• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ଆଉ ତିନି ମାସ ପରେ ଭାରତରେ ହେବ ଦିନିକିଆ ବିଶ୍ୱକପ୍ ୨୦୨୩ । ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ପ୍ରଥମ ଥର ବିଶ୍ୱକପ୍ ସମ୍ପୂର୍ଣ୍ଣ ରୂପେ ଭାରତରେ ଆୟୋଜନ କରାଯାଉଥିବାରୁ ଆୟୋଜକ ଟିମ୍ ପାଖରେ ୧୨ ବର୍ଷ ପରେ ଆଇସିସି ଟ୍ରଫି ଜିତିବାର ସୁଯୋଗ ରହିଛି । ଏଥିପାଇଁ ଏକ ମଜଭୁତ ଟିମ୍ ଚୟନ କରିବାକୁ ଲକ୍ଷ୍ୟ ରହିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ।

ଟିମ୍ ମ୍ୟାନେଜ୍‌ମେଣ୍ଟ ପ୍ରକୃଷ୍ଟ ସଂଯୋଜନ (ପର୍‌ଫେକ୍ଟ କମ୍ବିନେସନ୍‌) ଖୋଜୁଥିବା ବେଳେ ଚୟନକାରୀମାନେ ମଧ୍ୟ ପ୍ରତି ସ୍ଥାନ ପାଇଁ ବିକଳ୍ପ ରଖିବାକୁ ଚାହାନ୍ତି । ଏହି କାରଣରୁ ଗତ ଏକ ବର୍ଷ ହେଲା ବିଭିନ୍ନ ସ୍ଥାନ ପାଇଁ ଅଲଗା ଅଲଗା ଖେଳାଳିଙ୍କୁ ପ୍ରୟୋଗ କରାଯାଇଆସୁଛି । ଯୁବ ଖେଳାଳିମାନଙ୍କୁ ସୁଯୋଗ ଦିଆଯାଉଛି ।

ବିଶେଷଜ୍ଞ ବ୍ୟାଟର୍ ଓ ବୋଲର୍‌ଙ୍କ ପାଇଁ ବିକଳ୍ପ ରଖାଯାଉଥିଲେ ବି ଏହା ସେତେ ବଡ଼ ଚିନ୍ତାର ବିଷୟ ନୁହେଁ । ଯେଉଁ ସ୍ଥାନକୁ ନେଇ ଅଧିକ ମାନସ-ମନ୍ଥନ କରିବାର ଆବଶ୍ୟକତା ଅଛି, ତାହା ହେଲା ୱିକେଟ୍‌କିପର୍‌-ବ୍ୟାଟର୍‌ଙ୍କ ସ୍ଥାନ ।

ସମସ୍ୟା ନ ଥା’ନ୍ତା ଯଦି ରିଷଭ ପନ୍ତ ଫିଟ୍‌ଥା’ନ୍ତେ । କାର୍ ଦୁର୍ଘଟଣାରେ ଆହତ ହୋଇଥିବା ପନ୍ତ ସର୍ଜରୀ ପରେ ବିସିସିଆଇ ମେଡିକାଲ୍ ଟିମ୍‌ର ତତ୍ତ୍ୱାବଧାନରେ ଅଛନ୍ତି । ସେ ବିଶ୍ୱକପ୍ ବେଳକୁ ଫିଟ୍ ହୋଇଯିବେଣି ବୋଲି କେହି ଗ୍ୟାରେଣ୍ଟି ଦେଇ କହିପାରିବେ ନାହିଁ । କ୍ରିକେଟ୍ ମହାସମରକୁ ଓହ୍ଲାଇବା ପୂର୍ବରୁ ତାଙ୍କୁ ମ୍ୟାଚ୍ ପ୍ରାକ୍ଟିସ୍ କରିବାକୁ ହେବ । ତେଣୁ ଯଦି ସେ ଫିଟ୍ ହୋଇ ଆଗାମୀ ଏସିଆ କପ୍‌ରେ ଖେଳିପାରିବେ, ତା’ହେଲେ ବିଶ୍ୱକପ୍‌ରେ ମଧ୍ୟ ତାଙ୍କର ଖେଳିବା ନେଇ ଆଶା ରହିବ ।

