Advertisment

ଶ୍ରାବଣରେ ତ୍ରାହି ତ୍ରାହି ଡାକୁଛି କ୍ଷେତ, ୧୧ ଜିଲ୍ଲାରେ ସ୍ଥିତି ସଂଗୀନ !

କଣ୍ଟିଜେନସି ପ୍ଲାନ କରାଯାଇଥିବା SRCଙ୍କ ସୂଚନା । ଏଥର ମରୁଡ଼ି ପରିସ୍ଥିତି ପଛରେ ଲଘୁଚାପ ଅଭାବ କହିଛି ପାଣିପାଗ ବିଭାଗ ।

author-image
Satyendu Shekher Mishra
undefined

Drought

ଶ୍ରାବଣରେ ଚାଷୀ କାନ୍ଦୁଛି । ଧାନ କ୍ଷେତ ତ୍ରାହି ତ୍ରାହି ଡାକୁଛି । ଆକାଶରେ ମେଘ ମାଳ ମାଳ ସତ୍ତ୍ୱେ ମୌସୁମୀର ଲୁଚକାଳି ଖେଳରେ ଚାଷୀକୂଳ ହତାଶ । ଦିନେ ଦୁଇ ଦିନରେ ବର୍ଷା ନହେଲେ ମରୁଡ଼ି ନିଶ୍ଚିତ । ଅଗଷ୍ଟରେ ନିଅଣ୍ଟିଆ ବର୍ଷା ତାଲିକାର ସର୍ବାଗ୍ରେ ଥିବା ଜିଲାମାନଙ୍କ ମଧ୍ୟରୁ କଳାହାଣ୍ଡିର କୋକସରା ବ୍ଲକ ଅନ୍ୟତମ । ଏଠି ଠିଆ ଜଳି ଯାଉଛି ରୁଆ ଧାନ,ଜମି ଫାଟି ଆଁ କରିଛି। ଏସନ ଚାଷ ଆଉ ସମ୍ଭବ ନୁହେଁ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଯିବା ପରେ ଜମିରେ ଗୋରୁ ଛାଡ଼ି ଦେଲେଣି ଚାଷୀ।

Advertisment

ମୌସୁମୀ ଋତୁରେ ୩୬ ପ୍ରତିଶତ କମ୍ ବର୍ଷାର ସମ୍ମୁଖୀନ ହୋଇଥିବା କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା, କୋକସରା ଓ ଧର୍ମଗଡ଼ ବ୍ଲକ୍‌ରେ ଧାନ ଚାଷର ସଂଗୀନ ସ୍ଥିତି ଉପୁଜିଛି । ନୂଆପଡ଼ା ଜିଲ୍ଲାରେ ବି ସମାନ ଚିତ୍ର । ଆକାଶରେ ମେଘ ମାଳ ମାଳ ଥିଲେ ବି ତଳେ କିନ୍ତୁ ଧାନ ଜମିର ବିକଳ ସ୍ଥିତି । ଚଷାପୁଅର ଛାତି ବିଦାରି ଦେଉଛି ।

ଜିଲ୍ଲା କୃଷି ବିଭାଗ ଡିଜିଟାଲ ସର୍ଭେ ମାଧ୍ୟମରେ ମରୁଡ଼ି ସ୍ଥିତିର ଆକଳନ କରୁଥିବା କହିଛି । ଏଣେ ଉତ୍ତର ଓ ଉପକୂଳ ଓଡ଼ିଶାର ବି ନିଅଣ୍ଟିଆ ବର୍ଷା ଯୋଗୁଁ ଧାନ ଫସଲ ମରିବାକୁ ବସିଲାଣି। ଇଏ ଭଦ୍ରକ ଚାନ୍ଦବାଲିର ଦୃଶ୍ୟ। ଆଖି ଆଗରେ ଧାନ ଗଛ ଜଳିଯାଉଛି,ଚାଷୀ କ୍ଷେତକୁ ଚାହିଁ ପାରୁନି।

Advertisment

ଏସନ ମୌସୁମୀ ଋତୁରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଚାଷୀକୂଳକୁ ଉଛନ୍ନ କରିଛି । ଏସଆରସିଙ୍କ ତଥ୍ୟ ଅନୁସାରେ ଗତ ତିନି ମାସରେ ରାଜ୍ୟରେ ୧୧ଟି ଜିଲ୍ଲାରେ ହୋଇଛି ନିଅଣ୍ଟିଆ ବର୍ଷା। ନବରଙ୍ଗପୁରରେ ସର୍ବାଧିକ ୪୧ ପ୍ରତିଶତ ଥିବାବେଳେ କେନ୍ଦ୍ରାପଡାରେ ୩୭,କଳାହାଣ୍ଡିରେ ୩୬ ଓ ଗଞ୍ଜାମରେ ୩୫ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି।

ଏଥିସହ ରାୟଗଡ଼ା,କୋରାପୁଟ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକରେ ବି ନିଅଣ୍ଟିଆ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି କଣ୍ଟିଜେନ୍ସି ପ୍ଲାନ କରାଯାଇଥିବା ସୂଚନା ଦେଇଛନ୍ତି ଏସଆରସି। ତେବେ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଅଗଷ୍ଟରେ ୧୪ ପ୍ରତିଶତ କମ୍ ବର୍ଷା ହୋଇଛି।

ସେପଟେ ଏକ ଆଶ୍ୱସ୍ତିକର ଖବର କ୍ରମେ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ୨ ତାରିଖରୁ କିଛି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ୪ ତାରିଖରେ ସାରା ରାଜ୍ୟରେ ବିସ୍ତୃତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ତେବେ ଚଳିତ ବର୍ଷ ମରୁଡ଼ି ପରିସ୍ଥିତି ଉପୁଜିବା ପଛରେ ଲଘୁଚାପ ଅଭାବକୁ କାରଣ ଦର୍ଶାଇଛନ୍ତି ପାଣିପାଗ ବିଶେଷଜ୍ଞ । ସେ କହିଛନ୍ତି ସାଧାରଣତଃ ଜୁଲାଇରେ ୪ଟି ଓ ଅଗଷ୍ଟରେ ୪ଟି ଲଘୁଚାପ ସୃଷ୍ଟି ହୋଇଥାଏ, ହେଲେ ଏବର୍ଷ ଏସବୁ ମାସରେ ମାତ୍ର ଗୋଟିଏ ଲେଖାଏଁ ଲଘୁଚାପ ହୋଇଛି । ଏବେ ଚାଷୀଙ୍କ ଶେଷ ଆଶା ସେପ୍ଟେମ୍ବର ୨ ତାରିଖଠୁ ହେବାକୁ ଥିବା ବର୍ଷା।

Weather Update Rain Alert Weather News Drought
Advertisment
Advertisment