• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨୦୨୩-୨୪ ବର୍ଷ ଲାଗି ଆୟକର ରିଟର୍ଣ୍ଣ ଦାଖଲରେ ରେକର୍ଡ । ଜୁଲାଇ ୩୧ ତାରିଖ ସୁଦ୍ଧା ୬ କୋଟି ୭୭ ଲକ୍ଷରୁ ଅଧିକ ଆୟକର ଦାତା ରିଟର୍ଣ୍ଣ ଫାଇଲ କରିଛନ୍ତି । ଗତ ୩୧ ତାରିଖ ଥିଲା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲର ଶେଷ ଦିନ। ଗତବର୍ଷ ଅପେକ୍ଷା ଏଥର ୧୬.୧ ପ୍ରତିଶତ ଅଧିକ ରିଟର୍ଣ୍ଣ ଫାଇଲ୍ ହୋଇଛି । ଶେଷ ଦିନ ସୋମବାରରେ ଅର୍ଥାତ ଗୋଟିଏ ଦିନରେ ୬୪ ଲକ୍ଷ ୩୩ ହଜାର ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ହୋଇଛି ।

ସେହିପରି ପ୍ରଥମ ଥର ପାଇଁ ୫୩ ଲକ୍ଷ ୬୭ ହଜାର ନୂଆ ଆୟକର ଦାତା ରିଟର୍ଣ୍ଣ ଫାଇଲିଂ କରିଛନ୍ତି । ଜୁଲାଇ ୧ରୁ ୩୧ ତାରିଖ ମଧ୍ୟରେ ଇ-ପୋର୍ଟାଲରେ ସଫଳତାର ସହ ୩୨ କୋଟି ଲଗଇନ୍ କରାଯାଇଛି । ଏହାମଧ୍ୟରୁ କେବଳ ଶେଷ ଦିନ ଅର୍ଥାତ ଗତ ୩୧ ତାରିଖରେ ୨ କୋଟି ୭୪ ଲକ୍ଷ ଲଗଇନ୍ ହୋଇଛି। ସେହିପରି ଇ-ଫାଇଲିଂ ହେଲପ ଡେସ୍କ ପକ୍ଷରୁ ୫ ଲକ୍ଷରୁ ଅଧିକ ଆୟକର ଦାତା ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛି ।

ନିର୍ଦ୍ଧାରିତ ସମୟ ଭିତରେ ରିଟର୍ଣ୍ଣ ଫାଇଲ ନକଲେ କ’ଣ ହେବ ?

ଆୟକର ବିଶେଷଜ୍ଞଙ୍କ ମତରେ, ଜୁଲାଇ ୩୧ ଡେଡଲାଇନ୍ ପରେ ବି ଡିସେମ୍ବର ୩୧ ଯାଏଁ ରିଟର୍ଣ୍ଣ ଫାଇଲ୍ କରିପାରିବେ କରଦାତା । ହେଲେ ଏଥିପାଇଁ ଗଣିବାକୁ ପଡ଼ିବ ୫ ହଜାର ଟଙ୍କାର ଲେଟ୍ ଫି’। କିନ୍ତୁ ଯେଉଁ କରଦାତାଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ୍, ସେମାନଙ୍କ ଲାଗି ଲେଟ୍ ଫି’ ୧ ହଜାର ଟଙ୍କା ରହିବ। ତେବେ ଛାଡ଼ ସୀମା ତଳେ ଥିବା କରଦାତାଙ୍କ ଲାଗି ଲାଗିବନି ଲେଟ୍ ଫି’। ସେହିପରି ରିଟର୍ଣ୍ଣ ଦାଖଲରେ ବିଳମ୍ବ ହେଲେ, କରଯୋଗ୍ୟ ଆୟ ଉପରେ ଆୟକର ବିଭାଗ ମାସିକ ୧% ହାରରେ ସୁଧ ଲଗାଇପାରିବ । ଖାଲି ସେତିକି ନୁହେଁ, ଆୟକର ରିଟର୍ଣ୍ଣ ଦାଖଲରେ ବିଫଳତା ଲାଗି କରଦାତାଙ୍କୁ ୬ ମାସରୁ ୭ ବର୍ଷ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ ।

ଭୁଲ୍ ତଥ୍ୟ ଦାଖଲ କରୁଥିଲେ, ସାବଧାନ..

ରିଟର୍ଣ୍ଣ ବେଳେ ଭୁଲ୍ ତଥ୍ୟ ଦାଖଲ କରୁଥିବା ଆୟକରଦାତା ସାବଧାନ ! କାରଣ ଚଳିତ ବର୍ଷରୁ ଆୟକର ରିଟର୍ଣ୍ଣ ଯାଞ୍ଚରେ ସାମିଲ ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ- AI । ଏହି AI ସଫ୍ଟୱେର କରଦାତାଙ୍କ ପାନ୍ ଓ ଆଧାର କାର୍ଡ ସହ ଜଡ଼ିତ ସମସ୍ତ ବ୍ୟାଙ୍କ ଓ ଆର୍ଥିକ କାରବାର ସମ୍ବନ୍ଧୀୟ ତଥ୍ୟ ଏକତ୍ରିତ କରିବ । ଏହା ଡେବିଟ କାର୍ଡ, କ୍ରେଡିଟ କାର୍ଡ, ଭିସା, ପାସପୋର୍ଟ ସହ ଜଡ଼ିତ ତଥ୍ୟକୁ ଆନାଲିସିସ୍ କରି କରଦାତାଙ୍କ ଟ୍ରାଭେଲ ତଥ୍ୟ ଯାଞ୍ଚ କରିବ।