• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarojini Sankhua

ଓଡ଼ିଶା ମୁଖ୍ୟତଃ ଏକ କୃଷି ପ୍ରଧାନ ରାଜ୍ୟ। ଲୋକମାନଙ୍କର ମୁଖ୍ୟ ଆଭିମୁଖ୍ୟକୁ କେନ୍ଦ୍ର କରି, ସେମାନଙ୍କର ଅନ୍ତଃଜୀବନ ଓ ବହିର୍ଜୀବନର ପରିପ୍ରକାଶ ଘଟିଥାଏ। 'ପୌଷ ପୂର୍ଣ୍ଣିମା' ଏହାର ଏକ ଭଲ ଉଦାହରଣ। ଯଦି କୌଣସି ବ୍ୟକ୍ତି ଭଲରେ ଅଛି, ତେବେ ଆମେ ଥଟ୍ଟାରେ ତାକୁ କୁହନ୍ତି ‘ତୋର ତ ଏବେ ପୁଷମାସ ଚାଲିଛି’। ଅର୍ଥାତ ପୁଷମାସ ହେଉଛି ସମୃଦ୍ଧିର ସମୟ, ସୁଖର ସମୟ, ପ୍ରାଚୁର୍ଯ୍ୟର ସମୟ। କାରଣ, ଏହି ମାସଟି ଏପରି ଏକ ସମୟରେ ପଡ଼େ, ଯେତେବେଳେ ସମଗ୍ର ଓଡ଼ିଶାରେ, ଚାଷୀ ଖଳାରେ ଗଦା ହୋଇଥାଏ ସୁନାର ଫସଲ। ଅର୍ଥାତ ସାରା ବର୍ଷ ପରିଶ୍ରମ କରି ଚାଷୀ ଯେଉଁ ଧାନ ଫସଲ ଫଳାଇଥାଏ, ପୌଷ ମାସରେ ଏହାକୁ ଅମଳ କରାଯିବାର ସମୟ। ତେଣୁ ଏହି ସମୟରେ ଲୋକଙ୍କ ଘରେ ଖାଦ୍ୟର ଅଭାନ ନଥାଏ। ପୌଷ ପୂର୍ଣ୍ଣିମା ବେଳକୁ ପ୍ରାୟତଃ ଧାନ ଅମଳ ସାରି ଯାଇଥାଏ ଓ ସାରା ବର୍ଷର ପରିଶ୍ରମରୁ ଚାଷୀକୁ ସାମୟିକ ବିଶ୍ରାମ ମିଳିଥାଏ। ପ୍ରାଚୁର୍ଯ୍ୟ, ସୁଖ ଓ ସମୃଦ୍ଧିର ସଂକେତ ହେଉଛି ପୌଷ ପୂର୍ଣ୍ଣିମା ବା ପୁଷ ପୂନେଇଁ।

ପଶ୍ଚିମ ଓଡ଼ିଶାର ଆନନ୍ଦଦାୟକ ପରବ 'ପୁଷ୍ ପୁନି'  

ଓଡିଶାର ପଶ୍ଚିମାଞ୍ଚଳରେ ପୌଷ ପୂର୍ଣ୍ଣିମା ' ପୁଷ୍ ପୁନି ' ନାମରେ ପରିଚିତ। ଏହା ଏକ ଆନନ୍ଦ ଉଲ୍ଲାସର ପର୍ବ। ଫସଲ ଉତ୍ପନ୍ନ ପରେ ଏହି ପର୍ବ ପାଳନ କରାଯାଉଥିବାରୁ ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା ତିଆରି ହୁଏ। ଉତ୍ପାଦିତ ଶସ୍ୟର ନବାନ୍ନ ପର୍ବ ମହା ଆନନ୍ଦରେ ପାଳନ କରାଯାଇ ଥାଏ। ବରଗଡର ପ୍ରସିଦ୍ଧ ଧନଯାତ୍ରା ଉତ୍ସବ ପୁଷ୍ ପୁନି ଦିନ ଉଦଯାପିତ ହୋଇଥାଏ। ବିଭିନ୍ନ ପର୍ବପର୍ବାଣୀରେ କୌଣସି ନା କୌଣସି ଦେବା ଦେବୀଙ୍କୁ ପୂଜା କରାଯାଇଥବା ସମୟରେ ଏହି ପର୍ବରେ କୌଣସି ଇଷ୍ଟଦେବତା ବା ଦେବୀଙ୍କୁ ପୂଜା କରାଯାଏ ନାହିଁ। ପ୍ରତ୍ୟେକ ଘରେ ପିଠାପଣା ତିଆରି ହୋଇଥାଏ। ଏହା ଏକପ୍ରକାର ଆତ୍ମା ପୂଜାର ପର୍ବ, ମଉଜ ମଜଲିସ୍‌ର ପର୍ବ। ଏହିଦିନ ପିଠା ସହିତ ମାଂସ ରୋଷେଇ ହୋଇଥାଏ। ପ୍ରତି ବ୍ୟକ୍ତିଙ୍କ ଘରେ ସେ ଗରିବ ହେଉ ବା ଧନୀ- ପିଠା ବଣ୍ଟା ଯାଏ। ଭୋଜନ ପରେ ଗ୍ରାମଦାଣ୍ଡରେ ଆମୋଦ- ପ୍ରମୋଦ, କୁସ୍ତି କସରଡ, ବିଭିନ୍ନ କ୍ରୀଡ଼ା ଅନୁଷ୍ଠିତ ହୋଇଥାଏ।

