ଏବେ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଆଲୋଚନାକୁ କେହି କେହି ନାପସନ୍ଦ କରିପାରନ୍ତି। କହିପାରନ୍ତି ଯେ ଏହି ମୁମ୍ବାଇ ବ୍ୟାଟରଙ୍କୁ ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନେତୃତ୍ୱ ନେବାର ବର୍ଷେ ବି ହୋଇ ନାହିଁ ଆଉ ଏବେଠାରୁ ପରବର୍ତ୍ତୀ ଅଧିନାୟକଙ୍କ ବିଷୟରେ ଆଲୋଚନା କାହିଁକି? ଏହାସତ୍ତ୍ୱେ ଏବେଠାରୁ ରୋହିତଙ୍କ ଉତ୍ତରାଧିକାରୀଙ୍କ କଥା ଚିନ୍ତା କରିବା ଜରୁରୀ ମନେହୁଏ।
ତାଙ୍କ ଅଧିନାୟକୀୟ ଦକ୍ଷତା ନେଇ କାହାର ସନ୍ଦେହ ନାହିଁ ଏବଂ ତାଙ୍କୁ ୨୦୨୨ ଟି-୨୦ ବିଶ୍ୱକପ୍ ଓ ୨୦୨୩ ଦିନିକିଆ ବିଶ୍ୱକପ୍ରେ ଟିମ୍ର ନେତୃତ୍ୱ ନେବାର ଅଛି। ଏଥିରେ ଯଦି ସେ ବିଫଳ ହୁଅନ୍ତି, ତା’ହେଲେ ଅଲଗା କଥା ଆଉ ଯଦି ସେ ସଫଳ ହୁଅନ୍ତି, ତା’ହେଲେ ବି ତାଙ୍କ ଅଧିନାୟକୀୟ ଯାତ୍ରା ବେଶୀ ଦୀର୍ଘ ହେବ ନାହିଁ।
ରୋହିତ ୨୦୨୧ ନଭେମ୍ବରରେ ଭାରତୀୟ ଟି-୨୦ ଓ ଡିସେମ୍ବରରେ ଦିନିକିଆ ଆନ୍ତର୍ଜାତିକ ଟିମ୍ର ନେତୃତ୍ୱ ଦାୟିତ୍ୱ ପାଇଥିବା ବେଳେ ୨୦୨୨ ଫେବୃଆରୀରେ ଟେଷ୍ଟ୍ ଟିମ୍ର ଅଧିନାୟକ ହୋଇଥିଲେ। ଅତୀତରେ ସେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟିମ୍ର ନେତୃତ୍ୱ ନେଇ ୨୦୧୮ରେ ଏସିଆ କପ୍ ଓ ନିଦାହାସ ଟ୍ରଫି ଜିତାଇଥିଲେ। ଏତଦ୍ଭିନ୍ନ, ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ରେ ସେ ରେକର୍ଡ ପାଞ୍ଚ ଥର ମୁମ୍ବାଇ ଇଣ୍ଡିଆନ୍ସକୁ ବିଜେତା କରାଇଛନ୍ତି।
ସେ ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରେ ଘରୋଇ ମାଟିରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍କୁ ଟି-୨୦ ଓ ଦିନିକିଆ ଶୃଙ୍ଖଳା ଏବଂ ଶ୍ରୀଲଙ୍କାକୁ ଟି-୨୦ ଓ ଟେଷ୍ଟ୍ ଶୃଙ୍ଖଳାରେ ମୂଳପୋଛ କରିଥିଲା। କିନ୍ତୁ ଚଳିତ ବର୍ଷ ଆଇପିଏଲ୍ରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ଏବଂ ରୋହିତ ବି ବ୍ୟାଟିଂରେ ଫ୍ଲପ୍ ହୋଇଥିଲେ।
