• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତର ପରାଜୟ ପରେ ରୋହିତ ସେନାର ଦୁର୍ବଳ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ହେଉଛି । ବିଶ୍ଳେଷଣ ହେଉଛି ।

ବଡ଼ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଏଭଳି ପରାଜୟ ଅବଶ୍ୟ ନୂଆ କଥା ନୁହେଁ । ଏକ ଦଶନ୍ଧି ଧରି ଟିମ୍ କୌଣସି ଆଇସିସି ଟ୍ରଫି ଜିତିପାରି ନାହିଁ । ଏହି ତାଲିକାରେ ଡବ୍ଲ୍ୟୁଟିସି ଫାଇନାଲ୍‌ରେ କ୍ରମାଗତ ଦ୍ୱିତୀୟ ବିଫଳତା ଯୋଡ଼ି ହୋଇଛି ।

ଏହା ପଛରେ ତ ଅନେକ କାରଣ ରହିଛି - ପ୍ରସ୍ତୁତି ଠାରୁ ନେଇ ଟସ୍ ନିଷ୍ପତ୍ତି ଯାଏଁ । କିନ୍ତୁ ଯେଉଁ କାରଣ ସର୍ବାଧିକ ଚର୍ଚ୍ଚାରେ ରହିଛି, ତାହା ହେଉଛି ତିନି ଜଣ ପ୍ରମୁଖ ବ୍ୟାଟର୍ - ବିରାଟ କୋହଲି, ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କ ନୈରାଶ୍ୟଜନକ ପ୍ରଦର୍ଶନ । ଏହି ତିନି ଜଣ ଭାରତୀୟ ବ୍ୟାଟିଂ ଲାଇନ୍ଅପ୍‌ର ମେରୁଦଣ୍ଡ । ଦୀର୍ଘ ଦିନ ହେଲା ଟେଷ୍ଟ କ୍ରିକେ୍‌ଟରେ ସେମାନଙ୍କର ଆଧିପତ୍ୟ ରହିଆସିଛି ।

ଏଠାରେ କେବଳ ନେତୃତ୍ୱକୁ ନେଇ ପ୍ରଶ୍ନ ନାହିଁ । ପୂର୍ବ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ବିରାଟ ଅଧିନାୟକ ଥିଲେ, ଏଥର ରୋହିତଙ୍କ ହାତରେ ନେତୃତ୍ୱ ଥିଲା । ରୋହିତଙ୍କୁ ବଦଳାଯାଇ ଅନ୍ୟ କାହାକୁ ଏହି ଦାୟିତ୍ୱ ଦିଆଯାଇପାରେ । କିନ୍ତୁ ସମସ୍ୟା ହେଉଛି ଟିମ୍‌ର ବ୍ୟାଟିଂ ପ୍ରଦର୍ଶନ - ତ୍ରିମୂର୍ତ୍ତିଙ୍କ ବିଫଳତା । ଯେଉଁମାନଙ୍କ ଉପରେ ଟିମ୍ ଭରସା କରୁଥିଲା, ସେମାନେ ବଡ଼ ମ୍ୟାଚ୍‌ରେ ନିରାଶ କରିଛନ୍ତି ।

ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ଫାଇନାଲ୍‌କୁ ଯିବା ଯେତିକି ଗୌରବର କଥା, ତା’ଠାରୁ ଅଧିକ ବିଡ଼ମ୍ବନା ହେଉଛି ପୁନର୍ବାର ଟ୍ରଫି ଜିତି ନ ପାରିବା । ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍‌ରେ ବିରାଟ, ରୋହିତ ଓ ଚେତେଶ୍ୱର ସେହି ସ୍ତରର ବ୍ୟାଟିଂ କରିପାରି ନ ଥିଲେ, ଯାହା ଫଳରେ ଟିମ୍ ମୁକାବିଲାରେ ତିଷ୍ଠି ରହିପାରିଥା’ନ୍ତା । ଅନ୍ତତଃ ମ୍ୟାଚ୍‌କୁ ଡ୍ର’ କରାଇପାରିଥା’ନ୍ତା ।

