• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡେହରାଡୁନ୍: ଆଗକୁ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ । ଏଥିପାଇଁ ସବୁ ଦଳ ଏବେ ବେଶ୍‌ ଆକ୍ଟିଭ୍‌ ରହିଛନ୍ତି । ଘନ ଘନ ରାଲି ସାଙ୍ଗକୁ ବାହାରିଆ ନେତାଙ୍କ ଆଡ୍ଡା ଜମୁଛି ଉତ୍ତରାଖଣ୍ଡରେ । ଏହି କ୍ରମରେ କଂଗ୍ରେସ ବି ପଛରେ ପଡ଼ିନି । କଂଗ୍ରେସ ଖେଳିଛି ନୂଆ ଚାଲ୍‌ । ଉତ୍ତରାଖଣ୍ଡରେ ସୈନିକ ଓ ତାଙ୍କ ପରିବାରର ଭୋଟ ହାତେଇବା ପାଇଁ କଂଗ୍ରେସ କରିଛି ଜବରଦସ୍ତ ଗେମ୍‌ ପ୍ଲାନ୍‌ । କଂଗ୍ରେସ ପକ୍ଷରୁ ଡେହରାଡୁନ୍‌ ପରେଡ ପଡ଼ିଆରେ ଆୟୋଜନ କରାଯାଇଛି ଏକ ବିଶାଳ ସମାବେଶ । ଏଥିରେ ରାହୁଲ ଗାନ୍ଧିଙ୍କ ସହ କଂଗ୍ରେସର ଅନେକ ବଡ଼ ବଡ଼ ନେତା ସାମିଲ ଅଛନ୍ତି ।

ତେବେ ସବୁଠାରୁ ବଡ଼ କଥା ହେଲା ଗାନ୍ଧୀ ପରିବାରର ନେତାଙ୍କ ସହ ଜେନେରାଲ ବିପିନ ରାୱତଙ୍କ ବଡ଼ ବଡ଼ କଟ-ଆଉଟ ଏହି ସମାବେଶ ସ୍ଥଳରେ ଲଗାଯାଇଛି । କେବଳ ଏତିକି ନୁହେଁ, ଅତୀତରେ ଚପର ଦୁର୍ଘଟଣାରେ ସହିଦ ହୋଇଥିବା ସମସ୍ତ ସୈନିକଙ୍କ ଚିତ୍ର ମଧ୍ୟ ସେଠାରେ ଦେଖିବାକୁ ମିଳିଛି । ସୈନିକଙ୍କ ସମ୍ମାନାର୍ଥେ 'ବିଜୟ ସାମ୍ମାନ ରାଲି'ର ଆୟୋଜନ କରିଥିବା କଂଗ୍ରେସ, ସାମରିକ ପରିବାରର ଭୋଟକୁ ହାତେଇବା ପାଇଁ ଏହି ଚାଲ୍‌ ଖେଳିଥିବା ସ୍ପଷ୍ଟ ବାରି ହେଉଛି ।

୧୯୭୧ ଯୁଦ୍ଧରେ ସାମିଲ ପୂର୍ବତନ ସୈନିକଙ୍କ ସମ୍ମାନାର୍ଥେ ଆୟୋଜିତ ଏହି ରାଲିରେ, ଗୋଟିଏ ପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବଡ଼ କଟଆଉଟ୍ ଲଗାଯାଇଥିବା ବେଳେ ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ କଟଆଉଟ ଲାଗିଛି । ଖାଲି ସେତିକି ନୁହେଁ ରାହୁଲ ଗାନ୍ଧିଙ୍କ କଟଆଉଟ୍‌ ଆକାରଠାରୁ ବଡ଼ ଜେନେରାଲ ରାୱତଙ୍କ କଟଆଉଟ୍‌ ମଧ୍ୟ ଏଠାରେ ଲଗାଯାଇଛି । ଉତ୍ତରାଖଣ୍ଡରେ, କାର୍ଯ୍ୟରତ ସୈନିକଙ୍କ ସହ ପୂର୍ବ ସୈନିକଙ୍କ ପରିବାର ଭୋଟ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏହିସବୁ ଭୋଟ ହାତେଇବା ଲକ୍ଷ୍ୟରେ ବିଜେପି ମଧ୍ୟ ବୁଧବାର ସୈନ୍ୟ ଧାମର ଶିଳାନ୍ୟାସ କରିଛି । ​​ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ମାରକୀର ପ୍ରବେଶ ଦ୍ୱାରକୁ ଜେନେରାଲ ରାୱତଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି । ଗତକାଲି ବିଜେପି ପକ୍ଷରୁ ମଧ୍ୟ ୨୦୦ ସୈନ୍ୟ ପରିବାରକୁ ସମ୍ମାନିତ କରାଯାଇଛି ।

କ’ଣ କହୁଛି କଂଗ୍ରେସ !

ଜେନେରାଲ ରାୱତଙ୍କ କଟ୍ଆଉଟ୍ ଲଗାଯିବା ନେଇ ଉତ୍ତରାଖଣ୍ଡ କଂଗ୍ରେସ ସଭାପତି ଗଣେଶ ଗୋଦିୟାଲ କହିଛନ୍ତି ଯେ, ତାଙ୍କ ଦଳ ସବୁବେଳେ ସୈନିକମାନଙ୍କୁ ସମ୍ମାନ ଦେଇଆସିଛି । ଗୋଦିୟାଲ କହିଛନ୍ତି, 'ଜେନେରାଲ ରାୱତ ଦେଶର ଗର୍ବ । ସେ ଉତ୍ତରାଖଣ୍ଡ ସହ ଜଡ଼ିତ । ନିଜ ରାଜ୍ୟର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରୁଥିଲେ । ତାଙ୍କର କଟ୍ଆଉଟ୍ ଲଗାଇ କଂଗ୍ରେସ ଏହି ମହାନ ସୈନିକଙ୍କ ପ୍ରତି ସମ୍ମାନ ଜଣାଇଛି ।’