ଆଇପିଏଲ୍ର ପଞ୍ଚଦଶ ସଂସ୍କରଣରେ ହିଁ କେତେକ ଖେଳାଳିଙ୍କ ଭିତରେ ‘ଭବିଷ୍ୟତର ଅଧିନାୟକ’ଙ୍କ ଝଲକ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ରୋହିତ ଓ ତାଙ୍କ ଟିମ୍ର ବିଫଳତା ଆଉ ଅନ୍ୟପଟେ ଅଧିନାୟକ ଭାବେ ଲୋକେଶ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଭ୍ୟୁଦୟ। ରାହୁଲ ନିଜେ ଭଲ ବ୍ୟାଟିଂ ପ୍ରଦର୍ଶନ କରିବା ସହିତ ତାଙ୍କ ଟିମ୍ ‘ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍’କୁ ଫ୍ଲେଅଫ୍ ପର୍ଯ୍ୟନ୍ତ ନେଇଥିବା ବେଳେ ଏକଦା ଯାହାଙ୍କ କ୍ୟାରିଅରକୁ ନେଇ କ୍ରିକେଟ୍ ବିଶେଷଜ୍ଞମାନେ ସନ୍ଦିହାନ ହୋଇପଡ଼ିଥିଲେ, ସେହି ହାର୍ଦ୍ଦିକ ଅପ୍ରତ୍ୟାଶିତ ଭାବେ କ୍ରିକେଟ୍କୁ ସଫଳ ପ୍ରତ୍ୟାର୍ତ୍ତନ କରି ନବାଗତ ଗୁଜରାଟ ଟାଇଟନ୍ସକୁ ବିଜେତା କରାଇଥିଲେ।
ଯଦିଓ ରାହୁଲଙ୍କୁ ଅନେକ ବିଶେଷଜ୍ଞ ‘ସ୍ୱାଭାବିକ ଅଧିନାୟକ’ ଦୃଷ୍ଟିରୁ ବିଚାର କରନ୍ତି ନାହିଁ, ତେବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ସନ୍ ପଲକଙ୍କ ବିଚାରରେ, ଜଣେ ନିର୍ଭରଯୋଗ୍ୟ ନେତା ଭାବେ ରାହୁଲଙ୍କ ଧୀରେ ଧୀରେ ଅଭ୍ୟୁଦୟ ହେଉଛି। ରୋହିତଙ୍କ ଅନୁପସ୍ଥିତିରେ ରାହୁଲ ଅଧିନାୟକ ଭାବେ ଟିମ୍ ମ୍ୟାନେଜମେଣ୍ଟର ପ୍ରଥମ ପସନ୍ଦ ରହିଆସିଛନ୍ତି। ପୂର୍ବ ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଗୋଟିଏ ଟେଷ୍ଟ୍ ଓ ତିନିଟି ଦିନିକିଆ ମ୍ୟାଚ୍ରେ ଟିମ୍ର୍ ନେତୃତ୍ୱ ନେଇଥିଲେ। କିନ୍ତୁ ଟିମ୍ ସବୁ ମ୍ୟାଚ୍ରେ ବିଫଳ ହୋଇଥିଲା।
ଅତର୍କିତ ଭାବେ ପୁଣି ପ୍ରଥମରୁ ବିଦେଶ ଗସ୍ତରେ ନେତୃତ୍ୱ ନେବା ରାହୁଲଙ୍କୁ ସୁହାଇ ନ ଥିଲା। ତାଙ୍କ ଅଧିନାୟକୀୟ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠିଥିଲା ଚଳିତ ବର୍ଷ ଆଇପିଏଲ୍ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ଶୃଙ୍ଖଳା ତାଙ୍କୁ ପୁନର୍ବାର ଭାରତୀୟ ଟିମ୍ର ନେତୃତ୍ୱ ନେବା ପାଇଁ ସୁଯୋଗ ଦେଇଥିଲା। କିନ୍ତୁ ସେ ଅଭ୍ୟାସ ବେଳେ ଆହତ ହୋଇ ଶୃଙ୍ଖଳା ଆରମ୍ଭ ପୂର୍ବରୁ ବିଦାୟ ନେଇଥିଲେ।