ମ୍ୟାଚ୍ ପ୍ରାକ୍ଟିସ୍ ସହ ଫର୍ମ ହାସଲ କରିବା ମଧ୍ୟ ପନ୍ତଙ୍କ ପାଇଁ ବଡ଼ ଚାଲେଞ୍ଜ୍ । ତାଙ୍କୁ ତରବରିଆ ଭାବେ ଖେଳାଇବା ରିସ୍କ ହେବ । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ କ୍ରିକେଟ୍‌କୁ ଫେରିବା ଉଚିତ । କିନ୍ତୁ ଯଦି ଏହି ଯୁବ ଖେଳାଳି ବିଶ୍ୱକପ୍‌ର ଯଥେଷ୍ଟ ଆଗରୁ ସୁସ୍ଥ ହୋଇଯା’ନ୍ତି ଓ ମ୍ୟାଚ୍ ପ୍ରାକ୍ଟିସ୍ କରି ଫର୍ମ ହାସଲ କରନ୍ତି, ତା’ହେଲେ ଭିନ୍ନ କଥା ।

ଏହି ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ପନ୍ତଙ୍କ ବିକଳ୍ପ ଖୋଜାଚାଲିଛି । ବିକଳ୍ପଙ୍କ ଦୌଡ଼ରେ ଲୋକେଶ ରାହୁଲ, ଈଶାନ କିଶନ, ସଞ୍ଜୁ ସାମ୍‌ସନ୍ ରହିଛନ୍ତି । ଟେଷ୍ଟରେ ୱିକେଟ୍‌କିପିଂ କରୁଥିବା ଶ୍ରୀକର ଭରତଙ୍କୁ ମଧ୍ୟ ତାଲିକାଭୁକ୍ତ କରାଯାଇପାରେ । କିନ୍ତୁ ସେ ଏ ପର୍ଯ୍ୟନ୍ତ ଦିନିକିଆ ଆନ୍ତର୍ଜାତିକରେ ଡେବ୍ୟୁ କରି ନାହାନ୍ତି । ସେ ଜଣେ ଭଲ ୱିକେଟ୍‌କିପର୍ ହୋଇଥିଲେ ବି ଜଣେ ଦୁର୍ବଳ ବ୍ୟାଟର୍ ।

ପନ୍ତ ସବୁ ପରିସ୍ଥିତିରେ ଖେଳିବାର ସାମର୍ଥ୍ୟ ରଖନ୍ତି, ସେଥିପାଇଁ ଫିଟ୍ ଥିବା ସ୍ଥଳେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ତାଙ୍କ ଖେଳିବାର ସମ୍ଭାବନା ଅଧିକ । ସେ ଏ ଯାବତ ୩୦ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ର ୨୬ ଇନିଂସ୍ ଖେଳି ୩୪.୬ ଆଭରେଜ୍‌ରେ ୮୬୫ ରନ୍ ସଂଗ୍ରହ କରିଛନ୍ତି । ସେ ବାମହାତି ବ୍ୟାଟର୍ ହୋଇଥିବାରୁ ବ୍ୟାଟିଂ ଲାଇନ୍‌ଅପ୍‌ରେ ବିବିଧତା ରହେ । ଏହାଛଡ଼ା ସେ ଆକ୍ରମଣାତ୍ମକ ବ୍ୟାଟର୍ ।

ୱିକେଟ୍‌କିପିଂରେ ଅନ୍ୟ ବିକଳ୍ପଙ୍କ ତୁଳନାରେ ତାଙ୍କୁ ଅଧିକ ଦକ୍ଷ ବିବେଚନା କରାଯାଏ । ସେ ୨୬ କ୍ୟାଚ୍ ଧରିଥିବା ବେଳେ ଗୋଟିଏ ଷ୍ଟମ୍ପିଂ କରିଛନ୍ତି ।

ପନ୍ତଙ୍କ ବିକଳ୍ପ ଭାବେ ପ୍ରଥମ ପସନ୍ଦ ରାହୁଲ:

