• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ଭାରତୀୟ ସିନିଅର୍ କ୍ରିକେଟ୍‌ରେ ଏବେ ଜଣେ ଯୁବ ଖେଳାଳିଙ୍କୁ ନେଇ ବେଶ୍ ଚର୍ଚ୍ଚା । ନିଜ ପଦାର୍ପଣ ଟେଷ୍ଟରେ ହିଁ ସେ ଶତକୀୟ ଇନିଂସ୍ ଖେଳି କ୍ରିକେଟ୍ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି । କ୍ରିକେଟ୍ ପ୍ରତି ସମର୍ପିତ ଏହି ଖେଳାଳିଙ୍କ ଆଗମନ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତକୁ ଆହୁରି ଉଜ୍ଜ୍ୱଳ କରିଛି ।

ଏହି ଖେଳାଳି ହେଲେ ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫି ଖେଳୁଥିବା ଯଶସ୍ୱୀ ଜୟସ୍ୱାଲ । ସେ କ୍ରିକେଟ୍‌ରେ କ୍ୟାରିଅର୍ କରିବା ପାଇଁ ମାତ୍ର ୧୨ ବର୍ଷ ବୟସରେ ଉତ୍ତର ପ୍ରଦେଶରୁ ମୁମ୍ବାଇ ଆସିଥିଲେ । ନଅ ବର୍ଷ ପରେ ସେ ଭାରତୀୟ ସିନିଅର୍ ଟିମ୍‌ରେ ପଦାର୍ପଣ କଲେ ଏବଂ ଆସୁ ଆସୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ୧୭୧ ରନ୍‌ର ଇନିଂସ୍ ଖେଳିବା ସହ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ବିବେଚିତ ହୋଇଛନ୍ତି ।

ତେବେ ଯଶସ୍ୱୀ ଭାରତୀୟ କ୍ରିକେଟ୍‌ରେ ଅପରିଚିତ ନୁହନ୍ତି । ଜୁନିଅର୍ ସ୍ତରରେ ହେଉ କିମ୍ବା ପ୍ରଥମ-ଶ୍ରେଣୀ ଅଥବା ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) - ସବୁଠି ତାଙ୍କ ସଫଳ ପ୍ରଦର୍ଶନକୁ ନେଇ ଆଲୋଚନା ହୁଏ । ତାଙ୍କ ପ୍ରତିଭାର ପ୍ରଶଂସା ହୁଏ ।

ଅଧିକ ପଢ଼ନ୍ତୁ: ପାକିସ୍ତାନ କ୍ରୀଡ଼ାମନ୍ତ୍ରୀଙ୍କ ଧମକ; ଭାରତ ଏସିଆ କପ୍ ଖେଳିବାକୁ ନଆସିଲେ, ଆମେ ବି..

ଜୁନିଅର୍ କ୍ରିକେଟ୍‌ରେ ଯଶସ୍ୱୀ ପାଞ୍ଚ ବର୍ଷ ମଧ୍ୟରେ ୪୯ ଶତକ ହାସଲ କରିବା ସହ ଭାରତର ୧୯ ବର୍ଷରୁ କମ୍ ଟିମ୍‌ରେ ସ୍ଥାନ ପାଇଥିଲେ । ଏହାପରେ ସେ ରଣଜୀ ଟ୍ରଫି, ଲିଷ୍ଟ-ଏ, ଆଇପିଏଲ୍‌, ଇଣ୍ଡିଆ-ଏ ଓ ଭାରତୀୟ ସିନିଅର୍ ଟିମ୍ - ଯେଉଁଥିରେ ବି ସୁଯୋଗ ପାଇଛନ୍ତି, ସେଥିରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି । କେବଳ ଆଇପିଏଲ୍ ନୁହେଁ, ଭାରତର କ୍ରିକେଟ୍ ରୂପରେଖର ବଡ଼ ସଫଳତା ହେଉଛନ୍ତି ଯଶସ୍ୱୀ ।

ଦିନେ ଗୁପ୍‌ଚୁପ୍ ବିକିବାକୁ ପଡ଼ିଥିଲା:

ଯଶସ୍ୱୀ ନିଜ କ୍ୟାରିଅର୍‌ରେ ଏ ଯାବତ ଅନେକ ଉଲ୍ଲେଖନୀୟ ଇନିଂସ୍ ଖେଳିଛନ୍ତି । ବହୁ ବାର ନିଜ ଟିମ୍‌କୁ ଜିତାଇଛନ୍ତି । ଏହି ସଫଳତା ପଛରେ ତାଙ୍କର ସଂଘର୍ଷମୟ କାହାଣୀ ରହିଛି ।

ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲାର ସୁରିୟାବାଁ ଗ୍ରାମରେ ଜନ୍ମିତ ଯଶସ୍ୱୀଙ୍କ ପିତା ଭୂପେନ୍ଦ୍ର ଜୟସ୍ୱାଲ ଏକ ଛୋଟ ପେଣ୍ଟ ଦୋକାନ ଚଳାଉଥିଲେ । ଯଶସ୍ୱୀ ମୁମ୍ବାଇ ଆସି ପ୍ରଥମ ୫-୬ ଦିନ ଯାଏଁ ନିଜ ସମ୍ପର୍କୀୟଙ୍କ ପାଖରେ ରହିଥିଲେ । ଘର ଛୋଟ ହୋଇଥିବା ଯୋଗୁଁ ସମ୍ପର୍କୀୟ ତାଙ୍କୁ ଆଜାଦ ମଇଦାନରେ ଛାଡ଼ିଥିଲେ। ସେଠାରେ ସେ ତିନି ବର୍ଷ ଯାଏଁ ଟେଣ୍ଟରେ ରହିଥିଲେ ।

ଯଶସ୍ୱୀ ଟେଣ୍ଟରେ ହିଁ ଶୋଉଥିଲେ । ପାଖରେ ଆବଶ୍ୟକ ଟଙ୍କା ନ ଥିଲା । ସେଥିପାଇଁ ସେ ଗୁପ୍‌ଚୁପ୍ ବିକିଥିଲେ, ସଫେଇ କାମ ବି କରିଥିଲେ । ଅତୀତରେ ଯିଏ ତାଙ୍କ ଠାରୁ ଗୁପ୍‌ଚୁପ୍ ଖାଇଥିବ କିମ୍ବା ତାଙ୍କୁ ଗୁପ୍‌ଚୁପ୍ ବିକୁଥିବାର ଦେଖିଥିବ, ସେ ପରବର୍ତ୍ତୀ ସମୟରେ ତାଙ୍କ ଖେଳ ଦେଖି ନିଶ୍ଚୟ ଭାବିଥିବ - ଇଏ ତ ସେଇ ପିଲା!

ଆଜାଦ ମଇଦାନରେ ଏକ ମ୍ୟାଚ୍ ସମୟରେ ତାଙ୍କ ଖେଳ ଉପରେ ସ୍ଥାନୀୟ କୋଚ୍ ଜ୍ୱାଲା ସିଂହଙ୍କ ନଜର ପଡ଼ିଲା । ସେ ଦୁଇ ବର୍ଷ ଯାଏଁ ତାଙ୍କୁ ପ୍ରଶିକ୍ଷଣ ଦେଲେ । ଏଠାରୁ ଜୁନିଅର୍ କ୍ରିକେଟ୍‌ରେ ଯଶସ୍ୱୀଙ୍କ କ୍ୟାରିଅର୍ ଆରମ୍ଭ ହେଲା ।

ଲିଷ୍ଟ-ଏ’ରେ ସର୍ବକନିଷ୍ଠ ଦ୍ୱିଶତକ ହାସଲକାରୀ:

ଯଶସ୍ୱୀ ୧୩-୧୪ ବର୍ଷ ବୟସରେ ମୁମ୍ବାଇର ୧୯ ବର୍ଷରୁ କମ୍ ଟିମ୍‌ରେ ସ୍ଥାନ ପାଇଲେ । ସେ ପାଞ୍ଚ ବର୍ଷ ମଧ୍ୟରେ ୪୯ ଶତକ ଲଗାଇଲେ ଏବଂ ଭାରତର ୧୯ ବର୍ଷରୁ କମ୍ ଟିମ୍‌ରେ ମଧ୍ୟ ସାମିଲ ହେଲେ ।

କିନ୍ତୁ ସେ ପ୍ରଥମ ଦୁଇ ମ୍ୟାଚ୍‌ରେ ୧୫ ଓ ୧ ରନ୍ କରିଥିଲେ, ଯାହା ଫଳରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇଥିଲା । ଏପରିକି ୨୦୧୯ରେ ହୋଇଥିବା ୧୯ ବର୍ଷରୁ କମ୍ ଏସିଆ କପ୍ ପାଇଁ ତାଙ୍କୁ ଟିମ୍‌ରେ ସୁଯୋଗ ମିଳି ନ ଥିଲା । ତେବେ ଏହି ଆଦ୍ୟ ବିଫଳତାରୁ ମୁକୁଳିବା ପାଇଁ ତାଙ୍କୁ ବେଶୀ ସମୟ ଲାଗି ନ ଥିଲା ।

ସେହି ବର୍ଷ ଯଶସ୍ୱୀ ୧୯ ବର୍ଷରୁ କମ୍ ଟିମ୍ ପରେ ମୁମ୍ବାଇର ସିନିଅର୍ ଟିମ୍‌ରେ ବି ସ୍ଥାନ ପାଇଥିଲେ । ସେ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଓପନିଂ କରି ନିଜ ପ୍ରଥମ ମ୍ୟାଚ୍‌ରେ ୧୧୩ ରନ୍ ସଂଗ୍ରହ କରିଥିଲେ । ସେ ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚ୍‌ରେ ୨୦୩ ରନ୍‌ର ଇନିଂସ୍ ଖେଳିଥିଲେ ।

