• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜୟା ଦଶମୀରେ ପାରଂପରିକ ସିନ୍ଦୂର ଖେଳ ଓ ନାଚକୁଦ ଭିତରେ କୋଲକାତାରେ ଯେତିକି ଉତ୍ସାହ ଓ ଉଲ୍ଲାସ ଥାଏ, ସେତିକି ଅବସାଦ ମଧ୍ୟ । ଅଲିଅଳି ଝିଅକୁ ଶାଶୂଘରକୁ ପଠାଇବା ଭଳି, ଦେବୀ ଦୁର୍ଗାଙ୍କୁ ମେଲାଣି ଦେଇଥାଏ ବଙ୍ଗାଳି ପରିବାର । ଆଜି ଟଲିଉଡ୍ ତାରକା ରଞ୍ଜିତ ମଲ୍ଲିକ ଓ କୋଏଲ ମଲ୍ଲିକଙ୍କ ପରିବାରର ୩ଶହ ବର୍ଷ ପୁରୁଣା ସିନ୍ଦୂର ଖେଳ ପରଂପରାରେ ସାମିଲ ହୋଇଥିଲା ଓଟିଭି ଟିମ୍ । ଏଥିସହ ବୁଲିଦେଖିଥିଲା କୋଲକାତାର ଚଳିତ ବର୍ଷର ସବୁଠୁ ଚର୍ଚ୍ଚିତ ଥିମ୍ ପେଣ୍ଡାଲ୍ ମିଶର ପିରାମିଡ୍ ।

ମଣ୍ଡପ କହୁଛି ମିଶରର କଥା... ଇଏ ଇଜିପ୍ଟ ନୁହେଁ, ଇଏ କୋଲକାତା... ଇତିହାସ ବହିରେ ଆପଣ ଦେଖିଥିବେ, ଏଭଳି ପିରାମିଡର ଚିତ୍ର । ପଢ଼ିଥିବେ, ମିଶର ସଭ୍ୟତାରେ ମୃତଦେହକୁ ମମି ଭାବେ ସଂରକ୍ଷିତ ରଖିବାର ପ୍ରାଚୀନ ପରଂପରା । ହେଲେ ହଜାର ହଜାର କିଲୋମିଟର ଦୂର ଇଜିପ୍ଟକୁ ନଯାଇ, କୋଲକାତା ବେଲଘରିଆ ଦୁର୍ଗାପୂଜା ମଣ୍ଡପରେ ପିରାମିଡ୍ ଓ ମମି ଆଗରେ ସେଲଫି ନେବାର ସୁଯୋଗ ପାଇଛନ୍ତି ଲୋକେ । ଧଳାବାଲିର ମରୁ, ଓଟ ଓ ଖଜୁରୀ ଗଛ ଆଦି ସବୁ କୃତ୍ରିମ, ହେଲେ ଏକଦମ୍ ଅବିକଳ । ବିଶ୍ୱର ସବୁଠୁ ବଡ଼ ପିରାମିଡ୍ ଗିଜା ଆଗରେ ଥିବା ସ୍ପିଙ୍କ୍ସ ମୂର୍ତ୍ତିକୁ ବି ଏଠି ହୁବହୁ ଉତାରି ଦେଇଛନ୍ତି ଶିଳ୍ପୀ । ବେଲଘରିଆ ୧୭ ପାଲି ଦୁର୍ଗାପୂଜା ମଣ୍ଡପର ନାଁ ରହିଛି 'ରହସ୍ୟ ମିଶର' ।

