Advertisment

ପୁଣି ଅଧୁରା ରହିଗଲା କିଙ୍ଗ୍ କୋହଲିଙ୍କ ଆଇପିଏଲ୍ ମୁକୁଟ ସ୍ୱପ୍ନ

ଆଇପିଏଲ୍ ୨୦୨୩ର ଲିଗ୍ ରାଉଣ୍ଡ୍‌ରେ ଗୁଜରାଟ ଟାଇଟନ୍ସ ବିପକ୍ଷ ‘କର ବା ମର’ ମ୍ୟାଚ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବିରାଟ କୋହଲି ଶତକ ହାସଲ କରିଥିଲେ, କିନ୍ତୁ ତାହା ଯଥେଷ୍ଟ ନ ଥିଲା। ମ୍ୟାଚ୍ ହାରିଯିବାରୁ ବାଙ୍ଗାଲୋର ଟିମ୍ ପ୍ଲେଅଫ୍‌ରୁ ବଞ୍ଚିତ ହୋଇଥିଲା। ଏହା ସହିତ ପୁଣି ଥରେ ଅଧୁରା ରହିଯାଇଥିଲା କିଙ୍ଗ୍ କୋହଲିଙ୍କ ଆଇପିଏଲ୍ ମୁକୁଟ ଜିତିବାର ସ୍ୱପ୍ନ।

author-image
Biswajit Mohanty
ଅଦ୍ୟତନ ହୋଇଛି
King Kohli's dream of an IPL crown has been dashed again

King Kohli's dream of an IPL crown has been dashed again

ବିରାଟ କୋହଲି ଭାରତୀୟ କ୍ରିକେଟ୍ରେ ‘କିଙ୍ଗ୍ କୋହଲି’ ଭାବେ ପରିଚିତ । ଅନେକ ଆନ୍ତର୍ଜାତିକ ରେକର୍ଡର ଅଧିକାରୀ ସେ । ତାଙ୍କୁ ବିଶ୍ୱର ଶ୍ରେଷ୍ଠ ବ୍ୟାଟର୍ଙ୍କ ମଧ୍ୟରେ ପରିଗଣନା କରାଯାଏ । ନୂଆ ପିଢ଼ିର ବ୍ୟାଟର୍ଙ୍କ ପାଇଁ କୋହଲି ସ୍ୱାଭାବିକ ପସନ୍ଦ । ସର୍ବାଧିକ ଆନ୍ତର୍ଜାତିକ ଶତକ ତାଲିକାରେ ସେ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଠାରୁ ଦୂରରେ ଥିଲେ ମଧ୍ୟ ତାଙ୍କ ଭିତରେ ମାଷ୍ଟର ବ୍ଲାଷ୍ଟରଙ୍କ କୀର୍ତ୍ତି ଭାଙ୍ଗିବାର ସାମର୍ଥ୍ୟ ରହିଛି ବୋଲି ଅନେକେ ମତ ଦିଅନ୍ତି ।

Advertisment

କୋହଲି କ୍ରିକେଟ୍‌ର ପ୍ରାୟ ସବୁ ଉଚ୍ଚତାକୁ ଛୁଇଁଛନ୍ତି । ସେ ଟେଷ୍ଟ, ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକରେ ବିଶ୍ୱର ଏକ ନମ୍ବର ମାନ୍ୟତାଧାରୀ ବ୍ୟାଟର୍ ରହିସାରିଛନ୍ତି । ଏବେ ବି ସବୁ ଫର୍ମାଟ୍ରେ ଖେଳୁଛନ୍ତି । ସେ ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ସକ୍ରିୟ ଖେଳାଳି । ସେ ଦିନିକିଆ ବିଶ୍ୱକପ୍ ଜିତିଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ଟି-୨୦ ଓ ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଥିଲା ଏବଂ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ରେ ସ୍ଥାନ ପାଇଥିଲା । ଅବଶ୍ୟ ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ କୌଣସି ଆଇସିସି ଟ୍ରଫି ଜିତି ନ ପାରିବା ବିଡ଼ମ୍ବନାର ବିଷୟ ଥିଲା ।

