ନିଇତି ନୂଆ ରେକର୍ଡ କରୁଛି ସୁନା ଦର । ଆଜି ଖାଣ୍ଟି ସୁନା ୧୦ ଗ୍ରାମକୁ ୯୬ ହଜାର ଏବଂ ୨୨ କ୍ୟାରେଟ୍ ୮୮ ହଜାର ଡେଇଁଛି । ସୁନା ଦରର ଏମିତି ଉପର ମୁହାଁ ଟ୍ରେଣ୍ଡ୍ ଦେଖି ଛାନିଆ ହେଉଛନ୍ତି ଗ୍ରାହକ । ଯିଏବି କିଣୁଛି, ଆଗକୁ ବାହାଘର ପାଇଁ ବାଧ୍ୟହୋଇ କିଣୁଛି । ଖାଣ୍ଟି ସୁନା ୧୦ ଗ୍ରାମକୁ ୯୬ ହଜାର ୧୭୦ ଟଙ୍କା । ୨୨ କ୍ୟାରେଟ୍ ୮୮ ହଜାର ୧୫୦ ଟଙ୍କା । ସୁନା ଦରରେ ସର୍ବକାଳୀନ ରେକର୍ଡ ।
ବିବାହ ଋତୁରେ ପଡିଛି ସୁନା ଚଡ଼କ । ଆଜି ଗୋଟିଏ ଦିନରେ ୨୪ କ୍ୟାରେଟ୍ ଅର୍ଥାତ୍ ଖାଣ୍ଟି ସୁନା ୯୯୦ ଟଙ୍କା ବଢିଛି । ୨୨ କ୍ୟାରେଟ୍ ସୁନା ଭରିକୁ ମହଙ୍ଗା ହୋଇଛି ୯୫୦ ଟଙ୍କା । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୯୬ ହଜାର ଡେଇଁଥିବା ବେଳେ ୨୨ କ୍ୟାରେଟ୍ର ଦାମ୍ ୮୮ ହଜାର ପାର୍ କରିଛି ।
Also Read
ପୁରୀର ଅଙ୍କିତା ସେନାପତିଙ୍କ କାହାଣୀ ଶୁଣିଲେ ଆପଣ ସ୍ପଷ୍ଟ ଭାବେ ଜାଣିପାରିବେ କେମିତି ପ୍ରଭାବ ପକାଉଛି ସୁନା ଦର । ଭଉଣୀ ବାହାଘରକୁ ଆଉ ୪ ଦିନ ଥିବାରୁ ନିଇତି ବଦଳୁଥିବା ସୁନା ଦରକୁ ଦେଖି ଶସ୍ତା ହେବା ଆଶାରେ ଶେଷ ଯାଏ ଅପେକ୍ଷା କରିଥିଲେ । ଆଜି କିଣିବା ବେଳକୁ ମହଙ୍ଗା ହୋଇଗଲାଣି ଆହୁରି ହଜାରେ ଟଙ୍କା ।
ଅଧିକ ପଢ଼ନ୍ତୁ: ଆୟୁଷ୍ମାନ କାର୍ଡ ପାଇଁ କେମିତି କରିବେ ଆବେଦନ ? ଜାଣନ୍ତୁ, ଟିକିନିଖି ପ୍ରୋସେସ୍...
ଅଙ୍କିତାଙ୍କ ଭଳି ଗହଣା ଦୋକାନକୁ ଆସୁଥିବା ସବୁ ଗ୍ରାହକଙ୍କ ସେଇ ଗୋଟିଏ କଥା। ଇଚ୍ଛା ନଥିଲେ ବି ବାଧ୍ୟହୋଇ କିଣିବାକୁ ପଡ଼ୁଛି । ଏପଟେ ବ୍ୟବସାୟୀଙ୍କ କହିବା କଥା, ବର୍ଷକ ଭିତରେ ୩୦ ହଜାର ଟଙ୍କା ବଢ଼ିଛି ସୁନା ଦର । ଗତ ୧୦ ଦିନ ଭିତରେ ସୁନା ମୂଲ୍ୟ ୭ ହଜାର ଟଙ୍କା ବଢିଲାଣି । ସୁନା ଦରରେ ଏଭଳି ଅସ୍ଥିରତା କାହିଁକି ? ଏହି ସପ୍ତାହରେ ଲକ୍ଷେ ଛୁଇଁଯିବ କି ଖାଣ୍ଟି ସୁନା ? ବଜାର ବିଶେଷଜ୍ଞଙ୍କ ମତ ହେଉଛି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଥିବା ଟାରିଫ୍ ୱାର ଷ୍ଟକ୍ ବଜାରକୁ ଅସ୍ଥିର କରିଦେଇଛି ।
ଏହି କାରଣରୁ ସୁନାରେ ପୁଞ୍ଜିନିବେଶକୁ ଅଧିକ ସୁରକ୍ଷିତ ଭାବୁଛନ୍ତି ନିବେଶକ । ଏହାଛଡ଼ା ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଅଧିକରୁ ଅଧିକ ସୁନା କିଣୁଛନ୍ତି, ଯାହାକି ସୁନା ଦରକୁ ଉପରମୁହାଁ କରାଇଛି । ଯଦି ଏମିତି ସ୍ଥିତି ଲାଗିରହେ, ସପ୍ତାହକ ମଧ୍ୟରେ ସୁନା ଦର ଲକ୍ଷେ ଟଙ୍କା ଟପିବ । ଆଉ ଏଭଳି ଜାରି ରହିଲେ, ଟ୍ରମ୍ପଙ୍କ ଶାସନ କାଳରେ ୨୦୨୮ ସୁଦ୍ଧା ୪ ବର୍ଷରେ ସୁନା ଦର ଦୁଇଗୁଣା ହେବା ଆଶଙ୍କାକୁ ବି ଏଡ଼ାଯାଇ ନପାରେ ।
ବର୍ତ୍ତମାନ ସମୟରେ ନିବେଶକ ମାନେ ଗୋଲ୍ଡ ଇଟିଏଫ୍ ଓ ମଲ୍ଡି ଆସେଟ୍ ଫଣ୍ଡ ଜରିଆରେ ନିବେଶ କରି ବେଶ୍ ଲାଭବାନ ହୋଇପାରିବେ ବୋଲି ପରାମର୍ଶ ଦେଇଛନ୍ତି ବଜାର ବିଶେଷଜ୍ଞ । ସୁନା ଦରରେ ଜାରି ରହିଥିବା ଏ ଉପରମୁହାଁ ସ୍ଥିତି ଆଗକୁ କେଉଁ ରୂପ ନେଉଛି ? ଗ୍ରାହକ ତଥା ନିବେଶକଙ୍କୁ ଏହା କେତେ ପ୍ରଭାବିତ କରୁଛି । ତା’ ଉପରେ ସମସ୍ତଙ୍କ ନଜର ।