• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ହେବାକୁ ଥିବା ଶପଥ ସମାରୋହରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସିଧା ରାଜଭବନ ଯାଇଛନ୍ତି । ଆଜି ସଂଧ୍ୟାରେ ମୋହନ ମାଝୀଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।

ଓଡ଼ିଶାରେ ବିଜେପି ସରକାର ଶପଥ ଗ୍ରହଣ ପାଇଁ ପହଞ୍ଚୁଛନ୍ତି ଭିଭିଆଇପି । ଶପଥ ଉତ୍ସବ ସମାରୋହରେ ଯୋଗ ଦେବା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ପହଞ୍ଚୁଛନ୍ତି । ଭୁବନେଶ୍ବର ଆସିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ତ୍ରିପୁରୀ ମୁଖ୍ୟମନ୍ତ୍ରୀ ମାଣିକ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବି ଓଡ଼ିଶାରେ ପହଞ୍ଚିଛନ୍ତି ।

ସୂଚନା ଅନୁସାରେ ଆଜିଠୁ ଓଡ଼ିଶାରେ ମୋହନ ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମୋହନ ଚରଣ ମାଝୀ । ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ । ସଂଧ୍ୟା ୫ଟାରେ ଶପଥ ନେବ ନୂଆ ସରକାର। ଏଥିପାଇଁ ଭୁବନେଶ୍ବର ଜନତା ମୈଦାନରେ ଭବ୍ୟ ଆୟୋଜନ କରାଯାଇଛି ।

ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଅତିଥି ମଧ୍ୟ ପହଞ୍ଚିବାରେ ଲାଗିଛନ୍ତି । ୨୦୨୪ ନିର୍ବାଚନରେ ପ୍ରଚଣ୍ଡ ଜନମତ ସହ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏକାକୀ ସରକାର ଗଢୁଥିବା ବିଜେପିର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ଏନଡିଏ ଓ ବିଜେପି ଶାସିତ ରାଜ୍ୟର କିଛି ମୁଖ୍ୟମନ୍ତ୍ରୀ, ରାଜ୍ୟ ଓ ରାଜ୍ୟ ବାହାରର ବହୁ ସାଧୁସନ୍ଥ ଏବଂ ରାଜନୀତି, କ୍ରୀଡ଼ା, ବ୍ୟବସାୟ ଓ ମନୋରଞ୍ଜନ ଆଦି କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର କିଛି ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରାୟ ୩୦ ହଜାର ଲୋକଙ୍କ ସମାଗମ ସମ୍ଭାବନା ରହିଛି ।

ଶପଥ ଗ୍ରହଣ ସମାରୋହ ଲାଗି କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ ଭୁବନେଶ୍ୱର । ଉତ୍ସବ ଲାଗି ୬୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ତମାମ କାର୍ଯ୍ୟକ୍ରମ ପରିଚାଳନା ଲାଗି ଜଣେ ଆଇଜି ଓ ୨ ଡିଆଇଜିଙ୍କୁ ଦାୟିତ୍ୱ ମିଳିଛି । କେବଳ ଜନତା ମଇଦାନ ସୁରକ୍ଷାର ତଦାରଖ କରିବେ ଆଇଜି ପ୍ରବୀଣ କୁମାର । ସେହିଭଳି ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ ଏବଂ ଉମାଶଙ୍କର ଦାସ ଟ୍ରାଫିକ ପରିଚାଳନା କଥା ବୁଝିବେ । ମୋଟ ୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀ ଅନ୍ୟାନ୍ୟ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ରହିବେ। ଦିନ ୨ଟାରୁ ୭ଟା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳରେ ଟ୍ରାଫିକ କଟକଣା ଲାଗି ରହିବ। ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶାର ମଙ୍ଗ ଧରିଲେ ମୋହନ ମାଝୀ; ଆସନ୍ତୁ ଜାଣିବା ତାଙ୍କର ପୂରା ରାଜନୈତିକ କ୍ୟାରିୟର୍

OTV is now on Whatsapp

Join and get latest news update delivered to you via whatsapp

Join Now