• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ଭାରତୀୟ ଫୁଟ୍‌ବଲ୍ ଏବେ ଉତ୍ତରଣ ପର୍ଯ୍ୟାୟ ଆଡ଼କୁ ଗତିକରୁଛି । ଗୋଟିଏ ମାସ ମଧ୍ୟରେ ପୁରୁଷ ଟିମ୍ ଘରୋଇ ମାଟିରେ ଦୁଇଟି ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ୍‌ ଜିତି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ।

ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଟର୍‌କଣ୍ଟିନେଣ୍ଟାଲ୍ (ଅନ୍ତର୍ମହାଦେଶୀୟ) କପ୍ ଜିତି ଦମ୍‌ଦାର ଢଙ୍ଗରେ ଚଳିତ ସିଜନ୍ ଆରମ୍ଭ କରିଥିଲା । ଏହାପରେ ଟିମ୍ ପାଞ୍ଚ ବର୍ଷର ବ୍ୟବଧାନ ପରେ ଫିଫା ମାନ୍ୟତାର ଟପ୍‌-୧୦୦କୁ ଫେରିଥିଲା ଏବଂ ଜୁଲାଇ ୧୧ରେ ଭାରତ ନବମ ଥର ଦକ୍ଷିଣ ଏସୀୟ ଫୁଟ୍‌ବଲ୍ ମହାସଂଘ (ସାଫ୍‌) ଚାମ୍ପିଅନ୍‌ସିପ୍ ମୁକୁଟ ଜିତିଥିଲା । ଆୟୋଜକ ଟିମ୍ ଫାଇନାଲ୍‌ରେ କୁଏତକୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ୫-୪ରେ ମାତ୍ ଦେଇଥିଲା ।

ଏବେ ଚର୍ଚ୍ଚା ହେଉଛି ଯେ ୨୦୨୩ ଭାରତୀୟ ଫୁଟ୍‌ବଲ୍ ପାଇଁ ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହେବ କି? ଏ ବର୍ଷର ସଫଳତା ଭାରତୀୟ ଫୁଟ୍‌ବଲ୍‌କୁ ସୁନେଲି ଭବିଷ୍ୟତ ଆଡ଼କୁ ନେଇଯିବ କି?

ଜୁନ୍ ୧୮ରେ ଭାରତୀୟ ଟିମ୍ ଇଣ୍ଟର୍‌କଣ୍ଟିନେଣ୍ଟାଲ୍ କପ୍ ଜିତିଥିଲା । ଏଥିରେ ମାତ୍ର ଚାରି ଟିମ୍ ଖେଳିଥିଲେ, ହେଲେ ଏହି ଟ୍ରଫି ଚାରି ବର୍ଷ ପରେ ଟିମ୍ ପାଖକୁ ଫେରିବା ଗୁରୁତ୍ୱପୂର୍ଣ୍ଣ ଥିଲା । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଭାରତ ୨-୦ରେ ଲେବାନନ୍‌କୁ ହରାଇଥିଲା । ୪୬ ବର୍ଷ ପୂର୍ବେ ଲେବାନନ୍ ବିପକ୍ଷରେ ଏହି ବିଜୟ ବିଶେଷ ଗୁରୁତ୍ୱ ରଖେ ।

ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରେ ଭାରତୀୟ ଟିମ୍ ମଙ୍ଗୋଲିଆକୁ ୨-୦, ଭାନୁଆତୁକୁ ୧-୦ରେ ହରାଇଥିବା ବେଳେ ଲେବାନନ୍ ବିପକ୍ଷ ମ୍ୟାଚ୍‌କୁ ୦-୦ ଡ୍ର’ ରଖିଥିଲା ।

ଇଣ୍ଟର୍‌କଣ୍ଟିନେଣ୍ଟାଲ୍ କପ୍ ପରେ ବେଙ୍ଗାଲୁରୁର କାନ୍ତୀରଭା ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିବା ସାଫ୍ ଚାମ୍ପିଅନ୍‌ସିପ୍‌ରେ ମଧ୍ୟ ଭାରତ ବାଜିମାତ୍ କରିଥିଲା । ଅବଶ୍ୟ ଏହି ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ଟିମ୍‌ର ଆଧିପତ୍ୟ ରହିଆସିଛି ।