ପନ୍ତଙ୍କ ବିକଳ୍ପ ଭାବେ ପ୍ରଥମ ପସନ୍ଦ ହେଉଛନ୍ତି ଲୋକେଶ ରାହୁଲ । ତାଙ୍କର ଅଭିଜ୍ଞତା ଅଛି । ତା’ଛଡ଼ା ସେ ଜଣେ ଭଲ ବ୍ୟାଟର୍ । ଏହି ଦୁଇ କାରଣରୁ ସେ ବିକଳ୍ପ ୱିକେଟ୍‌କିପର୍‌-ବ୍ୟାଟର୍ ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି ।

ରାହୁଲ ୨୦୧୯ ବିଶ୍ୱକପ୍ ବି ଖେଳିସାରିଛନ୍ତି । ସେତେବେଳେ ସେ ବିଶେଷଜ୍ଞ ବ୍ୟାଟର୍ ଭାବେ ଖେଳି ୯ ମ୍ୟାଚ୍‌ରେ ୪୫ ଆଭରେଜ୍‌ରେ ୩୬୧ ରନ୍ କରିଥିଲେ । ସେ ଏ ଯାବତ ୫୪ ଦିନିକିଆ ମ୍ୟାଚ୍‌ର ୫୨ ଇନିଂସ୍ ଖେଳି ୪୫.୧୩ ଆଭରେଜ୍‌ରେ ୧୯୮୬ ରନ୍ ସଂଗ୍ରହ କରିଛନ୍ତି ।

ୱିକେଟ୍ ପଛରେ ସେ ୩୨ କ୍ୟାଚ୍ ଧରିଥିବା ବେଳେ ଦୁଇ ଷ୍ଟମ୍ପିଂ କରିଛନ୍ତି । ପୂର୍ବତନ କ୍ରିକେଟର୍ ସୁନୀଲ ଗାଭାସ୍କର ବିଶ୍ୱକପ୍ ପାଇଁ ଭାରତର ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ରାହୁଲଙ୍କ ଚୟନ କରିଛନ୍ତି ।

କିନ୍ତୁ ରାହୁଲ ଭଲ ଫର୍ମରେ ନାହାନ୍ତି । ଏକଦା ଯାହାଙ୍କୁ ରୋହିତ ଶର୍ମାଙ୍କ ପରେ ଭାରତର ପରବର୍ତ୍ତୀ ଅଧିନାୟକ ଦୃଷ୍ଟିରୁ ବିଚାର କରାଯାଉଥିଲା, ସେ ଟିମ୍‌ରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଛନ୍ତି । ଏହାଛଡ଼ା ସେ ଏବେ ଫିଟ୍ ବି ନାହାନ୍ତି । ରାହୁଲ ଉଭୟ ସ୍ପିନ୍ ଓ ପେସ୍ ଖେଳିବାରେ ସାମର୍ଥ୍ୟ ରଖୁଥିଲେହେଁ ଫିଟ୍‌ନେସ୍ ବଜାୟ ରଖିବା ତାଙ୍କ ପାଇଁ ବଡ଼ ଚାଲେଞ୍ଜ୍ । ତାଙ୍କ ଚୟନ ବି ଅନେକାଂଶରେ ଫିଟ୍‌ନେସ୍ ଉପରେ ନିର୍ଭର କରିବ ।

ଈଶାନ ଓ ସଞ୍ଜୁ ବି ଦାବିଦାର:

ପନ୍ତଙ୍କ ବିକଳ୍ପ ଦୌଡ଼ରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଈଶାନ କିଶନ । ଈଶାନ ଏ ଯାବତ ୧୪ ଦିନିକିଆ ମ୍ୟାଚ୍‌ର ୧୩ ଇନିଂସ୍ ଖେଳି ୪୨.୫୦ ଆଭରେଜ୍‌ରେ ୫୧୦ ରନ୍ ସଂଗ୍ରହ କରିଛନ୍ତି । ବାଂଲାଦେଶ ବିପକ୍ଷରେ ସେ ସ୍ମରଣୀୟ ଦ୍ୱିଶତକ ହାସଲ କରିଥିଲେ । ସେ ୱିକେଟ୍ ପଛରେ ପାଞ୍ଚ କ୍ୟାଚ୍ ଧରିଥିବା ବେଳେ ଦୁଇ ଷ୍ଟମ୍ପିଂ କରିଛନ୍ତି ।

