• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚତୁର୍ଥ ଲହରରେ ପୁଣି ଥରେ ଉପରମୁହାଁ ହେଲାଣି କରୋନା ଗ୍ରାଫ୍ । କୋଭିଡ୍‌ର ଏହି ସିଜିନ୍‌ରେ ଆଜି ପ୍ରଥମ ଥର ଲାଗି ୧ ହଜାର ଡେଇଁଛି ଦୈନିକ ସଂକ୍ରମଣ । ଏମିତିକି ଚତୁର୍ଥ ଲହରରେ ରାଜ୍ୟରେ ଦ୍ୱିତୀୟ ମୁଣ୍ଡ ନେଇଛି କରୋନା । ରେଡ୍ ଜୋନ୍‌ରେ ରହିଛି ୫ ଜିଲ୍ଲା ଓ ୟେଲୋ ଜୋନ୍‌ରେ ରହିଛି ୪ ଜିଲ୍ଲା । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କରୋନା ବଢ଼ୁଛି, କିନ୍ତୁ ହସ୍ପିଟାଲାଇଜେସନ୍ ସ୍ଥିତି ସ୍ୱାଭାବିକ ରହିଛି । ଉଚିତ୍ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯିବ । ତେବେ ବର୍ଦ୍ଧିତ ସଂକ୍ରମଣକୁ ଦେଖି ୱାର୍ଡସ୍ତରରେ କୋଭିଡ୍ ନିୟନ୍ତ୍ରଣ ଲାଗି ରଣନୀତି ଆପଣେଇଛି ଭୁବନେଶ୍ୱର ମହାନଗର ନିଗମ(BMC) । ଏସବୁ ଭିତରେ ଆଜିଠୁ ୧୮ରୁ ୫୯ ବର୍ଷ ବୟସ ବର୍ଗଙ୍କ ଲାଗି ଆରମ୍ଭ ହୋଇଛି ମାଗଣା ପ୍ରିକସନ୍ ଡୋଜ୍ ।

ରାଜ୍ୟରେ ବେକାବୁ ମହାମାରୀ କୋଭିଡ୍ । ମାରିଛି ଲମ୍ବଡିଆଁ । ହଜାରେ ପାର୍ କରିଛି ଦୈନିକ ସଂକ୍ରମଣ । ମାତ୍ର ୧୦ ଦିନ ଭିତରେ ଦୈନିକ ସଂକ୍ରମଣ ଟପିଗଲାଣି ୩ ଗୁଣାରୁ ଅଧିକ । ଜୁଲାଇ ୫ରେ ରାଜ୍ୟରେ ଦୈନିକ ସଂକ୍ରମଣ ୩୩୪ ଥିଲାବେଳେ ଆଜି ୧ ହଜାର ୪୩ରେ ପହଞ୍ଚିଲାଣି ସଂକ୍ରମଣ । ଆଉ ସବୁଦିନ ଭଳି ଟେନ୍‌ସନ୍‌ ବଢ଼ାଉଛି ଖୋର୍ଦ୍ଧା । ସଂକ୍ରମଣ କମିବାର ନାଁ ହିଁ ନେଉନାହିଁ । ଆଜି ଚିହ୍ନଟ ନୂଆ କରେନା ପଜିଟିଭ୍‌ଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦୫ ଓ ସୁନ୍ଦରଗଡ଼ରୁ ୧୦୬ ଜଣ ଚିହ୍ନଟ ହୋଇଛନ୍ତି ।

ଚତୁର୍ଥ ଲହରରେ ରାଜ୍ୟରେ ଦ୍ୱିତୀୟ ଜୀବନ ନେଇଛି ଅଦୃଶ୍ୟ ଭୂତାଣୁ । ସୁନ୍ଦରଗଡ଼ ଜିଲ୍ଲାର ଜଣେ ୮୨ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ସରକାରୀ ଭାବେ କୋଭିଡ୍ ମୃତ୍ୟୁ ସଂଖ୍ୟା ୯ ହଜାର ୧୨୮କୁ ବୃଦ୍ଧି ପାଇଛି । ଏପଟେ ଟେଷ୍ଟ ପଜିଟିଭିଟି ଆଧାରରେ ଆଜି ରାଜ୍ୟର ୫ ଜିଲ୍ଲା ରେଡ୍ ଜୋନ୍‌ରେ ରହିଛି ।

 