କିଙ୍ଗ୍ କୋହଲିଙ୍କ କ୍ୟାରିଅର୍‌ରେ ଗୋଟିଏ ଟ୍ରଫିର ଅଭାବ ରହିଆସିଛି । ତାହା ହେଲା ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ଟ୍ରଫି । ଅଥଚ କୋହଲି ଆଇପିଏଲ୍‌ର ସୁପରଷ୍ଟାର୍ । ସେ ଲିଗ୍‌ରେ ସର୍ବାଧିକ ୭୨୬୩ ରନ୍ ସଂଗ୍ରହ କରିଛନ୍ତି । ତାଙ୍କ ନାମରେ ସର୍ବାଧିକ ୭ ଶତକ ରହିଛି । ଏହାଛଡ଼ା ସେ ୫୦ ଅର୍ଦ୍ଧଶତକ ଲଗାଇଛନ୍ତି ।

Advertisment

ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଏଯାବତ କେବେ ବି ଆଇପିଏଲ୍ ଟ୍ରଫି ଜିତିପାରି ନାହିଁ । ଖୋଦ୍ କୋହଲି ଲିଗ୍ ଆରମ୍ଭରୁ ଏହି ଟିମ୍ର ଅଂଶବିଶେଷ ରହିଆସିଛନ୍ତି, କିନ୍ତୁ ସେ ଅଧିନାୟକ ଥିବା ବେଳେ ବି ଟିମ୍‌କୁ ଚାମ୍ପିଅନ୍ କରାଇପାରି ନାହାନ୍ତି । ସେ ନେତୃତ୍ୱ ଛାଡ଼ିସାରିଲେଣି, ଦକ୍ଷିଣ ଆଫ୍ରିକୀୟ ଫାଫ୍ ଡୁ’ ପ୍ଲେସିସ୍ ଏବେ ଟିମ୍ର ଅଧିନାୟକ।

କୋହଲି ଚଳିତ ଆଇପିଏଲ୍ ସିଜନ୍‌ରେ ମେ’ ୨୧ରେ ଖେଳାଯାଇଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ‘କର ବା ମର’ ମ୍ୟାଚ୍‌ରେ ବି ଶତକ ହାସଲ କରିଥିଲେ, କିନ୍ତୁ ତାହା ଯଥେଷ୍ଟ ନ ଥିଲା । ତାଙ୍କ ଶତକ ଉପରେ ଭାରୀ ପଡ଼ିଥିଲା ପ୍ରତିପକ୍ଷର ଓପନର୍ ଶୁଭମନ ଗିଲ୍‌ଙ୍କ ଶତକ । ବାଙ୍ଗାଲୋର ମ୍ୟାଚ୍ ହାରି ଯାଇଥିଲା ଏବଂ ଏହି ପରାଜୟ ଯୋଗୁଁ ଟିମ୍ ପ୍ଲେଅଫ୍‌ରୁ ବଞ୍ଚିତ ହୋଇଥିଲା । ଏହା ସହିତ ପୁଣି ଥରେ ଅଧୁରା ରହିଯାଇଥିଲା କୋହଲିଙ୍କ ଆଇପିଏଲ୍ ମୁକୁଟ ଜିତିବାର ସ୍ୱପ୍ନ ।

ତିନି ଥର ଫାଇନାଲ୍‌କୁ ଯାଇଛି ଆର୍‌ସିବି:

ବାଙ୍ଗାଲୋର ଟିମ୍ ଆଇପିଏଲ୍ ଇତିହାସରେ ତିନି ଥର ଫାଇନାଲ୍‌ରେ ପ୍ରବେଶ କରିଛି । ଲିଗ୍‌ର ଦ୍ୱିତୀୟ ସିଜନ୍‌ରେ ହିଁ ଟିମ୍ ଟାଇଟଲ୍ ରାଉଣ୍ଡରେ ସ୍ଥାନ ପାଇଥିଲା, କିନ୍ତୁ ଡେକାନ୍ ଚାର୍ଜର୍ସ (ଏବେ ଏହି ଫ୍ରାଞ୍ଚାଇଜୀର ଅସ୍ତିତ୍ୱ ନାହିଁ) ଠାରୁ ହାରି ଯାଇଥିଲା ।