ରୋହିତଙ୍କ ଅନୁପସ୍ଥିତି ଓ ରାହୁଲଙ୍କ ଆଘାତ ପରେ ଯେଉଁ ତୃତୀୟ ବିକଳ୍ପଙ୍କୁ ନେତୃତ୍ୱ ଦାୟିତ୍ୱ ଦିଆଗଲା, ସେ ହେଲେ ଓ୍ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ। ମହେନ୍ଦ୍ର ସିଂ ଧୋନିଙ୍କ ପରେ ଓ୍ୱିକେଟ୍କିପର୍ ଭାବେ ରିଷଭଙ୍କ ଉପରେ ହିଁ ସର୍ବାଧିକ ଭରସା ବ୍ୟକ୍ତ କରାଯାଇଆସିଛି। ଆଇପିଏଲ୍ର ବିଗତ ବର୍ଷଗୁଡ଼ିକରେ ରିଷଭ ବିଶେଷକରି ନିଜ ବ୍ୟାଟିଂ ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ଧ୍ୟାନ-ଆକର୍ଷଣ କରିପାରିଥିଲେ। ଏବେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅଛନ୍ତି। କିନ୍ତୁ ଏଥର ଦିଲ୍ଲୀ ଟିମ୍ ନା ପ୍ଲେ-ଅଫ୍କୁ ଯାଇପାରିଥିଲା ନା ରିଷଭ ଉତ୍ତମ ବ୍ୟାଟିଂ ପ୍ରଦର୍ଶନ କରିପାରିଥିଲେ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ଶୃଙ୍ଖଳାରେ ରିଷଭ ହୋଇଛନ୍ତି ଭାରତୀୟ ଟିମ୍ର ଅଧିନାୟକ। ତେବେ ଟିମ୍ ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ପରୀକ୍ଷାନିରୀକ୍ଷାରେ ଉପନୀତ ଏହି ‘ଆକ୍ସିଡେଣ୍ଟାଲ୍ କ୍ୟାପ୍ଟେନ୍’ଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଲା। ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ରାହୁଲଙ୍କ ଭଳି ତାଙ୍କ ଅଧିନାୟକୀୟ ଯୋଗ୍ୟତାକୁ ନେଇ ବି ପ୍ରଶ୍ନ ଉଠିଲା। ଶୃଙ୍ଖଳାରେ ଏଯାବତ୍ (ପ୍ରଥମ ତିନିଟି ମ୍ୟାଚ୍ ସୁଦ୍ଧା) ବ୍ୟାଟିଂରେ ବି ସେ ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି।
ରୋହିତଙ୍କ ଉତ୍ତରାଧିକାରୀ ଅର୍ଥାତ ଭବିଷ୍ୟତର ଅଧିନାୟକ ଦୌଡ଼ରେ ଆଉ ଦୁଇ ଜଣ ମଧ୍ୟ ରହିଛନ୍ତି। ଜଣେ ହେଲେ ପେସ୍ ବୋଲିଂ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅନ୍ୟ ଜଣେ ବ୍ୟାଟର୍ ଶ୍ରେୟାସ ଆୟର।
