/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698159523.jpg)
5T Secretary V.K. Pandian
ବିଜୟା ଦଶମୀରେ ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍। VRS ନେବାର ୧୨ ଘଣ୍ଟା ଭିତରେ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି. କେ ପାଣ୍ଡିଆନ୍। ପୁଣି କ୍ୟାବିନେଟ୍ ପାହ୍ୟାର ନିଯୁକ୍ତି। ଆଉ କାହାକୁ ନୁହେଁ, ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ। ତେଣୁ ଅବସର ନେବା ପରେ ପାଣ୍ଡିଆନ୍ଙ୍କ ପରବର୍ତ୍ତୀ ଭୂମିକା କଣ ରହିବ ବୋଲି ଯାହା ଚର୍ଚ୍ଚା ହେଉଥିଲା, ତାର ପ୍ରଥମ ଦଫା ଉତ୍ତର ଏବେ ସାମ୍ନାରେ।
ପୂର୍ବରୁ 5T ସଚିବ ଥିଲେ ବି ୨୪ ନିର୍ବାଚନ ପୂର୍ବରୁ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ପାଣ୍ଡିଆନ୍ଙ୍କ ଏ ରୂପାନ୍ତରୀକରଣ, ମୁଖ୍ୟମନ୍ତ୍ରୀଙ୍କ ପରେ ଦଳ ଓ ସରକାରରେ ଦ୍ୱିତୀୟ କ୍ଷମତା କେନ୍ଦ୍ରକୁ ବିଧିବଦ୍ଧ ମୋହର ବୋଲି ଚର୍ଚ୍ଚା ହେଉଛି ।
ସରକାର ଓ ରାଜନୀତିରେ ପାଣ୍ଡିଆନ୍ଙ୍କ ନୂଆ ରୂପାନ୍ତର ! ପ୍ରଶାସନରୁ ସିଧା ସରକାରକୁ ଲମ୍ବ ଡିଆଁ । ଆଉ ବ୍ୟାକ୍ ଡୋର ନୁହେଁ, ଏଣିକି ଫ୍ରଣ୍ଟଫୁଟରେ ବ୍ୟାଟିଂ। କାଲିଠୁ ଆଜି ଭିତରେ ରାଜ୍ୟ କ୍ଷମତା ଅଳିନ୍ଦରେ ବଡ଼ ପରିବର୍ତ୍ତନ। ରାଜ୍ୟର ସବୁଠୁ ପ୍ରଭାବଶାଳୀ ଆଇଏଏସ୍ ଭି.କେ. ପାଣ୍ଡିଆନଙ୍କ ସେଚ୍ଛାକୃତ ଅବସର ଆବେଦନକୁ କେନ୍ଦ୍ରୀୟ ମଂଜୁରୀ ମିଳିବାର ୧୨ ଘଣ୍ଟା ଭିତରେ ଆଜି ତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଭି.କେ. ପାଣ୍ଡିଆନ୍ଙ୍କୁ ଫାଇଭ୍ ଟି ଓ ନବୀନ ଓଡ଼ିଶାର ଚେୟାରମ୍ୟାନ୍ ନିଯୁକ୍ତ କରାଯାଇଛି।
କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ଏହି ନିଯୁକ୍ତି ମିଳିଥିବା ଏବଂ ସେ ସିଧା ମୁଖ୍ୟମନ୍ତ୍ରୀଙ୍କ ଅଧିନରେ କାମ କରିବେ ବୋଲି ଉଲ୍ଲେଖ ରହିଛି। ଅର୍ଥାତ୍ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ 5T ସେକ୍ରେଟାରୀ ଭାବେ ସୀମିତ ଥିବା ପାଣ୍ଡିଆନ୍ଙ୍କ କ୍ଷମତା ଏବେ ଖାଲି ବଢ଼ିନି ବ୍ୟାପକ ବି ହୋଇଛି। କାହିଁକି ନା କ୍ୟାବିନେଟ୍ ରାଙ୍କ ମିଳିଥିବାରୁ ସେ ମୁଖ୍ୟ ଶାସନ ସଚିବଙ୍କୁ ବି ନିର୍ଦ୍ଦେଶ ଦେଇପାରିବେ।
କେବଳ ସେତିକି ନୁହେଁ, ସରକାରଙ୍କ ବହୁ ଚର୍ଚ୍ଚିତ ନବୀନ ଓଡ଼ିଶାର ଚେୟାରମ୍ୟାନ୍ ଦାୟିତ୍ୱ ଦ୍ୱାରା ବି ପାଣ୍ଡିଆନଙ୍କ ରାଜନୈତିକ କ୍ଷମତା ମିଳିଯାଇଛି। କାରଣ ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷର ଅନୁଦାନ ଦିଆଯିବା ସହ ପୂୂରା ଯୋଜନାରେ ୪ ହଜାର କୋଟିର ଉନ୍ନୟନ କାମର ଲକ୍ଷ୍ୟ ରହିଛି। ତେଣୁ କୁହାଯାଉଛି, ୨୪ ନିର୍ବାଚନ ପୂୁର୍ବରୁ ପୁରା ଶାସନ ଓ ରାଜନୈତିକ ବ୍ୟବସ୍ଥାରେ ନବୀନଙ୍କ ପରେ ପାଣ୍ଡିଆନଙ୍କୁ ନମ୍ବର ଟୁ କରାଇବାର ଇଏ ଯୋଜନାବଦ୍ଧ ଷ୍ଟ୍ରାଟେଜୀ।