କିନ୍ତୁ ତାଙ୍କ ବ୍ୟାଟିଂ ପ୍ରଦର୍ଶନରେ ନିରନ୍ତରତାର ଅଭାବ ଦେଖିବାକୁ ମିଳେ । ସେ ପାଞ୍ଚ ଥର ୨୦ କିମ୍ବା ଏହାଠାରୁ କମ୍ ସ୍କୋର୍‌ରେ ଆଉଟ୍ ହୋଇଛନ୍ତି । ତାଙ୍କର ବଡ଼ ସଟ୍ ଖେଳିବାର ଦକ୍ଷତା ରହିଛି, ହେଲେ ନିରନ୍ତରତାର ଅଭାବ ସହ ସ୍ପିନର୍‌ଙ୍କୁ ଖେଳିବାରେ ସମସ୍ୟା ଭୋଗନ୍ତି ଏହି ବାମହାତି ବ୍ୟାଟର୍।

କେତେକ ପୂର୍ବତନ କ୍ରିକେଟର୍ ପନ୍ତ ଓ ରାହୁଲ ଫିଟ୍ ନ ଥିବା ସ୍ଥଳେ ଈଶାନଙ୍କୁ ବିଶ୍ୱକପ୍ ଟିମ୍‌ରେ ନିଆଯିବା ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି । ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍ ରିକି ପଣ୍ଟିଂ ତ ଉଭୟ ରାହୁଲ ଓ ଈଶାନଙ୍କୁ ନିଆଯାଉ ବୋଲି ମତ ଦେଇଛନ୍ତି ।

ତୃତୀୟ ବିକଳ୍ପ ହେଉଛନ୍ତି ସଞ୍ଜୁ ସାମ୍‌ସନ୍ । ସଞ୍ଜୁ କୌଶଳ ଦୃଷ୍ଟିରୁ ଜଣେ ଭଲ ବ୍ୟାଟର୍ । ଖରାପ ଓ ଭଲ - ସବୁ ବଲ୍‌କୁ ଖେଳିବାର ଦକ୍ଷତା ରଖନ୍ତି, ଚାପ ବି ସମ୍ଭାଳି ନିଅନ୍ତି । ସେ ଏ ଯାବତ ୧୧ ଦିନିକିଆ ମ୍ୟାଚ୍‌ର ୧୦ ଇନିଂସ୍ ଖେଳି ୬୬ ଆଭରେଜ୍‌ରେ ୩୩୦ ରନ୍ କରିଛନ୍ତି । ୱିକେଟ୍ ପଛରେ ସେ ସାତ କ୍ୟାଚ୍ ଧରିଥିବା ବେଳେ ଦୁଇ ଷ୍ଟମ୍ପିଂ କରିଛନ୍ତି ।

କିନ୍ତୁ ସଞ୍ଜୁଙ୍କ ପ୍ରଦର୍ଶନରେ ବି ନିରନ୍ତରତା ନାହିଁ । କେତେବେଳେ ସେ ଫର୍ମ ଯୋଗୁଁ ତ କେତେବେଳେ ଫିଟ୍‌ନେସ୍ ଯୋଗୁଁ ଟିମ୍‌ରୁ ବାଦ୍ ପଡ଼ୁଛନ୍ତି ।

ଚୟନ କମିଟି ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଉଭୟ ଈଶାନ ଓ ସଞ୍ଜୁଙ୍କୁୁ ଟିମ୍‌ରେ ସାମିଲ୍ କରିଛି । ଉଭୟଙ୍କୁ ସୁଯୋଗ ମିଳିପାରେ । ସୁଯୋଗ ମିଳିବାସ୍ଥଳେ ସେମାନଙ୍କୁ ନିଜ ପ୍ରଦର୍ଶନରେ ନିରନ୍ତରତା ବଜାୟ ରଖିବାକୁ ହେବ । ଏ କଥା ବି ମନେ ରଖିବାକୁ ହେବ ଯେ ଲୋକେଶ ରାହୁଲ ଅନ୍‌ଫିଟ୍ ଥିବା ସତ୍ତ୍ୱେ ପନ୍ତଙ୍କ ବିକଳ୍ପ ଭାବେ ପ୍ରଥମ ପସନ୍ଦ ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)