Advertisment

Kunal Kamra: କାମରାଙ୍କୁ ନେଇ ଏକ୍ସ ୱାର : ହଂସଲ ମେହଟା ଓ କଙ୍ଗନା ମୁହାଁମୁହିଁ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘଟଣାକୁ ନିନ୍ଦା କରିବା ସହ ଷ୍ଟାଣ୍ଡ ଅପ କମେଡିଆନ କୁନାଲ କାମରାଙ୍କୁ ଟାର୍ଗେଟ କରିଛନ୍ତି । ‘ବାକ ସ୍ୱାଧୀନତା ଆଳରେ କାହାକୁ ଅପମାନିତ କରିବା କିମ୍ବା ବିଶ୍ୱାସଘାତକ କହିବା ଠିକ ନୁହେଁ । ଘଟଣାକୁ ଗୁରୁତର ସହ ନିଆଯିବ,ଆଦୌ ସହ୍ୟ କରାଯିବ ନାହିଁ । କୁନାଲ କାମରା ନିଜର ଭୁଲ ମାନି କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ସୋସିଆଲ ମିଡିଆରେ ଚର୍ଚ୍ଚା

ସୋସିଆଲ ମିଡିଆରେ ଚର୍ଚ୍ଚା

ଷ୍ଟାଣ୍ଡ ଅପ କମେଡିଆନ କୁନାଲ କାମରା ବ୍ୟଙ୍ଗ ମାଧ୍ୟମରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ ମହାରାଷ୍ଟ୍ର ରାଜନୀତି ଉଠୁଛି ପଡ଼ୁଛି । ଏକନାଥ ସିନ୍ଦେଙ୍କୁ ନେଇ ଏକ ଗୀତ ମାଧ୍ୟମରେ କୁନାଲ କଟାକ୍ଷ କରିଥିଲେ । କୁନାଲ କାମରାଙ୍କ ବ୍ୟଙ୍ଗ ପରେ ଶିବସେନା କର୍ମୀ କ୍ଷୋଭ ପ୍ରକାଶ କରିବା ସହ ଆକ୍ରମଣାତ୍ମକ ହୋଇଯାଇଛନ୍ତି । ସେମାନେ କାମରାଙ୍କ ବିରୋଧରେ ଅଭିଯୋଗ ଦାଖଲ କରି ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏବେ ଏହି ବିବାଦରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି ।

Advertisment

ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ଓ ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ହଂସଲ ମେହଟା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି, ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଏକ୍ସ ୱାର । ପୂର୍ବରୁ କଙ୍ଗନାଙ୍କ ଘରେ ବୁଲଡୋଜର ଚାଲିଥିବା ଘଟଣାକୁ ନେଇ ମଧ୍ୟ କୁନାଲ ମେହଟା ଉପହାସ କରିଥିଲେ । ହଂସଲ ମେହେଟା କଙ୍ଗନାଙ୍କ ଘର ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ଦ ହାବିଟାଟ୍ ଷ୍ଟୁଡିଓରେ ଶିବ ସୈନିକଙ୍କ ଦ୍ୱାରା ଭଙ୍ଗାରୁଜା ମଧ୍ୟରେ ପାର୍ଥକ୍ୟ ବ୍ୟାଖ୍ୟା କରିଛନ୍ତି । ଉଭୟ ଘଟଣା ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ ମନ୍ତବ୍ୟ ଦେଇଛନ୍ତିି । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ କଙ୍ଗନା, ହଂସଲ ମେହେଟାଙ୍କ ଉପରେ ଏକ 'ଏଜେଣ୍ଡା' ଚଲାଉଥିବାର ଅଭିଯୋଗ କରିଛନ୍ତି ।

କ’ଣ କହିଲେ ହଂସଲ ମେହଟା ?

