Advertisment

ଟେନିସ୍‌ରେ ନୂଆ ପିଢ଼ିର ନେତୃତ୍ୱ ନେବେ କି କାର୍ଲୋସ୍ ଅଲ୍‌କାରାଜ୍

ପେସାଦାର ଟେନିସ୍‌ର ନୂଆ ନାୟକ ଭାବେ ଉଭା ହୋଇଛନ୍ତି ୨୦ ବର୍ଷୀୟ ସ୍ପେନୀୟ ଖେଳାଳି କାର୍ଲୋସ୍ ଅଲ୍‌କାରାଜ୍ । ସେ ନିକଟରେ ୱିମ୍ବଲ୍‌ଡନ୍ ଜିତିବା ପରେ ଦୁଇଟି ବଡ଼ ପ୍ରଶ୍ନ ଛିଡ଼ା ହୋଇଛି । ଟେନିସ୍‌ରେ ରାଫେଲ୍ ନାଡାଲ୍ ଓ ନୋଭାକ୍ ଜୋକୋଭିଚ୍‌ଙ୍କ ଯୁଗ କ’ଣ ସରିଆସିଲାଣି? ଅଲ୍‌କାରାଜ୍ କ’ଣ ଟେନିସ୍‌ରେ ନୂଆ ପିଢ଼ିର ନେତୃତ୍ୱ ନେବେ?

author-image
Biswajit Mohanty
ଅଦ୍ୟତନ ହୋଇଛି
Will Carlos Alcaraz lead the new generation in tennis?

Will Carlos Alcaraz lead the new generation in tennis?

ପେସାଦାର ଟେନିସ୍‌ର ପୁରୁଷ ଏକକ ବର୍ଗରେ ଦୀର୍ଘ ଦିନ ଯାଏଁ ବିଗ୍ ଥ୍ରୀ - ରୋଜର୍ ଫେଡେରର୍‌, ରାଫେଲ୍ ନାଡାଲ୍ ଓ ନୋଭାକ୍ ଜୋକୋଭିଚ୍‌ଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି । ବିଶେଷକରି ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ୍ ‘ୱିମ୍ବଲ୍‌ଡନ୍‌’ରେ ଫେଡେରର୍ ଓ ଜୋକୋଭିଚ୍‌ଙ୍କ ଆଗରେ ସମସ୍ତେ ନିଷ୍ପ୍ରଭ ଜଣାପଡ଼ନ୍ତି ।

Advertisment

କିନ୍ତୁ ଜୁଲାଇ ୧୬ରେ ଅଲ୍ ଇଂଲଣ୍ଡ କ୍ଲବ୍ ଠାରେ ସ୍ପେନ୍‌ର ୨୦ ବର୍ଷୀୟ କାର୍ଲୋସ୍ ଅଲ୍‌କାରାଜ୍ ଗାର୍ଫିଆ ୨୩ ଥର ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ୍ ୩୬ ବର୍ଷୀୟ ଜୋକୋଭିଚ୍‌ଙ୍କୁ ପାଞ୍ଚ ସେଟ୍ ଧରି ଚାଲିଥିବା ରୋମାଞ୍ଚକ ଫାଇନାଲ୍ ମ୍ୟାଚ୍‌ରେ ହରାଇଥିଲେ । ଏହା ତାଙ୍କ କ୍ୟାରିଅର୍‌ର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ମୁକୁଟ ଥିଲା । ସେ ପ୍ରମାଣିତ କରିଥିଲେ ଯେ ପେସାଦାର ଟେନିସ୍‌ର ନୂଆ ନାୟକ ଭାବେ ତାଙ୍କର ଅଭ୍ୟୁଦୟ ହୋଇଛି ।

୨୦୦୩ରୁ ୨୦୨୨ ଯାଏଁ ଫେଡେରର୍‌, ନାଡାଲ୍‌, ଆଣ୍ଡି ମରେ ଓ ଜୋକୋଭିଚ୍ ଏହି ଟ୍ରଫି ଜିତିଥିଲେ । ୨୧ ବର୍ଷ ପରେ ୱିମ୍ବଲ୍‌ଡନ୍‌କୁ ନୂଆ ଚାମ୍ପିଅନ୍ ମିଳିଛି । କୌତୂହଳର ବିଷୟ ହେଉଛି ଯେ ୨୦୦୩ରେ ଯେତେବେଳେ ଫେଡେରର୍ ଏହି ୱିମ୍ବଲଡନ୍ ଜିତିଥିଲେ ସେତେବେଳେ ଅଲ୍‌କାରାଜ୍ ଦୁଇ ମାସର ହୋଇଥିଲେ ।

