• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ଚଳିତ ମାସରେ ଲଣ୍ଡନର ଓଭାଲ୍ ଗ୍ରାଉଣ୍ଡରେ ଆୟୋଜିତ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍‌ର ପ୍ରଥମ ଦିନରୁ ହିଁ ଅନେକ ପ୍ରଶଂସକଙ୍କ ମଧ୍ୟରେ ଏହି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ରୋହିତ ଶର୍ମା କ’ଣ ଭାରତର ଟେଷ୍ଟ ଅଧିନାୟକତ୍ୱ ପାଇଁ ଠିକ୍ ପସନ୍ଦ?

ଅଷ୍ଟ୍ରେଲିଆ ବିପକ୍ଷରେ ଦୁର୍ବଳ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ହାରି ଯାଇଥିଲା । ଏହାପରେ ରୋହିତଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ କରାଯିବା ଆଉ ପ୍ରଶଂସକଙ୍କ ମଧ୍ୟରେ ସୀମାବଦ୍ଧ ହୋଇ ରହି ନ ଥିଲା । ସମ୍ଭବତଃ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ମଧ୍ୟ ଏହି ପ୍ରଶ୍ନର ଗମ୍ଭୀରତାକୁ ବୁଝିପାରୁଥିବ । କିନ୍ତୁ ତତ୍କାଳ କୌଣସି ପରିବର୍ତ୍ତନ ନିଆଯିବାର ସମ୍ଭାବନା ନାହିଁ ।

ଆଲୋଚନା ହେଉଛି ଯେ ଏବେ ରୋହିତଙ୍କ କୌଣସି ବଳିଷ୍ଠ ବିକଳ୍ପ ନାହାନ୍ତି । ବିକଳ୍ପ ପ୍ରସ୍ତୁତ କରିବାକୁ ସମୟ ଲାଗିବ । ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତରେ ରୋହିତଙ୍କ ନେତୃତ୍ୱରେ ଭାରତ ଟେଷ୍ଟ ଶୃଙ୍ଖଳା ଖେଳିବ ।

ରୋହିତ ଡବ୍ଲୁ୍ୟଟିସି ଫାଇନାଲ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କେତେକ ସମୀକ୍ଷକଙ୍କ କହିବାନୁଯାୟୀ ଏହା କୌଣସି ବାହାଦୁର ଅଧିନାୟକଙ୍କ ଆକ୍ରମଣାତ୍ମକ ନିଷ୍ପତ୍ତି ନ ହୋଇ ନିର୍ଣ୍ଣୟ ନେଇପାରୁ ନ ଥିବା ଅଧିନାୟକଙ୍କ ଏକ ସୁରକ୍ଷାତ୍ମକ ନିଷ୍ପତ୍ତି ଥିଲା ।

ପୂର୍ବ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ମଧ୍ୟ ଭାରତୀୟ ଟିମ୍ ପରାଜିତ ହୋଇଥିଲା । ସେତେବେଳେ ଅଧିନାୟକତ୍ୱ ବିରାଟ କୋହଲିଙ୍କ ପାଖରେ ଥିଲା । ଏଥର ରୋହିତ ସେହି (ଡବ୍ଲ୍ୟୁଟିସି ଫାଇନାଲ୍) ଅଗ୍ନିପରୀକ୍ଷାର ସମ୍ମୁଖୀନ ହୋଇଥିଲେ, କିନ୍ତୁ ଟିମ୍ ଇଣ୍ଡିଆକୁ କ୍ରମାଗତ ଦ୍ୱିତୀୟ ଫାଇନାଲ୍ ବିଫଳତାରୁ ରକ୍ଷା କରିପାରି ନ ଥିଲେ । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ରୋହିତ ବିଭିନ୍ନ ସମୟରେ ଫିଟ୍ନେସ୍ ସମସ୍ୟା ଭୋଗୁଛନ୍ତି । ସେ ଅନେକ ଦିନ ହେଲା ଫର୍ମରେ ନାହାନ୍ତି । ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ ୨୦୨୩ରେ ମଧ୍ୟ ସେ ବ୍ୟାଟିଂରେ ନିରାଶ କରିଥିଲେ ଏବଂ ତାଙ୍କ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ବି ବିଫଳ ହୋଇଥିଲା ।