୪୪୪ ରନ୍ର ଟାର୍ଗେଟ୍ ନେଇ ଖେଳୁଥିବା ଟିମ୍ ଇଣ୍ଡିଆ ଶେଷ ଦିନ ଦ୍ୱିତୀୟ ସେସନ୍‌କୁ ବି ଯାଇପାରି ନ ଥିଲା ଏବଂ ୨୦୯ ରନ୍‌ର ବଡ଼ ବ୍ୟବଧାନରେ ପରାଜିତ ହୋଇଥିଲା । ମ୍ୟାଚ୍ ପଞ୍ଚମ ଦିନ ପର୍ଯ୍ୟନ୍ତ ଯାଇଥିଲା, ହେଲେ ଟିମ୍ ଇଣ୍ଡିଆ କେବେ ବି ଜିତିବା ସ୍ଥିତିରେ ନ ଥିଲା ।

ଏବେ ଚର୍ଚ୍ଚା ହେଉଛି ଯେ ଏହି ତ୍ରିମୂର୍ତ୍ତିଙ୍କ ସମୟ ସରିଆସିଲାଣି । ଏବେ ସେମାନଙ୍କ ଠାରୁ ଆଗକୁ ଚିନ୍ତା କରିବାର ସମୟ ଆସିଛି । ସେମାନଙ୍କ ବିକଳ୍ପ ଖୋଜିବା ଜରୁରୀ ହୋଇଯାଇଛି । ଆସନ୍ତା ଦୁଇ ବର୍ଷ ଅର୍ଥାତ୍ ପରବର୍ତ୍ତୀ ଡବ୍ଲ୍ୟୁଟିସି ଫାଇନାଲ୍‌କୁ ଆଖି ଆଗରେ ରଖି ଏବେଠାରୁ ଟିମ୍‌କୁ ପ୍ରସ୍ତୁତ କରିବାକୁ ହେବ୍।

ଟେଷ୍ଟ କ୍ୟାରିଅରର ଅନ୍ତିମ ପର୍ଯ୍ୟାୟରେ ଚେତେଶ୍ୱର:

ଏହି ତିନି ଜଣଙ୍କ ମଧ୍ୟରେ ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି ପ୍ରଦର୍ଶନ ଥିଲା ଚେତେଶ୍ୱରଙ୍କର । ଆଶା କରାଯାଉଥିଲା ଯେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ଖେଳିବେ । କାରଣ ହେଉଛି କାଉଣ୍ଟି କ୍ରିକେଟ୍‌ରେ ତାଙ୍କ ଏକ୍ସପୋଜର୍ । ସେ ସସେକ୍ସ ପକ୍ଷରୁ ଖେଳି ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ତାଙ୍କର ଇଂଲଣ୍ଡରେ ଖେଳିବାର ଗୁରୁତ୍ୱପୂର୍ଣ୍ଣ ଅଭିଜ୍ଞତା ଥିଲା । କିନ୍ତୁ ସେ ଉଭୟ ଇନିଂସ୍‌ରେ ବିଫଳ ହୋଇଥିଲେ ।

ଯଦି ୨୦୨୨ରେ ଚଟ୍ଟୋଗ୍ରାମ ଠାରେ ବାଂଲାଦେଶ ବିପକ୍ଷ ୯୦ ଓ ୧୦୨ ରନ୍ର ଇନିଂସ୍କୁ ଛାଡ଼ିଦେଲେ, ଚେତେଶ୍ୱର ଶେଷ ବଡ଼ ଇନିଂସ୍ ୨୦୨୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ଯେଉଁଥିରେ ସେ ୭୭ ରନ୍ କରିଥିଲେ ।

