Advertisment

ରାମ ଏବଂ ସୀତା କେବଳ ହିନ୍ଦୁ ଦେବଦେବୀ ନୁହଁନ୍ତି ବରଂ ଭାରତର ସାଂସ୍କୃତିକ ଐତିହ୍ୟ: ଜାଭେଦ ଅଖତର

ଗୀତିକାର ଜାଭେଦ ଅଖତର ତାଙ୍କ ବିବୃତ୍ତି ପାଇଁ ଏବେ ଖୁବ୍ ଚର୍ଚ୍ଚାରେ। ଯେତେବେଳେ ବି ସେ କୌଣସି ପ୍ରସଙ୍ଗକୁ ନେଇ ମୁହଁ ଖୋଲନ୍ତି ତେବେ ନିଜର ମତକୁ ଖୋଲାଖୋଲି ଭାବେ ପ୍ରକାଶ କରନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ମାତା ସୀତାଙ୍କ ବିଷୟରେ ନିଜର ମତ ପ୍ରକାଶ କରିଛନ୍ତି, ଯାହା ଏବେ ଆଲୋଚନାର ବିଷୟ ହୋଇଛି।

author-image
Pramod Behera
javed akhtar says rama and sita cultural heritage of india

javed akhtar says rama and sita cultural heritage of india

ଭେଟେରାନ ସାୟର ତଥା ଗୀତିକାର ଜାଭେଦ ଅଖତର ତାଙ୍କ ବିବୃତ୍ତି ପାଇଁ ଏବେ ଖୁବ୍ ଚର୍ଚ୍ଚାରେ। ଯେତେବେଳେ ବି ସେ କୌଣସି ପ୍ରସଙ୍ଗକୁ ନେଇ ମୁହଁ ଖୋଲନ୍ତି ତେବେ ନିଜର ମତକୁ ଖୋଲାଖୋଲି ଭାବେ ପ୍ରକାଶ କରନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ମାତା ସୀତାଙ୍କ ବିଷୟରେ ନିଜର ମତ ପ୍ରକାଶ କରିଛନ୍ତି, ଯାହା ଏବେ ଆଲୋଚନାର ବିଷୟ ହୋଇଛି।

Advertisment

ନିକଟରେ ରାଜ ଠାକରେଙ୍କ ଦ୍ୱାରା ଆୟୋଜିତ ଦୀପୋତ୍ସଭ କାର୍ଯ୍ୟକ୍ରମ ଥିଲା, ଯେଉଁଥିରେ ଜାଭେଦ ଅଖତର ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ ଭଗବାନ ରାମ ଏବଂ ମାତା ସୀତା କେବଳ ହିନ୍ଦୁ ଦେବତା ନୁହଁନ୍ତି ବରଂ ଭାରତର ସାଂସ୍କୃତିକ ଐତିହ୍ୟ।

ନିଜର ମତ ପ୍ରକାଶ କରି ଜାଭେଦ ଅଖତର କହିଛନ୍ତି ଯେ ଯଦିଓ ସେ ଜଣେ ନାସ୍ତିକ, ତଥାପି ସେ ରାମ ଏବଂ ସୀତାଙ୍କୁ ଏହି ଦେଶର ସମ୍ପତ୍ତି ବୋଲି ଭାବନ୍ତି ଏବଂ ସେଥିପାଇଁ ସେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ସେ କହିଛନ୍ତି ଯେ ରାମାୟଣ ଆମର ସାଂସ୍କୃତିକ ଐତିହ୍ୟ।

Advertisment

ଗୀତିକାର ଆହୁରି ମଧ୍ୟ କହିଛନ୍ତି ଯେ “ରାମ ଏବଂ ସୀତାଙ୍କ ଭୂମିରେ ଜନ୍ମ ହୋଇଥିବାରୁ ମୁଁ ଖୁବ୍ ଗର୍ବିତ ଏବଂ ଯେତେବେଳେ ଆମେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ବିଷୟରେ କଥା ହେଉ ସେତେବେଳେ କେବଳ ରାମ ଏବଂ ସୀତା ହିଁ ମନକୁ ଆସନ୍ତି।” ନିଜ ମତ ରଖିବା ବେଳେ ଜାଭେଦ ଅଖତର ମଧ୍ୟ ଲୋକଙ୍କୁ 'ଜୟ ସିୟା ରାମ' ସ୍ଲୋଗାନ ଦେବାକୁ କହିଥିଲେ।

ଏହି ଅବସରରେ ସେ ତାଙ୍କ ଲକ୍ଷ୍ନୌର ପିଲାଦିନଗୁଡ଼ିକୁ ମନେପକାଇ ସେ କହିଥିଲେ ଯେ ତାଙ୍କ ପିଲାଦିନେ ସେ ଏଭଳି ଧନୀ ଲୋକମାନଙ୍କୁ ଦେଖୁଥିଲେ ଯେଉଁମାନେ ‘ଗୁଡ୍ ମର୍ଣ୍ଣିଙ୍ଗ’ କହୁଥିଲେ। କିନ୍ତୁ ରାସ୍ତାରେ ଯାଉଥିବା ଜଣେ ସାଧାରଣ ଲୋକ 'ଜୟ ସିୟା ରାମ' କହି ଲୋକଙ୍କୁ ସ୍ୱାଗତ କରୁଥିଲେ।