କଙ୍ଗନା ରାଣାୱତ ଓ ହଂସଲ ମେହଟାଙ୍କ ମଧ୍ୟରେ ବିବାଦ ହଂସଲଙ୍କ ଏକ ଏକ୍ସ ପୋଷ୍ଟକୁ ନେଇ ଆରମ୍ଭ ହୋଇଥିଲା । ୨୫ ମାର୍ଚ୍ଚରେ ହଂସଲ ମେହଟା ଏକ୍ସରେ ଏକ ପ୍ରଶ୍ନ କରିଥିଲେ, କ’ଣ କଙ୍ଗନାଙ୍କ ଘର ଭଙ୍ଗାରୁଜା କରାଯାଇଥିଲା ? ଗୁଣ୍ଡାମାନେ ତାଙ୍କ ଘରେ ପଶିଥିଲେ କି ? କ’ଣ ସେମାନେ ତାଙ୍କର ବାକ ସ୍ୱାଧୀନତାକୁ ଚ୍ୟାଲେଞ୍ଜ ଦେବାପାଇଁ କିମ୍ବା କଥିତ ଏଫଏସଆଇ ଉଲ୍ଲଂଘନ ପାଇଁ ଏପରି କରିଥିଲେ? ଦୟାକରି ମୋତେ ଜଣାନ୍ତୁ । ହୁଏତ ମୁଁ ତଥ୍ୟ ଜାଣିନାହିଁ।"

Advertisment

ଏକ୍ସର ଜବାବ ଏକ୍ସରେ

ହଂସଲଙ୍କ ଏହି ପୋଷ୍ଟର ଜବାବରେ କଙ୍ଗନା ରାଣାୱତ ରିଟ୍ୱିଟ କରିଛନ୍ତି । କିଛି ବର୍ଷ ବର୍ଷ ପୂର୍ବେ ମୁମ୍ବାଇ ଘର ଉପରେ ବିଏମସିର ବୁଲଡୋଜର ଚାଲିଥିବା କଥା ମନେପକାଇ ଦେଇଛନ୍ତି କଙ୍ଗନା। ସେ ଲେଖିଛନ୍ତି, 'ଏହି ଲୋକମାନେ ମୋତେ ଧମକ ଦେଇଥିଲେ, ବିଳମ୍ବିତ ରାତିରେ ମୋ ଚୌକିଦାରଙ୍କୁ ନୋଟିସ ଦେଇଥିଲେ ଏବଂ ପରଦିନ କୋର୍ଟ ଖୋଲିବା ପୂର୍ବରୁ ମୋ ସମ୍ପୂର୍ଣ୍ଣ ଘରକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦେଇଥିଲେ।' ହାଇକୋର୍ଟ ଏହାକୁ ସମ୍ପୂର୍ଣ୍ଣ ବେଆଇନ ଘୋଷଣା କରିଥିଲେ। ଏହି ଘଟଣାରେ ମୋ ଅସହାୟତାକୁ ନେଇ ସେହି ଲୋକମାନେ ହସିଥିଲେ । ଦୁନିଆ ଆଗରେ ମୁଁ ଅପମାନିତ ହେଉଥିଲି ଆଉ ମୋ ଘର ଭାଙ୍ଗିବା ଖୁସିରେ ତାଙ୍କ ଘରେ ମଦର ଆସର ବସୁଥିଲା । ଏଥିରୁ ସ୍ପଷ୍ଟ ନିଜର ଅସୁରକ୍ଷା ଭାବ ତୁମକୁ କେବଳ ତିକ୍ତ କରିନାହିଁ ବରଂ ମୂର୍ଖ ମଧ୍ୟ କରିଛି । ତୁମେ ଅନ୍ଧ ହୋଇଯାଇଛ ।

ହଂସଲଙ୍କୁ ଟାର୍ଗେଟ କରି କଙ୍ଗନା କହିଛନ୍ତି, ଏହା ତୁମେ ତିଆରି କରିଥିବା କୌଣସି ଥାର୍ଡ ଗ୍ରେଡ ସିରିଜ କିମ୍ବା ଫାଲତୁ ଫିଲ୍ମ ନୁହେଁ। ମୋ ସହ ଜଡିତ ବିଷୟ ଗୁଡ଼ିକରେ ମିଛ କହି ଏଜେଣ୍ଡା ପ୍ରସାର କରିବାକୁ ଚେଷ୍ଟା କରନାହିଁ, ଏଥିରୁ ଦୂରରେ ରୁହ।
ଏତିକିରେ ଉଭୟଙ୍କର ସୋସିଆଲ ମିଡିଆ ଯୁଦ୍ଧ ସରିଯାଇନି । ସାହିଦ,ଆଲିଗଡ଼, ସ୍କାମ ୧୯୯୨ ଆଦି ସିନେମା କରି ଉଚ୍ଚ ପ୍ରଶଂସିତ ହୋଇଥିବା ହଂସଲ ମେହଟା ଏହାର ଉତ୍ତରରେ କଙ୍ଗନାଙ୍କୁ କହିଛନ୍ତି, Get Well Soon ।

