• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ବିଶେଷ କରି ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ତିନି ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ତେବେ ଆସନ୍ତାକାଲିଠୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବାରୁ ସମୁଦ୍ର ଅଶାନ୍ତ ରହିଛି । ଫଳରେ ଆଗାମୀ ତିନି ଦିନ ଲାଗି ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆଜି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଏସବୁ ଜିଲ୍ଲାର କିଛି ସ୍ଥାନରେ ୧୨ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ ।

ସେହିପରି ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା । କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ । ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟ ରହିବା ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ବର୍ଷା ପ୍ରଭାବ ସାମାନ୍ୟ କମିପାରେ । କାଲି ପାଇଁ ୭ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

ତେବେ ମୌସୁମୀ ସିଜିନରେ ୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୪ ଜିଲ୍ଲାରେ ରେକର୍ଡ ହୋଇଛି ନିଅଣ୍ଟିଆ ବର୍ଷା । ଜୁନ ମାସରେ ୪୧ ପ୍ରତିଶତ କମ୍ ବର୍ଷା ହୋଇଛି । ଜୁନ୍ ୧ରୁ ଏବେ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୩୯% କମ୍ ବର୍ଷା ହୋଇଛି । ୫ ଜିଲ୍ଲାରେ ସ୍ଥିତି ଅତି ଉତ୍କଟ ଏବଂ ୧୭ ଜିଲ୍ଲାରେ ୨୦ରୁ ୫୯% ନିଅଣ୍ଟିଆ ବର୍ଷା ହୋଇଛି ।

ବନ୍ୟା ନିୟନ୍ତ୍ରଣ, ନଦୀ ପୁନରୁଦ୍ଧାର ଓ ଜଳପଥର ଉନ୍ନତୀକରଣ ପାଇଁ ରାଜ୍ୟରେ ଗଠନ ହେବ ୪ଟି ବୈଷୟିକ କମିଟି । ଜଳ ସଂପଦ ବିଭାଗ ଅଧିକାରୀଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନା ପ୍ରସ୍ତୁତିର ସମୀକ୍ଷା ସହିତ, ୪ଟି ବୈଷୟିକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now