ରାଜଧାନୀ ଭୁବନେଶ୍ବରରେ ବଢୁଛି ନିଶାଡ଼ିଙ୍କ ଦୌରତ୍ମ୍ୟ । ରାସ୍ତାଘାଟ, ଗଳିକନ୍ଦି, ଚା' ଦୋକାନରେ ଖୁଲମଖୁଲା ଚାଲିଛି ନିଶା ସେବନ । ନା କାହାକୁ ଭୟ, ନା ପୋଲିସକୁ ଡର । କମିଶନରେଟ୍ ପୋଲିସ ଯେତେ ଶକ୍ତ ହେଉଛି, ସେହି ତୁଳନାରେ ନିର୍ଭୟରେ ନିଶା ସେବନ କରୁଛନ୍ତି ନିଶାଡ଼ି । ଏଥିପାଇଁ ରାଜଧାନୀରେ ଅନେକ କ୍ରାଇମ୍ ମଧ୍ୟ ଘଟୁଛି । ଏହାକୁ ନେଇ ଚିନ୍ତାରେ ରାଜାଧାନୀବାସୀ ।
ନିଶାରେ ବୁଡ଼ିଛି ରାଜଧାନୀ । ଭୁବନେଶ୍ବରର ଗଳିକନ୍ଦି ଓ ଚା' ଖଟିରେ ଚାଲିଛି ନିଶା ସେବନ । ଖୋଲା ଖୋଲି ଉଡୁଛି ଗଞ୍ଜେଇ ଧୂଆଁ । ଧଳାଜହର ଖାଇ ପାଲଟି ଯାଉଛନ୍ତି ନିଶାଡି । ସକାଳ ହେଉ ବା ସଂଧ୍ୟା, ରାଜଧାନୀର ବିଭିନ୍ନ ଅଞ୍ଚଳରେ ନିଶାଡି ଯୁବକ ଖୁଲମଖୁଲା କରୁଛନ୍ତି ନିଶା ସେବନ । ଗଞ୍ଜେଇ ଟାଣିବା ପାଇଁ ପାନ ଦୋକାନରେ ମିଳୁଥିବା ସ୍ପେଶାଲ ଗୋ ଗୋ ସିଗାରେଟ ଆଣୁଛନ୍ତି । ଗଞ୍ଜେଇ ଭରି ଫୁଲ୍ ଦମ୍ରେ ଟାଣୁଛନ୍ତି ।
Also Read
ଖାଲି ଏତିକି ନୁହେଁ ମୋବାଇଲରେ ସୁଟିଂ ହୋଇଥିବା ଅନ୍ୟ ଏକ ଦୃଶ୍ୟରେ ଦେଖିବାକୁ ମିଳିଛି, ଦୁଇ ଜଣ ଯୁବକ ରାସ୍ତା କଡ଼ରେ ବସି ଖୋଲାଖୋଲି ଭାବେ ଡ୍ରଗ୍ସ ସେବନ କରୁଛନ୍ତି । ଏହି ଦୃଶ୍ୟ କେବଳ ସାମ୍ପୁଲ ମାତ୍ର । ରାଜଧାନୀରେ ପ୍ରାୟ ପ୍ରତ୍ୟେକ ଗଳିକନ୍ଦି ଓ ଚା' ଖଟି ଏବେ ନିଶାଡିଙ୍କ ଆଡାସ୍ଥଳୀ ପାଲଟିଛି । ଗତ ମାର୍ଚ୍ଚ ୨୩ ତାରିଖରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ସହ ଶହୀଦନଗର ଥାନା ପୋଲିସ ମିଳିତ ଭାବେ ଚଢାଉ ବେଳେ ଦେଖିବାକୁ ମିଳିଥିବା ଦୃଶ୍ୟକୁ ନେଇ ଜୋର ଧରିଥିଲା ଚର୍ଚ୍ଚା ।
ଅଧିକ ପଢ଼ନ୍ତୁ: ତାଜୁବ କଲା ଲାଞ୍ଚୁଆ ବାବୁଙ୍କ ଟଙ୍କାର ପାହାଡ଼ ! ଭିଜିଲାନ୍ସ ରେଡ୍ ବେଳେ ମିଳିଲା ଆଖି ଖୋସା ସମ୍ପତ୍ତି
ଚା ଖଟିରେ ଖୋଲାଖୋଲି ଗଞ୍ଜେଇ ସିଗାରେଟ କାରବାର ବେଳେ ମାଡି ବସିଥିଲା ପୋଲିସ । ତେବେ ରାଜଧାନୀରେ ଏଭଳି ଖୋଲାଖୋଲି ନିଶା କାରାବାର ଓ ସେବନକୁ ନେଇ ଚିନ୍ତାରେ ରାଜାଧାନୀବାସୀ । ବିଧାନସଭା ତଥ୍ୟ କହୁଛି କେବଳ ଭୁବନେଶ୍ୱରରୁ ଅଗଷ୍ଟ ୨୦୨୧ରୁ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ୩ ବର୍ଷ ମଧ୍ୟରେ ୭ କେଜି ୭୬୩ ଗ୍ରାମର ବ୍ରାଉନସୁଗାର, ୩୯ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଯେଉଁଥିରେ ୩୫୯ ମାମଲାରେ ୭୨୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
କମିଶନରେଟ ପୋଲିସ ରେକର୍ଡ କହୁଛି ଗତ ୧୫ ଦିନ ମଧ୍ୟରେ ଭୁବନେଶ୍ବରରୁ ୧ କେଜି ୩ ଶହ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ସେହିଭଳି ଅବକାରୀ ବିଭାଗ ମଧ୍ୟ ଗତ ଏକ ମାସ ମଧ୍ୟରେ ୫ ଶହ ଗ୍ରାମରୁ ଉର୍ଦ୍ଧ ବ୍ରାଉନସୁଗାର ଓ ଶହେ ଗ୍ରାମ ହେରୋଇନ ଜବତ କରିଛି । ପ୍ରେତ୍ୟେକ ଦିନ ଗଞ୍ଜେଇ କାରବାର ନେଇ ଚଢାଉ କରାଯାଉଥିବା ବେଳେ କେଜି କେଜି ଗଞ୍ଜେଇ ଜବତ ହେଉଛି ।
ସେପଟେ ନିଶା କାରବାର ନେଇ କମିଶନରେଟ ପୋଲିସ ଜିରୋ ଟଲେରାନ୍ସ ନୀତି ଆପଣାଇଛି । ପ୍ରଥମ ଥର ପାଇଁ ଜଣେ କୁଖ୍ୟାତ ବ୍ରାଉନସୁଗାର ମାଫିଆଙ୍କୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ରାଜ୍ୟରୁ ବେଆଇନ ନିଶା କାରବାର ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ପୋଲିସ ଆକ୍ସନମୋଡକୁ ଆସିଛି । କିନ୍ତୁ, ଏହାରି ଭିତରେ ବଢିବାରେ ଲାଗିଛି ନିଶା କାରବାର ।