ସୂଚନାଯୋଗ୍ୟ ସେପ୍ଟେମ୍ବର ୨୦୨୦ ରେ ବୃହତମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଅର୍ଥାତ୍ ବିଏମସି ପକ୍ଷରୁ ମୁମ୍ବାଇର ପାଲି ହିଲରେ ଥିବା କଙ୍ଗନା ରାଣାୱତଙ୍କ ଘରକୁ ଭଙ୍ଗାଯାଇଥିଲା । ବେଆଇନ ନିର୍ମାଣ ହେତୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଥିଲା । ଅନ୍ୟପଟେ ତତ୍କାଳୀନ ଉଦ୍ଧବ ସରକାର ଏହା ଜାଣିଶୁଣି କରିଥିବା ଅଭିଯୋଗ କରିଥିଲେ କଙ୍ଗନା । ମୁମ୍ବାଇ ମାଫିଆ ଏବଂ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ବିବୃତ୍ତି ଦେଇଥିବାରୁ ତାଙ୍କ ସହିତ ଏପରି ଘଟିଥିଲା ବୋଲି କହିଥିଲେ ଅଭିନେତ୍ରୀ ।

କେଉଁଠୁ ଆରମ୍ଭ ପ୍ରକୃତ ବିବାଦ ?

କୁନାଲ କାମରା ନିକଟରେ ଏକ କମେଡି ସୋ’ରେ ବଲିଉଡ ଫିଲ୍ମ ’ଦିଲ ତୋ ପାଗଲ ହେ’ର ଏକ ହିନ୍ଦୀ ଗୀତର ଧାରାରେ ଏକନାଥ ସିନ୍ଦେଙ୍କୁ କଡ଼ା ମନ୍ତବ୍ୟ ଦେଇଥିଲେ। ଗୀତକୁ କିଛି ସେ ଏପରି ଢଙ୍ଗରେ ଗାଇଥିଲେ.. ‘ମେରି ନଜର ସେ ତୁମ୍ ଦେଖୋ ତୋ ଗଦ୍ଦାର ନଜର ୱ ଆୟେ’। କାମରା କହିଥିଲେ, ଶିବସେନା ପ୍ରଥମେ ବିଜେପିରୁ ବାହାରି ଆସିଲା ଏବଂ ପରେ ଶିବସେନାରୁ ଶିବସେନା ବାହାରି ଆସିଲା । ଏନସିପିରୁ ବି ଏନସିପି ବାହାରି ଆସିଲା । ସେମାନେ ଜଣେ ଭୋଟରଙ୍କୁ ୯ଟି ବଟନ୍ ଦେଲେ, ଯଦ୍ୱାରା ଭୋଟରମାନେ ଦ୍ୱନ୍ଦ୍ୱରେ ପଡ଼ିଥିଲେ ।

କେବଳ ଏତିକି ନୁହେଁ ଉପମୁଖ୍ୟମନ୍ତ୍ରୀଙ୍କ ନାମ ନନେଇ ତାଙ୍କୁ ‘ଦେଶଦ୍ରୋହୀ’ ବୋଲି ମଧ୍ୟ କହିଥିଲେ। ସୋ’ର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଶିବସେନା କର୍ମୀମାନେ ପହଞ୍ଚି ମୁମ୍ବାଇର ଖାର ଅଞ୍ଚଳରେ ଥିବା ଷ୍ଟୁଡିଓରେ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ୧୧ ଜଣ ଶିବସେନା କର୍ମୀଙ୍କୁ ଗିରଫ କରିଛି। ଏମାନେ ଚେୟାର ଭଙ୍ଗାରୁଜା କରିବା ସହ ଷ୍ଟୁଡିଓର କାନ୍ଥକୁ ନଷ୍ଟ କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓ ଆଧାରରେ ଗିରଫଦାରୀ କରାଯାଇଛି ।