ସେ ଆହୁରି କହିଛନ୍ତି ଯେ, “ତେଣୁ ସୀତା ଏବଂ ରାମଙ୍କୁ ଭିନ୍ନ ଭିନ୍ନ ଭାବରେ ଦେଖିବା ହିଁ ପାପ। ‘ସିୟା ରାମ’ ଶବ୍ଦ ହେଉଛି ପ୍ରେମ ଏବଂ ଏକତାର ପ୍ରତୀକ। ସିୟା ଏବଂ ରାମଙ୍କୁ କେବଳ ଜଣେ ବ୍ୟକ୍ତି ହିଁ ଅଲଗା କରିଥିଲା, ଆଉ ସେ ଥିଲା ରାବଣ। ତେଣୁ ଯିଏ ସେମାନଙ୍କୁ ଅଲଗା କରିବ ସେ ରାବଣ ହେବ।”

ଅଭିବ୍ୟକ୍ତିର ସ୍ୱାଧୀନତା କିପରି ହ୍ରାସ ପାଉଛି ବୋଲି ଜାଭେଦ ଅଖତର ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି 'ଶୋଲେ'ର ସେହି ଦୃଶ୍ୟ ଲେଖିଥାନ୍ତେ, ଯେଉଁଥିରେ ହେମା ମାଳିନୀ ଧର୍ମେନ୍ଦ୍ରଙ୍କୁ ପଛରେ ଠିଆ କରେଇ ମନ୍ଦିରକୁ ଯାଉଛନ୍ତି, ତେବେ ସେ ଏବଂ ସଲିମ ଖାନ ଆଜି ସେହି ଦୃଶ୍ୟ ଲେଖି ନ ଥାନ୍ତେ। କାରଣ ଆଜିର ସମାଜରେ, ଯଦି କେହି ଏ ବିଷୟରେ ଖରାପ ଅନୁଭବ କରେ ତେବେ ଆପଣ ବୁଝିନେବେ ଯେ ଅଜ୍ଞାନତା ବୃଦ୍ଧି ପାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଅତୀତରେ କିଛି ଲୋକ ଥିଲେ ଯେଉଁମାନେ ସର୍ବଦା ଅସହିଷ୍ଣୁ ଥିଲେ। କିନ୍ତୁ ହିନ୍ଦୁମାନେ ସେପରି ନ ଥିଲେ। ହିନ୍ଦୁମାନଙ୍କ ବିଷୟରେ ବିଶେଷ କଥା ହେଉଛି ଯେ ସେମାନଙ୍କ ହୃଦୟରେ ସର୍ବଦା ମହାନତା ଥିଲା। କିନ୍ତୁ ଯଦି ଆପଣ ଏହାକୁ ଶେଷ କରିଦିଅନ୍ତି ତେବେ ଆପଣ ମଧ୍ୟ ଅନ୍ୟମାନଙ୍କ ପରି ହୋଇଯିବେ। ଆପଣମାନେ ଯେଉଁଭଳି ଜୀବନ ଜୀଇଛନ୍ତି ତାହା ଆମେ ଶିଖିଯାଇଛୁ। ଯଦି ଆପଣମାନେ ଏହାକୁ ଛାଡିଦେବେ ତେବେ ଏହା କାମ କରିବ ନାହିଁ। ମୁଁ ଏହି ମାଟିରେ ଜନ୍ମ ହୋଇଥିବାରୁ ଗର୍ବିତ।”

ଜାଭେଦ ଅଖତର କହିଛନ୍ତି ଯେ “ଯଦି ଆମେ ଭାରତ ଛାଡୁ, ତେବେ ଭୂମଧ୍ୟସାଗର ପର୍ଯ୍ୟନ୍ତ ଏମିତି କୌଣସି ଦେଶ ନାହିଁ ଗଣତାନ୍ତ୍ରିକ ବ୍ୟବସ୍ଥା ଅଛି। ଏଠାରେ ଗଣତନ୍ତ୍ର ଏଥିପାଇଁ ଅଛି କାରଣ ଏଠାରେ ଯିଏ ଯେମିତି ଚାହିଁବ ସେମିତି ଚିନ୍ତା କରିପାରିବ। ଯିଏ ମୂର୍ତ୍ତି ପୂଜାକରେ ସେ ହିନ୍ଦୁ, ଯିଏ ମୂର୍ତ୍ତି ପୂଜା ନ ପରେ ସେ ବି ଜଣେ ହିନ୍ଦୁ। ଯିଏ ଗୋଟିଏ ଈଶ୍ୱରଙ୍କୁ ବିଶ୍ୱାସ କରେ ସେ ଜଣେ ହିନ୍ଦୁ ଏବଂ ଯିଏ ଅନେକ ଦେବଦେବୀଙ୍କୁ ବିଶ୍ୱାସ କରେ ସେ ମଧ୍ୟ ଜଣେ ହିନ୍ଦୁ। ଯିଏ କାହାକୁ ପୂଜା କରେ ନାହିଁ ସେ ମଧ୍ୟ ଜଣେ ହିନ୍ଦୁ। ହିନ୍ଦୁ ସଂସ୍କୃତି ଆମକୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଦେଇଛି। ଏହି କାରଣରୁ ଭାରତରେ ଗଣତନ୍ତ୍ର ଜୀବିତ ରହିଛି।

Bollywood Javed Akhtar Lyricist
Advertisment
Advertisment