ହାର୍ଦ୍ଦିକ କିଛି ମାସ ପୂର୍ବ ଯାଏଁ ଦୌଡ଼ରେ ନ ଥିଲେ। ବ୍ୟାଟିଂରେ ବିଫଳତା ଓ ଫିଟ୍ନେସ୍ ସମସ୍ୟା ଯୋଗୁଁ ପେସ୍ ବୋଲିଂ କରିବାରେ ଅକ୍ଷମତା ତାଙ୍କ କ୍ୟାରିଅରକୁ ସଙ୍କଟ ଘେରକୁ ଠେଲିଦେଇଥିଲା। ଅବଶ୍ୟ ଅତୀତରେ ସେ ଉଭୟ ବ୍ୟାଟ୍-ବଲ୍ରେ ଭଲ ପ୍ରଦର୍ଶନ କରି ନିୟମିତ ଭାବେ ଟିମ୍ରେ ସ୍ଥାନ ପାଉଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଟିମ୍ ପାଇଁ ଅଲୋଡ଼ା ହୋଇଯାଇଥିଲେ।
ଚଳିତ ବର୍ଷ ଆଇପିଏଲ୍ ଜରିଆରେ ସେ କ୍ରିକେଟ୍କୁ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ସକାରାତ୍ମକ ଭାବେ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଇ ଟ୍ରଫି ଜିତାଇଥିଲେ। ତେବେ ଏହା ଭାରତୀୟ ଟିମ୍ର ନେତୃତ୍ୱ ନେବା ପାଇଁ ଯଥେଷ୍ଟ ନୁହେଁ। ତାଙ୍କୁ ଟିମ୍ରେ ନିଜ ଅଲ୍ରାଉଣ୍ଡିଂ ଦକ୍ଷତାକୁ ପ୍ରମାଣିତ କରିବା ସହିତ ନିଜର ପରିବର୍ତ୍ତିତ ସ୍ୱଭାବକୁ ବି ବଜାୟ ରଖିବାକୁ ହେବ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରେ ସେ ଟିମ୍ର ଉପ-ଅଧିନାୟକ ଅଛନ୍ତି।
ସମ୍ଭବତଃ ଶେଷ ବିକଳ୍ପ ହେଉଛନ୍ତି ଶ୍ରେୟାସ ଆୟର। ଆଇପିଏଲ୍ରେ ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଏହାପରେ କୋଲକାତା ନାଇଟ୍ ରାଇଡର୍ସର ନେତୃତ୍ୱ ନେବାର ଅଭିଜ୍ଞତା ତାଙ୍କର ରହିଛି। ବ୍ୟାଟିଂରେ ମଧ୍ୟ ଭାରତୀୟ ଟିମ୍ ପକ୍ଷରୁ ସେ ଅନେକ ସମୟରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ତେବେ ପ୍ରଦର୍ଶନରେ ନିରନ୍ତରତା ଓ ଫିଟ୍ନେସ୍ ବଜାୟ ରଖିବା ତାଙ୍କ ପାଇଁ ବଡ଼ ଆହ୍ୱାନ ହେବ।
ପୁଣି ଫେରିବା ରୋହିତଙ୍କ ପାଖକୁ। ନିର୍ଭରଯୋଗ୍ୟ ଅଧିନାୟକ, ସମ୍ମୁଖରୁ ନେତୃତ୍ୱ ନେବାରେ ପାରଙ୍ଗମ, ଶାନ୍ତ ସ୍ୱଭାବର ରୋହିତଙ୍କୁ ଏବେ ୩୫ ବର୍ଷ ବୟସ। ଦୀର୍ଘକାଳୀନ ଅଧିନାୟକ ହେବା ଲାଗି ଏହା ଦାୟିତ୍ୱ ସମ୍ଭାଳିବାର ପ୍ରକୃଷ୍ଟ ବୟସ ନୁହେଁ। କିନ୍ତୁ ବିରାଟ କୋହଲିଙ୍କ ଅବ୍ୟାହତି ପରେ ତାଙ୍କଠାରୁ ଶ୍ରେଷ୍ଠ ବିକଳ୍ପ କେହି ନ ଥିଲେ। ହୁଏତ ଆଉ କିଛି ବର୍ଷ ପୂର୍ବରୁ ଭବିଷ୍ୟତକୁ ଆଖି ଆଗରେ ରଖି ଅନ୍ତତଃ ସୀମିତ ଓଭର୍ ଫର୍ମାଟ୍ରେ ତାଙ୍କୁ ନେତୃତ୍ୱ ଦାୟିତ୍ୱ ଦେଇଥିଲେ ଭଲ ହୋଇଥାଆନ୍ତା। ଧୋନି, କୋହଲି ପ୍ରମୁଖ ଯଥେଷ୍ଟ ଆଗରୁ ଅଧିନାୟକ ଦାୟିତ୍ୱ ପାଇଥିଲେ।