ଏହା ସହିତ କମେଡିଆନ କାମରାଙ୍କ ବିରୋଧରେ ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାଏର କରାଯାଇଥିଲା । ବିଧାୟକ ମୁରଜୀ ପଟେଲ ଏହି ଏଫଆଇଆର କରିଥିଲେ । ମୁରଜୀ ପଟେଲ କୁନାଲ କାମରାଙ୍କୁ କ୍ଷମା ମାଗିବାକୁ ମଧ୍ୟ କହିଥିଲେ । ନଚେତ ଶିବସେନା କର୍ମୀମାନେ ତାଙ୍କୁ ମୁମ୍ବାଇରେ ଖୋଲା ବୁଲିବାକୁ ଦେବେ ନାହିଁ। ବିଧାନସଭାରେ ଏହି ପ୍ରସଙ୍ଗ ଉଠାଯିବ। ଗୃହମନ୍ତ୍ରୀ ତୁରନ୍ତ କୁନାଲ କାମରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଥିଲେ ।

ସେପଟେ ମୁମ୍ୱାଇ ପୋଲିସ ସିନ୍ଦେଙ୍କ ଉପରେ ଅପମାନଜନକ ଟିପ୍ପଣୀ କରିବା ମାମଲାରେ କୁନାଲ କାମରାଙ୍କୁ ନୋଟିସ୍ ଜାରି କରିଛି । କୁନାଲଙ୍କୁ ବ୍ୟକ୍ତଗତ ଭାବେ ହାଜର ହେବା ପାଇଁ କୁହାଯାଇଛି । ଅଧିକ ସୂଚନା ନଦେଇ ଅଧିକାରୀ କହିଥିଲେ, 'ଆମେ କାମରାଙ୍କୁ ପ୍ରାରମ୍ଭିକ ନୋଟିସ୍ ଜାରି କରିଛୁ । ତାଙ୍କ ବିରୋଧରେ ମାମଲାର ତଦନ୍ତ ଆରମ୍ଭ ହୋଇଛି । ସେପଟେ କୁନାଲ୍ କାମରା ନିଜ ଟିପ୍ପଣୀ ପାଇଁ ଭୁଲ ମାଗିବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି ।

ମୁଖ୍ୟମନ୍ତ୍ରୀ କ’ଣ କହିଲେ ?

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘଟଣାକୁ ନିନ୍ଦା କରିବା ସହ ଷ୍ଟାଣ୍ଡ ଅପ କମେଡିଆନ କୁନାଲ କାମରାଙ୍କୁ ଟାର୍ଗେଟ କରିଛନ୍ତି । ‘ବାକ ସ୍ୱାଧୀନତା ଆଳରେ କାହାକୁ ଅପମାନିତ କରିବା କିମ୍ବା ବିଶ୍ୱାସଘାତକ କହିବା ଠିକ ନୁହେଁ । ଘଟଣାକୁ ଗୁରୁତର ସହ ନିଆଯିବ,ଆଦୌ ସହ୍ୟ କରାଯିବ ନାହିଁ । କୁନାଲ କାମରା ନିଜର ଭୁଲ ମାନି ଭୁଲ ମାଗନ୍ତୁ’ ବୋଲି ସେ କହିଛନ୍ତି ।

ସେହିପରି ଏକନାଥ ସିନ୍ଦେ ବି ଏପ୍ରସଙ୍ଗରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ସେ କହଛନ୍ତି, ମତବ୍ୟକ୍ତ କରିବାର ସ୍ବାଧୀନତା ସମସ୍ତଙ୍କର ଅଛି। ହେଲେ ବ୍ୟଙ୍ଗରେ କିଛି ସୀମା ରହିବା ଉଚିତ। କାହା ବିରୋଧରେ ଏଭଳି ଯୋଜନାବଦ୍ଧ ଘୃଣାର ପ୍ରଚାର କରିବା କେତେଦୂର ଠିକ ? ଅନ୍ୟପକ୍ଷେ ଶିବସେନା କର୍ମୀମାନେ ଷ୍ଟୁଡିଓ ଭଙ୍ଗାରୁଜା କରିବା ଘଟଣାରେ ପ୍ରତିକ୍ରିୟା ରଖି ସିନ୍ଦେ କହିଛନ୍ତି, ‘ପ୍ରତି କାର୍ଯ୍ୟର ଏକ ପ୍ରତିକ୍ରିୟା ରହିଛି। ଦଳୀୟ କର୍ମୀମାନଙ୍କର ଆବେଗ ଯୋଗୁଁ ଏପରି ଘଟଣା ଘଟିଛି ।

Kunal Kamra Maharashtra Maharashtra CM Comedy Eknath Shinde Shivsena
Advertisment
Advertisment