ଖାଲି ବାହାରେ ନୁହେଁ, ଭିତରେ ବି ଅସୁମାରି ଚମତ୍କାର । ଖମ୍ବ, କାନ୍ଥ ଓ ଛାତ ସାରା ପ୍ରାଚୀନ ମିଶର ସଭ୍ୟତା ଶିଳାଲେଖର ପ୍ରତିକୃତି ଓ ସ୍ଥାନେ ସ୍ଥାନେ ଫାରୋ ବା ମିଶର ଶାସକମାନଙ୍କର ପ୍ରତିମୂର୍ତ୍ତି । ଆଉ ଗର୍ଭଗୃହରେ ସିଂହବାହିନୀ ଦେବୀ ଦୁର୍ଗା, ପାର୍ଶ୍ୱ ଦେବଦେବୀ ଏବଂ ମହିଷାସୁରର ପ୍ରତିମା ବି ନିର୍ମିତ ହୋଇଛି ସେଇ ପ୍ରାଚୀନ ଶୈଳୀରେ । ସେମିତି ମୁଖମଣ୍ଡଳ, ପରିଧାନ-ଆଭୂଷଣ... ଦୁଇଟି ପକ୍ଷ ଭଳି ଦିଶୁଛି ଦେବୀଙ୍କ ସହସ୍ର ହସ୍ତ । ୧୨ ହଜାର ବର୍ଗଫୁଟ ଅଞ୍ଚଳରେ ୬୬ ଫୁଟ୍ ଉଚ୍ଚ ୪ଟି ପିରାମିଡ୍ ତିଆରି କରିବାକୁ ୪ ମାସ ଲାଗିଥିବା ବେଳେ, ଏଥିପାଇଁ ଖର୍ଚ୍ଚ ହୋଇଛି ୪୦ ଲକ୍ଷ ଟଙ୍କା ।

ଯେଉଁ ମାଆଙ୍କ ଆଗମନ ଓ ଆରାଧନା ପାଇଁ ପ୍ରାୟ ସପ୍ତାହେ ହେବ ଉଛୁଳି ଉଠୁଥିଲା କୋଲକାତା, ସେଇ ଦେବୀଙ୍କୁ ଝିଅଟିଏ ଭଳି ଓଦାଆଖିରେ ବିଦାୟ ଦେଉଛି ଏକ ବଙ୍ଗାଳି ପରିବାର । ଶୁଭୁଛି ବଙ୍ଗାଳି ଦୁର୍ଗାପୂଜାର ଅବିଚ୍ଛେଦ୍ୟ ବାଦ୍ୟ ଢାକର ଶବ୍ଦ... ବିଜୟା ଦଶମୀରେ ଦେବୀଙ୍କୁ ଝିଅ ଭାବେ ବରଣ ପରେ, ଚାଲିଛି ମହିଳାଙ୍କ ପାରଂପରିକ ସିନ୍ଦୂର ଖେଳ । ନାଚରେ ମସଗୁଲ୍ ପୁରୁଷ ସଦସ୍ୟ । ଇଏ ଟଲିଉଡର ପ୍ରଖ୍ୟାତ ବରିଷ୍ଠ ଅଭିନେତା ରଞ୍ଜିତ ମଲ୍ଲିକ ଓ ତାଙ୍କ ଝିଅ ତଥା ଖ୍ୟାତନାମା ନାୟିକା କୋଏଲ୍ ମଲ୍ଲିକଙ୍କ ଘର । ଏଠି ପ୍ରାୟ ୩ଶହ ବର୍ଷ ହେଲା ଏମିତି ବଞ୍ଚିରହିଛି ପରଂପରା । ପ୍ରତିଥର ଭଳି ଆଜି ବି ଦେବୀଙ୍କ ବିରାଟ ପ୍ରତିମାକୁ କାନ୍ଧରେ ଉଠାଇ ମେଲାଣି ଦେଇଛି ମଲ୍ଲିକ ପରିବାର । ସମସ୍ତେ ପୁଣିଥରେ ଏକ ସ୍ୱରର କହିଛନ୍ତି, 'ଆସ୍-ଛେ ବୋଛୋର୍ ଆବାର୍ ହୋବେ'... ମାନେ- ଆରବର୍ଷକୁ ପୁଣି ହେବ ।