• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପାର୍ବଣ ପାଇଁ ସବୁଠି ଉତ୍ସବର ମାହୋଲ। ସବୁଠି ଚାଲିଛି ଜଗତଜନନୀ ମା ଦୁର୍ଗାଙ୍କର ଆବାହନ । ପୀଠରୁ ମଣ୍ଡପ ସବୁଠି ଚାଲିଛି ପୂଜାର୍ଚ୍ଚନା । କିନ୍ତୁ ଏଠି ଟିକେ ନିଆରା ପରମ୍ପରା । ଏଠି ମା ଦୁର୍ଗାଙ୍କର ଆବାହନ ହେଉ ନାହିଁ, ଏଠି ପୂଜା ପାଉଛନ୍ତି ମା’ ନୀଳ ସରସ୍ୱତୀ । ମା’ ଦୁର୍ଗା ଙ୍କର ଆଦିରୂପ ବା ଅଦ୍ୟଶକ୍ତି ଭାବେ ମା’ ନୀଳ ସରସ୍ୱତୀ ଙ୍କୁ ଆବାହନ ହେଉଛି । ତେବେ ଆସନ୍ତୁ ଜାଣିବା କଣ ପାଇଁ ଏହି ନିଆରା ପରମ୍ପରା ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଗୋବିନ୍ଦପୁର ପଞ୍ଚାୟତରେ ପୂଜା ପାଉଛନ୍ତି ମା’ ନୀଳ ସରସ୍ୱତୀ । ମାଆଙ୍କ ବର୍ଣ୍ଣ ନୀଳ ରଙ୍ଗ । ହାତରେ ଲେଖନୀ ଓ ଖଡି ଗୋଟଳା ଧରିଛନ୍ତି । ପାର୍ଶ୍ୱରେ ଅଛନ୍ତି ଗଣେଶ ଓ କାର୍ତ୍ତିକ । ହଂସ ଉପରେ ଉପବେଶନ କରିଛନ୍ତି ମାଆ । ତେବେ ଏହି ଗାଁ ରେ ମାଟି ବଂଶର ଲୋକେ ବସବାସ କରନ୍ତି । ଆଉ ମାଟି ବଂଶ ର ଆରାଧ୍ୟ ଦେବୀ ହେଉଛନ୍ତି ମା’ ସରସ୍ୱତୀ ।

ତେବେ ମା’ ନୀଳ ସରସ୍ୱତୀ ହେଉଛନ୍ତି ଦେବୀ ଦୁର୍ଗାଙ୍କର ଆଦିରୂପ । ସୃଷ୍ଟିର ରକ୍ଷା ପାଇଁ ଏହି ରୂପ ଧାରଣ କରିଥିବା କହନ୍ତି ପୂଜକ ଓ ସ୍ଥାନୀୟ ବାସିନ୍ଦା । ମହିଷାସୁରଙ୍କ ସଂହାର ପୂର୍ବରୁ ମା’ ନିଳବର୍ଣା ଥିଲେ, ପରେ ଦେବଦେବୀ ଙ୍କ ଠାରୁ ଅସ୍ତ୍ର ଶସ୍ତ୍ର ପ୍ରାପ୍ତ କରି ଉଗ୍ରରୂପା ହୋଇ ମାଆ ଦୁର୍ଗେଙ୍କ ରୂପ ଧାରଣ କରିଥିବା କୁହନ୍ତି ପୂଜକ ।

ଏହି ପୀଠରେ ସମସ୍ତ ରୀତିନୀତି ଦୁର୍ଗାଙ୍କ ନିକଟରେ ହେଉଥିବା ନୀତିକାନ୍ତି ସହ ସମାନ । କିନ୍ତୁ ମା ଏଠାରେ ଶାନ୍ତ ରୂପରେ ପୂଜା ପାଉଥିବାରୁ ବଳି ପ୍ରଥା ନାହିଁ । ପୂଜା ପାଇଁ ଗାଁରେ ଘରେ ଘରେ ଝୋଟି ଚିତା ଅଙ୍କା ଯାଇଛି । ଲିପା ପୋଛା କରି ଭଳିକି ଭଳି ଚିତ୍ର ଆଙ୍କି ମାଆଙ୍କ ଆଗମନକୁ ସ୍ୱାଗତ କରିଛନ୍ତି ।

ବନ୍ଧୁ ବନ୍ଧବଙ୍କୁ ନେଇ ଗାଁ ଏବେ ଭରପୁର । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଲା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମଣ୍ଡପ ନିକଟରେ ଦୋକାନ ବଜାର ଖୋଲିଛି । ତେବେ ରାବଣ ପୋଡି ମଧ୍ୟ ଏଥର ଅନୁଷ୍ଠିତ ହେବ । ତେବେ ଏହି ପୂଜା କେହି କେହି ୩ ଶହ ବର୍ଷରୁ ଅଧିକ ଦିନର କୁହାଯାଉଥିବା ବେଳେ ଅନେକ କୁହନ୍ତି ଯେ ଏହି ପୂଜାର ସମୟ ନିର୍ଦ୍ଧାରଣ କରିବା କଷ୍ଟକର । ସବୁଠି ଦୁର୍ଗତିନାଶିନୀଙ୍କ ଆବାହନ ବେଳେ ଏଠାରେ ଆଦିରୂପରେ ପୂଜା ପାଉଛନ୍ତି ମାଆ । ବହୁ ପୁରୁଣା ପରମ୍ପରାକୁ ବଜାୟ ରଖି ପୂଜା ଆୟୋଜନ କରୁଛି ପୂଜା କମିଟି ।