• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାଟ୍ରିକ ପରୀକ୍ଷା ଆରମ୍ଭରୁ ଅନୁପସ୍ଥିତ ପରୀକ୍ଷାର୍ଥୀ । ଫର୍ମ ଫିଲପ୍ କରିଛନ୍ତି, ଆଡମିଟ କାର୍ଡ ମିଳିଛି କିନ୍ତୁ ପରୀକ୍ଷା ଦେବାକୁ ଆସୁନାହାଁନ୍ତି । ଜଣେ କି ଦୁଇ ଜଣ ନୁହେଁ ୧୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ହଲ୍ ରେ ବସିନଥିବାରୁ ଉଠିଛି ପ୍ରଶ୍ନ ।ଦାଦନ, ନାବାଳିକା ବିବାହ ଓ ଆର୍ଥିକ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା କୁହାଯାଉଛି । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପରୀକ୍ଷା ପରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନିଆଯିବ ।

ଫର୍ମ ଫିଲପ୍ କଲେ, ଆଡମିଟ କାର୍ଡ ବି ଆସିଲା, କିନ୍ତୁ ପରୀକ୍ଷା ହଲକୁ ଆସିଲେନି ଛାତ୍ରଛାତ୍ରୀ । ମାଟ୍ରିକର ପ୍ରଥମ ଦିନ ମାତୃଭାଷା ପରୀକ୍ଷା ପରେ ଆସିଲା ଏଭଳି ଚିତ୍ର । ହଜାର ହଜାର ପରୀକ୍ଷାର୍ଥୀ ପ୍ରଥମ ଦିନରେ ଆସିନାହାଁନ୍ତି ପରୀକ୍ଷା କେନ୍ଦ୍ରକୁ । ପ୍ରାୟ ୧୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ଚଳିତ ବର୍ଷ ପରୀକ୍ଷା ଦେବାକୁ ପ୍ରଥମ ଦିନରେ ଆସିନାହାଁନ୍ତି । ନବରଙ୍ଗପୁରରେ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବାବେଳେ ପାରଳାଖେମୁଣ୍ଡିରେ ୨୪୪ ଜଣ ଅନୁପସ୍ଥିତ ଅଛନ୍ତି ।

ନବରଙ୍ଗପୁରରେ ବାଲ୍ୟ ବିବାହ ସଂଖ୍ୟା ଅଧିକ ଥିବାରୁ ଛାତ୍ରୀମାନେ ନାବାଳିକା ସମୟରୁ ହିଁ ବାହା ହୋଇଯାଉଛନ୍ତି । ଫଳରେ ପରୀକ୍ଷା ଦେଉନାହାଁନ୍ତି । ବିଶେଷ କରି ଉପାନ୍ତ ଜିଲ୍ଲା ଗୁଡ଼ିକରେ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅଧିକ । ସୋରୋ ବ୍ଲକର ମଦମୋହନ ସରସ୍ୱତୀ ବାଳିକା ହାଇସ୍କୁଲର ୫ଜଣ ଛାତ୍ରୀ ଫର୍ମ ଫିଲପ୍ କରି ପରୀକ୍ଷା ଦେଇନାହାଁନ୍ତି । ପ୍ରଧାନଶିକ୍ଷକ କହିଛନ୍ତି ଆର୍ଥିକ ସ୍ଥିତି ଭଲ ନଥିବାରୁ ଦୁଇ ଜଣ ନାବାଳିକାଙ୍କୁ ପରିବାର ଲୋକେ ବାହା କରାଇଦେଇଛନ୍ତି ।

ଅନ୍ୟମାନେ ଶିଶୁ ଶ୍ରମିକ ଭାବେ ବାହାରକୁ ଚାଲିଯାଇଛନ୍ତି । ଆଉ ଜଳେଶ୍ୱର ବାହାର୍ଦା ଗାଁର ନାରାୟଣ ଘଡାଇଙ୍କ ପୁଅ ବି ଫର୍ମ ଫିଲପ୍ କରିଥିଲା । କିନ୍ତୁ ଭୟରେ ପରୀକ୍ଷାର ଦୁଇ ଦିନ ପୂର୍ବରୁ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଛି । ପରୀକ୍ଷା ଦେବାକୁ ଆସୁନି ବୋଲି ବାପା କହିଛନ୍ତି । ପ୍ରତିବର୍ଷ ମାଟ୍ରିକ ପରୀକ୍ଷାରୁ ହଜାର ହଜାର ପରୀକ୍ଷାର୍ଥୀ ଗାୟବ ହେଉଛନ୍ତି । ବିଶେଷ କରି ସଚେତନତା ଅଭାବରୁ ଛାତ୍ରୀ ମାନେ ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି ।

ଆଉ ଏହା ପଛରେ ପ୍ରମୁଖ ତିନି କାରଣ ହେଲା, ଅଭିଭାବକଙ୍କ ସହ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା, ନାବାଳିକା ବିବାହ ଏବଂ ପିଲାଙ୍କ ପରୀକ୍ଷା ଭୟ । ସରକାରଙ୍କ ପକ୍ଷରୁ ଡ୍ରପ ଆଉଟ ହାର ରୋକିବାକୁ ଶିକ୍ଷକଙ୍କ ଡୋର ଟୁ ଡୋର ଭିଜିଟ୍ କାର୍ଯ୍ୟକ୍ରମ କରାଯାଉଛି । ତଥାପି ପରୀକ୍ଷାର୍ଥୀ ଫେରୁନାହାଁନ୍ତି ପରୀକ୍ଷା କେନ୍ଦ୍ରକୁ । ଅଭିଭାବକ ସଂଘ କହିଛି, ସରକାର ଦାଦନ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ଦୂର କରିବାର ଆବଶ୍ୟକତା ଅଛି ।

ଅପରପକ୍ଷେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ତଥ୍ୟ ସମ୍ପୂର୍ଣ୍ଣ ପରୀକ୍ଷା ଶେଷ ହେବା ପରେ ଜଣାପଡିବ । କିନ୍ତୁ କାହିଁକି ଅନୁପସ୍ଥିତ ରହିଲେ ପରୀକ୍ଷାର୍ଥୀ ତାହାର ତର୍ଜମା ନିଶ୍ଚିତ ହେବ । ସଚେତନତା ଅଭାବ ହେଉ କି ଆର୍ଥିକ ସମସ୍ୟା, ଏତେ ସଂଖ୍ୟକ ପରୀକ୍ଷାର୍ଥୀ କ୍ୟାରିୟରର ପ୍ରଥମ ସୋପାନରୁ ବାଦ ପଡିବା ଶିକ୍ଷା ବ୍ୟବସ୍ଥା ପ୍ରତି ଚାଲେଞ୍ଜ ନିଶ୍ଚିତ ।

ସୋରୋରୁ ନିରଞ୍ଜନ ବେହେରା, ଜଳେଶ୍ୱରରୁ ଅଜିତ ଦାସ, ନବରଙ୍ଗପୁରରୁ ନବଘନ ବିଷୋୟୀଙ୍କ ସହ ଜଗଦୀଶ ଦାସଙ୍କ ରିପୋର୍ଟ, ଓଟିଭି...

OTV is now on Whatsapp

Join and get latest news update delivered to you via whatsapp

Join Now