• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟ କଂଗ୍ରେସରେ ହେବ ଆମୂଳ ଚୂଳ ପରିବର୍ତ୍ତନ । ମିଳିବେ ନୂଆ ମଙ୍ଗୁଆଳ । ରାଜ୍ୟ ନେତୃତ୍ୱ ଲାଗି ଏକମତ ହୋଇପାରୁନଥିବା ନେତା ଓ ବିଧାୟକ ଆସନ୍ତାକାଲି ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିବେ । ସେ ରାଜ୍ୟ ନେତାଙ୍କ ମତ ନେବା ସହ ପ୍ରସ୍ତୁତ କରିଥିବା ବ୍ଲୁ ପ୍ରିଣ୍ଟ ବି ଶୁଣାଇବେ । ଏଥିଲାଗି ପିସିସି ସଭାପତିଙ୍କ ଠାରୁ ଆରମ୍ଭ କରି ବିଧାୟକ ଓ ନେତା ଦିଲ୍ଲୀ ପହଞ୍ଚିଛନ୍ତି ।

୯ ବିଧାୟକଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ଭଳି ବରିଷ୍ଠ ନେତା ଆସନ୍ତା କାଲି ରାହୁଲ୍ ଗାନ୍ଧି ଓଡିଶା କଂଗ୍ରେସ ନେତୃତ୍ୱଙ୍କ ସହ କରିବେ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା । ପିସିସି ସଭାପତି ଚୟନ ସହ ସାଂଗଠନିକ ପରିବର୍ତ୍ତନ ଉପରେ ଚୂଡାନ୍ତ ନିଷ୍ପତ୍ତି ହେବ । ଭୁବନେଶ୍ୱରରେ ଯେଉଁ ଅଙ୍କ ଛିଡି ପାରିଲାନି, ସେହି ଅଙ୍କ ଦିଲ୍ଲୀରେ ଛିଡାଇବାକୁ ହାଇକମାଣ୍ଡ ସ୍ଥିର କରିଛନ୍ତି ।

ସେଠାରେ କାହା ନାଁ ରେ ମୋହର ଲାଗୁଛି ତା ଉପରେ ସମସ୍ତଙ୍କ ନଜର । ବିଧାୟକ ମାନେ ଓ ସାଂଗଠନିକ ନେତୃତ୍ୱ ଭିତରେ ତୁ ତୁ ମେ ମେ ଲାଗି ରହିଛି । ଏହାରି ଭିତରେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ମହମ୍ମଦ ମୋକିମ ଓ ଭକ୍ତଚରଣ ଦାସଙ୍କ ନାଁ ରେସରେ ଥିବା ଚର୍ଚ୍ଚା ହେଉଛି । ପ୍ରଭାରୀ ଚେଲା କୁମାର ଓଡିଶା ଆସି କଂଗ୍ରେସ ନେତୃତ୍ୱ ଏବଂ ଦଳ ବାହାରର ନେତାଙ୍କ ସହ ଆଲୋଚନା କରି ହାଇକମାଣ୍ଡଙ୍କୁ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟ ଆଧାରରେ ଆଲୋଚନା ହେବ ।

ସେପଟେ ପୁରା ଦେଶରେ କଂଗ୍ରେସରେ ସଂସ୍କାର ଆଣିବା ଲାଗି ଆସନ୍ତା ୧୩ରୁ ରାଜସ୍ଥାନ ଉଦୟପୁରରେ ଆରମ୍ଭ ହେବାକୁ ଯାଉଛି ଚିନ୍ତନ ଶିବିର । ସବୁ ରାଜ୍ୟର କଂଗ୍ରେସ ପ୍ରତିନିଧି ଏଥିରେ ଯୋଗ ଦେବେ । ରାଜ୍ୟ କଂଗ୍ରେସରୁ ପିସିସି ସଭାପତି ଏହି ଶିବିରରେ ଯୋଗଦେବେ । କେନ୍ଦ୍ରୀୟ କମିଟିର ଫୋକସରେ ଓଡିଶା ଥିବାରୁ ଏଠାରେ ବି ଅନେକ ସଂସ୍କାର ମୂଳକ ପରିବର୍ତ୍ତନ ଆଣିପାରେ ଦଳ । ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ, ଥଇଥାନ ନେତାଙ୍କୁ ମଙ୍ଗୁଆଳ ଦାୟିତ୍ୱ ନଦେଇ ଦକ୍ଷକ ନେତାଙ୍କୁ ଦାୟିତ୍ୱ ଦେଲେ କଂଗ୍ରେସ ଲାଭବାନ ହେବ ନଚେତ କୌଣସି ପ୍ରଭାବ ପଡିବନି ।

ନିକଟରେ ରାଜ୍ୟରେ ଶେଷ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ବଳହୀନ ସାବ୍ୟସ୍ତ ହୋଇଛି । ଆଗକୁ ବ୍ରଜରାଜନଗର ଉପନିର୍ବାଚନ ଥିବାବେଳେ ଦଳର ସବୁ ନେତା ଦିଲ୍ଲୀରେ ତେବେ ରାଜ୍ୟ କଂଗ୍ରେସର ପରିବର୍ତ୍ତନ ଲାଗି ଚାଲିଥିବା ମାନସ ମନ୍ଥନରୁ ସଞ୍ଜିବନୀ କେତେ ମିଳିଛି, ତାହା ଆଗକୁ ସ୍ପଷ୍ଟ ହୋଇଯିବ ।