ଅନେକ ସମୟରେ ଦେଖିବାକୁ ମିଳିଛି ଯେ ଭାରତୀୟ ଟିମ୍ ଗୋଲ୍ ଖାଇବା ପରେ ଦୁର୍ବଳ ହୋଇଯାଏ । କିନ୍ତୁ ସାଫ୍ ଫାଇନାଲ୍‌ରେ ଭାରତର ନୂଆ ରୂପ ଦେଖିବାକୁ ମିଳିଥିଲା । କୁଏତ ଠାରୁ ପ୍ରଥମାର୍ଦ୍ଧରେ ଗୋଲ୍ ଖାଇବା ସତ୍ତ୍ୱେ ଛେତ୍ରୀଙ୍କ ଟିମ୍ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ଦ୍ୱିତୀୟାର୍ଦ୍ଧରେ ଗୋଲ୍ କରି ସ୍କୋର୍‌ଲାଇନ୍‌କୁ ସମାନ ସ୍ଥିତିକୁ ଆଣିଥିଲା । ଏହାପରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ଭାରତ ବିଜୟୀ ହୋଇଥିଲା ।

ଆଗକୁ କିଙ୍ଗ୍‌ସ୍ କପ୍‌, ଏସିଆଡ୍ ଓ ବିଶ୍ୱକପ୍ କ୍ୱାଲିଫାୟର୍ ଚାଲେଞ୍ଜ୍‌

ଭାରତୀୟ ଟିମ୍ ସମ୍ମୁଖରେ ଚଳିତ ବର୍ଷ କିଙ୍ଗ୍‌ସ କପ୍‌, ଏସିଆଡ୍ ଓ ବିଶ୍ୱକପ୍ କ୍ୱାଲିଫାୟର୍ ଭଳି ଚାଲେଞ୍ଜ୍ ରହିଛି । ଏଥିରେ ଟିମ୍ ନିଜ ଦକ୍ଷତା ପ୍ରଦର୍ଶନ କରି ବିଶ୍ୱ ମାନ୍ୟତାରେ ସୁଧାର ଆଣିପାରିବ ।

୧୯୬୮ରେ ଆରମ୍ଭ ହୋଇଥିବା କିଙ୍ଗ୍‌ସ କପ୍ ଟୁର୍ଣ୍ଣାମେଣ୍ଟକୁ ଫୁଟ୍‌ବଲ୍ ଆସୋସିଏସନ୍ ଅଫ୍ ଥାଇଲାଣ୍ଡ ଆୟୋଜନ କରିଥାଏ । ଏହାର ୧୯୭୭ ଓ ୨୦୧୯ ସଂସ୍କରଣରେ ଭାରତ କାଂସ୍ୟ ପଦକ ହାସଲ କରିଥିଲା । ବ୍ଲୁ ଟାଇଗର୍ସ ପୁଣି ଥରେ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ପ୍ରସ୍ତୁତ ଅଛି । ଏଥିରେ ଆୟୋଜକ ଥାଇଲାଣ୍ଡ ସମେତ ୟୁଏଇ, ଭାରତ ଓ ଲେବାନନ୍ ଅଂଶଗ୍ରହଣ କରିବେ । ଏହା ସେପ୍ଟେମ୍ବର ୭ରୁ ୧୦ ଯାଏଁ ଚାଲିବ ।

ଏହି ପ୍ରତିଯୋଗିତାରେ ଭାରତ ଆଗରେ ସବୁଠାରୁ ବଡ଼ ଚାଲେଞ୍ଜ୍ ଭାବେ ଛିଡ଼ା ହେବ ୟୁଏଇ, ଯିଏକି ବିଶ୍ୱ ମାନ୍ୟତାରେ ୭୨ତମ ସ୍ଥାନରେ ରହିଛି । ଯଦି ଭାରତୀୟ ଟିମ୍ ୟୁଏଇକୁ ହରାଏ, ତା’ହେଲେ ଏସିଆଡ୍ ୨୦୨୩ ପୂର୍ବରୁ ତା’ର ମନୋବଳ ବୃଦ୍ଧି ପାଇବ ।

ଏହାପରେ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ଯାଏଁ ଚୀନ୍‌ର ହାଙ୍ଗଝୁ ଠାରେ ଏସୀୟ କ୍ରୀଡ଼ା ୨୦୨୩ ଆୟୋଜିତ ହେବ । ଏଥିରେ ଫୁଟ୍‌ବଲ୍‌ର ୨୩ ବର୍ଷରୁ କମ୍ ଟିମ୍‌ଗୁଡ଼ିକ ମଧ୍ୟରେ ମୁକାବିଲା ହେବ । ଭାରତୀୟ ବରିଷ୍ଠ ଟିମ୍‌ର ତିନି ଖେଳାଳି ଏଥିରେ ଭାଗ ନେଇପାରିବେ ।

