• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଜିଠୁ ଓଡ଼ିଶାରେ ମୋହନ ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମୋହନ ଚରଣ ମାଝୀ । ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ । ସଂଧ୍ୟା ୫ଟାରେ ଶପଥ ନେବ ନୂଆ ସରକାର । ତେବେ ମୋହନଙ୍କ ମନ୍ତ୍ରିମଣ୍ଡଳରେ କିଏ ହେବେ ସାମିଲ ତାହାକୁ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ।

ତେବେ ଏହାରି ମଧ୍ୟରେ ମନ୍ତ୍ରିମଣ୍ଡଳଙ୍କୁ ନେଇ ଆସିଛି ଏକ ବଡ଼ ଖବର। ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ବିଧାୟକଙ୍କ ପାଖକୁ ଆସିଲା ଫୋନ୍‌ କଲ୍‌ । ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ନିକଟକୁ ଆସିଲା ଫୋନ୍‌ କଲ୍‌ । ସେହିପରି ଗୋପାଳପୁର ବିଧାୟକ ବିଭୂତି ଜେନା, ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଉମରକୋଟ୍‌ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ପାରଦ୍ୱୀପ ବିଧାୟକ ସମ୍ପଦ ସ୍ୱାଇଁ, ମୋରଡା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିକଟକୁ ଫୋନ୍‌ କଲ୍‌ ଯାଇଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ୪ ଥର ବିଧାୟକ ପରେ ବି ମୋହନଙ୍କ ଚାଳ ଛପର ଘର !

ସେହିପରି କୁଚିଣ୍ଡା ରବି ନାଏକ, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ରଣପୁର ବିଧାୟିକା ସୁରମା ପାଢ଼ୀ, ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ପାଖକୁ ମଧ୍ୟ ମନ୍ତ୍ରୀ ହେବା ପାଇଁ ଫୋନ୍‌ କଲ୍‌ ଯାଇଥିବା ସୂଚନା ମିଳିଛି ।

ସେପଟେ ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଅତିଥି ମଧ୍ୟ ପହଞ୍ଚିବାରେ ଲାଗିଛନ୍ତି । ୨୦୨୪ ନିର୍ବାଚନରେ ପ୍ରଚଣ୍ଡ ଜନମତ ସହ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏକାକୀ ସରକାର ଗଢୁଥିବା ବିଜେପିର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ଏନଡିଏ ଓ ବିଜେପି ଶାସିତ ରାଜ୍ୟର କିଛି ମୁଖ୍ୟମନ୍ତ୍ରୀ, ରାଜ୍ୟ ଓ ରାଜ୍ୟ ବାହାରର ବହୁ ସାଧୁସନ୍ଥ ଏବଂ ରାଜନୀତି, କ୍ରୀଡ଼ା, ବ୍ୟବସାୟ ଓ ମନୋରଞ୍ଜନ ଆଦି କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର କିଛି ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରାୟ ୩୦ ହଜାର ଲୋକଙ୍କ ସମାଗମ ସମ୍ଭାବନା ରହିଛି ।

ଶପଥ ଗ୍ରହଣ ସମାରୋହ ଲାଗି କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ ଭୁବନେଶ୍ୱର । ଉତ୍ସବ ଲାଗି ୬୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ତମାମ କାର୍ଯ୍ୟକ୍ରମ ପରିଚାଳନା ଲାଗି ଜଣେ ଆଇଜି ଓ ୨ ଡିଆଇଜିଙ୍କୁ ଦାୟିତ୍ୱ ମିଳିଛି । କେବଳ ଜନତା ମଇଦାନ ସୁରକ୍ଷାର ତଦାରଖ କରିବେ ଆଇଜି ପ୍ରବୀଣ କୁମାର । ସେହିଭଳି ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ ଏବଂ ଉମାଶଙ୍କର ଦାସ ଟ୍ରାଫିକ ପରିଚାଳନା କଥା ବୁଝିବେ । ମୋଟ ୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀ ଅନ୍ୟାନ୍ୟ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ରହିବେ। ଦିନ ୨ଟାରୁ ୭ଟା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳରେ ଟ୍ରାଫିକ କଟକଣା ଲାଗି ରହିବ। ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ: କନକବର୍ଦ୍ଧନ ଓ ପ୍ରଭାତୀ ପରିଡ଼ା ହେଲେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ; କେମିତି ଥିଲା ତାଙ୍କର ରାଜନୈତିକ ଯାତ୍ରା, ଜାଣନ୍ତୁ...

OTV is now on Whatsapp

Join and get latest news update delivered to you via whatsapp

Join Now