• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସୁଛି ଲଘୁଚାପ ଜନିତ ବଡ଼ବର୍ଷା । ସାଂଘାତିକ ପ୍ରଭାବିତ ହୋଇପାରେ ସାରା ରାଜ୍ୟ । କାଲିଠୁ ୩ ଦିନ ଧରି ଅବିଶ୍ରାନ୍ତ ବର୍ଷାରେ କେଉଁଠି ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହୋଇପାରେ ତ କେଉଁ ତଳିଆ ଅଞ୍ଚଳରେ ଦେଖାଦେଇପାରେ ଜଳବନ୍ଦୀ ସମସ୍ୟା । ସମ୍ଭାବ୍ୟ ବର୍ଷାକୁ ଦେଖି ୧୩ରୁ ୧୫ ତାରିଖ ଯାଏଁ ସବୁ ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ ।

ଏହାରି ଭିତରେ ଉପରମୁଣ୍ଡରେ ବର୍ଷା ଯୋଗୁଁ ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ରୁ ୨୦ଟି ଗେଟ୍ ଦେଇ ପାଣି ଛଡ଼ାଯାଉଛି । ଆବଶ୍ୟକ ପଡ଼ିଲେ ଆହୁରି ଗେଟ୍ ଖୋଲାଯିବ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ । ଏଭଳି ଯଦି ହୁଏ, ତାହେଲେ ତଳମୁଣ୍ଡରେ ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ତେବେ ବନ୍ୟା ଆଶଙ୍କା ନାହିିଁ ବୋଲି କହିଛି ଜଳସମ୍ପଦ ବିଭାଗ ।

ବର୍ଷିବ ନିର୍ଧୁମ ବର୍ଷା । ୬୫ କିଲୋମିଟର ବେଗରେ ବହିବ ପବନ । ପାହାଡ଼ି ଇଲାକାରେ ହୋଇପାରେ ଭୁସ୍ଖଳନ । ତଳିଆ ଅଞ୍ଚଳରେ ଉପୁଜିପାରେ ଜଳବନ୍ଦୀ ସମସ୍ୟା । କାରଣ ଆସୁଛି ଆଉ ଏକ ବଡ଼ ଲଘୁଚାପ । ପଶ୍ଚିମ ମିଆଁମାର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୁର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇ ଘନୀଭୂତ ହେବ । ଫଳରେ କାଲିଠୁ ୧୫ ତାରିଖ ଯାଏଁ ରାଜ୍ୟବ୍ୟାପି କାଚିବ ବର୍ଷା । ବର୍ଷାକୁ ଦେଖି ୧୩ରୁ ୧୪ ତାରିଖ ସକାଳ ଯାଏଁ ୧୪ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୧୪ ତାରିଖରୁ ୧୫ ସକାଳ ଯାଏଁ ୧୬ଟି ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ସମେତ ଗଜପତି ଓ ଗଂଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ଜଳସ୍ତର ବଢ଼ିବା ସହ ଋଷିକୂଲ୍ୟା, ବଂଶଧାରା ଓ ନାଗାବଳୀ ଫୁଲିବ ।

ଏପଟେ ଲଘୁଚାପ ପୂର୍ବରୁ ତାଣ୍ଡବ ରଚିଛି ସକ୍ରିୟ ମୌସୁମୀ ବର୍ଷା । ବାଲେଶ୍ୱର ଭୋଗରାଇ ବ୍ଲକ ଅନ୍ତର୍ଗତ ଉଜୁଡ଼ା ଗାଁ ସ୍କୁଲରେ ପଶିଛି ପାଣି । ୨ ଦିନ ହେଲା ବନ୍ଦ ରହିଛି ପାଠପଢ଼ା । କେନ୍ଦୁଝର କୋଇଡ଼ା ବ୍ଲକର ଗୋପପୁର ସାହିରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଲୋକେ । ସେପଟେ ଲଗାଣ ବର୍ଷାରେ ବାଲେଶ୍ୱର ବୁଢ଼ାବଳଙ୍ଗ ଫୁଲିବା ସହ ତଳିଆ ଅଞ୍ଚଳରେ ପାଣି ମାଡ଼ିଯାଇଛି । ଏପଟେ ଭଦ୍ରକରେ ବୈତରଣୀ ନଦୀ ଫୁଲିବା ସହ ଶାଳନ୍ଦୀ ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ହଦଗଡ଼ ଡ୍ୟାମ୍‌ରୁ ପାଣି ଛଡ଼ାଯାଇଛି । ଫଳରେ ଆଖୁଆପଦା ନିକଟରେ ବିପଦ ସଙ୍କେତ ପାଖାପାଖି ପାଣି ପ୍ରବାହିତ ହେଉଛି ।

ତେଣେ ମହାନଦୀ ଉପରମୁଣ୍ଡରେ ବର୍ଷା ଯୋଗୁଁ ଫିଟିବାରେ ଲାଗିଛି ହୀରାକୁଦ ଡ଼୍ୟାମ୍‌ର ଗେଟ୍ । ଆଜି ୨୦ଟି ଗେଟ୍ ଦେଇ ବର୍ଷା ଜଳ ନିଷ୍କାସନ କରାଯାଉଛି । ଏଥିପାଇଁ ମହାନଦୀ ଶଯ୍ୟା ହୀରାକୁଦ ତଳ ଅଞ୍ଚଳକୁ ସତର୍କ ରହିବାକୁ କହିଛି ଜିଲ୍ଲା ପ୍ରଶାସନ । ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି ।

 

ଗୋଟିଏ ପଟେ ଲଘୁଚାପ, ଆରପଟେ ୨୦ଟି ଗେଟ୍‌ରୁ ହୀରାକୁଦରୁ ବର୍ଷାଜଳ ନିଷ୍କାସନ । ଏଭଳି ସ୍ଥିତିରେ ମହାନଦୀରେ ବନ୍ୟା ଆଶଙ୍କା କରାଯାଉଛି । ତେବେ ସମ୍ଭାବ୍ୟ ବର୍ଷା ଓ ବନ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ସବୁ ନଦୀର ଜଳସ୍ତର ବଢ଼ିଛି, କିନ୍ତୁ ବିପଦ ସଂକେତ ତଳେ ରହିଛି । କେବଳ ଜଳକା ନଦୀ ବିପଦ ସଂକେତ ଉପରେ ରହିଛି । ତେବେ ହୀରାକୁଦ ଡ୍ୟାମ ପାଣି ଆସିବା ପୂର୍ବରୁ ବର୍ତ୍ତମାନର ବର୍ଷା ଜଳ ଖସି ଯାଇଥିବ । ତେଣୁ ସେଭଳି କିଛି ଚିନ୍ତାଜନକ ସ୍ଥିତି ନାହିଁ । ତଥାପି ଆମେ ସଜାଗ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

ସେପଟେ ଲଘୁଚାପ ପ୍ରଭାବରେ କାଲିଠୁ ସମୁଦ୍ର ଅଶାନ୍ତ ରହିବା ସହ ୪ରୁ ୬ ମିଟର ଉଚ୍ଚର ଜୁଆର ଉଠିବାର ସମ୍ଭାବନା ଥିବାରୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।