ଅତଏବ, ରୋହିତ ବେଶୀ ବର୍ଷ ଯାଏଁ ଅଧିନାୟକତ୍ୱ କରିପାରିବେ ନାହିଁ। ୨୦୨୭ ଦିନିକିଆ ବିଶ୍ୱକପ୍ ବେଳକୁ ସେ ଆଉ ଟିମ୍ରେ ନ ଥାଇପାରନ୍ତି, କାରଣ ସେତେବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଯିବଣି। ଏଭଳି ଆକଳନ କରାଯାଉଛି ଯେ ସେ ଅତି ବେଶୀରେ ଦୁଇ-ତିନି ବର୍ଷ ନେତୃତ୍ୱ ନେଇପାରନ୍ତି। ତେଣୁ ବିସିସିଆଇ ଓ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ ଏବେଠାରୁ ତାଙ୍କ ଉତ୍ତରାଧିକାରୀଙ୍କୁ ଖୋଜିବାରେ ବିଚିତ୍ରତା ନାହିଁ।
ଖୋଦ୍ ରୋହିତ ମଧ୍ୟ ଏ କଥା ଜାଣନ୍ତି ଯେ ତାଙ୍କୁ ନିଜ ଉତ୍ତରାଧିକାରୀଙ୍କୁ ପ୍ରସ୍ତୁତ କରିବାକୁ ହେବ। ସଫଳତାର ସହ ସବୁ ଫର୍ମାଟ୍ର ଅଧିନାୟକ ଦାୟିତ୍ୱ ତୁଲାଇବା ସହଜ କଥା ନୁହେଁ। ବୟସ ବଢ଼ିବା ସହ ଫିଟ୍ନେସ୍ ବଜାୟ ରଖିବା ଏକ ବଡ଼ ଆହ୍ୱାନ। ଏହା ସହିତ ଫର୍ମ ବି ରହିବା ଦରକାର।
ଅବଶ୍ୟ ନେତୃତ୍ୱର ଅନ୍ତିମ ପର୍ଯ୍ୟାୟରେ ଧୋନି ଓ କୋହଲିଙ୍କ ପାଇଁ ଫିଟ୍ନେସ୍ ଏକ ସମସ୍ୟା ନ ଥିଲା, କିନ୍ତୁ ଫର୍ମ ଉଭୟଙ୍କୁ ଦାୟିତ୍ୱ ଛାଡ଼ିବାକୁ ବାଧ୍ୟ କଲା। ଧୋନି ତ ଆନ୍ତର୍ଜାତିକ କ୍ରିକେଟ୍ ଛାଡ଼ିସାରିଲେଣି; ହେଲେ କୋହଲି ଖେଳୁଛନ୍ତି, କିନ୍ତୁ ଚଳିତ ବର୍ଷ ଆଇପିଏଲ୍ରେ ଏତେ ମ୍ୟାଚ୍ ଖେଳିବା ସତ୍ତ୍ୱେ ସେ ଫର୍ମ ହାସଲ କରିପାରି ନ ଥିଲେ।
ବିସିସିଆଇ ପକ୍ଷରୁ ରୋହିତଙ୍କ ପ୍ରକୃଷ୍ଟ ଉତ୍ତରାଧିକାରୀ ଖୋଜା ଶୀଘ୍ର ଶେଷ ହେଲେ ଭଲ। କାରଣ ବ୍ୟସ୍ତ କ୍ରିକେଟ୍ କାର୍ଯ୍ୟସୂଚୀ ମଧ୍ୟରୁ ମଝିରେ ମଝିରେ ବିଶ୍ରାମ ମିଳିଲେ ରୋହିତ ସତେଜ ଓ ଫିଟ୍ ରହିପାରିବେ ଏବଂ ତାଙ୍କ ଅନୁପସ୍ଥିତିରେ ବିକଳ୍ପ ଅଧିନାୟକ ସୁଚାରୁରୂପେ ଦାୟିତ୍ୱ ସମ୍ପାଦନ କରିପାରିବେ। ତେବେ ବିକଳ୍ପମାନଙ୍କ ମଧ୍ୟରେ ଫର୍ମ ଓ ଫିଟ୍ନେସ୍ ରହିବା ସହ ସମ୍ମୁଖରୁ ନେତୃତ୍ୱ ନେବାର ଦକ୍ଷତା ବି ରହିବା ଆବଶ୍ୟକ।
ଜଗନ୍ନାଥ ଭିଲ୍ଲା, ସୁନ୍ଦରପଦା, ଭୁବନେଶ୍ୱର
ଦୂରଭାଷ: ୯୪୩୮୧୭୯୨୧୯