ଏସିଆଡ୍ ୧୯୫୧ ଓ ୧୯୬୨ ସଂସ୍କରଣରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏହାଛଡ଼ା ୧୯୭୦ରେ କାଂସ୍ୟ ପଦକ ମଧ୍ୟ ହାସଲ କରିଥିଲା । କିନ୍ତୁ ଟିମ୍ ସେବେଠାରୁ ଆଉ ପୂର୍ବ ସଫଳତାକୁ ଦୋହରାଇ ପାରି ନାହିଁ ।

ଏବେ ଭାରତୀୟ ଟିମ୍‌ରେ ଲଲିଆନଜୁଆଲା ଚାଙ୍ଗ୍‌ତେ ଓ ଜ୍ୟାକ୍‌ସନ୍ ସିଂହଙ୍କ ଭଳି ପ୍ରତିଭାଶାଳୀ ଯୁବ ଖେଳାଳି ଅଛନ୍ତି । ସେମାନଙ୍କୁ ଏସିଆଡ୍‌ରେ ଜାପାନ, ଇରାନ ଓ ଦକ୍ଷିଣ କୋରିଆ ଭଳି ଟପ୍ ଟିମ୍ ବିପକ୍ଷରେ ଖେଳିବାର ସୁଯୋଗ ମିଳିବ । ଏହି ଟୁର୍ଣ୍ଣାମେଣ୍ଟରୁ ଭାରତୀୟ ଯୁବ ଟିମ୍‌ର ସାମର୍ଥ୍ୟ କେତେ, ତାହା ଜଣାପଡ଼ିବ ।

ଏହାପରେ ଅକ୍ଟୋବର ୧୪ରୁ ୧୭ ଯାଏଁ ମର୍ଡେକା କପ୍‌ର ୪୨ତମ ସଂସ୍କରଣ ଖେଳାଯିବ । ମାଲେସିଆ ଫୁଟ୍‌ବଲ୍ ସଂଘ ପକ୍ଷରୁ ଆୟୋଜନ କରାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଏଥର ଆୟୋଜକ ଟିମ୍ ସମେତ ଭାରତ, ପାଲେଷ୍ଟାଇନ୍‌, ଲେବାନନ୍ ଟିମ୍ ଭାଗ ନେବ ।

ଫିଫା ମାନ୍ୟତାରେ ପାଲେଷ୍ଟାଇନ୍ ଭାରତ ଠାରୁ ଆଗରେ ୯୬ତମ ସ୍ଥାନରେ ରହିଛି । ଏପରିସ୍ଥଳେ ଭାରତୀୟ ଟିମ୍‌କୁ ପାଲେଷ୍ଟାଇନ୍ ଚାଲେଞ୍ଜ୍‌କୁ ପ୍ରତିହତ କରିବାକୁ ହେବ ।

ତେବେ ଚଳିତ ବର୍ଷ ଭାରତ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ୍ ହେଉଛି ବିଶ୍ୱକପ୍ କ୍ୱାଲିଫାୟର୍ । ବିଶ୍ୱକପ୍ ୨୦୨୬କୁ ଯୋଗ୍ୟତା ହାସଲ କରିବା ପାଇଁ ଭାରତ ପାଖରେ ସୁଯୋଗ ରହିଛି । ଉନ୍ନତ ମାନ୍ୟତା ଯୋଗୁଁ ଭାରତ ବିଶ୍ୱକପ୍‌ରେ ଏସୀୟ କ୍ୱାଲିଫାୟର୍ ପାଇଁ ରାଉଣ୍ଡ-୧ ପରିବର୍ତ୍ତେ ସିଧା ରାଉଣ୍ଡ-୨ରେ ଖେଳିବ ।

କ୍ୱାଲିଫିକେସନ୍ ପାଇଁ ମୋଟ୍ ପାଞ୍ଚ ରାଉଣ୍ଡ ହେବ । ଭାରତୀୟ ଟିମ୍ ଏଥିପାଇଁ ନଭେମ୍ବରରେ କ୍ୱାଲିଫାୟର୍ ଖେଳିବ । ଏଥିରେ ଏସିଆର ଟପ୍ ଟିମ୍‌ଗୁଡ଼ିକ ସହ ଭାରତର ମୁକାବିଲା ହେବ, ଯେଉଁଥିରେ ଜାପାନ ଓ କୋରିଆ ବି ରହିଛନ୍ତି । ଏଥିପାଇଁ ଭାରତୀୟ ଟିମ୍‌କୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)