ଏବେ ଯେଉଁ କେତୋଟି ପ୍ରଶ୍ନ ଉଠୁଛି, ସେଥିମଧ୍ୟରେ ସର୍ବାଗ୍ରେ ଥିବା ପ୍ରଶ୍ନଟି ହେଉଛି - ରୋହିତ କ’ଣ ଆଗାମୀ ଦୁଇ ବର୍ଷ (ଡବ୍ଲ୍ୟୁଟିସି ୨୦୨୩-୨୫) ଯାଏଁ ଭାରତୀୟ ଟେଷ୍ଟ ଟିମ୍ର ଅଧିନାୟକ ରହିବେ? ଦ୍ୱିତୀୟ ପ୍ରଶ୍ନ - ଟେଷ୍ଟ ଟିମ୍ର ନେତୃତ୍ୱ ନେବା ପାଇଁ ଏବେ ଭାରତ ପାଖରେ କ’ଣ କୌଣସି ବଳିଷ୍ଠ ବିକଳ୍ପ ନାହାନ୍ତି? କୌଣସି ଯୁବ ଖେଳାଳିଙ୍କୁ କ’ଣ ଦାୟିତ୍ୱ ଦିଆଯାଇପାରିବନି, ଯେପରିକି ଦକ୍ଷିଣ ଆଫ୍ରିକା ପାଇଁ ଗ୍ରେମ୍ ସ୍ମିଥ୍ ଥିଲେ?

ଭାରତୀୟ ଟେଷ୍ଟ କ୍ରିକେଟ୍ରେ ଯୁବ ଖେଳାଳିଙ୍କୁ ନେତୃତ୍ୱ ଦିଆଯିବା ଭଳି ବଡ଼ ରିସ୍କ କେବେ ନିଆଯାଇନି ଏବଂ ଆଗକୁ ମଧ୍ୟ ନିଆଯିବାର ସମ୍ଭାବନା କମ୍ । କେତେକ ଲୋକ ହୁଏତ ନବାବ ପଟୌଦୀଙ୍କ ଉଦାହରଣ ଦେଇପାରନ୍ତି, ଯିଏକି ୪୬ରୁ ୪୦ ମ୍ୟାଚ୍ରେ ଅଧିନାୟକତ୍ୱ କରିଥିଲେ । ଅଧିନାୟକ ଭାବେ ସେତେବେଳେ ତାଙ୍କ ପ୍ରଭାବକୁ ଅନେକେ ସ୍ୱୀକାର କରିଛନ୍ତି ।

ଟେଷ୍ଟ୍‌ ଅଧିନାୟକତ୍ୱ ପାଇଁ ଅନ୍ୟ ବିକଳ୍ପ ଅଛନ୍ତି କି:

ବିକଳ୍ପ ଦେଖିବାକୁ ଗଲେ, ସର୍ବପ୍ରଥମେ ବିରାଟ କୋହଲିଙ୍କ ନାମ ଆସୁଛି । କୋହଲିଙ୍କ ପାଖରେ ଅଭିଜ୍ଞତା ରହିଛି ଏବଂ ସଫଳତାର ରେକର୍ଡ ବି । କିନ୍ତୁ ସମସ୍ୟା ହେଉଛି ଯେ ଦେଢ଼ ବର୍ଷ ପୂର୍ବେ ବିରାଟ ଖୋଦ୍ ଟେଷ୍ଟ ଅଧିନାୟକତ୍ୱ ଛାଡ଼ି ଦେଇଥିଲେ । ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ ବିରାଟଙ୍କ ସେହି ନିଷ୍ପତ୍ତିରେ ବିସିସିଆଇ ଅବାକ୍ ହୋଇଯାଇଥିଲା ।

ସେହି ପରିସ୍ଥିତିରେ ରୋହିତହିଁ ସର୍ବୋତ୍ତମ ବିକଳ୍ପ ଥିଲେ, ସେଥିପାଇଁ ତାଙ୍କୁ ଅଧିନାୟକତ୍ୱ ଦିଆଯାଇଥିଲା । ଯେଉଁ ତିକ୍ତତା ସହ ବିରାଟଙ୍କ ଅଧିନାୟକତ୍ୱ କାର୍ଯ୍ୟକାଳ ଶେଷ ହୋଇଥିଲା ଏବଂ ଯେଉଁଭଳି ଭାବେ ବୋର୍ଡର ବଡ଼ ଅଧିକାରୀମାନେ ଅସନ୍ତୁଷ୍ଟ ହୋଇଥିଲେ, ତାହାକୁ ଦେଖି ବିରାଟଙ୍କୁ ଆଉ ଥରେ ଟେଷ୍ଟ ଅଧିନାୟକ କରାଯିବାର ସମ୍ଭାବନା କ୍ଷୀଣ । ତା’ଛଡ଼ା ଖୋଦ୍ ବିରାଟ ବି ଏଥିପାଇଁ ରାଜି ହୋଇ ନ ପାରନ୍ତି ।

