• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଖୁ ଦେଖୁ ଭାରତୀ ସିଂ କମେଡି ଜଗତର ଏକ ଚର୍ଚ୍ଚିତ ଚେହେରା ପାଲଟିଗଲେ । ଲୋକଙ୍କୁ ହସାଇବାରେ ଧୁରନ୍ଧର ଭାରତୀ । ଯାହାଙ୍କର ଏବେ ପୁରା ଦେଶରେ ଜବରଦସ୍ତ ନେମ୍‌ ଫେମ୍ ରହିଛି । ଫ୍ୟାନ୍‌ ଫଲୋଅର ମଧ୍ୟ କିଛି କମ୍‌ ନାହାନ୍ତି । କମେଡି ଦୁନିଆରେ ତାଙ୍କ ନାଁ ହିଁ ଏବେ ଯଥେଷ୍ଟ । ନିଜ କମେଡିରେ ସମସ୍ତଙ୍କୁ ହସେଇ ହସେଇ ବେଦମ କରୁଥିବା ଭାରତୀଙ୍କ ପାଖରେ ଏବେ ଅମାପ ଧନ ସମ୍ପତ୍ତି ରହିଛି ।

ଆମେ ସମସ୍ତେ ଜାଣୁ ଯେ, ଭାରତୀ ଏବେ ନିଜ କ୍ୟାରିଅରର ଏମିତି ଏକ ସୋପାନରେ ପହଞ୍ଚିସାରିଛନ୍ତି, ଯେଉଁଠି ତାଙ୍କର ଆଉ କୌଣସି ଅସୁବିଧା ନାହିଁ । ତାଙ୍କ ପାଖରେ କୌଣସି ଜିନିଷର ଅଭାବ ନାହିଁ । ହେଲେ ବୋଧହୁଏ ବହୁତ କମ୍ ଲୋକ ଜାଣିଥିବା ତାଙ୍କର ଷ୍ଟ୍ରଗଲ ଲାଇଫ୍‌ ବିଷୟରେ । ଆଜି ତାଙ୍କ ପାଖରେ ଯେଉଁ ସବୁ ଧନ ସମ୍ପତ୍ତି ରହିଛି ସେସବୁ ପାଇବା ପାଇଁ ତାଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଛି, ତାହା ଖୁବ୍‌ କମ୍‌ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ତାଙ୍କ ଷ୍ଟ୍ରଗଲ ଲାଇଫ୍‌ ବିଷୟରେ ।

କମେଡି କ୍ୱିନ୍‌ ଭାରତୀ ସିଂହଙ୍କ ଜୀବନରେ ଏମିତି ଏକ ସମୟ ଥିଲା ଯେତେବେଳେ ସେ ରୁଟି-ଲୁଣ ଖାଇ ନିଜ ଭୋକ ମେଣ୍ଟାଉଥିଲେ । ମାତ୍ର ଦୁଇ ବର୍ଷ ବୟସରେ ଭାରତୀ ନିଜ ବାପାଙ୍କୁ ହରାଇଥିଲେ । ଭାରତୀଙ୍କ ମାଆ ୧୭ ବର୍ଷ ବୟସରେ ବିବାହ କରିଥିଲେ ଏବଂ ୨୩ ବର୍ଷ ବୟସରେ ତାଙ୍କର ତିନୋଟି ସନ୍ତାନ ଥିଲେ ।

ଏକ ସାକ୍ଷାତକାର ସମୟରେ ଭାରତୀ ନିଜୀ ସଂଘର୍ଷର ଦିନ ବିଷୟରେ କହିଥିଲେ ଯେ, ତାଙ୍କ ପିତାଙ୍କ ମୃତ୍ୟୁ ପରେ ମାଆ ଦ୍ୱିତୀୟ ବିବାହ କରିନଥିଲେ । ଭାରତୀଙ୍କ ମାଆ ତିନି ପିଲାଙ୍କୁ ଏକାକୀ ପାଳିବାକୁ ନିଷ୍ପତ୍ତି ନେଇଥିଲେ ।

ଘର ଚଳାଇବା ପାଇଁ ଭାରତୀଙ୍କ ମାଆ କାରଖାନାରେ କମ୍ବଳ ସିଲେଇ କରିବା ଆରମ୍ଭ କରିଥିଲେ । ଟିକିଏ ଅଧିକ ରୋଜଗାର କରିବା ପାଇଁ, ସେ ଘରେ ମଧ୍ୟ ମାତା ରାଣୀଙ୍କ ଓଢ଼ଣୀ ସିଲେଇ କରୁଥିଲେ । ସବୁବେଳେ ଭାରତୀଙ୍କ ଘରୁ ମେସିନ୍ ଚାଲୁଥିବା ଶବ୍ଦ ଶୁଣିବାକୁ ମିଳିଥିଲା । ଏହା ଏମିତି ଏକ ସମୟ ଥିଲା ଯେତେବେଳେ ଭାରତୀଙ୍କ ପରିବାର ଲୁଣ-ରୁଟି ଖାଇ ଭୋକ ମେଣ୍ଟାଉଥିଲେ ।

କମେଡି ଦୁନିଆରେ ପ୍ରବେଶ କରିବା ପୂର୍ବରୁ ଭାରତୀଙ୍କ ଜୀବନରେ ଅନେକ ରାତି ଏମିତି ଥିଲା, ଯେତେବେଳେ ତାଙ୍କୁ ଭୋକିଲା ଶୋଇବାକୁ ପଡିଥିଲା । ଭାରତୀଙ୍କ ପରିବାର ଗରିବ ଥିଲା ସତ, କିନ୍ତୁ ଅନ୍ୟମାନଙ୍କ ତୁଳନାରେ ଖୁବ୍‌ ପ୍ରତିଭାବାନ ଥିଲେ ।

କଲେଜ ସମୟରେ ଭାରତୀ ପିସ୍ତଲ ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ରାଇଫଲ ସୁଟର ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପାଖରେ ତାଲିମ ନେବାକୁ ଟଙ୍କା ନଥିଲା । ସେଥିପାଇଁ ତାଙ୍କ ଅଧାରୁ କଲେଜ ପାଠ ପଢ଼ା ଛାଡ଼ିବାକୁ ପଡ଼ିଥିଲା ।

ପରିବାରକୁ ଦାରିଦ୍ର୍ୟରୁ ଉଦ୍ଧାର ପାଇଁ ଭାରତୀ କମେଡି କରିବାକୁ ପଞ୍ଜାବରୁ ମୁମ୍ବାଇ ଆସିଥିଲେ । କିନ୍ତୁ ଭାରତୀଙ୍କ ପାଇଁ ଏହି ରାସ୍ତା ସହଜ ନଥିଲା । ସେଠାରେ ଅନେକ ଲୋକ ଥିଲେ ଯେଉଁମାନେ ଭାରତୀଙ୍କ କମେଡି ଏବଂ ତାଙ୍କ ମୋଟାପଣକୁ ପରିହାସ କରୁଥିଲେ । କିନ୍ତୁ ଆଜି ଏମିତି ଏକ ସମୟ ଆସିଛି, ଯେଉଁଠି ଅଭିଭାବକ ନିଜ ପିଲାମାନଙ୍କୁ ଭାରତୀଙ୍କର ଉଦାହରଣ ଦିଅନ୍ତି ।