୨୦୧୧ ଓ ୨୦୧୬ରେ ମଧ୍ୟ ବାଙ୍ଗାଲୋର ଟିମ୍ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲା । ୨୦୧୧ରେ କୋହଲିଙ୍କ ଟିମ୍ ଚେନ୍ନାଇ ସୁପର୍ କିଙ୍ଗ୍ସ ଠାରୁ ହାରି ଯାଇଥିବା ବେଳେ ୨୦୧୬ରେ ସନ୍‌ରାଇଜର୍ସ ହାଇଦରାବାଦ ଠାରୁ ପରାଜିତ ହୋଇଥିଲା ।

୨୦୧୬ ସିଜନ୍‌ରେ ବିରାଟ ୧୬ ମ୍ୟାଚ୍‌ରେ ମୋଟ୍ ୯୭୩ ରନ୍ କରିଥିଲେ, ଯାହାକି ଗୋଟିଏ ସଂସ୍କରଣରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ । ସେଥିରେ ଚାରି ଶତକ ଓ ସାତ ଅର୍ଦ୍ଧଶତକ ଥିଲା । ଏହାସତ୍ତ୍ୱେ ତାଙ୍କ ଟିମ୍ ଟ୍ରଫିରୁ ବଞ୍ଚିତ ହୋଇଥିଲା।

ଏଥର କୋହଲି ପୁଣି ଥରେ ନୂଆ ଉତ୍ସାହର ସହ ଖେଳୁଥିଲେ । ସେ କେବଳ ୬୦୦ରୁ ଅଧିକ ରନ୍ କରି ନ ଥିଲେ, ଅଧିନାୟକ ଡୁ’ ପ୍ଲେସିସ୍‌ଙ୍କ ସହ ଭଲ ଭାଗୀଦାରୀ ବି କରିଥିଲେ । ଡୁ’ ପ୍ଲେସିସ୍ ୭୩୦ ରନ୍ କରି ବଡ଼ ଯୋଗଦାନ ଦେଇଥିବା ବେଳେ ଅଷ୍ଟ୍ରେଲୀୟ ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ଟିମ୍‌ର ସାଥ୍ ଦେଉଥିଲେ । ଟିମ୍‌ର ବୋଲିଂ ପ୍ରଦର୍ଶନ ମଧ୍ୟ ଭଲ ଥିଲା । ପ୍ଲେଅଫ୍‌ରେ ପହଞ୍ଚିବା ପାଇଁ ବାଙ୍ଗାଲୋରକୁ ଆଉ ଗୋଟିଏ ବିଜୟ ଆବଶ୍ୟକ ଥିଲା । କିନ୍ତୁ ଟିମ୍ ଗୁଜରାଟ ଟାଇଟନ୍ସ ବିପକ୍ଷ ଶେଷ ବାଧା ଅତିକ୍ରମ କରିପାରି ନ ଥିଲା ।

କୋହଲି ଓ ଗିଲ୍ - ଭିନ୍ନ ଭିନ୍ନ ପିଢ଼ିର ଶ୍ରେଷ୍ଠ ଖେଳାଳି:

ବିରାଟ କୋହଲି ଓ ଶୁଭମନ ଗିଲ୍ - ଭିନ୍ନ ଭିନ୍ନ ପିଢ଼ିର ଦୁଇ ଶ୍ରେଷ୍ଠ ଖେଳାଳି । ଆଇପିଏଲ୍ ୨୦୨୩ ଲିଗ୍ ରାଉଣ୍ଡର ଶେଷ ମ୍ୟାଚ୍‌ରେ ଉଭୟ କୋହଲି ଓ ଗିଲ୍ ଶତକ ହାସଲ କରିଥିଲେ । ଗୁଜରାଟ ଜିତିଲା, ଶ୍ରେୟ ଗିଲ୍‌ଙ୍କ ପାଖକୁ ଗଲା; ବାଙ୍ଗାଲୋର ଜିତିଥିଲେ, କୋହଲି ନାୟକ ସାଜିଥା’ନ୍ତେ ।