ଦ୍ୱିତୀୟ ଅଭିଜ୍ଞ ବିକଳ୍ପ ହେଉଛନ୍ତି, ଅଜିଜ୍ଞ ରାହାଣେ । କିନ୍ତୁ ପ୍ରଦର୍ଶନରେ ନିରନ୍ତରତାର ଅଭାବ ଯୋଗୁଁ ଗୋଟିଏ ସମୟରେ ଅଧିନାୟକ ଦୌଡ଼ରେ ଥିବା ରାହାଣେ ଟିମ୍‌ରୁ ହିଁ ବାଦ୍ ପଡ଼ିଥିଲେ । ତେବେ ଚଳିତ ବର୍ଷ ଆଇପିଏଲ୍ ଜରିଆରେ ସେ ଫର୍ମକୁ ଫେରିଥିଲେ । ଶ୍ରେୟାସ ଆୟରଙ୍କ ଅନୁପସ୍ଥିତି ଯୋଗୁଁ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ସେ ଟିମ୍‌ର ସଦସ୍ୟ ଥିଲେ ଏବଂ ଅନ୍ୟ ଭାରତୀୟ ବ୍ୟାଟର୍ ତୁଳନାରେ ଭଲ ପ୍ରଦର୍ଶନ ବି କରିଥିଲେ ।

ସମ୍ଭବତଃ ଏହି କାରଣରୁ ତାଙ୍କୁ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ କେବଳ ଟିମ୍ରେ ରଖାଯାଇ ନାହିଁ, ଉପ-ଅଧିନାୟକ ଦାୟିତ୍ୱ ବି ଦିଆଯାଇଛି । ଅଧିନାୟକର ଦାବିଦାର ହେବା ପାଇଁ ରାହାଣେଙ୍କୁ ପ୍ରଦର୍ଶନ ଜରିଆରେ ନିଜକୁ ପ୍ରମାଣିତ କରିବାକୁ ହେବ । ଏଥିପାଇଁ ସମୟ ଲାଗିବ ।

ଅନ୍ୟ ବିକଳ୍ପ ହେଲେ ରବିଚନ୍ଦ୍ରନ୍ ଅଶ୍ୱିନ, ଲୋକେଶ ରାହୁଲ, ଯଶପ୍ରୀତ ବୁମ୍‌ରା, ରିଷଭ ପନ୍ତ, ଶ୍ରେୟାସ ଆୟର । ଅଶ୍ୱିନଙ୍କୁ ଛାଡ଼ିଥିଲେ ଅନ୍ୟ ଚାରି ଜଣ ଏବେ ଅନ୍ଫିଟ୍ ଅଛନ୍ତି । ଯେଉଁ ରାହୁଲଙ୍କ ଉପରେ ଦ୍ରାବିଡ଼ ଓ ଚୟନକାରୀମାନେ ଭରସା ରଖିଥିଲେ, ସେ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି । ଅଧିନାୟକତ୍ୱ ତ ଦୂରର କଥା, ଫିଟ୍ ହେବା ପରେ ବି ଟିମ୍‌ରେ ସ୍ଥାନ ପାଇବା ତାଙ୍କ ପାଇଁ ଚାଲେଞ୍ଜ୍ ହେବ ।

ଅଶ୍ୱିନ ଜଣେ ଟିମ୍ ମ୍ୟାନ୍, ବରିଷ୍ଠ ଖେଳାଳି, ନେତୃତ୍ୱ ନେବା ପାଇଁ ଅନେକାଂଶରେ ଯୋଗ୍ୟ । କିନ୍ତୁ ୩୬ ବର୍ଷ ବୟସରେ ଅଶ୍ୱିନଙ୍କୁ ଅଧିନାୟକର ଭୂମିକା ଦିଆଯାଇପାରିବନି । ବାକି ରହିଲେ, ରବୀନ୍ଦ୍ର ଜାଡ଼େଜା । କିନ୍ତୁ ନେତୃତ୍ୱ ନେବା ପାଇଁ ସେ ଫିଟ୍ ନୁହନ୍ତି । ତାହାର ଉଦାହରଣ ଆଇପିଏଲ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍ସରେ ଦେଖିବାକୁ ମିଳିଥିଲା ।