Advertisment

ସ୍ୱିସ୍ ତାରକା ଫେଡେରର୍ ଅବସର ନେବା ପରେ ଏବେ ବିଗ୍ ଥ୍ରୀରେ ସ୍ପେନୀୟ ନାଡାଲ୍ ଓ ସର୍ବୀୟ ଜୋକୋଭିଚ୍ ରହିଛନ୍ତି । ନାଡାଲ୍ ଆଘାତ ଜନିତ ସମସ୍ୟା ଭୋଗୁଛନ୍ତି, ଯେଉଁଥିପାଇଁ ସେ ଏଟିପି ମାନ୍ୟତାରେ ଟପ୍‌-୧୦୦ରୁ ବାଦ୍ ପଡ଼ିସାରିଲେଣି । ଜୋକୋଭିଚ୍ ସକ୍ରିୟ ଅଛନ୍ତି, ହେଲେ ସେ ବି କ୍ୟାରିଅର୍‌ର ଅନ୍ତିମ ସୋପାନରେ ପହଞ୍ଚିଲେଣି ।

ଏବେ ଦୁଇଟି ପ୍ରଶ୍ନ ଉଠୁଛି । ପ୍ରଥମ ପ୍ରଶ୍ନ - ଟେନିସ୍‌ରେ ନାଡାଲ୍ ଓ ଜୋକୋଭିଚ୍‌ଙ୍କ ଯୁଗ କ’ଣ ସରିଆସିଲାଣି? ଦ୍ୱିତୀୟ ପ୍ରଶ୍ନ - ପ୍ରଚଣ୍ଡ ପ୍ରତିଭାଶାଳୀ ଅଲ୍‌କାରାଜ୍ କ’ଣ ଟେନିସ୍‌ରେ ନୂଆ ପିଢ଼ିର ନେତୃତ୍ୱ ନେବେ?

ଟେନିସ୍‌ରେ ସାଧାରଣତଃ କିଛି ଖେଳାଳିଙ୍କ ସମୟ ଚାଲିଥାଏ । ଗୋଟିଏ ସମୟରେ ରୋଡ୍ ଲାଭେର୍‌, ଜିମ୍ମୀ କନର୍ସ, ବ୍ୟୋନ୍ ବୋର୍ଗ ଓ ପିଟ୍ ସାମ୍ପ୍ରାସ୍‌ଙ୍କ ଭଳି ଖେଳାଳିଙ୍କ ରାଜତ୍ୱ ଥିଲା । ଏହାପରେ ଫେଡେରର୍‌, ନାଡାଲ୍ ଓ ଜୋକୋଭିଚ୍ ଟେନିସ୍ କୋର୍ଟରେ ଆଧିପତ୍ୟ ବିସ୍ତାର କରିଥିଲେ । ଏବେ ଟେନିସ୍ ଏକ ନୂଆ ଯୁଗରେ ପ୍ରବେଶ କରୁଛି ।

ନୂଆ ପିଢ଼ିର ଖେଳାଳିଙ୍କ ମଧ୍ୟରେ ଅଲ୍‌କାରାଜ୍ ସର୍ବାଗ୍ରେ ଅଛନ୍ତି । ନୂଆ ପିଢ଼ିର ନେତୃତ୍ୱ ନେବା ପାଇଁ ସେ ସବୁଠାରୁ ମଜଭୁତ ଦାବିଦାର । ଅବଶ୍ୟ ରୁଷିଆର ଡାନିଏଲ୍ ମେଦଭେଦେଭ୍ ଓ ଗ୍ରୀସ୍‌ର ଷ୍ଟିଫାନୋସ୍ ସିତ୍‌ସିପାସ୍‌ଙ୍କ ଭଳି ପ୍ରତିଭାଶାଳୀ ଖେଳାଳି ବି ଅଛନ୍ତି ।

୧୭ ବର୍ଷ ବୟସରେ ଖେଳିଥିଲେ ପ୍ରଥମ ଗ୍ରାଣ୍ଡସ୍ଲାମ୍‌:

ପିଲାଦିନରୁ ହିଁ ଅଲ୍‌କାରାଜ୍‌ଙ୍କ ଭିତରେ ଟେନିସ୍ ପାଇଁ ସ୍ୱାଭାବିକ ଯୋଗ୍ୟତା ଥିଲା । ପରିବାରର ମାର୍ଗଦର୍ଶନରେ ଖେଳ ପ୍ରତି ତାଙ୍କ ଉତ୍ସାହ ଓ ସମର୍ପଣ ଭାବ ଉତ୍ତରଣ ପର୍ଯ୍ୟାୟରେ ପହଞ୍ଚିଥିଲା । ତାଙ୍କ ସଫଳତାର ସ୍କ୍ରିଫ୍ଟ ଲେଖିଥିଲେ ପିତା କାର୍ଲୋସ ଅଲ୍‌କାରାଜ୍ ଗୋଞ୍ଜାଲେଜ୍‌, ଯିଏ ନିଜେ ଜଣେ ଟେନିସ୍ ଖେଳାଳି ଥିଲେ ଏବଂ ସ୍ପେନ୍‌ରେ ଟେନିସ୍ ଏକାଡେମୀ ଚଳାଉଛନ୍ତି ।