୧୭ ବର୍ଷ ବୟସରେ ଲିଷ୍ଟ-ଏ’ରେ ଦ୍ୱିଶତକ ଲଗାଇବାରେ ସେ ସର୍ବକନିଷ୍ଠ ଖେଳାଳି ହୋଇପାରିଥିଲେ । ସେ ଟୁ୍‌ର୍ଣ୍ଣାମେଣ୍ଟରେ ମୋଟ୍ ୬ ମ୍ୟାଚ୍ ଖେଳି ୫୬୪ ରନ୍ ସଂଗ୍ରହ କରିଥିଲେ । ଟପ୍ ସ୍କୋରର୍ ଦେବଦତ୍ତ ପଡ୍ଡିକଲଙ୍କ ଠାରୁ ସେ ୪୫ ରନ୍ ପଛରେ ଥିଲେ, ଯିଏକି ୧୧ ମ୍ୟାଚ୍‌ରେ ୬୦୯ ରନ୍ ସଂଗ୍ରହ କରିଥିଲେ। ଯଶସ୍ୱୀ ମୋଟ୍ ୩୨ ଲିଷ୍ଟ-ଏ ମ୍ୟାଚ୍ ଖେଳି ୫ ଶତକ ଓ ୭ ଅର୍ଦ୍ଧଶତକ ସହ ୧୫୧୧ ରନ୍ କରିଛନ୍ତି ।

ଜୁନିଅର୍ ବିଶ୍ୱକପ୍‌ରେ ସର୍ବୋଚ୍ଚ ସ୍କୋରର୍‌:

ଲିଷ୍ଟ-ଏ’ରେ ଦମ୍‌ଦାର ପ୍ରଦର୍ଶନ ପରେ ତାଙ୍କୁ ପୁଣି ଥରେ ଭାରତର ୧୯ ବର୍ଷରୁ କମ୍ ଟିମ୍‌ରେ ସୁଯୋଗ ମିଳିଥିଲା । ସେ ଶ୍ରୀଲଙ୍କା ଓ ନେପାଳ ବିପକ୍ଷରେ ଶତକ ଲଗାଇଲେ ଏବଂ ଜୁନିଅର୍ ବିଶ୍ୱକପ୍ ଟିମ୍‌ରେ ବି ସ୍ଥାନ ପାଇଥିଲେ । ୨୦୨୦ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍‌ରେ ସେ ୬ ମ୍ୟାଚ୍‌ରୁ ସର୍ବାଧିକ ୪୦୦ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ଚାରି ଅର୍ଦ୍ଧଶତକ ରହିଥିଲା ।

ସେ ଫାଇନାଲ୍ ମ୍ୟାଚ୍‌ରେ ୮୮ ରନ୍‌ର ଇନିଂସ୍ ଖେଳିବା ବଳରେ ଟିମ୍‌ର ସ୍କୋର୍ ୧୭୭ରେ ପହଞ୍ଚି ପାରିଥିଲା । ତେବେ ଟିମ୍ ଇଣ୍ଡିଆ ବାଂଲାଦେଶ ଠାରୁ ଏହି ମ୍ୟାଚ୍ ହାରିଯାଇଥିଲା । ୪୦୦ ରନ୍ କରିବା ସହିତ ୩ ୱିକେଟ୍ ନେଇଥିବା ଯୋଗୁଁ ଯଶସ୍ୱୀ ‘ପ୍ଲେୟର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ’ ବିବେଚିତ ହୋଇଥିଲେ ।

ପ୍ରଥମ-ଶ୍ରେଣୀ କ୍ରିକେଟ୍‌ରେ ୯ ଶତକ:

୨୦୨୧-୨୨ ରଣଜୀ ସିଜନ୍‌ରେ ଯଶସ୍ୱୀ ମୁମ୍ବାଇ ପକ୍ଷରୁ ତିନି ମ୍ୟାଚ୍ ଖେଳିବାର ସୁଯୋଗ ପାଇଲେ । ଏଥିରେ ସେ ୮୩ ଆଭରେଜ୍‌ରେ ୪୯୮ ରନ୍ କରିଥିଲେ, ଯେଉଁଥିରେ ୩ ଶତକ ଓ ଗୋଟିଏ ଅର୍ଦ୍ଧଶତକ ଥିଲା । ପ୍ରଥମ-ଶ୍ରେଣୀ କ୍ରିକେଟ୍‌ରେ ସେ ଏ ଯାବତ ୧୫ ମ୍ୟାଚ୍ ଖେଳି ୮୦.୨୧ ଆଭରେଜ୍‌ରେ ୧୮୪୫ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୯ ଶତକ ରହିଛି ।