ପୂର୍ବରୁ ଖୋର୍ଦ୍ଧା, କଟକ ରେଡ୍ ଜୋନ୍‌ରେ ଥିବା ବେଳେ ଆଜି ଏହି ଲିଷ୍ଟରେ ଯୋଡ଼ିହୋଇଛି ବୌଦ୍ଧ, ସୋନପୁର ଓ ସୁନ୍ଦରଗଡ଼ । ତେବେ ପୁରୀ ଜିଲ୍ଲା ରେଡ୍ ଜୋନ୍‌ରୁ ବାହାରି ୟେଲୋ ଜୋନ୍‌ରେ ପହଞ୍ଚିଥିବା ବେଳେ ଜଗତସିଂହପୁର,ସମ୍ବଲପୁର ଓ ଗଜପତି ମଧ୍ୟ ୟେଲୋ ଜୋନ୍‌ରେ ରହିଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ ସଂକ୍ରମଣ ସହ ଟେଷ୍ଟ ପଜିଟିଭିଟି ରେଟ୍ ବଢ଼ୁଛି, ହେଲେ ହସ୍ପିଟାଲାଇଜେସନ୍ ସ୍ଥିତି ଉଦ୍‌ବେଗଜନକ ନାହିଁ । ଆବଶ୍ୟକ ପଡ଼ିଲେ ଭିତ୍ତିଭୂମି ବଢ଼ାଇବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଏମିତିି ସ୍ଥିତିକୁ ଦେଖି ସ୍କୁଲ, କଲେଜ ବନ୍ଦ କରାଯିବ କି ନାହିଁ, ଉଚିତ୍ ସମୟରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।  

ଏସବୁ ଭିତରେ ଆଜି ରାଜ୍ୟରେ ଆରମ୍ଭ ହୋଇଛି ୧୮ରୁ ୫୯ ବର୍ଷ ବୟସ୍କଙ୍କ ମାଗଣା ପ୍ରିକସନ୍ ଡୋଜ୍ ଟିକାକରଣ । ରାଜ୍ୟର ୨ ହଜାର ୩୨୦ ଟିକାକରଣ କେନ୍ଦ୍ରରେ ଚାଲିଛି ଟିକାକରଣ । କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ଟିକା ନେବାକୁ ରାଜ୍ୟର ସବୁ ଜାଗାରେ ଦେଖିବାକୁ ମିଳୁଛି ଲୋକଙ୍କ ଲମ୍ବା ଲାଇନ୍ । ଏ ସମ୍ପର୍କରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି, ଏବେ ରାଜ୍ୟରେ ୧୩ ଲକ୍ଷ ଡୋଜ୍ ଟିକା ମହଜୁଦ ଅଛି । ଏ ବର୍ଗଙ୍କ ଟିକାକରଣ ଲାଗି ଅଧିକ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ । ଉଭୟ ଅନ୍‌ଲାଇନ୍ ଓ ଅନ୍‌ସାଇଟ୍‌ ପଞ୍ଜୀକରଣ ଜରିଆରେ ଏହି ବୟସ ବର୍ଗଙ୍କ ଟିକାକରଣ ଚାଲିଛି। 

ତେବେ ଏହି ମାଗଣା ଟିକାକରଣ ମାତ୍ର ୭୫ ଦିନର ଅଭିଯାନ ହୋଇଥିବାରୁ ୧୮ରୁ ୫୯ ବର୍ଷ ବୟସ ବର୍ଗର ସବୁ ଲୋକଙ୍କୁ ଟିକାକରଣ କରାଇବା କଷ୍ଟକର ହୋଇପାରେ । ତେବେ ଏଥିପାଇଁ ରାଜ୍ୟର ଟିକାକରଣ କେନ୍ଦ୍ର ସଂଖ୍ୟା ୩ ହଜାରକୁ ବଢାଇବା ସହ କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନରେ କ୍ୟାମ୍ପ କରି ଟିକା ଦିଆଯିବ ।

ତେବେ ରାଜ୍ୟର ସର୍ବାଧିକ କୋଭିଡ୍ ରୋଗୀ କେବଳ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଉଥିବାରୁ ଅଧିକ ସଜାଗ ହୋଇଛି ଭୁବନେଶ୍ୱର ମହାନଗର ନିଗମ । ୱାର୍ଡ ସ୍ତରରେ କର୍ପୋରେଟର, ୱାର୍ଡ ଅଫିସର ଓ ନାଗରିକଙ୍କୁ ନେଇ ସ୍ୱତନ୍ତ୍ର କମିଟି କରି କୋଭିଡ୍ ନିୟନ୍ତ୍ରଣ ଲାଗି ରଣନୀତି ଆପଣେଇଛି BMC । ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ରାଜଧାନୀରେ ଟିକାକରଣ ତ୍ୱରାନ୍ୱିତ କରିବା ସହ ଟେଷ୍ଟିଂ ଦ୍ୱିଗୁଣିତ କରିବାକୁ ଗୁରୁତ୍ୱ ଦିଆଯାଇଛି । ବିନା ମାସ୍କରେ ପ୍ରବେଶ ଲାଗି ଅନୁମତି ନ ଦେବାକୁ ମଲ୍‌ ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । 

ସେପଟେ ଆଜି ଦ୍ୱିତୀୟ ଦିନ ଲାଗି ଦେଶରେ ୨୦ ହଜାର ଉପରେ ରହିଛି ଦୈନିକ ସଂକ୍ରମଣ । ଏମିତିକି ଆଉ ୪୭ ଜଣଙ୍କ ଜୀବନ ନେଇଛି ମହାମାରୀ ।

ରିପୋର୍ଟର- କପିଳେନ୍ଦ୍ର ପ୍ରଧାନ