ପୂଜାରା ୨୦୨୧-୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ମୋଟ୍ ୧୭ ଟେଷ୍ଟ ମ୍ୟାଚ୍ ଖେଳି ୩୨ ଆଭରେଜ୍‌ରେ ୯୨୮ ରନ୍ କରିଛନ୍ତି । ଏହି ସମୟରେ ସେ ମାତ୍ର ଗୋଟିଏ ଶତକ ଲଗାଇଛନ୍ତି । ଟିମ୍‌ର ତିନି ନମ୍ବରରେ ଖେଳୁଥିବା ବ୍ୟାଟର୍‌ଙ୍କ ପାଇଁ ଏହି ରେକର୍ଡ ଚିନ୍ତାଜନକ ।

ଏକଦା ଚେତେଶ୍ୱରଙ୍କୁ ‘ଭାରତୀୟ କ୍ରିକେ୍‌ଟର ପ୍ରାଚୀର’ ରାହୁଲ ଦ୍ରାବିଡ଼ଙ୍କ ସହ ତୁଳନା କରାଯାଉଥିଲା । ସେ ଅନେକ ଉଲ୍ଲେଖନୀୟ ଇନିଂସ୍ ଖେଳିଛନ୍ତି, ହେଲେ ଦ୍ରାବିଡ଼ଙ୍କ ସ୍ତରରେ ପହଞ୍ଚିପାରି ନାହାନ୍ତି । ସୀମିତ ଓଭର୍ ଟିମ୍‌ରେ ସେ ବହୁ ଦିନରୁ ନାହାନ୍ତି । ଟେଷ୍ଟ ତାଙ୍କ ପାଇଁ ଏକମାତ୍ର ସୁଯୋଗ । ଏଥିରେ ଭଲ ପ୍ରଦର୍ଶନ କରି ନ ପାରିବା ସ୍ଥଳେ ତାଙ୍କ ଆନ୍ତର୍ଜାତିକ କ୍ୟାରିଅରରେ ଯବନିକା ପଡ଼ିଯିବ ।

ଏମିତି ବି ଆଲୋଚନା ହେଉଛି ଯେ ଆଗାମୀ ୱେଷ୍ଟ୍‌ଇଣ୍ଡିଜ୍ ଗସ୍ତ ପାଇଁ ଚେତେଶ୍ୱରଙ୍କୁ ଟେଷ୍ଟ ଟିମ୍‌ରେ ସାମିଲ କରାଯିବନି । ତାଙ୍କ ସ୍ଥାନରେ ଯୁବ ଖେଳାଳିଙ୍କୁ ଅଗ୍ରାଧିକାର ଦିଆଯିବ । ଖୋଦ୍ ଚେତେଶ୍ୱର ମଧ୍ୟ ଏ କଥା ଅନୁଭବ କରିବେଣି ଯେ ତାଙ୍କ ଟେଷ୍ଟ୍‌ କ୍ୟାରିଅର୍‌ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି ।

ବିରାଟଙ୍କୁ ଟେଷ୍ଟ୍‌ ଚିନ୍ତା:

ଉଭୟ ଟେଷ୍ଟ୍‌ ଓ ଦିନିକିଆରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ବିରାଟ ଏବେ ଆଉ ତାଙ୍କର ପୂର୍ବ ଫର୍ମରେ ନାହାନ୍ତି । ସେ ହ୍ୱାଇଟ୍ ବଲ୍ କ୍ରିକେଟ୍‌ରେ ଲୟକୁ ଫେରୁଥିବା ଦେଖିବାକୁ ମିଳୁଛି, କିନ୍ତୁ ଟେଷ୍ଟ ଟିମ୍‌ରେ ତାଙ୍କର ବେଶୀ ଆବଶ୍ୟକତା ରହିଛି ।