ଏହି ପର୍ବର ଅନ୍ୟତମ ଆକର୍ଷଣୀୟ ବିଭବ ହେଉଛି "ଛେର୍ ଛେରା" ମଗା। ଏହା ନୃତ୍ୟ-ଗୀତ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଗ୍ରାମର ଛୋଟ ଛୋଟ ପିଲାମାନେ ଘରଘର ବୁଲି ଛେର୍‌ ଛେରା ମାଗି ବୁଲନ୍ତି। ଏହି ସମୟରେ ସେମାନେ ବାଡ଼ି ପିଟି ପିଟି ଗାଇଥାନ୍ତି -

"ଛେର୍ ବୁଢ଼ୀ ଛେର୍ ଛେରା

ଇ ଘରର୍ ବୁଢ଼ୀ କାହିଁଗଲା

ଦେମି ଦେମି ବଲୁଛେ

ହାଏଡ଼ ଖୁଡ୍ ଖୁଡ୍ କରୁଛେ

ପେଚା ମାଁକଡ୍ ବଇଛେ

ପାଏନ୍ ଖୁଲ୍ ଖୁଲ୍ ଯାଇଛେ

ଦେମି ଦେମି ବଲ୍ ସନ୍

ପିଠାପନା ଆନ୍ ସନ୍।"

ଛେର୍ ଛେରା ମାଗିବା ଏକ ପରଂପରା। ପିଲାମାନଙ୍କ ଗୀତ ଶୁଣି ଘରଲୋକେ ପିଠାପଣାଠାରୁ ଆରମ୍ଭ କରି ଧାନ, ଚାଉଳ ଇତ୍ୟାଦି ଖୁସିରେ ଦେଇଥାନ୍ତି। କିଶୋରୀମାନେ ସନ୍ଧ୍ୟାବେଳେ ସଜନି, ରସରକେଲି, ମାଏଲା ଜଡ଼ ଆଦି ଗାନ କରିଥାନ୍ତି। ତେଣୁ ପଶ୍ଚିମ ଓଡ଼ିଶାରେ ଏହିଦିନ ଲୋକମାନଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସ ଆଣି ଦେଇଥାଏ ଏବଂ ଆକାଳ ବୃଦ୍ଧବନିତା ସ୍ୱାଧୀନ ଭାବରେ ଏହାକୁ ଉପଭୋଗ କରି ଉଭୟ ଶରୀର ଓ ମନରେ ଅଫୁରନ୍ତ ଆନନ୍ଦ ଉପଲବ୍ଧି କରିଥାନ୍ତି।

ଅଧିକ ପଢ଼ନ୍ତୁ : ମକର ପାଇଁ ଉତ୍ସବମୁଖର ଉତ୍ତର ଓଡ଼ିଶା; ମେଲିଛି ମିଠା ପସରା, ଘର ମୁହାଁ ପ୍ରବାସୀ

ପୁଷ୍ୟାଭିଷେକ

ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିବର୍ଷ ଏହିଦିନ ଦେବମନ୍ଦିରମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ହେଉଅଛି। ଏହିଦିନ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ। ଶାସ୍ତ୍ରରେ ଏ ଉତ୍ସବ ନେଇ ଉଲ୍ଲେଖ ଅଛି: "ପୌଷ ମାସି ସିତେ ପକ୍ଷେ ପୌଣ୍ଣମ୍ୟାଂ ରୁକ୍ମିଣୀ ପତେଃ। ପୁଷ୍ୟାଭିଷେକଂ କୁର୍ବାତ୍ ସର୍ବକାମାର୍ଥ ସିଦ୍ଧୟେ।