ଯଶସ୍ୱୀ ଦଲୀପ ଟ୍ରଫି ଓ ଇଣ୍ଡିଆ-ଏ ପଦାର୍ପଣରେ ବି ଶତକ ହାସଲ କରିଥିଲେ । ସେ ୨୦୨୨ରେ ଦଲୀପ ଟ୍ରଫିରେ ନିଜ ପ୍ରଥମ ମ୍ୟାଚ୍‌ରେ ୨୨୮ ରନ୍‌ର ଇନିଂସ୍ ଖେଳିଥିଲେ ।

ଆଇପିଏଲ୍ ୨୦୨୩ରେ ‘ଏମର୍ଜିଂ ପ୍ଲେୟର୍‌’ ବିବେଚିତ:

ଆଇପିଏଲ୍ ୨୦୨୩ରେ ଯଶସ୍ୱୀ ‘ଏମର୍ଜିଂ ପ୍ଲେୟର୍‌’ ବିବେଚିତ ହୋଇଥିଲେ । ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ୧୬୩.୬୧ ଷ୍ଟ୍ରାଇକ୍ ରେଟ୍‌ରେ ୬୨୫ ରନ୍ କରିଥିଲେ । ସେଥିରେ ତାଙ୍କର ପ୍ରଥମ ଆଇପିଏଲ୍ ଶତକ ରହିଥିଲା । ସେ ଆଇପିଏଲ୍‌ରେ ପ୍ରଥମରୁ ରୟାଲ୍ସ ଟିମ୍‌ରେ ରହିଆସିଛନ୍ତି । ସେ ଲିଗ୍‌ର ୨୦୨୧ ସିଜନ୍‌ରେ ୨୪୯ ଓ ୨୦୨୨ ସିଜନ୍‌ରେ ୨୫୮ ରନ୍ କରିଥିଲେ ।

ରୋହିତଙ୍କ ପ୍ରଶଂସା:

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ନବାଗତ ଯଶସ୍ୱୀ ଜୟସ୍ୱାଲଙ୍କ ସମ୍ପର୍କରେ କହିଥିଲେ, “ଯଶସ୍ୱୀ ଜଣେ ପ୍ରତିଭାଶାଳୀ ଖେଳାଳି । ସେ ଦୁଇ-ତିନି ବର୍ଷ ହେଲା ଭଲ ପ୍ରଦର୍ଶନ କରିଆସୁଛନ୍ତି । ଆମେ ଜାଣିଥିଲୁ ଯେ ସେ ଭଲ ଖେଳିବେ ଏବଂ ବଡ଼ ମଞ୍ଚ ପାଇଁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି ।

ଯଶସ୍ୱୀ ବହୁତ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ଏବଂ ଯୋଜନାକୁ ଠିକ୍ ଭାବେ କାମରେ ଲଗାଇଥିଲେ । ପିଚ୍ ଧୀମା ଥିଲା, କିନ୍ତୁ ଯଶସ୍ୱୀ ଗେମ୍‌ରେ ସୁଧାର କରି ବ୍ୟାଟିଂ କରିଥିଲେ ଏବଂ ଶତକ ଲଗାଇଥିଲେ ।”

ପ୍ରତିଭା ଓ ପ୍ରଦର୍ଶନ ଆଧାରରେ ଯଶସ୍ୱୀଙ୍କୁ ଭାରତୀୟ ଟେଷ୍ଟ ଟିମ୍‌ରେ ସାମିଲ୍ କରାଯାଇ ନୂଆ ପ୍ରୟୋଗ କରାଯାଇଛି । ପ୍ରଥମ ପରୀକ୍ଷାରେ ସଫଳ ହୋଇ ସେ ଏହାର ସଙ୍କେତ ଦେଇଛନ୍ତି ଯେ ତାଙ୍କ କ୍ୟାରିଅର ଦୀର୍ଘ ପଥ ଅତିକ୍ରମ କରିବ । ହାଙ୍ଗ୍‌ଝୁ ଏସିଆଡ୍‌ରେ ସେ ଭାରତୀୟ ଟିମ୍‌ର ପ୍ରତିନିଧିତ୍ୱ କରିବେ । ଆଗାମୀ ଦିନରେ ସେ ସବୁ ଫର୍ମାଟ୍‌ରେ ଖେଳିପାରନ୍ତି । ତାଙ୍କ ଭିତରେ ପ୍ରତିଭା ତ ଅଛି, ଖାଲି ପ୍ରଦର୍ଶନରେ ନିରନ୍ତରତା ଓ ଫିଟ୍‌ନେସ୍ ବଜାୟ ରଖିବା ଆବଶ୍ୟକ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)