ଡବ୍ଲ୍ୟୁଟିସି ଫାଇନାଲ୍‌ର ଅନ୍ତିମ ଦିନ ବିରାଟ ଓ ଅଜିଙ୍କ୍ୟ ରାହାଣେ କ୍ରିଜ୍‌କୁ ଆସୁଥିଲେ । ଉଭୟଙ୍କ ଉପରେ ବହୁତ ଭରସା ଥିଲା । ସେମାନେ ପରାଜୟ ଏଡ଼ାଇ ଦେଇପାରିଥା’ନ୍ତେ, ହେଲେ ଏହି ଯୋଡ଼ି ଆଉ ବେଶୀ ବାଟ ଯାଇ ନ ଥିଲା ।

ଟେଷ୍ଟ ଚାମ୍ପିଅନ୍‌ସିପ୍ ୨୦୨୧-୨୩ରେ ବିରାଟ ୧୭ ମ୍ୟାଚ୍ ଖେଳି ୩୨.୧୩ ଆଭରେଜ୍ରେ ୯୩୨ ରନ୍ କରିଛନ୍ତି । ଏଥିରେ ମାତ୍ର ଗୋଟିଏ ଶତକ ଅଛି । ବିରାଟ ଓ ଚେତେଶ୍ୱରଙ୍କ ଆଭରେଜ୍ ପ୍ରାୟ ସମାନ ରହିଛି ।

କୋହଲି ଅହମଦବାଦ ଠାରେ ବର୍ଷ ଆରମ୍ଭରେ ୧୮୬ ରନ୍‌ର ଉଜ୍ଜ୍ୱଳ ଇନିଂସ୍ ଖେଳିଥିଲେ, କିନ୍ତୁ ଏହି ସମୟରେ ଦେଶ ବାହାରେ ତାଙ୍କ ଆଭରେଜ୍ ୨୫.୨୫କୁ ଖସିଆସିଛି । ଖେଳ ଉପରେ ଧ୍ୟାନକେନ୍ଦ୍ରିତ କରିବା ପାଇଁ ସେ ନେତୃତ୍ୱ ଛାଡ଼ିଥିଲେ, ଅଥଚ ଟେଷ୍ଟରେ ସେ ଆଶାଜନକ ପ୍ରଦର୍ଶନ କରିପାରୁ ନାହାନ୍ତି।

ଜୁଲାଇରେ ୱେଷ୍ଟଇଣ୍ଡିଜ୍ ଗସ୍ତରୁ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ ୨୦୨୩-୨୫ରେ ଅଭିଯାନ ଆରମ୍ଭ କରିବ । ଏହି ସମୟରେ ଭାରତୀୟ ଟିମକୁ ପୂର୍ବର ବିରାଟ କୋହଲି ଲୋଡ଼ା, ଯିଏ ଟିମ୍‌କୁ ସଙ୍କଟରୁ ମୁକୁଳାଇବାର ସାମର୍ଥ୍ୟ ରଖନ୍ତି । ସମ୍ଭବତଃ ଏହା ତାଙ୍କ ପାଇଁ ଶେଷ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ହୋଇପାରେ।

ଟେଷ୍ଟ୍‌ରେ ରୋହିତଙ୍କ ଭବିଷ୍ୟତ ଉଜ୍ଜ୍ୱଳ ନୁହେଁ:

ରୋହିତ ଶର୍ମା ଭାରତ ପକ୍ଷରୁ ଏ ଯାବତ ମାତ୍ର ୫୦ ଟେଷ୍ଟ ଖେଳିଛନ୍ତି । ସେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ ୨୦୨୧-୨୩ରେ ୪୨.୧୧ ଆଭରେଜ୍‌ରେ ୭୫୮ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଦୁଇଟି ଶତକ ରହିଛି । ଭାରତରେ ତାଙ୍କ ଆଭରେଜ୍ ୩୬.୮୮ ଓ ଭାରତ ବାହାରେ ୫୨.୫୭ ରହିଛି ।