ଶ୍ରୀ ଜଗନ୍ନାଥଙ୍କ ପୁଷ୍ୟାଭିଷେକ

ଏହି ପୂର୍ଣ୍ଣମୀ ଦିନ ଶ୍ରୀ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂତନବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦି ଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ। ସେଠାରେ ବରୁଣ ପୂଜା, ସ୍ୱସ୍ତିବାଚନ, ମଙ୍ଗଳାରୋପଣ, ଯଜ୍ଞୋପବୀତ-ସମର୍ପଣ, ହୋମ, ଆରତି ଇତ୍ୟାଦି ବିଧିରେ ବିଜେ-ପ୍ରତିମା ଓ ଖଡ଼ଗପୂଜା ପରେ ଉକ୍ତ ଯଜ୍ଞୋପବୀତ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ ଓ ପରେ ଯାତ୍ରା ମଣ୍ଡପରେ ଯଥାବିଧି ଉପଚାର ସହିତ ରାଜାଙ୍କୁ ଅର୍ପଣ କରାଯାଏ। ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଅଭିଷେକୋତ୍ସବ ରାଜାଙ୍କ ଅଭିଷେକ ରୂପେ ପାଳିତ ହୁଏ । ଏହି ଅଭିଷେକୋତ୍ସବ ଦର୍ଶନରେ ଦର୍ଶନାର୍ଥୀ ପାପମୁକ୍ତ ହୋଇ ବୈକୁଣ୍ଠପୁରୀ ପ୍ରାପ୍ତହୁଏ ବୋଲି ବିଶ୍ୱାସ କରାଯାଏ।

ଶ୍ରୀ ଜଗନ୍ନାଥଙ୍କ ସୁନାବେଶ

ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଏ। ରତ୍ନସିଂହାସନରେ ଶ୍ରୀଜୀଉମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ବିଭୂଷିତ ହୁଅନ୍ତି। ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଏ। ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ ସହ ହରିଡ଼ାମାଳ, ବାହାଡା ମାଳି, ସେବତୀ ମାଳି, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ବିଭୂଷିତ ହୁଅନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି।

ପୌଷ ପୂର୍ଣ୍ଣିମାର ସାମାଜିକ ଚଳଣି

ଏହିଦିନ ସାହୁକାର ବା ବଡ଼ଚାଷୀମାନେ ସେମାନଙ୍କ ଖାତକ ବା ହଳିଆ ଓ ମୂଲିଆଙ୍କ ଘରକୁ ଅଡ଼ିଆ ପଠାଇଥା’ନ୍ତି। ଏ ଅଡ଼ିଆରେ ଥାଏ କିଛି ଅର୍ଥ, ନୂଆ ଲୁଗା, ଚାଉଳ, ଡାଲି ଓ କିଛି ପନିପରିବା। ଏହି ପୁଷ୍‌ପୁନିରେ ସାହୁକାର ନୂଆ କୃଷିଶ୍ରମିକ ନିୟୋଜିତ କରିବାର ସାମାଜିକ ଧାରା ମଧ୍ୟ ରହିଛି। ପୂର୍ବେ ରାଜାମାନଙ୍କ ଶାସନ ସମୟରେ ଏହିଦିନ ରାଜାମାନଙ୍କର ବନ୍ଦାପନା ହେଉଥିଲା। ରାଜା ଓ ପ୍ରଜା ସମସ୍ତେ ଉପବୀତ ଧାରଣ କରୁଥିଲେ। ଏବେମଧ୍ୟ ଆମ ଗାଁମାନଙ୍କରେ ନୂତନ ପଇତା ଗ୍ରହଣ କରିବା ବିଧି ପ୍ରଚଳନ ଅଛି। ଅନେକ ସ୍ଥାନରେ ଦେବତାମାନଙ୍କୁ ମଧ୍ୟ ସ୍ୱର୍ଣ୍ଣ ଉପବୀତରେ ଭୂଷିତ କରାଯାଏ। କୁହାଯାଏ ଯେ ହିନ୍ଦୁ ସଂସ୍କୃତିକୁ ଏକତା ସୂତ୍ରରେ ବାନ୍ଧି ରଖିବାହିଁ ହେଉଛି ସାମଗ୍ରିକ ଭାବେ ଉପବୀତ ଗ୍ରହଣ କରିବା। ଏହି ଦିନ ଉତ୍କଳର ଜାତୀୟବାଦ୍ୟ ତେଲଙ୍ଗା ବାଦ୍ୟ ମଧ୍ୟ ଅନୁକୂଳ ହୁଏ। ବାଜାବାଲାମାନେ ଦ୍ୱାରଦ୍ୱାର ବୁଲି ମଧୁରଧ୍ୱନିରେ ଜନସମୁଦ୍ରକୁ ମୁଗ୍ଧ କରିଥାଆନ୍ତି। ଗୃହିଣୀମାନେ ସେମାନଙ୍କ ବାଜାଶୁଣି ଏମାନଙ୍କୁ ଊଣାଅଧିକେ ଶସ୍ୟଦାନ କରିଥାଆନ୍ତି। ଜାତି-ବର୍ଣ୍ଣ-ନିର୍ବିଶେଷରେ ସମସ୍ତେ ଏହିପର୍ବ ସହିତ ସାମିଲ ହୋଇଥାଆନ୍ତି।

ଅଧିକ ପଢ଼ନ୍ତୁ : ସୁଦଶା ବ୍ରତରେ ମହାଲକ୍ଷ୍ମୀଙ୍କ କେଉଁ ୧୦ ନାଁ ସ୍ମରଣ କରିବେ…

OTV is now on Whatsapp

Join and get latest news update delivered to you via whatsapp

Join Now