ଅଲ୍‌କାରାଜ୍ ମାତ୍ର ୧୪ ବର୍ଷ ବୟସରେ ପେସାଦାର ଟେନିସ୍‌ରେ ପଦାର୍ପଣ କରିଥିଲେ । ତାଙ୍କ ପ୍ରଦର୍ଶନକୁ ନେଇ ଟେନିସ୍ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

୨୦୨୧ରେ ଅଲ୍‌କାରାଜ୍ ମାତ୍ର ୧୭ ବର୍ଷ ବୟସରେ ଅଷ୍ଟ୍ରେଲିଆନ୍ ଓପନ୍‌ର ଡ୍ର’ରେ ପ୍ରବେଶ କରିଥିଲେ, କିନ୍ତୁ ସେ ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ । ସେହି ବର୍ଷ ସେ ଫ୍ରେଞ୍ଚ୍ ଓପନ୍‌ର ତୃତୀୟ ରାଉଣ୍ଡରେ ପହଞ୍ଚିଥିଲେ ଏବଂ ୱିମ୍ବଲଡନ୍‌ର ଦ୍ୱିତୀୟ ରାଉଣ୍ଡରେ ହିଁ ତାଙ୍କ ଯାତ୍ରା ଶେଷ ହୋଇଥିଲା ।

ୟୁଏସ୍ ଓପନ୍‌ରେ ସେ ସିତ୍‌ସିପାସ୍‌କୁ ହରାଇ ଚତୁôର୍ଥ ରାଉଣ୍ଡରେ ସ୍ଥାନ ପାଇଥିଲେ । ତାହା ତାଙ୍କ କ୍ୟାରିଅର୍‌ର ସବୁଠାରୁ ବଡ଼ ବିଜୟ ଥିଲା ଏବଂ ସେ ୨୦୧୨ରେ ଆନ୍ଦ୍ରେଇ ମେଦଭେଦେଭ୍‌ଙ୍କ ପରେ କୌଣସି ଗ୍ରାଣ୍ଡସ୍ଲାମ୍‌ର ଚତୁର୍ଥ ରାଉଣ୍ଡରେ ପହଞ୍ଚିବାରେ ସର୍ବକନିଷ୍ଠ ଖେଳାଳି ଥିଲେ । ସେ ଏହାପରେ କ୍ୱାର୍ଟର୍‌-ଫାଇନାଲ୍‌ରେ ପ୍ରବେଶ କରିଥିଲେ ଏବଂ ୟୁଏସ୍ ଓପନ୍‌ର ଅନ୍ତିମ-୮ରେ ସ୍ଥାନ ପାଇବାରେ ଓପନ୍ ଯୁଗର ସର୍ବକନିଷ୍ଠ ଖେଳାଳି ହୋଇପାରିଥିଲେ । କିନ୍ତୁ ଆଘାତ ଯୋଗୁଁ ସେ ଏହି ରାଉଣ୍ଡରୁ ବିଦାୟ ନେଇଥିଲେ ।

ପ୍ରଥମ ମେଜର୍ ମୁକୁଟ ବିଜୟ ଓ ଶୀର୍ଷ ମାନ୍ୟତା ହାସଲ:

୨୦୨୨ରେ ଅଲ୍‌କାରାଜ୍‌ଙ୍କ କ୍ୟାରିଅର ଶିଖର ଛୁଇଁବା ଆରମ୍ଭ କରିଥିଲା । ସେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ‘ଅଷ୍ଟ୍ରେଲିଆନ୍ ଓପନ୍‌’ର ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ ଏବଂ ଶେଷ ଗ୍ରାଣ୍ଡସ୍ଲାମ୍ ‘ୟୁଏସ୍ ଓପନ୍‌’ରେ ଚାମ୍ପିଅନ୍ ହୋଇଥିଲେ। ନ୍ୟୁୟର୍କରେ ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍ ମୁକୁଟ ଜିତିବା ସହ ସେ ବିଶ୍ୱ ମାନ୍ୟତାରେ ସର୍ବକନିଷ୍ଠ ଖେଳାଳି ଭାବେ ଶୀର୍ଷ ସ୍ଥାନ ହାସଲ କରିଥିଲେ ।

