୍ଦ ଥାଏ। ଏହି ଆନନ୍ଦର ପରିପ୍ରକାଶ ସେମାନେ ମକର ସଂକ୍ରାନ୍ତିରେ କରିଥାନ୍ତି।
ମୟୂରଭଞ୍ଜରେ ମକର ସଂକ୍ରାନ୍ତିର ବିଶେଷତ୍ଵ
ସାରା ଓଡ଼ିଶାରେ ମକର ପର୍ବ ଗୋଟିଏ ଦିନ ପାଳନ ହେଉଥିବା ବେଳେ ମୟୂରଭଞ୍ଜରେ ଏହି ପର୍ବ ତିନିଦିନ ପାଳନ ହୁଏ। ମକର ସଂକ୍ରାନ୍ତିର ଦୁଇଦିନ ପୂର୍ବରୁ ଏହି ପର୍ବ ଆରମ୍ଭ ହୁଏ। ପ୍ରଥମ ଦିନଟି 'ଚାଉଳ ଧୂଆ ' । ଏହି ଦିନ ଚାଉଳ ଧୋଇ ଚୂନା କରାଯାଏ। ଦ୍ଵିତୀୟ ଦିନଟି 'ବାହୁଣ୍ଡି' । ଏହି ଦିନ ବିଲରେ ଛାଡ଼ିଦେଇ ଆସିଥିବା ଧାନ ବୁଦା ଉପୁଡ଼ା ହେଇ ଆସି ଚଉରା ମୂଳେ ରଖାଯାଇ ପୂଜା କରାଯାଏ। ତୃତୀୟ ଦିନଟି ମକର ସଂକ୍ରାନ୍ତି ଭାବେ ପାଳନ ହୁଏ, ସମସ୍ତେ ନୂଆ ଲୁଗା ପିନ୍ଧି ମକର ଚାଉଳ ଓ ଖସାଲଡୁ ପ୍ରସାଦ ରୂପେ ପାଇଥାନ୍ତି।
ମକରରେ ମାଙ୍କଡନାଚ
ଏହି ସମୟରେ ମୟୂରଭଞ୍ଜର ଆଦିବାସୀ ସଂପ୍ରଦାୟର ଲୋକମାନେ ଏକ ବିଶେଷ ପ୍ରକାରର ମାଙ୍କଡ ନାଚ କରିଥାନ୍ତି। ଏହାକୁ 'ଗାଳିଏ-ନେଜ୍ ' କୁହାଯାଏ। ଯେହେତୁ ମୟୂରଭଂଜ ଜିଲ୍ଲାରେ ମକର ଏକ ବଡ଼ ଉତ୍ସବ ଭାବରେ ପାଳନ ହୁଏ ଓ ଏଥିପାଇଁ ଯାନିଯାତ୍ରା ଅନୁଷ୍ଠିତ ହୁଏ, ସେସବୁରେ ବହୁ ପ୍ରକାର ପରମ୍ପରା ପାଳନ ହେବା ଦେଖିପାକୁ ମିଳିଥାେ।
ତାମିଲନାଡୁରେ ମକରପର୍ବ
ମକର ସଂକ୍ରାନ୍ତି କୌଣସି ଗୋଟିଏ ଆଞ୍ଚଳିକ ପର୍ବ ନୁହେଁ, ଏହା ସମଗ୍ର ଭାରତର ଗୋଟିଏ ବଡ଼ ପର୍ବ। ତାମିଲନାଡୁରେ ଏହାକୁ ' ପୋଙ୍ଗଲ ' ବୋଲି କହନ୍ତି। ଏହି ଦିନଠାରୁ ତାଙ୍କର ବର୍ଷ ଆରମ୍ଭ ବିଚାର କରାଯାଏ। ଏହି ପୋଙ୍ଗଲ ତିନିଦିନ ପାଳନ କରନ୍ତି। ମକର ପୂର୍ବଦିନ ଅଗ୍ନି ଉତ୍ସବ କରନ୍ତି। ସଂକ୍ରାନ୍ତି ଦିନ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି।
କର୍ଣାଟକ ଓ ମହାରାଷ୍ଟ୍ରରେ ମକର
ଏଠାକାର ଲୋକମାନେ ମକର ପର୍ବକୁ ଦୁଇଦିନ ଧରି ପାଳନ କରନ୍ତି। ସଂକ୍ରାନ୍ତି ପରଦିନକୁ ' କିଂକ୍ରାନ୍ତି ' ବା ସଂକ୍ରାନ୍ତିର ସାନ ଭଉଣୀ ଭାବେ ପାଳନ କରନ୍ତି। ଏହିଦିନ ଗହମ, ରାଶି, ଚିନାବାଦାମ, ଗୁଡ ଇତ୍ୟାଦିରୁ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାର ମିଷ୍ଟାନ୍ନ ଏବଂ ରାଶିରୁ ତିଆରି ହାଲୁଆ ସାଇପଡିଶା ଓ ବନ୍ଧୁବାନ୍ଧବଙ୍କ ମଧ୍ୟରେ ବାଣ୍ଟନ୍ତି
ପଶ୍ଚିମବଙ୍ଗରେ ମକର ପର୍ବ
ବଙ୍ଗଳାରେ ଏହାକୁ ପୌଷ ସଂକ୍ରାନ୍ତି କୁହାଯାଏ। ସ୍ତ୍ରୀ ଲୋକମାନେ ଏହି ସଂକ୍ରାନ୍ତି ଦିନ ' ବାବନପୋରି ' ଉତ୍ସବ କରନ୍ତି। ସେଦିନ ସ୍ତ୍ରୀଲୋକମାନେ ଦୁବ ଧରି ଭଗବାନଙ୍କୁ ସ୍ମରଣ କରି ଭଣ୍ଡାରଘର ଚତୁଃପାର୍ଶ୍ଵରେ ' ବାବନପୋରି ' ଶବ୍ଦ ଉଚ୍ଚାରଣ କରି ପ୍ରଦକ୍ଷୀଣ କରନ୍ତି ଯାହାର ଅର୍ଥ ହେଉଛି ଭଣ୍ଡାର ଧନ ସମ୍ପତ୍ତି ବାଉନ ଗୁଣ ହେଉ। ଧାର୍ମିକ ଓ ସାମାଜିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ ଯେ "ମକରସଂକ୍ରାନ୍ତି " ପର୍ବର ସାମାଜିକ ଓ ଆଧ୍ୟାତ୍ମିକ ଭିତ୍ତିଭୂମି ସୁଦୂରପ୍ରସାରୀ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)