• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: କ୍ଷୀପ୍ର ବେଗରେ ମାଡ଼ି ଚାଳିଛି ଓମିକ୍ରନ୍‌ । ହେଲେ ଏହା ଡେଲ୍‌ଟା ଭଳି କ୍ଷତିକାରକ ନୁହେଁ । ସାରା ବିଶ୍ୱ ଏବେ ଓମିକ୍ରନ୍‌ ଭ୍ୟାରିଏଣ୍ଟକୁ ନେଇ ଚିନ୍ତାରେ ପଡ଼ିଥିବା ବେଳେ ବିଶ୍ୱର ବଡ଼ ବଡ଼ ବିଶେଷଜ୍ଞମାନେ ଏନେଇ ମତ ପ୍ରକାଶ କରିଛନ୍ତି । ତାଙ୍କ କହିବାନୁଯାୟୀ ଓମିକ୍ରନ୍‌ର ସଂକ୍ରମଣ କ୍ଷମତା ଅଧିକ, ଏହା ସତ । ହେଲେ ଡେଲ୍‌ଟା ଭଳି କ୍ଷତିକାରକ ନୁହେଁ । ବିଶେଷଜ୍ଞ ଶହିଦ ଜମିଲଙ୍କ କହିବାନୁଯାୟୀ ଓମିକ୍ରନ୍‌ର ସଂକ୍ରମଣ କ୍ଷମତା ଦେଖିଲେ ଦେଶରେ ସଂକ୍ରମଣ ସଂଖ୍ୟା କ୍ଷୀପ୍ର ଗତିରେ ବଢ଼ିବାର ଭୟ ରହିଛି । ଡ. ଜମିଲ କହିଛନ୍ତି ଯେ, ଭାରତରେ ଡିସେମ୍ବର ପରିସ୍ଥିତି ମାର୍ଚ୍ଚଠାରୁ ଭିନ୍ନ ରହିବ ।

ନ୍ୟୁଜ୍ ଏଜେନ୍ସି ଆଇଏନ୍‌ଏସ୍‌କୁ ସେ କହିଛନ୍ତି, ଦ୍ୱିତୀୟ ଲହରରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ହୋଇଯାଇଥିଲା । ସେତେବେଳେ ଟୀକାକରଣ ସଂଖ୍ୟା ମଧ୍ୟ ଖୁବ୍‌ କମ୍ ଥିଲା । ଯାହା ଫଳରେ ଆମ ଭିତରୁ ଅନେକ ଲୋକ ଭାଇରସ୍‌ ଦ୍ୱାରା ସଂକ୍ରମିତ ମଧ୍ୟ ହୋଇଥିଲେ ।

ସେ ଆହୁରି କହିଛନ୍ତି, ବର୍ତ୍ତମାନ ଏହା କହିବା ଭୁଲ ହୋଇପାରେ କିନ୍ତୁ ଯଦି ଆପଣ ଭାରତରେ ଡେଲ୍ଟାର ସଂକ୍ରମଣ ସ୍ପିଡ୍‌କୁ ଓମିକ୍ରନ୍ ସହ ତୁଳନା କରନ୍ତି, ତେବେ ପରିସ୍ଥିତି ଭିନ୍ନ ରହିବ । ଯେତେବେଳେ ଭାରତରେ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଥିଲା ସେତେବେଳେ ଖୁବ୍ କମ୍ ଲୋକଙ୍କ ଟିକାକରଣ କରାଯାଇଥିଲା ।

୭୭ଟି ଦେଶରେ ଓମିକ୍ରନ୍‌

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍, ଏବେ ବିଶ୍ୱର ପ୍ରାୟ ୭୭ଟି ଦେଶରେ ପହଞ୍ଚିସାରିଛି । ଡେଲ୍‌ଟାଠାରୁ ଅଧିକ ସଂକ୍ରମଣ କ୍ଷମତା ରଖୁଥିବା ଏହି ଓମିକ୍ରନ୍‌, ଏବେ ସୁଦ୍ଧା ଆମେରିକାର ୩୫ଟି ରାଜ୍ୟରେ ନିଜର ଜାଲ ବିଛାଇ ସାରିଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା କରିଛି ଯେ, ଓମିକ୍ରନ୍‌ ମାମଲା ବୃଦ୍ଧିକୁ ଦେଖିଲେ ଆଗାମୀ ଦିନରେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି ।

ଆମେରିକାର ଜଣେ ଅଧିକାରୀଙ୍କ ଅନୁଯାୟୀ, ଓମିକ୍ରନ୍ ଯୋଗୁଁ ଦେଶରେ ଆସନ୍ତା ମାସ ସୁଦ୍ଧା ନୂଆ ଲହର ଆସିବାର ସମ୍ଭାବନା ରହିଛି । ଅନ୍ୟପଟେ ୟୁରୋପ କମିଶନ ସଭାପତି ଉର୍ସୁଲା ୱାନ୍ ଡେର ଲେନ୍ ବୁଧବାର କହିଛନ୍ତି ଯେ, ଜାନୁଆରୀ ସୁଦ୍ଧା ଓମିକ୍ରନ୍ ୟୁରୋପରେ ନିଜର ପ୍ରଭାବ ବିସ୍ତାର କରିପାରେ । ଏବେ ୟୁରୋପରେ କରୋନାର ଡେଲଟା ଭ୍ୟାରିଏଣ୍ଟ ମଧ୍ୟ ବେଶ ପ୍ରଭାବଶାଳୀ ରହିଛି ।

ଚାଇନାରେ ମଧ୍ୟ ଓମିକ୍ରନ୍‌

ଚୀନ୍‌ରେ ମଧ୍ୟ ଚଳିତ ସପ୍ତାହରେ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି । WHO ଅଧିକାରୀଙ୍କ କହିବାନୁଯାୟୀ, ଓମିକ୍ରନ୍ କାରଣରୁ ଗତ ସପ୍ତାହରେ ଆଫ୍ରିକାରେ କରୋନା ମାମଲାରେ ୮୩ ପ୍ରତିଶତ ବୃଦ୍ଧି ଘଟିଛି ।