ତେବେ ସଚିବ ପଦରେ ଥାଇ ବି ଏସବୁ କ୍ଷମତା ବି ଉପଭୋଗ କରିପାରିଥାନ୍ତେ ପାଣ୍ଡିଆନ୍। କାରଣ ଏମିତି ବି ଅଧିକାଂଶ ବିଭାଗ ଫାଇଭ୍ ଟି ଅଧିନରେ ଥିବାରୁ ସବୁ କିଛି ପ୍ରଶାସନିକ କ୍ଷମତା ଉପଭୋଗ କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥାଇ ପରୋକ୍ଷରେ ଦଳର ବି ଅନେକ କଥା ବୁଝୁଥିବା କୁହାଯାଏ। ତା’ସତ୍ତ୍ୱେ ପାଣ୍ଡିଆନଙ୍କୁ ଭିଆରଏସ ନେବାର କାହିଁକି ପଡ଼ିଲା ଆବଶ୍ୟକତା। କୁହାଯାଉଛି, ୨୪ ସାଧାରଣ ନିର୍ବାଚନ ପୂର୍ବରୁ ସୁପ୍ରିମୋ ନବୀନ ପାଣ୍ଡିଆନ୍ଙ୍କୁ ବଡ଼ ଦାୟିତ୍ୱ ଦେବାକୁ ଚାହୁଁଛନ୍ତି। ଯାହା କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ସମୟରେ ସଚିବ ପଦବୀରେ ରହି ତୁଲାଇବା କଷ୍ଟକର। ସଚିବ ପଦରେ ରହି ସର୍ବୋଚ୍ଚ କ୍ଷମତା ଉପଭୋଗ କରୁଥିବାରୁ ସରକାରୀ ସ୍ତରରେ ବି ବରିଷ୍ଠ ଅଧିକାରୀଙ୍କ ଭିତରେ ଏକ ଅସନ୍ତୋଷର ବାତାବରଣ ଥିଲା।
ଅନ୍ୟପଟେ ସଚିବ ପଦରେ ଥାଇ ଜିଲ୍ଲା ଗସ୍ତ ଓ ପ୍ରକଳ୍ପ ଘୋଷଣାକୁ ନେଇ ବିରୋଧୀଙ୍କ ସିଧାସଳଖ ଅଭିଯୋଗ ଓ ଆକ୍ରମଣରୁ ବର୍ତ୍ତିବାର ଆବଶ୍ୟକତା ଥିଲା। ଏଥିସହ ଆଉ ଏକ ଦିଗ ବି ସାମ୍ନାକୁ ଆସିଛି। ତାହା ହେଉଛି କେନ୍ଦ୍ରୀୟ ଟ୍ରେନିଂକୁ ଏଡ଼ାଇବା। କାରଣ ଆଇନଜୀବୀ ନିର୍ଭୟ ସାମନ୍ତରାୟଙ୍କ କହିବା ଅନୁଯାୟୀ, ଆରଟିଆଇ ତଥ୍ୟରୁ ଭି.କେପାଣ୍ଡିଆନ୍ ୩ଟି କେନ୍ଦ୍ରୀୟ ଟ୍ରେନିଂରୁ ଦୁଇଟି ବାକିଥିଲା। ଯାହାକୁ ଦୁଇ ମାସ ଭିତରେ ସାରିବାକୁ ଗତ ସେପଟେମ୍ବର ୧୫ରେ କେନ୍ଦ୍ରରୁ ଚିଠି ଆସିଥିଲା। ତେଣୁ ଏସବୁ ଝାମେଲାରୁ ବର୍ତ୍ତିବାକୁ ହୁଏତ ଭିଆରଏସ୍ ନେଇଥାଇ ପାରନ୍ତି ପାଣ୍ଡିଆନ୍।
ତେବେ ଭିଆରଏସ୍ ମଂଜୁରୀ ମିଳିବା ପରେ ଯେଉଁଭଳି ତରବରିଆ ଭାବେ ମାତ୍ର ୧୨ ଘଣ୍ଟା ଭିତରେ ପାଣ୍ଡିଆନଙ୍କୁ ଯେଉଁ ଦୁଇଟି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଲା, ସେଥିରୁ ସ୍ପଷ୍ଟ ଯେ ପାଣ୍ଡିଆନଙ୍କୁ ପୂର୍ବାପେକ୍ଷା ଆହୁରି କ୍ଷମତାଶାଳୀ କରାଇବା ପଛରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କର ହିଁ ପ୍ରଛନ୍ନ ହାତ ରହିଛି। ତେଣୁ କ୍ୟାବିନେଟ୍ ପାହ୍ୟା ମିଳିବା ପରେ ପ୍ରଶାସକରୁ ପରୋକ୍ଷ ରାଜନୀତିକୁ ଏଣ୍ଟି ହୋଇ ସାରିଥିବା ପାଣ୍ଡିଆନ୍ ଆଗକୁ ପ୍ରତ୍ୟେକ୍ଷ ରାଜନୀତିକୁ କେବେ ଆସୁଛନ୍ତି ତା ଉପରେ ସମସ୍ତଙ୍କ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)