ଏବେ ସେ ଦିନିକିଆ କି ଟେଷ୍ଟ, କୌଣସି ଫର୍ମାଟ୍‌ରେ ଫର୍ମରେ ନାହାନ୍ତି । ସେ ମଝିରେ ମଝିରେ ଫିଟ୍‌ନେସ୍ ସମସ୍ୟା ବି ଭୋଗୁଛନ୍ତି । ଡବ୍ଲ୍ୟୁଟିସି ଫାଇନାଲରେ ସେ ଉଭୟ ଇନିଂସ୍ରେ ନିରାଶ କରିଥିଲେ । ପରାଜୟ ପରେ ତାଙ୍କ ନେତୃତ୍ୱକୁ ନେଇ ବି ପ୍ରଶ୍ନ ଉଠିଛି ।

ରୋହିତଙ୍କୁ ୩୬ ବର୍ଷ ବୟସ ହେଲାଣି । ୨୦୨୫ ଯାଏଁ ତାଙ୍କର ଖେଳିପାରିବା ନେଇ ସନେ୍ଦହ ରହିଛି। ନିକଟ ଭବିଷ୍ୟତରେ ରୋହିତଙ୍କ ଅଧିନାୟକତ୍ୱ ଉପରେ ସଙ୍କଟ ନାହିଁ । କିନ୍ତୁ ଟେଷ୍ଟରେ ରୋହିତଙ୍କ ଭବିଷ୍ୟତ ଯେ ଉଜ୍ଜ୍ୱଳ ନୁହେଁ, ଏହା ଅନେକେ ଅନୁଭବ କଲେଣି ।

ବିକଳ୍ପଙ୍କ ମଧ୍ୟରେ ଅନେକ ପ୍ରତିଭାଶାଳୀ ବ୍ୟାଟର୍:

ଏହି ତ୍ରିମୂର୍ତ୍ତିଙ୍କ ବିକଳ୍ପ ତାଲିକାରେ ଅନେକ ପ୍ରତିଭାଶାଳୀ ବ୍ୟାଟର୍ ଅଛନ୍ତି । ଶୁଭମନ ଗିଲ୍ ଜଣେ ଉଦୀୟମାନ ଓପନର୍ । ସେ ଏବେ ରୋହିତଙ୍କ ସହ ଓପନିଂ କରୁଛନ୍ତି । ଆଗାମୀ ଦିନରେ ରୋହିତଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ୍ ତାଙ୍କର ଭଲ ଯୋଡ଼ିଦାର ହୋଇପାରିବେ । ଏତଦ୍ଭିନ୍ନ, ଅଭିମନ୍ୟୁ ଈଶ୍ୱରନ୍ ଓ ଯଶସ୍ୱୀ ଜୟସ୍ୱାଲ୍‌ଙ୍କ ଭଳି ଭଲ ବିକଳ୍ପ ମଧ୍ୟ ରହିଛନ୍ତି ।

ଚେତେଶ୍ୱରଙ୍କ ତିନି ନମ୍ବର ସ୍ଥାନ ପାଇଁ ହନୁମା ବିହାରୀ ଉଚିତ ବିକଳ୍ପ ହୋଇପାରିବେ । କୋହଲିଙ୍କ ଚାରି ନମ୍ବର ସ୍ଥାନରେ ଶ୍ରେୟାସ ଆୟର (ଏବେ ଅନ୍‌ଫିଟ୍ ଅଛନ୍ତି) ଖେଳିପାରିବେ । ସରଫରାଜ୍ ଖାନ୍‌ଙ୍କ ଭଳି ଆଉ ଏକ ବିକଳ୍ପ ବି ରହିଛି ।

ଭାରତୀୟ ଟେଷ୍ଟ ଟିମ୍‌ର ତ୍ରିମୂର୍ତ୍ତିଙ୍କୁ ହଟାଇ ଅନ୍ୟ କାହାକୁ ପ୍ରସ୍ତୁତ କରିବା ସହଜ କଥା ନୁହେଁ । କିନ୍ତୁ ଆବଶ୍ୟକ ପଡ଼ିଲେ ବଡ଼ ପଦକ୍ଷେପ ନେବାକୁ ପଡ଼ିବ ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)