ଗିଲ୍‌ଙ୍କୁ ଛାଡ଼ିଦେଲେ, ଗୁଜରାଟ ଟିମ୍‌ର୍ ଅନ୍ୟ କୌଣସି ବ୍ୟାଟର୍ କିଛି ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ । ଗିଲଙ୍କ ଆଖିରେ ବି ସେହି ଚମକ ଥିଲା, ଯାହା କୋହଲିଙ୍କ ଆଖିରେ ରନ୍‌ଚେଜ୍ କରିବା ସମୟରେ ଦେଖିବାକୁ ମିଳେ । କେବେ ହାର୍ ନ ମାନିବାର ମନୋଭାବ ଝଲସି ଉଠୁଥିଲା ଏହି ଯୁବ ଓପନର୍‌ଙ୍କ ଆଖିରେ।

ଗିଲ୍ ପ୍ରାୟ ୨୦୦ ଷ୍ଟ୍ରାଇକ୍ ରେଟ୍‌ରେ ଖେଳୁଥିଲେ । ସେ କୋହଲିଙ୍କ ଭଳି କ୍ଲାସିକ୍ ସଟ୍ ମାରୁଥିଲେ । ସେହି ସଟ୍‌ଗୁଡ଼ିକ ଉପରେ କେହି ଅଙ୍ଗୁଳି ଉଠାଇ ପାରିବେନି । କ୍ୱାଲିଫାୟର୍-୨ରେ ମଧ୍ୟ ଗିଲ୍‌ଙ୍କ ବିସ୍ଫୋରକ ଶତକ ଯୋଗୁଁ ଗୁଜରାଟ ବିଜୟୀ ହୋଇ ଫାଇନାଲ୍‌ରେ ପହଞ୍ଚିଥିଲା ।

ଆଇପିଏଲ୍ ୨୦୨୩ରେ ପ୍ଲେଅଫ୍ ଶେଷ ସୁଦ୍ଧା ତିନି ଶତକ ହାସଲ କରିଥିବା ଗିଲ୍ ପ୍ରକୃତରେ କୋହଲିଙ୍କର ହିଁ ଉତ୍ତରାଧିକାରୀ, ଯେମିତି କୋହଲି ସଚିନ ତେନ୍ଦୁଲକର ଓ ସଚିନ ସୁନୀଲ୍ ଗାଭାସ୍କରଙ୍କ ଉତ୍ତରାଧିକାରୀ ଥିଲେ ।

କୋହଲିଙ୍କ ଶତକର ଜବାବ ଥିଲା ଗିଲ୍‌ଙ୍କ ଶତକ । ଗିଲ୍ ସେହି ମ୍ୟାଚ୍‌ରେ ଶତକର ନିକଟବର୍ତ୍ତୀ ହେଉଥିବା ବେଳେ ଡଗ୍ଆଉଟ୍‌ରେ କୋହଲିଙ୍କ ମୁହଁରେ ନୈରାଶ୍ୟ ଦେଖିବାକୁ ମିଳୁଥିଲା । ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ କୋହଲିଙ୍କ ଟିମ୍‌କୁ ହାରୁଥିବାର ଦେଖି ଦର୍ଶକ ବି ସ୍ତବ୍ଧ ହେଉଥିଲେ।

ସେତେବେଳେ ମନେହେଉଥାଏ, ସତେ ଯେମିତି ବିରାଟ ନିଜ ଭାଗ୍ୟ ସହ ଲଢ଼େଇ କରୁଛନ୍ତି । ଗ୍ରୀକ୍ ସାହିତ୍ୟର ଟ୍ରାଜେଡି-ଡ୍ରାମାର ନାୟକଙ୍କ ଭଳି ସେ କୌଣସି ବଡ଼ ଶକ୍ତି କିମ୍ବା ଭାଗ୍ୟ ସହ ଲଢ଼ି ଆଗକୁ ବଢ଼ୁଥିଲେହେଁ ଶେଷରେ ହାରିଯାଉଛନ୍ତି।

ବିରାଟଙ୍କ ପାଇଁ ଅବଶ୍ୟ ସମ୍ଭାବନା ଶେଷ ହୋଇ ନାହିଁ। ସେ ଆଗକୁ ଆଉ କେତେକ ସଂସ୍କରଣରେ ଖେଳିପାରନ୍ତି। ତାଙ୍କର ଅବସର ନେବା ସମୟ ଆସିନି। ଭବିଷ୍ୟତରେ ତାଙ୍କର ଅଧୁରା ସ୍ୱପ୍ନ ସାକାର ହୋଇପାରେ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Indian Team
Advertisment
Advertisment