ଯୁବ ବିକଳ୍ପଙ୍କ ମଧ୍ୟରେ ରହିଛନ୍ତି ଓପନର୍ ଶୁଭମନ ଗିଲ୍ । ତାଙ୍କୁ ଉପ-ଅଧିନାୟକ କରି ଭବିଷ୍ୟତ ପାଇଁ ଗଢ଼ାଯାଇପାରେ । କିନ୍ତୁ ଅନେକଙ୍କର ମତ, ଶୁଭମନ ଆଗ ଟେଷ୍ଟ କ୍ରିକେଟ୍ ଭଲ ଭାବେ ଖେଳନ୍ତୁ । ଅତି କମ୍‌ରେ ଆଇପିଏଲରେ ଗୋଟିଏ ସିଜନ୍ ପାଇଁ କୌଣସି ଟିମ୍‌ର ନେତୃତ୍ୱ ନିଅନ୍ତୁ ।

ରୋହିତ କ’ଣ ୨୦୨୫ ଯାଏଁ ଟେଷ୍ଟ ଅଧିନାୟକ ରହିବେ:

ସବୁ ଦିଗରୁ ବିଚାର କରାଗଲେ, ରୋହିତଙ୍କୁ ଦୁଇ ବର୍ଷ ନ ହେଲେ ବି ଅନ୍ତତଃ ବର୍ଷେ ଯାଏଁ ଟେଷ୍ଟ ଟିମ୍‌ର ଅଧିନାୟକତ୍ୱରୁ କଢ଼ା ଯାଇପାରିବନି । କାରିବୀୟ ଗସ୍ତ ପରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ଟେଷ୍ଟ ସିରିଜ୍ ଚଳିତ ବର୍ଷ ଶେଷବେଳକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ । ସେତେବେଳକୁ ଦିନିକିଆ ବିଶ୍ୱକପ୍ ସରିଯିବଣି ।

ବିଶ୍ୱକପ୍ ପରେ ଦିନିକିଆ କ୍ରିକେଟ୍‌ରେ ରାହୁଲ ଦ୍ରାବିଡ଼ ଓ ରୋହିତଙ୍କ ସମୟ ଶେଷ ହୋଇଯାଇପାରେ । ପରବର୍ତ୍ତୀ ଚାରି ବର୍ଷ ପାଇଁ ନୂଆ ପ୍ରଶିକ୍ଷକ ଓ ଅଧିନାୟକଙ୍କୁ ଦାୟିତ୍ୱ ଦିଆଯାଇପାରେ । ଏପରିସ୍ଥଳେ ରୋହିତ ବୟସାଧିକ୍ୟ, ଫିଟ୍‌ନେସ୍, ପ୍ରଦର୍ଶନରେ ନିରନ୍ତରତାର ଆବଶ୍ୟକତା - ଏସବୁକୁ ଦୃଷ୍ଟିରେ ରଖି କେବଳ ଗୋଟିଏ ଫର୍ମାଟ୍‌କୁ ବାଛିପାରନ୍ତି; ଅନ୍ୟଥା ତାଙ୍କୁ ସେଭଳି କରିବା ପାଇଁ ବୋର୍ଡ ଓ ଚୟନକାରୀ କହିପାରନ୍ତି ।

ଯଦି ସେ ଟେଷ୍ଟକୁ ବାଛନ୍ତି, ତା’ହେଲେ ସେଥିରେ ଟିମ୍‌ରେ ଅଧିନାୟକତ୍ୱ ବଜାୟ ରଖିପାରିବେ । କିନ୍ତୁ ଆଗାମୀ ଦୁଇ ବର୍ଷ ଯାଏଁ ଅର୍ଥାତ୍ ଡବ୍ଲ୍ୟୁଟିସି ଫାଇନାଲ୍ ଯାଏଁ ଅଧିନାୟକ ରହିବା ତାଙ୍କ ପାଇଁ ଚାଲେଞ୍ଜପୂର୍ଣ୍ଣ ହେବ । କାରଣ ସେତେବେଳକୁ ତାଙ୍କୁ ୩୮ ବର୍ଷ ହୋଇଯିବଣି। ତେବେ ହ୍ୱାଇଟ୍ ବଲ୍ କ୍ରିକେଟ୍‌କୁ ସମ୍ପୂର୍ଣ୍ଣ ରୂପେ ଛାଡ଼ିଦେଲେ, ସେ ଜଣେ ଖେଳାଳି ଭାବେ ଅଧିକ ଦିନ ଯାଏଁ ଖେଳିପାରିବେ । ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ ଓ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଭଳି ପେସ୍ ବୋଲର୍ ତାଙ୍କ ପାଇଁ ଉଦାହରଣ ହୋଇପାରିବେ, ଯେଉଁମାନେ କେବଳ ଟେଷ୍ଟ କ୍ରିକେଟ୍ ଖେଳୁଛନ୍ତି । ରୋହିତ ବି ସେମିତି କରିପାରିବେ ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)