ସେହି ବର୍ଷ ସେ କ୍ଲେ କୋର୍ଟରେ ଦୁଇ ବଡ଼ ଖେଳାଳି - ନାଡାଲ୍ ଓ ଜୋକୋଭିଚ୍‌ଙ୍କୁ ହରାଇ ନିଜ ଉଜ୍ଜ୍ୱଳ ଭବିଷ୍ୟତର ଆଭାସ ଦେଇଥିଲେ । ସେ ମାଦ୍ରିଦ୍ ଓପନ୍ କ୍ୱାର୍ଟର୍‌-ଫାଇନାଲ୍‌ରେ ନାଡାଲ୍‌ଙ୍କୁ ହରାଇଥିଲେ । କ୍ଲେ କୋର୍ଟରେ ରାଫାଙ୍କୁ ହରାଇବାରେ ପ୍ରଥମ ତରୁଣ ଥିଲେ ସେ ।

ଏହାପରେ ସେ ସେମିଫାଇନାଲ୍‌ରେ ଟପ୍ ସିଡ୍ ଜୋକୋଭିଚ୍‌ଙ୍କୁ ମାତ୍ ଦେଇ ୨୦୦୪ ପରେ ବିଶ୍ୱର ଏକ ନମ୍ବର ଖେଳାଳିଙ୍କୁ ହରାଇବାରେ ସର୍ବକନିଷ୍ଠ ଖେଳାଳି ହୋଇପାରିଥିଲେ । ଏହା ସହିତ କ୍ଲେ କୋର୍ଟରେ ନାଡାଲ୍ ଓ ଜୋକୋଭିକ୍‌ଙ୍କୁ ହରାଇବାରେ ସେ ପ୍ରଥମ ଖେଳାଳି ହୋଇଥିଲେ ।

ଆଗକୁ ବାକି ଅଛି ଦୀର୍ଘ ପଥ:

ଅଲ୍‌କାରାଜ୍‌ଙ୍କ ଖେଳ ଶୈଳୀର ବିଶେଷତ୍ୱ ହେଉଛି ତାଙ୍କ ଶକ୍ତିଶାଳୀ ଗ୍ରାଉଣ୍ଡଷ୍ଟ୍ରୋକ୍‌, ବିସ୍ଫୋରକ ଫୋର୍‌ହ୍ୟାଣ୍ଡ୍ ଓ ଉଲ୍ଲେଖନୀୟ କୋର୍ଟ କଭରେଜ୍ । ବୟସ କମ୍ ହେଲେ ବି ତାଙ୍କ ପ୍ରଦର୍ଶନରେ ପରିପକ୍ୱତା ଦେଖିବାକୁ ମିଳୁଛି ।

ନିଜର ଅସାଧାରଣ ପ୍ରତିଭା, ଦୃଢ଼ ସଂକଳ୍ପ ଓ ଖେଳ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଅଲ୍‌କାରାଜ୍ ପେସାଦାର ଟେନିସ୍‌ର ଉଚ୍ଚତର ସୋପାନରେ ପହଞ୍ଚିପାରିଛନ୍ତି । କ୍ୟାରିଅର୍‌ର ଆଦ୍ୟ ଭାଗରେ ସେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।

ତେବେ ଅଲ୍‌କାରାଜ୍ ଏ କଥା ମନେ ରଖିବା ଉଚିତ ଯେ ଯେଉଁ ନାଡାଲ୍ ଓ ଜୋକୋଭିଚ୍‌ଙ୍କୁ ସେ ହରାଇଛନ୍ତି ଏବଂ ଫେଡେରର୍‌ଙ୍କୁ ଖେଳିବାର ଦେଖିଛନ୍ତି, ସେମାନେ ୨୦ରୁ ଅଧିକ ଗ୍ରାଣ୍ଡସ୍ଲାମ୍ ମୁକୁଟ ଜିତିଥିବା ଟେନିସ୍ ଜଗତର ଗୋଟିଏ ଗୋଟିଏ କୀର୍ତ୍ତିସ୍ତମ୍ଭ । ସେମାନଙ୍କ ସଫଳତା ଯାଏଁ ପହଞ୍ଚିବା ଲାଗି ଅଲ୍‌କାରାଜ୍‌ଙ୍କୁ ଦୀର୍ଘ ପଥ ଅତିକ୍ରମ କରିବାକୁ ହେବ । ସେଥିପାଇଁ ଅସୀମ ଧୈର୍ଯ୍ୟଶକ୍ତି ଓ ସାଧନା ଦରକାର ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Indian Tennis Player
Advertisment
Advertisment