• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଖୁବଶୀଘ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସରୁଥିବା ବେଳେ, କିଏ ହେବେ ରାଇସିନା ହିଲ୍‌ର ପରବର୍ତ୍ତୀ ଅଧିପତି? ଏନେଇ ଆସନ୍ତା ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ କୌଣସି ଦଳ ଏଯାଏଁ ବିଧିବଦ୍ଧ କସରତ ଆରମ୍ଭ କରିନଥିଲେ ବି, ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭେଟ, ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି । କୁହାଯାଉଛି ଉଭୟ ନେତାଙ୍କ ମଧ୍ୟରେ ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ରାଜ୍ୟସଭା ପଦବୀ ପୂରଣ ସହିତ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବି ଆଲୋଚନା କରାଯାଇଛି ।

ଚର୍ଚ୍ଚାରେ ଏବେ ନିତିଶ-ଧର୍ମେନ୍ଦ୍ର ଭେଟ୍‌ପାଟ । ବିହାରରୁ ରାଷ୍ଟ୍ରପତି ନିର୍ବାଚନ କସରତ ଆରମ୍ଭ କରିଛି କି ବିଜେପି? ଏନେଇ ଚାଲିଛି ଚର୍ଚ୍ଚା । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଟ୍ନା ଯାଇ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତିଶ କୁମାରଙ୍କୁ ଭେଟିଥିବା ବେଳେ, ଉଭୟଙ୍କ ମଧ୍ୟରେ ୨ ଘଣ୍ଟା ଧରି ଆଲୋଚନା ହୋଇଥିବାର ଦେଖିବାକୁ ମିଳିଥିଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ସହିତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ ସ୍ଥାନ ପାଇଥିଲା ।

ଏଥର ନିର୍ବାଚନରେ ବିରୋଧୀ ମିଳିତ ପ୍ରାର୍ଥୀ ଦେବା ସମ୍ଭାବନା ଥିବାରୁ, ଏବେଠୁ ସହଯୋଗୀ ଦଳମାନଙ୍କ ପାଖରେ ବିଜେପି ପହଞ୍ଚିବା ଆରମ୍ଭ କରିଛି । ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି କ୍ରମେ ଧର୍ମେନ୍ଦ୍ର ଏଥିପାଇଁ ପ୍ରଥମେ ବିହାରରେ ପହଞ୍ଚିଛନ୍ତି । ଆଗକୁ ସେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟ ଆସିପାରନ୍ତି ବୋଲି କୁହାଯାଉଛି ।

ତେବେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିବାରେ ନିତିଶଙ୍କ ପୂର୍ବ ଟ୍ରାକ୍ ରେକର୍ଡ ଥିବାରୁ, ବିଜେପି ପ୍ରଥମେ ବିହାରକୁ ଫୋକସ୍ କରୁଛି । ୨୦୧୨ରେ ନିତିଶ ଏନ୍‌ଡିଏରେ ସାମିଲ ଥାଇ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ଏବଂ ୨୦୧୭ରେ କଂଗ୍ରେସ ଓ ଆର୍‌ଜେଡି ସହ ମହାଗଠବନ୍ଧନରେ ଥାଇ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲେ ।

ଏପଟେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଲାଗି ରହିଛି । ଦଳ ଗତଥର ରାଷ୍ଟ୍ରପତି ପାଇଁ ଏନ୍‌ଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେଇଥିଲେ ବି, ଉପରାଷ୍ଟ୍ରପତି ପାଇଁ ୟୁପିଏ ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରିଥିଲା ।

ଏଣେ କିଛି ଦିନ ତଳେ ନିଜର ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ସ୍ୱାଧୀନ ଭାବେ ରହିବାକୁ ପସନ୍ଦ କରେ । ଜାତୀୟ ଗଣମାଧ୍ୟମକୁ ନବୀନଙ୍କ ଏହି ମନ୍ତବ୍ୟ ପରେ, ରାଷ୍ଟ୍ରପତି ନିର୍ବାଚନରେ ଦଳର ରଣନୀତି କଣ ରହୁଛି । ତା ଉପରେ ନଜର ରହିଛି ।

ଜୁଲାଇ ୨୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସରୁଛି । ଦେଶର ୧୭ତମ ରାଷ୍ଟ୍ରପତି ପାଇଁ ଜୁଲାଇ ଶେଷ ସପ୍ତାହ ପୂର୍ବରୁ ନିର୍ବାଚନ ହେବ ବୋଲି ଆଶା କରାଯାଉଛି । ଯେଉଁଥିରେ କେବଳ ଲୋକସଭା ଓ ରାଜ୍ୟସଭା ସାଂସଦ ଏବଂ ବିଧାୟକମାନେ ଭାଗ ନେବେ ।

ତେବେ ସଂଖ୍ୟା ଗଣିତ ଅନୁସାରେ, ଏବେ ୧୭ଟି ରାଜ୍ୟରେ ସରକାରରେ ଥିବା ବିଜେପି ପାଖରେ ୪ଲକ୍ଷ ୬୫ ହଜାର ୭୯୭ ଏବଂ ସହଯୋଗୀ ଦଳଙ୍କ ପାଖରେ ୭୧ ହଜାର ୩୨୯ ଭୋଟ୍ ରହିଛି । ଅର୍ଥାତ୍ ଏନ୍‌ଡିଏ ପାଖରେ ରହିଛି ମୋଟ ୫ଲକ୍ଷ ୩୭ ହଜାର ୧୨୬ ଭୋଟ୍ । ତେବେ ବହୁମତ ପାଇଁ ଲୋଡ଼ା ୫ ଲକ୍ଷ ୪୬ ହଜାର ୩୨୦ ଭୋଟ୍ । ଏଥିପାଇଁ ଏନ୍‌ଡିଏକୁ ଆହୁରି ୯ ହଜାର ୧୯୪ ଭୋଟ୍ ଆବଶ୍ୟକ ହେଉଥିବାରୁ ଉଭୟ ଶାସକ ଓ ବିରୋଧୀ ଦଳ ପାଇଁ ଗୋଟିଏ ଗୋଟିଏ ଭୋଟ୍ ବି ମହତ୍ତ୍ୱପୂର୍ଣ୍ଣ ।